Unknown

 

 

 

 

 

 

 

 

 

 

 

 

ଜାଲ

 

ଉତ୍ସର୍ଗ

 

ମାନନୀୟ ଭୂପେନ ବାବୁ,

 

ପ୍ରଥମେ ଏ ବହିଟି ପଢ଼ି ଆପଣ ମୋତେ ଖୁବ୍‍ ପ୍ରଶଂସା କରିଥିଲେ । ଆପଣଙ୍କର ପ୍ରଶଂସା ହିଁ ମୋତେ ଉତ୍ସାହ ଦେଇଥିଲା ନୂତନ ସୃଷ୍ଟି ନାଇଁ । ତେଣୁ ଏ ବହିଟି ଆପଣଙ୍କର ହାତରେ ଟେକି ଦେବାର ସାହସ ଆଜି ମୁଁ କରି ପାରିଛି ।

 

ଆପଣ ତ ଓଡ଼ିଶାର ଜଣେ ପ୍ରଖ୍ୟାତ ସାହିତ୍ୟିକ । କି ଭଳି ଭାବେ ମୋର ଏହି ଛୋଟ ଉପହାରଟି ଗ୍ରହଣ କରିବେ ଜାଣେନା । ତଥାପି ଆପଣଙ୍କ ହାତରେ ମୁଁ ଆଜି ଆପଣଙ୍କ ଦ୍ୱାରା ପ୍ରଶଂସିତ ଏହି ଗଳ୍ପଟି ଦେଇପାରିଛି–ସେତିକି ହିଁ ମୋର ଆନନ୍ଦ । ଇତି ।

 

ଆପଣଙ୍କର

ଶରତ

★★★

 

ଆପଣ ଚନ୍ଦ୍ର ଉଏଁ ନାହିଁ ପଢ଼ି ଆନନ୍ଦିତ ହୋଇଛନ୍ତି ।

 

ଆପଣ ଜାଲ୍‍ର ଉଚ୍ଚ ପ୍ରଶଂସା କରିଛନ୍ତି ।

 

ଆପଣ ସେଇ ଲେଖକଙ୍କର କଳ୍ପନାପ୍ରସ୍ତୁତ ଅଭିଯୁକ୍ତକୁ ଆପଣଙ୍କ ହୃଦୟରେ ଉଚ୍ଚ ଆସନ ଅର୍ପଣ କରିଛନ୍ତି ।

 

ଆଜି ସେ ଲକ୍ଷ ପାଠକ ପାଠିକାଙ୍କର ହୃଦୟକୁ ସାହିତ୍ୟର ପକ୍ଷୀରାଜରେ ବସାଇ ହାସ୍ୟରେଖା–ରୋମାଞ୍ଚ ଏବଂ ହାସ୍ୟରସର ସ୍ୱପ୍ନରାଜ୍ୟରେ ଥରେ ବିଚରଣ କରାଇ ଆଣିବାକୁ ଦେଇଛନ୍ତି ପ୍ରତିଶ୍ରୁତି ।

 

–ପଢ଼ନ୍ତୁ–

 

ହାସ୍ୟରେଖା

 

ଲେଖକ–ଦେବାଶିଷ ଶରତଚନ୍ଦ୍ର ଦାସ

 

ସେଇ ଲେଖକଙ୍କର ଲେଖନି ସୃଷ୍ଟି କରିଛି ହାସ୍ୟରସଭରା ଲୋମହର୍ଷଣକାରୀ ଡିଟେକ୍ଟିଭ୍‍ ଉପନ୍ୟାସ

 

ଛିନ୍ନ–ମସ୍ତା

 

ମନୋବିଜ୍ଞାନ ବିଶ୍ଳେଷଣ ମୂଳକ ଡିଟେକ୍ଟିଭ୍‍ ଉପନ୍ୟାସ

 

ଗିରିବାଳା ଓମେନ୍‍ସ କଲେଜ

 

ପ୍ରକୃତ ପ୍ରେମର ଏକ ଜ୍ୱଳନ୍ତ ପ୍ରମାଣ–

ପାରିଜାତ

 

(ଉପନ୍ୟାସ)

★★★

 

ସକାଳ ଛ’ଟା ପଚିଶ ।

 

କ୍ୟାଣ୍ଟନ୍‍ମେଣ୍ଟ ରୋଡ଼ ଦେଇ ପ୍ରଖର ବେଗରେ ଛୁଟିଚି ଗୋଟିଏ ମଟର ବାଇକ୍‍ । ଆରୋହଣକାରୀ ଜଣେ । ବୟସ ପ୍ରାୟ ପଚିଶ ହେବ । ହୃଷ୍ଟପୃଷ୍ଟ—ସୁନ୍ଦର । ପରିଧାନ—ଧଳା ଗୋଆଲିଆର ରେୟନ୍‍ର ଏକ ଫୁଲ ପ୍ୟାଣ୍ଟ, ଗାଢ଼ କଳା ରଙ୍ଗର ଗୋଟାଏ ଶିଲକ୍‍ ସ୍ପୋଟିଂ ସାର୍ଟ । ସ୍ପୋଟିଂ ସାର୍ଟଟିର ବେକରେ ଧଳା ରଙ୍ଗର ବର୍ଡର, ଦୁଇ ହାତରେ ମଧ୍ୟ ସେହି ପ୍ରକାର ବର୍ଡର । ବାମହାତର ରିଷ୍ଟର ଓମେଗା ଅଟୋମେଟିକ୍‍ । ଗୋଡ଼ରେ କଳାଫୁଲ ସୁ’ । ସୁଯତ୍ନ କେଶର ଅପୂର୍ବ ଭଙ୍ଗୀମା ବାୟୁର ହିଲ୍ଲୋଳଦ୍ୱାରା ଫୁର୍‍ଫୁର୍‍ ହୋଇ ଉଡ଼ୁଛି ଅଯତ୍ନ ହୋଇ । ସୁଗୋଲ ମୁଖଟିରେ ଗାମ୍ଭୀର୍ଯ୍ୟ । ଚକ୍ଷୁରେ ଆସନ୍ନ ସମସ୍ୟା ସ୍ପଷ୍ଟ ସୂଚନା ।

 

ମଟର ବାଇକ୍‍ ଛୁଟିଛି । ଯନ୍ତ୍ର ଦାନବର ଭୈରବୀ ଶବ୍ଦରେ ପ୍ରଭାତର ଶାନ୍ତିମୟ ବାତାବରଣ ହୋଇଉଠୁଛି ଅଶାନ୍ତ । ପିଚ୍‍ ରାସ୍ତା ଉପରେ ଶାୟିତ ଧୂଳିକଣା ଗୁଡ଼ିକର ହଠାତ୍‍ ନିଦ୍ରା ଭଙ୍ଗ ହେବାରୁ ସେମାନେ ଚମକ ଉଠି ଭୟରେ ପଳାୟନପନ୍ଥୀ ହୋଇ ପୁଣି ଅନ୍ୟତ୍ର ନିଦ୍ରାଭିଭୂତ ହେଉଛନ୍ତି । ପିଚ୍‍ ରାସ୍ତାର ବକ୍ଷ ଉପରେ ରହି ଯାଉଛି ଦାନବଟିର ପଦ ଚିହ୍ନ ।

 

ଚି.......

 

ହଠାତ୍‍ ଆରୋହଣକାରୀଟି ଥରେ ମାତ୍ର ବାଇକ୍‍ଟିର ସିଟ୍‍ରୁ ଦୁଇ ଚାରିଇଞ୍ଚ ଉପରକୁ ଉଠିଯାଇ ପୁଣି ବସି ପଡ଼ିଲା ଓ ତାର ମସ୍ତକଟି ଅଗ୍ରଭାଗକୁ କିଛି ଝୁଙ୍କି ଯାଇ ପୁଣି ଯଥା ସ୍ଥାନରେ ସନ୍ନିବେଶିତ ହେଲା ।

 

ସମ୍ମୁଖ ଭାଗରେ ଏକ ବିରାଟ ଦ୍ୱିତଳ ପ୍ରାସାଦ । ଗେଟରେ ଲାଗିଛି ଗୋଟାଏ କଳାରଙ୍ଗର ନେମ୍‍ ପ୍ଲେଟ, ଧଳା ପ୍ଲାସ୍‍ଟିକ୍‍ ଅକ୍ଷରରେ ଇଂରାଜୀରେ ଲେଖାଯାଇଛି ହିମାଂଶୁ ମୋହନ ମିଶ୍ର, ଏସ୍‍. ପି । ଦରଓ୍ୱାନ ଛିଡ଼ା ହୋଇଛି । ଚଞ୍ଚଳ ପଦକ୍ଷେପରେ ଯାଇ ଆରୋହଣକାରୀଟି ଗେଟ ନିକଟରେ ଅଟକି ଗଲା । ଦରଓ୍ୱାନ ସାଲ୍ୟୁଟ୍‍ ଦେଲା ।

 

ସାହେବ୍‍ ?

 

ଜୀ, ଅନ୍ଦରମେ ହୈ, ଆପ୍‍ ଯାଇୟେ ନା !

 

ତୁମ୍‍ ପହଲେ କାର୍ଡ ଲେକର୍‍ ସାହେବକୋ ଦେଖାଓ, ଓ ବୋଲନେସେ ମୈ ଯାଉଁଗା ।

 

ଦରଓ୍ୱାନ କାର୍ଡ ନେଇ ଚାଲିଗଲା ଭିତରକୁ ।

 

ସତ୍ୟଜିତ୍‍ ଦାସ

 

ସି.ଆଇ.ଡି ଇନ୍‍ସପେକ୍‍ଟର ।

 

ଆରେ ! ଇନ୍‍କୋ ବୋଲାଓ ନା ଜଲଦି । କାର୍ଡ ଲାନେକା କ୍ୟା ଜରୁରତ୍‍ ଥା ?

 

ଦରଓ୍ୱାନ ଚାଲିଗଲା ।

 

କିଛି ସମୟ ପରେ ପ୍ରବେଶ କଲେ ସି. ଆଇ. ଡ଼ି ଇନ୍‍ସପେକ୍ଟର ସତ୍ୟଜିତ୍‍ ଦାସ !

 

ନମସ୍କାର !

 

ନମସ୍କାର ! ଏସ୍‍. ପି ଙ୍କର ଥରିଲା ଓଠ ଦୁଇଟି ନମସ୍କାର ଗ୍ରହଣ କଲା । ତା’ପରେ ତାଙ୍କର ଦକ୍ଷିଣ ହସ୍ତଟି ସମ୍ମୁଖରେ ପଡ଼ିଥିବା ଗୋଟାଏ ସୋଫା ଉପରେ ଉପବେଶନ କରିବାକୁ ସତ୍ୟଜିତ୍‍ ଦାସଙ୍କ ନିର୍ଦ୍ଦେଶ ଦେଲା ।

 

ସତ୍ୟଜିତ୍‍ ଯନ୍ତ୍ରଚାଳିତ ପରି ସୋଫା ଉପରେ ବସିଲେ ଓ ପ୍ରଶ୍ନବାଚୀ ଦୃଷ୍ଟିରେ ଏସ୍‍. ପି. ଙ୍କୁ ଚାହିଁ ରହିଲେ । ଏସ୍‍. ପି ଆରମ୍ଭ କଲେ—

 

ଆପଣ ଜାଣିଥିବେ—ପ୍ରଣତି ହିଁ ମୋର ସର୍ବସ୍ୱ । ଜୀବନ ପଥରେ ପ୍ରତି ପଦକ୍ଷେପରେ ରହିଛି ପ୍ରଣତିଙ୍କର ନିର୍ଦ୍ଦେଶ । ତାଙ୍କ ବିନା ମୋର ଯେ ପ୍ରତ୍ୟେକ ସ୍ଥଳରେ ତ୍ରୁଟି ଘଟିବ—ଏଥିରେ ସନ୍ଦେହ ନାହିଁ ।

 

ଆପଣ ଏତେ ଭାଙ୍ଗି ପଡ଼ୁଛନ୍ତି କାହିଁକ ?

 

କେବଳ ମୁଁ ନୁହେଁ ସତ୍ୟଜିତ୍‍, ମୋର ଏକମାତ୍ର ସନ୍ତାନ ଗୀତା ମଧ୍ୟ । ଆପଣ ଯଦି ଆରପାଖ କୋଠରୀକୁ ଯାନ୍ତି, ହୁଏତ ଦେଖିବେ—ଗୀତାର ଦୁଃଖ ଭରା ମୁଖମଣ୍ଡଳ–ଅଶ୍ରୁଳ ନୟନ । ତାପରେ ଏପରି ପରିସ୍ଥିତିରେ ଭାଙ୍ଗ ପଡ଼ିବାଟା କ’ଣ ଅସ୍ୱାଭାବିକ ?

 

ସତ୍ୟଜିତ୍‍ କିଛି କହିଲେ ନାହିଁ । ଏସ୍‍. ପି. ମଧ୍ୟ ନୀରବ । କେବଳ ପାଟି କରୁଛି ସେଇ ଓ୍ୟାଲ୍‍ କ୍ଲକ୍‍ଟା ଟିକ୍‍ ଟିକ୍‍ ଶବ୍ଦ ହେଇ । ସତ୍ୟଜିତ୍‍ ଦାସ ଚାହିଁ ରହିଲେ ସେଇ ଆଡ଼କୁ ।

 

ମଚ୍‍....... ମଚ୍‍........ ମଚ୍‍...... ମଚ୍‍......

 

ସତ୍ୟଜିତ୍‍ଙ୍କର ସମ୍ମୁଖଭାଗରେ ଥିବା ବେଲଜିଅମ୍‍ କାଚର ବିରାଟ ଦର୍ପଣ ଉପରେ ପଡ଼ିଲା ଆଗନ୍ତୁକ ଦ୍ୱୟଙ୍କର ପ୍ରତିବିମ୍ୱ । ପଶ୍ଚାତ୍‍ଭାଗର ଦ୍ୱାର ନିକଟରେ ଛିଡ଼ା ହୋଇଛନ୍ତି—ସବ୍‍ଇନସପେକ୍‍ଟର ସୁନିଲ ଚାଟାର୍ଜି, ଇନ୍‍ସପେକ୍‍ଟର ନୀହାର ରଞ୍ଜନ ପରିଜା । ସତ୍ୟଜିତ୍‍ଙ୍କ ମୁହଁ ପଛଆଡ଼କୁ ବୁଲିଗଲା । ଏସ୍‍. ପି. ଙ୍କର ନିର୍ଦ୍ଦେଶରେ ସୁନୀଲ ଚାଟାର୍ଜି ଓ ନୀହାର ରଞ୍ଜନ ପରିଜା ଦୁଇ ପାର୍ଶ୍ୱରେ ପଡ଼ିଥିବା ଦୁଇଟି ସୋଫା ଦଖଲ କଲେ । ସତ୍ୟଜିତ୍‍ ଦାସ ଆରମ୍ଭ କଲେ—

 

ସାର୍‍, ଘଟଣାଟା ମୂଳରୁ କୁହନ୍ତୁ ।

 

ହୁଁ । ଏସ୍‍. ପି. ସିଗାରେଟ୍‍ କେଶରୁ ବାହାରକଲେ ଗୋଟାଏ ସିଗାରେଟ୍‍ । ତା’ପରେ ଅନ୍ୟ ତିନିଜଣକୁ ତିନୋଟି ସିଗାରେଟ୍‍ ବଢ଼ାଇ ଦେଇ ଦିଆସିଲିର ସଦ୍‍ବ୍ୟବହାର କଲେ । କେତୋଟି ମୁହୂର୍ତ୍ତ ପରେ ତିନୋଟି କ୍ୟାପ୍‍ଷ୍ଟାନ କୋଠରୀଟିକୁ ଧୂମ୍ରାୟିତ କରିବାରେ ଲାଗି ପଡ଼ିଲେ । ଏସ୍‍. ପି. ଙ୍କର ମୁହଁ ଖୋଲିଲା—

 

ଆମର ପ୍ରାୟ ସମସ୍ତେ ସକାଳ ପାଞ୍ଚଟାରୁ ଶଯ୍ୟାତ୍ୟାଗ କରନ୍ତି । ଗୀତା ପ୍ରଥମେ ଉଠି ତା’ର ମା’କୁ ଡାକେ । ପ୍ରଣତିର ଓ ମୋର କୋଠରୀଦ୍ୱୟ ସଂଲଗ୍ନ । ଗୋଟିଏ ଦ୍ୱାରା ସଂଯୁକ୍ତ । ଆଜି ପ୍ରଥମେ ଗୀତା ଉଠି ଦେଖେତ ତା’ର ମା ନାହିଁ, କିନ୍ତୁ ବାହାର ଦରଜାଟା ଖୋଲା । ମୁଁ ସେତେବେଳକୁ ଉଠି ସାରଥାଏ । ମୁଁ ଉଠିବା ପରେ ପ୍ରଣତି ମୋ ନିକଟକୁ ଚା ଧରି ଆସନ୍ତି । ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ସେ ଆସିଲେ ନାହିଁ । ଶେଷରେ ମୁଁ ଗୀତାକୁ ଡାକିଲି । ଗୀତା କହିଲା ଯେ—ସେ ତଳ ମହଲାର ସମସ୍ତ କୋଠରୀ ଦେଖି ଆସିଲେଣି, କିନ୍ତୁ କେଉଁଠାରେ ସେ ନାହାଁନ୍ତି । ପରିଶେଷରେ ସେ ସନ୍ଦେହ କରିଥିଲୁ ଯେ—ସେ ମୋ ନିକଟରେ ଥିବେ ବୋଲି । କିନ୍ତୁ ତା’ର ସନ୍ଦେହ ବୃଥା ହେଲା ।

 

ଟିକିଏ ନୀରବ ରହି ପୁଣି ଏସ୍‍. ପି. କହିଲେ—

 

ଶେଷରେ ତଳ ଓ ଉପରର ସମସ୍ତ କୋଠରୀ ଭଲକରି ଦେଖାଗଲା । କେଉଁଠାରେ ସେ ମିଳିଲେ ନି । ଘରର ସମସ୍ତ ଚାକର ଓ ଦରଓ୍ୱାନ୍‍କୁ ମଧ୍ୟ ପ୍ରଶ୍ନ କରାଯିବାରୁ ସେମାନେ ତାଙ୍କ ବିଷୟରେ କୌଣସି ସନ୍ଧାନ ଦେଇ ପାରିଲେ ନି । ଅନ୍ୟ ଉପାୟ ନ ଦେଖି ଆପଣମାନଙ୍କୁ ଫୋନ୍‍ କଲି ।

 

ହୁଁ—ଏଥର ତାହାହେଲେ ଚାଲନ୍ତୁ କୋଠରୀଟି ପରୀକ୍ଷା କରିବା–ସତ୍ୟଜିତ୍‍ ଦାସ କହିଲେ ।

 

ତିନିଜଣ ଯାକ ଉଠିଲେ । ଉପର ମହଲାର ମଧ୍ୟଭାଗକୁ ଗୋଟିଏ କୋଠରୀ, ତାହା ପ୍ରଣତି ଦେବୀଙ୍କ । ଦୁଇପାଖର କୋଠରୀ ଦ୍ୱୟମଧ୍ୟରୁ ଦକ୍ଷିଣ ପାର୍ଶ୍ୱର କୋଠରୀଟି ଗୀତାର ଏବଂ ବାମପାର୍ଶ୍ୱସ୍ଥ କୋଠରୀଟି ଏସ୍‍. ପି ଙ୍କର । ଗୀତାର ବେଡରୁମ୍‍କୁ ଲାଗି ତା’ର ଷ୍ଟଡିରୁମ୍‍ ।

 

ପ୍ରଣତିଦେବୀଙ୍କର କୋଠରୀଟି ପରୀକ୍ଷା କରାଗଲା । କିନ୍ତୁ କେବଳ ତାଙ୍କ ବେଡରୁ ଗୋଟାଏ କ୍ଳୋରୋଫରମ୍‍ ରୁମାଲ ବ୍ୟତୀତ ଅନ୍ୟ କୌଣସି ସନ୍ଦେହ ଜନକ ପଦାର୍ଥ ମିଳିଲାନି । ଘରର ସମସ୍ତ ଚାକର ଏବଂ ଦରଓ୍ୟାନ୍‍ଙ୍କୁ ଜେରା କରାଗଲା । କୌଣସି ଉପଯୋଗୀ ତଥ୍ୟ ମିଳିଲାନି । ଗୀତାକୁ ପ୍ରଶ୍ନ କରିବାରୁ ସେ କହିଲା ଯେ—ପ୍ରତିଦିନ ଡାକିବାକୁ ଆସିବାବେଳେ ବାହାର ଦ୍ୱାରଟା ବନ୍ଦ ଥାଏ, କିନ୍ତୁ ଆଜି ଉନ୍ମୁକ୍ତ ଥିଲା ଏବଂ ପ୍ରଣତିଙ୍କର ବେଡ୍‍ ଖାଲି ପଡ଼ିଥିଲା ।

 

ସାର୍‍, ଆପଣ ପ୍ରଣତି ଦେବୀଙ୍କ ନାମରେ କୌଣସି ଉଇଲ୍‍ କରିଥିଲେ କି ? ସତ୍ୟଜିତ୍‍ ଦାସ ପ୍ରଶ୍ନ କଲେ ।

 

ନା ! ଗୋଟିଏ ଅକ୍ଷରରେ ଉତ୍ତର ଦେଲେ ଏସ୍‍. ପି ।

 

ନା !

 

ଗୀତା ଦେବୀ ? ଆପଣ ଜାଣନ୍ତି ।

 

ନା ।

 

ତେବେ ? ହରଣଚାଲର ଉଦ୍ଦେଶ୍ୟ କ’ଣ ହୋଇପାରେ ! ପ୍ରଣତିଙ୍କର ଯୌବନ ? ନା’ତ ! ଯୌବନଭରା ସୌନ୍ଦର୍ଯ୍ୟମୟୀ ଷୋଡ଼ଶୀ ଗୀତା ଥାଉଁ ଥାଉଁ ତାଙ୍କର ମାଙ୍କୁ ହରଣଚାଲ କରିବା ଏଭଳି କାର୍ଯ୍ୟ କୌଣସି ଚତୁର ଦସ୍ୟୁତ ନୁହେଁ । ଏପରି ବିଭିନ୍ନ ପ୍ରକାରର ପ୍ରଶ୍ନ ସତ୍ୟଜିତ୍‍ଙ୍କ ମନ ମଧ୍ୟରେ ଉଙ୍କିମାରି ପୁଣି ନୈରାଶ୍ୟର ଅନ୍ଧକାରରେ ଲୁଚି ଲୁଚି ଗଲା ।

 

ଆଚ୍ଛା, ଗୀତା ! କାଲି ଦିନରେ କିମ୍ୱା ରାତିରେ ତୁମର ମା’ଙ୍କର ମନ କିପରି ଥିଲା ?

 

ମାନେ ? ଅତି ଦୁଃଖର ସହିତ ଗୀତା ପ୍ରଶ୍ନ କଲା ।

 

ମାନେ–ସେ ବିବ୍ରତ ଦେଖା ଯାଉଥିଲେ କି ? ....କିମ୍ୱା ଅନ୍ୟ ଦିନମାନଙ୍କ ଅପେକ୍ଷା କାଲି ତାଙ୍କ ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ କିମ୍ୱା ବିଶେଷତ୍ୱ ଥିଲା କି ?

 

ନା’ତ !

 

ଗୋଟାଏ ତୀକ୍ଷ୍‍ଣ ଦୃଷ୍ଟି ନିକ୍ଷେପ କଲେ ଗୀତାର ମୁଖ ମଣ୍ଡଳରେ ସତ୍ୟଜିତ୍‍ । ଝାଉଁଳି ପଡ଼ିଛି ଗୀତା । କେଶ-ବାସ ଅଯତ୍ନ । ଯଦିଓ ଲୋତକଧାରା ନୟନ ଉପକଣ୍ଠକୁ ସ୍ପର୍ଶ ନ କରିଛି, ତଥାପି ଲୋତକସିକ୍ତ । ଗୀତା ଚାହିଁଲା ସତ୍ୟଜିତ୍‍ଙ୍କୁ । ଇସ୍‍ କି ମର୍ମନ୍ତୁଦ ସେ ଚାହାଣୀ ! ସତ୍ୟଜିତ୍‍ଙ୍କ ବକ୍ଷଭେଦ କରି ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ! ଆପେ ଆପେ ମୁହଁ ତାଙ୍କର ଅନ୍ୟ ଆଡ଼କୁ ବୁଲିଗଲା । ଦୃଷ୍ଟି ପଡ଼ିଲା ଏସ୍‍, ପି ଙ୍କର ମୁଖମଣ୍ଡଳରେ । କରୁଣ ଦୃଷ୍ଟିରେ ସେ ଚାହିଁଛନ୍ତି ସତ୍ୟଜିତ୍‍ଙ୍କୁ ।

 

ସାର୍‍ ! ଆପଣଙ୍କର ମନେଥିବ, ଆଠ ଦଶଦିନ ତଳେ ମୋତେ କହୁଥିଲେ, ଗୋଟିଏ କଳା ଅଷ୍ଟିନ୍‍ ଆପଣଙ୍କୁ ଅଫିସ୍‍ ନିକଟକୁ ଅନୁସରଣ କରି ଏପର୍ଯ୍ୟନ୍ତ ଆସିଥିଲା । ତା’ର ନମ୍ୱର ଆପଣ ମନେ ରଖିଛନ୍ତି ? ସତ୍ୟଜିତ୍‍ ଏସ୍‍.ପିଙ୍କୁ ଚାହିଁ ରହିଲେ ।

 

ନା ମୋର ମନେ ନାହିଁ । ଏସ୍‍. ପି. କିଛିକ୍ଷଣ ଭାବିବା ପରେ କହିଲେ ।

 

ମୁଁ ଭାବି ପାରୁନି......ସାର୍‍—ପ୍ରଣତି ଦେବୀ ଭିତର ପଟୁ ଦ୍ୱାର ବନ୍ଦ କରି ଶୁଅନ୍ତି । ଦ୍ୱାର ଖୋଲିଲା କିପରି ? ସତ୍ୟଜିତ୍‍ଙ୍କ ପ୍ରଶ୍ନର ଉତ୍ତର କେହି ଦେଇ ପାରିଲେନି କିମ୍ୱା କେହି ଦେବେ ବୋଲି ସେ ଆଶା କରି ନଥିଲେ । ନୀରବତା ଭଙ୍ଗକରି ପୁଣି କହିଲେ ସତ୍ୟଜିତ୍‍—

 

ଅପରାଧୀ ଯେ ହେଉ ନା କାହିଁକି ମୋ ଜୀବନ ବିନିମୟରେ ମୁଁ ତାଙ୍କୁ ନିଶ୍ଚୟ ଜନସାଧାରଣ ସମ୍ମୁଖକୁ ଟାଣି ଆଣିବ ଏବଂ ପ୍ରଣତି ଦେବୀଙ୍କୁ ଉଦ୍ଧାର କରିବି—ଏ ଭରସା ମୁଁ ଆପଣଙ୍କୁ ଦେଉଛି ।

 

ରଦିନ ସନ୍ଧ୍ୟାବେଳେ ଅନ୍ୟମାନଙ୍କ ସହିତ ଆଲୋଚନା କରିବା ନିମିତ୍ତ ସତ୍ୟଜିତ୍‍ ଥାନାକୁ ଯାଇଥିଲେ । କେଜାଣି କାହିଁକି ଅନ୍ୟମାନେ ଅନୁପସ୍ଥିତ ଥିବାରୁ ଥାନାରେ ବସି ସେ ଦେଖୁଥିଲେ ପୂର୍ବଦିନର ଖବର କାଗଜଟାକୁ । ପ୍ରଣତି ଦେବୀଙ୍କ ହରଣଚାଳର ବିବରଣୀ ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଛି । ଯତ୍ନର ସହିତ ଟେବୁଲ ଉପରେ କାଗଜଟାକୁ ରଖି ଦେଲେ ସେ । ତା’ପରେ ନିଜର କର୍ମପନ୍ଥା କରିବାକୁ ଭାବି ବସିଲେ । ସମ୍ମୁଖରେ ଦେଖାଗଲା ଗୀତାର ସେ ମର୍ମନ୍ତୁଦ ଚାହାଣୀ । ଯାହା ହେଉନା କାହିଁକି ଗୀତାର ମୁଖରେ ହସର ଢେଉ ଖେଳାଇବେ–ଏଇ ପ୍ରତିଜ୍ଞାରେ ତାଙ୍କର ହୃଦୟ ଦୃଢ଼ ହେବାକୁ ଲାଗିଲା ।

 

ଶେଷରେ ସେ ଟେବୁଲ ଉପରେ ରଖିଥିବା ସେଇ କ୍ଲୋରୋଫରମ ରୁମାଲଟାକୁ ଉଠାଇ ଧରିଲେ । ଗୋଟାଏ ଧଳା କନାର ରୁମାଲ । ବେଶ୍‍ ସେତିକି । ତା ବ୍ୟତୀତ ସତ୍ୟଜିତ୍‍ ଅନ୍ୟ କୌଣସି ଉପଯୋଗୀ ତଥ୍ୟ ରୁମାଲ୍‍ ମଧ୍ୟରୁ ସଂଗ୍ରହ କରି ପାରିଲେ ନାହିଁ । ରୁମାଲଟାକୁ ପୁଣି ଯଥା ସ୍ଥାନରେ ରଖିଦେଲେ ।

 

ତେବେ ? କିପରି ଭାବେ ସେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବେ । ସତ୍ୟଜିତ୍‍ଙ୍କର ଭାବନାର ଖିଅ ଛିଡ଼ିଗଲା କନେଷ୍ଟବଲର ଡାକରେ—

 

ସାର, ଦୁଇଜଣ ଭଦ୍ରଲୋକ ଆପଣଙ୍କ ସହିତ କଥାବାର୍ତ୍ତା ହେବାକୁ ଇଚ୍ଛା କରନ୍ତି ।

 

ଡାକି ଦିଅ ଭିତରକୁ ।

 

ଲ ସମୟ ପରେ ଆସିଲେ ଦୁଇଜଣ । ଚିହ୍ନି ପାରିଲେ ସତ୍ୟଜିତ୍‍ । ଜଣେ ‘ସ୍ୱପ୍ନପୁରୀ’ ସିନେମା ହଲ୍‍ର ମାଲିକ ଏବଂ ଅନ୍ୟ ଜଣକ ମ୍ୟାନେଜର । ନମସ୍କାରର ଆଦାନ ପ୍ରଦାନ ପରେ ସତ୍ୟଜିତ୍‍ଙ୍କ ନିର୍ଦ୍ଦେଶରେ ଦୁଇ ଜଣଯାକ ଦୁଇଟି ଚେୟାର ଅଧିକାର କଲେ । ଦୁଇଜଣଙ୍କ ମୁଖରେ ଆସନ୍ନ ବିପଦର ସୂଚନା ।

 

ମୁଁ କିପରି ଆପଣଙ୍କ ମନେ ପଡ଼ିଲି ? ଗୋଟିଏ ରହସ୍ୟଭରା ଚାହାଣୀ ଚାହିଁ ପ୍ରଶ୍ନକଲେ ସତ୍ୟଜିତ୍‍ ।

 

ଥଟ୍ଟା କରିବାର ସମୟ ଏ ନୁହେଁ ସତ୍ୟଜିତ୍‍ ବାବୁ । ଆମେ ବର୍ତ୍ତମାନ ଏପରି ପରିସ୍ଥିତିରେ ଉପସ୍ଥିତ ହୋଇଅଛୁ, କ’ଣ କରିବୁ କ’ଣ ନକରିବୁ—ତାହା ସ୍ଥିର କରିପାରୁ ନାହୁଁ....

 

ସୁନୀଲ ଚାଟାର୍ଜି ପ୍ରବେଶ କଲେ ଏବଂ ଏ ଦୁଇଜଣଙ୍କର ନମସ୍କାର ଗ୍ରହଣ କରି ଦଖଲ କଲେ ଗୋଟିଏ ଚେୟାର ।

 

କ’ଣ ହୋଇଛି ଆପଣମାନଙ୍କର–ପ୍ରଶ୍ନକଲେ ସତ୍ୟଜିତ୍‍ ।

 

ପିନ୍ଧିଥିବା ସାର୍ଟର ଉପର ପକେଟରୁ ଗୋଟାଏ ଖୋଲା ଖାମ୍‍ ବାହାର କରି ସତ୍ୟଜିତ୍‍ଙ୍କ ହାତକୁ ବଢ଼ାଇ ଦେଲେ ‘ସ୍ୱପ୍ନପୁରୀ’ର ମାଲିକ ଅମରନାଥ ଅଗରଓ୍ୟାଲା । ଚିଠିଟିକୁ ଭଲଭାବେ ଦେଖିଲେ ସତ୍ୟଜିତ୍‍ । ପୂର୍ବଦିନ ରାତିରୁ ପୋଷ୍ଠିଂ କରାଯାଇଛି । ଆମରନାଥଙ୍କୁ ଆଡ଼୍ରେସ କରାଯାଇଛି । ଖାମ୍‍ ମଧ୍ୟରୁ ଗୋଟାଏ ଲାଲ୍‍ ରଙ୍ଗର ଚିଠି ବାହାର କରି ପଢ଼ିଲେ ସତ୍ୟଜିତ୍‍—

 

ପ୍ରିୟ ଅମରନାଥ,

୩-୨-୬୪

 

କଟକ

 

ମୋର ନମସ୍କାର ଏବଂ ଆନ୍ତରିକତା ସାଦରେ ଗ୍ରହଣ କରିବେ ବୋଲି ମୁଁ ଆଶା ଓ ବିଶ୍ୱାସ ହୀନ । ତେବେ ମଧ୍ୟ ପ୍ରଥମରୁ ମୋର ନମସ୍କାର ଗ୍ରହଣ କରିବାକୁ ଅନୁରୋଧ ଜଣାଉଛି ।

 

ବେଶୀ ଗୁଡ଼ାଏ ଲେଖି ଆପଣଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିବାର ଇଚ୍ଛା ମୋର ନୁହେଁ । ତେବେ ଆପଣଙ୍କୁ ଯେତିକି ଜଣାଇବା କଥା ସେତିକି ଜଣାଉଛି । କାଲିଠାରୁ ଆପଣଙ୍କ ‘ସ୍ୱପ୍ନପୁରୀ’ ରେ ପ୍ରସିଦ୍ଧ ହିନ୍ଦୀଚିତ୍ର ‘ବମ୍ବେକା ବାବୁ’ ପ୍ରକାଶିତ ହେବ । ସେଥିଯୋଗୁଁ ବହୁଦିନ ପାଇଁ ସ୍ୱପ୍ନପୁରୀର ବୁକିଂ ଅଫିସ୍‍ରେ ହାଉସ୍‍ ଫୁଲ ନୋଟିସ୍‍ ଦେଖିବାକୁ ମିଳିବ—ଏଥିରେ ମତଦ୍ୱୈଧର ଅବକାଶ ନାହିଁ । ଆଶାକରେ ପ୍ରଥମ ଦିନର ସମସ୍ତ ସୋ’ର ସମସ୍ତ ଆୟ ଆମ୍ଭମାନଙ୍କୁ ଦେଇଦେବେ । ନଚେତ୍‍ ଗୁରୁତର ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବେ ।

 

ମୋ କଥାରେ ଯଦି ଆପଣଙ୍କର ସମ୍ମତି ଥାଏ, ତେବେ କାଲି ରାତି ଦୁଇଟାବେଳେ ତିନୋଟି ଯାକ ସୋ’ର ଆୟ ନେଇ ମହାନଦୀ କୂଳରେ ଥବା ଶିବ ମନ୍ଦିରର ପଶ୍ଚାଦଭାଗର ପ୍ରଥମ ସୋପାନରେ ରଖିଦେଇ ଆସିବେ । ବେଶ୍‍ ଆପଣଙ୍କୁ ସେତିକି କରିବାକୁ ପଡ଼ିବ । ତା’ପରେ ସେତକ ଆମର ହସ୍ତଗତ ହେବ ।

 

ଆପର ଯଦି ଏଇତକ କରିବାକୁ ସମ୍ମତି ପ୍ରଦାନ ନ କରନ୍ତି, ତେବେ ଆମ୍ଭେମାନେ ଯେ କୌଣସି ଉପାୟରେ ସେହି ଦୁଇଟି ସୋ’ର ଆୟ ନେବାକୁ କୁଣ୍ଠାବୋଧ କରିବୁନି ଏବଂ ଆପଣ ବୃଥାରେ ଆମଦ୍ୱାରା ଦଣ୍ଡିତ ହେବେ । ପୋଲିସ୍‍ର ସାହାଯ୍ୟ ନେବା ବୃଥା ହେବ ।

 

ବନ୍ଦେଗୀ

ଆପଣଙ୍କର—

 

ସୁନୀଲ ଚାଟାର୍ଜି ପାଟିକରି ଉଠିଲେ—ତେବେ ତ ସହଜଳ ଆପଣ କାଲି ରାତି ଦୁଇଟାବେଳେ ଯାଇଁ ଗଡ଼ଗଡ଼େଶ୍ୱରଙ୍କ ପାହାଚରେ ସମସ୍ତ ଟଙ୍କା ରଖି ଦେଇ ଆସିବେ.......

 

ଆଉ ଆପଣ ସେଠାରେ ଥାଇ ଦସ୍ୟକୁ ଗିରଫ କରିବେ, ନା ? ଅତି ସହଜ ଉପାୟ ! କିନ୍ତୁ ମନେ ରଖିବାକୁ ପଡ଼ିବ ଯେ–ଯେଉଁ ଦସ୍ୟୁ ସମୟ ଏବଂ ସ୍ଥାନ ଜଣାଇଦେଇଛି, ସେ କେବେହେଲେ ଏତେ ବୋକା ନୁହେଁ ! ସତ୍ୟଜିତ୍‍ ନୀରବ ହସ ହସିଲେ ।

 

ସୁନୀଲ ଚାଟାର୍ଜି ତଳକୁ ମୁହଁ କଲେ ।

 

ମୋତେ ଏ ବିପଦରୁ ରକ୍ଷା କରନ୍ତୁ ସତ୍ୟଜିତ୍‍ ବାବୁ । ରିଲିଜ୍‍ ଫିଲ୍ମର ପ୍ରଥମ ଦିନରେ ଦୁଇଟିଯାକ ସୋ’ର ସମସ୍ତ ଆୟ ଦେବା ଦ୍ୱାରା ମୁଁ ଯେ, କେତେ କ୍ଷତିଗ୍ରସ୍ତ ହେବି ଟିକିଏ ବିଚାର କରନ୍ତୁ । କାନ୍ଦ କାନ୍ଦ ହୋଇ କହିଲେ ଅମରନାଥ ।

 

ମୁଁ ତ ସବୁ ଜାଣିଛି । ତେବେ ଆପଣ ଗୋଟିଏ କଥା କୁହନ୍ତୁ । ଆପଣ ଦସ୍ୟୁର ସର୍ତ୍ତ ଅନୁସାରେ କାର୍ଯ୍ୟ କରନ୍ତୁ ନାହିଁ । ତା’ପରେ ଦେଖିବା–କେଉଁ ପାଣି ଆଡ଼କୁ ଯାଉଛି । ହୁଏତ ଦସ୍ୟୁ ଅନ୍ୟ ଉପାୟରେ ତା’ର କାର୍ଯ୍ୟ ସାଧନ କରିବା ସମୟରେ ଧରାପଡ଼ି ପାରେ ।

 

ଠିକ୍‍ କଥା । ତେବେ ସେଇୟା କରାଯାଉ । ଅନୁମୋଦନ କଲେ ମ୍ୟାନେଜର ରାଜେନ୍ଦ୍ର କୁମାର ଲାଲ୍‍ ।

 

ତେବେ ଆପଣ ଆମକୁ ନିଶ୍ଚୟ ସାହାଯ୍ୟ କରିବେ । ଅମରନାଥଙ୍କ କଣ୍ଠ ମିନତିଭରା ।

 

ତା’ତ ମୋର କର୍ତ୍ତବ୍ୟ । ଅନ୍ୟ ଆଡ଼କୁ ଚାହିଁ କହିଲେ ସତ୍ୟଜିତ୍‍ ।

 

ଟିକେ ସହାନୁଭୂତି ଆଜ୍ଞା ରଖିଥିବେ, ନଚେତ୍‍ ଆମର ବ୍ୟବସାୟ ମାଟି ହୋଇଯିବ । ଅତି ନମ୍ରତାର ସହିତ ସତ୍ୟଜିତ୍‍ଙ୍କ ହାତ ଧରି ପକାଇଲେ ରାଜେନ୍ଦ୍ର ।

 

ମୁଁ ଆପଣମାନଙ୍କ ପାଇଁ ଯଥାସାଧ୍ୟ ଚେଷ୍ଟା କରିବି । ଦୃଢ଼ସ୍ୱରରେ ଉତ୍ତର ଦେଲେ ସତ୍ୟଜିତ୍‍ ।

 

କିଛିକ୍ଷଣ ନୀରବ ରହି ସତ୍ୟଜିତ୍‍ ପ୍ରଶ୍ନ କଲେ–ମୁଁ ଏଠାରେ ଅଛି ବୋଲି ଆପଣମାନେ ଜାଣିଲେ କିପରି ?

 

ଆମେ ତ ପ୍ରଥମେ ଆପଣଙ୍କ ଘରକୁ ଯାଇଥିଲୁ । ଆପଣଙ୍କୁ ନପାଇ ଆମ ଦୁର୍ଦ୍ଦଶାଟା ଅନ୍ତତଃ ଥାନାରେ ଜଣାଇବାର ଆବଶ୍ୟକତା ମନେ କଲୁଁ । ଏଠାକୁ ଆସି ଦେଖୁଁ ତ ଆପଣ........

 

ଓ.... — । ଆଚ୍ଛା, ଯା’ନ୍ତୁ......ବ୍ୟସ୍ତ ହେବାର କିଛି କାରଣ ନାହିଁ ।

 

ସେମାନେ ବିଦାୟ ନେଲେ । ଠିକ୍‍ ପରେ ପରେ ପ୍ରବେଶ କଲେ (ଏସ୍‍. ପି.) ସୁନିଲ ଏବଂ ସତ୍ୟଜିତ୍‍ ଚୌକି ଛାଡ଼ି ଛିଡ଼ା ହେଲେ ।

 

କ’ଣ କିଛି ସୂତ୍ର ପାଇଲେ ? —ପ୍ରଶ୍ନ କଲେ ଏସ୍‍. ପି ।

 

ନା, ପାଇନି । ତଥାପି, କ୍ରମେ କ୍ରମେ ସୂତ୍ର ଆବିଷ୍କୃତ ହେବାର ପଥ ଦେଖିପାରୁଛି—ଉତ୍ତର ଦେଇ କହିଲେ ସତ୍ୟଜିତ୍‍ ।

 

କିପରି ? ଏସ୍‍. ପି.ଙ୍କ କଣ୍ଠ ଆଶ୍ଚର୍ଯ୍ୟଭରା ।

 

ସତ୍ୟଜିତ୍‍ ‘ସ୍ୱପ୍ନପୁରୀ’ର ମାଲିକ ଅମରନାଥଙ୍କର ଆସନ୍ନ ବିପଦର ସମସ୍ତ ବିଷୟ ଜଣାଇଦେଲେ । ଏସ୍‍. ପି. ପ୍ରଶ୍ନ କଲେ—

 

ତା’ ସହିତ ପ୍ରଣତିଙ୍କର ହରଣଚାଳର କି ସମ୍ପର୍କ ଅଛି ?

 

ଥାଇପାରେ । କିଏ କହିବ ? ମୋର କାହିଁକି ସେହିପରି ସନ୍ଦେହ ହେଉଛି ।

 

ମୋର କାହିଁକି ସେପରି ମନେ ହେଉନି । ଦେଖନ୍ତୁ, ଆପଣଙ୍କ ମନକୁ ଯାହା ପାଉଛି, ଆପଣ କରିପାରନ୍ତି । କିନ୍ତୁ ପ୍ରଣତିଙ୍କ ମୁଁ ଯେପରି ଶୀଘ୍ର ଫେରିପାଏ ।

 

ନିଶ୍ଚୟ ସାର୍‍ । ମୁଁ ଆପଣଙ୍କୁ କଥା ଦେଇଛି ଯେତେବେଳେ ଅବହେଳା କରିବି କିପରି ? ବିଶେଷତଃ ସେ ମୋର କର୍ତ୍ତବ୍ୟ ।

 

ଏସ୍‍. ପି. ପାଇପ୍‍ ରେ ମୁହଁ ଦେଇ ପ୍ରତ୍ୟାବର୍ତ୍ତନ କଲେ ।

 

ସ୍ୱପ୍ନପୁରୀ । ଦିବସର କର୍ମ ବହୁଳ ଦୁନିଆରୁ ଶାନ୍ତ କ୍ଲାନ୍ତ ମାନବକୁ ଟାଣି ମାତ୍ର କେଇ ଘଣ୍ଟା ପାଇଁ, ସ୍ୱପ୍ନ ରାଜ୍ୟରେ ବିଚରଣ କରିବାକୁ ବାଟ କଢ଼ାଏ ସ୍ୱପ୍ନପୁରୀ । ଉଛୁଳା ଲୋକ ଗହଳି ମଧ୍ୟରେ ହସୁଛି ସେ । ରଙ୍ଗୀନ ବିଦ୍ୟୁତାଲୋକର ପ୍ଲାବନରେ ସେ ହୋଇ ଉଠୁଛି ଆହୁରି ସୌନ୍ଦର୍ଯ୍ୟମୟୀ, ଜ୍ୟୋତିର୍ମୟୀ—ପ୍ରତ୍ୟେକଙ୍କ ନୟନର ଶରବ୍ୟ ।

 

ସମ୍ମୁଖଭାଗରେ ‘ବମ୍ବେକା ବାବୁ’ର କନାରେ ତିଆରି ଏକ ବିରାଟ ପୋଷ୍ଟର—ନିର୍ଦ୍ଦେଶକ ରାଜ୍‍ କୋସଲା ଓ ଜଲ୍‍ ମିସ୍ତ୍ରୀ ପ୍ରଯୋଜିତ ଏବଂ ଦେବାନନ୍ଦ ଓ ସୁଚିତ୍ରା ସେନ୍‍ ଅଭିନିତ ନୟା ଫିଲ୍ମସ୍‍ର ‘ବମ୍ୱେ କା ବାବୁ’ । ଫଟୋଗ୍ରାଫି–ଜଲ୍‍ ମିସ୍ତ୍ରୀ । —ଏସ୍‍. ଡ଼ି ବର୍ମନ୍‍ । ପୋଷ୍ଟରଟିର ପାର୍ଶ୍ୱଭାଗରେ ନାୟକ ଏବଂ ନାୟିକାଙ୍କର ଚିତ୍ର—ହିନ୍ଦି ଚିତ୍ର ଜଗତର ସର୍ବଶ୍ରେଷ୍ଠ ଅଭିନେତା ଦେବାନନ୍ଦ ଏବଂ ବଙ୍ଗର ସୁନ୍ଦରୀ ରାଣୀ ସୁଚିତ୍ରାସେନ୍‍ ଉଭୟେ । ଉଭୟଙ୍କର ହାତ ଧରି ଦୌଡ଼ୁଛନ୍ତି ଉଭୟେ ଉଭୟଙ୍କୁ ଚାହିଁ ହସୁଛନ୍ତି । ଇସ୍‍ ! କି ମାଦକତା ସେ ହସରେ !

 

କେହି କେହି ପୋଷ୍ଟରଟିକୁ ଚାହିଁ ନାୟକ ନାୟିକାଙ୍କ ମଧ୍ୟରେ ହଜାଇ ଦେଉଛନ୍ତି ନିଜକୁ । କେହି କେହି ଅବିବାହିତ ଯୁବକ ସୁନ୍ଦରୀରାଣୀ ସୁଚିତ୍ରାସେନ୍‍ଙ୍କର ସେଇ ଲାବଣ୍ୟମୟୀ ଚିତ୍ରପଟରେ ନିଜ ପ୍ରୟସୀର ସତ୍ତା ଅନୁଭବ କରୁଛନ୍ତି ।

 

ଦ୍ୱିତୀୟ ବେଲ୍‍ ବାଜିବା ପରେ ପରେ ଡାକବାଜୀ ଯନ୍ତ୍ରରେ ବାଜି ଉଠିଲା—

 

ଦେଖ୍‍ନେମେ ଭୋଲା ହୈ ଦୀଲକା ସଲୌନା,

ବମ୍ୱେ ସେ ଆୟା ହୈ–

ବାବୁ ଛିନ୍ନାନା..... ।

 

ନବ ଦମ୍ପତି, ପ୍ରେମିକ ପ୍ରେମିକା, କଲେଜଛାତ୍ର ଓ ଛାତ୍ରୀ, ସରକାରୀ, କର୍ମଚାରୀ ବ୍ୟବସାୟୀ, ରିକ୍‍ସାବାଲା, ମଟର ଡାଇଭର୍‍ ପକେଟମାର୍‍—ସମସ୍ତ ପ୍ରକାର ଦର୍ଶକଙ୍କ ଆଗମନରେ ଭରପୁର ହୋଇ ଉଠିଲା ‘ସ୍ୱପ୍ନପୁରୀ’ର ହତା । ବୁକିଂ ଅଫିସ୍‍ର ସମ୍ମୁଖଭାଗରେ ଥିବା ଟିକେଟ୍‍ ଚାର୍ଟରେ ସମସ୍ତ ପ୍ରକାର ଟିକେଟ୍‍ର ଦକ୍ଷିଣ ପାର୍ଶ୍ୱରୁ ଗୋଟିଏ ପ୍ଲେଟ ଉଠାଇ ଦିଆଗଲା । ଦିଶିଲା–ଫୁଲ୍‍ (Full)କି ଫାଷ୍ଟ ସୋ’, କି ସେକେଣ୍ଡ ସୋ’—ସବୁର ଟିକେଟ୍‍ ଶେଷ । କେହି କେହି ସୋ’ ରୁମରେ ଓ୍ୟାଲ୍‍ ପିକ୍‍ଚର୍‍ ଦେଖିବାକୁ ଲାଗିଲେ । କେହି କେହି ଅଡିଟୋରିୟମ୍‍ ମଧ୍ୟରେ ପ୍ରବେଶ କରିବାକୁ ଲାଗିଲେ ।

 

ଡ୍ରେସ୍‍ ସର୍କଲର ଟିକେଟ୍‍ କରିଥିବା ଜଣେ ଭଦ୍ରବ୍ୟକ୍ତି ତାଙ୍କର ସହଧର୍ମିଣୀଙ୍କ ସହିତ ଆସି ପହଞ୍ଚିଲେ । ଗେଟ୍‍କିପର୍‍ ତାଙ୍କଠାରୁ ଟିକେଟ୍‍ ନେଲା ଏବଂ ଟିକେଟ୍‍ର ଅଧେ ଅଧେ ଦେଇ ତାଙ୍କୁ ବାଟ କଢ଼ାଇ ଦେଲା । ଭିତରକୁ । ଭିତରେ ଆଉ ଜଣେ ବ୍ୟକ୍ତି ତାଙ୍କଠାରୁ ଚିରା ଟିକେଟ୍‍ ଦୁଇଟି ନେଇ ସେମାନଙ୍କୁ ବସାଇବା ପାଇଁ ଟିକେଟ୍‍ ଦୁଇଟିର ପଛପଟେ ଥିବା ନମ୍ବର ପ୍ରତି ଦୃଷ୍ଟି ନିକ୍ଷେପ କଲା । ଏ କଣ ! ଏଇ ନମ୍ୱରର ଟିକେଟ କରିଥିବା ଦୁଇଜଣ ଭଦ୍ରବ୍ୟକ୍ତିଙ୍କୁ ତ ସେ ସେଇ ସିଟ୍‍ ଦୁଇଟିରେ ବସାଇ ସାରିଛି ! ତେବେ ? ଆଉ କ’ଣ ଭୁଲ୍‍ କଲାକି ? ପୁଣି ଯାଇ ପୂର୍ବରୁ ବସାଇ ଥିବା ଭଦ୍ର ବ୍ୟକ୍ତି ଦୁଇ ଜଣଙ୍କୁ ସେମାନଙ୍କ ଟିକେଟ୍‍ ମାଗି ନମ୍ୱର ଦୁଇଟି ଦେଖିଲା । ଠିକ୍‍ ତ ଅଛି ।

 

ଥାର୍ଡ ବେଲ୍‍ ହେବା ପୂର୍ବରୁ ଏହିପରି ପ୍ରାୟ ପ୍ରତ୍ୟେକ ଶ୍ରେଣୀର ଟିକେଟ୍‍ ପାଇଁ ବିଭ୍ରାଟ ଘଟିଲା । ଗୋଟିଏ ସିଟରେ ଗୋଟିଏ ଦର୍ଶକ ବସିବା ପରେ ମଧ୍ୟ ଆଉଜଣେ ଦର୍ଶକ ସେଇ ସିଟ୍‍ ନମ୍ୱରର ଆଉ ଗୋଟିଏ ଟିକେଟ୍‍ ଆଣି ପହଞ୍ଚିଲେ ।

 

ଥାର୍ଡ ବେଲ୍‍ ବାଜିବା ସଙ୍ଗେ ସଙ୍ଗେ ଅଡିଟୋରିୟମ୍‍ ଅନ୍ଧକାରାଚ୍ଛନ୍ନ ହେଲା ଏବଂ ସ୍କ୍ରିନ୍‍ ଅପସରି ବିଭନ୍ନ ପ୍ରକାରର ଡକ୍ୟୁମେଣ୍ଟାରୀ ଏବଂ ଆର୍ଡଭଟାଇଜମେଣ୍ଟ୍‍ ଫିଲ୍ମ ପ୍ରଦର୍ଶିତ ହେଲା । ଦଶ ମିନିଟ୍‍ ମଧ୍ୟରେ ଅଡିଟୋରିୟମ ଦର୍ଶକଙ୍କ ଗହଣରେ ପୂର୍ଣ୍ଣ ହୋଇଉଠିଲା । ଗୋଟିଏ ହେଲେ ସିଟ୍‍ ବାକି ପଡ଼ିଲାଣି । ଇତି ମଧ୍ୟରେ ଯେଉଁ ଟିକେଟ୍‍ର ନମ୍ୱରିଂରେ ଭୁଲ ଦେଖାଗଲା, ସେଇ ଟିକେଟ୍‍ର ଦର୍ଶକକୁ ସମଶ୍ରେଣୀୟ ଅନ୍ୟ ନମ୍ବରର ସିଟରେ ବସାଇ ଦିଆଗଲା । ତଥାପି ପ୍ରତ୍ୟେକ ଗେଟ୍‍ ନିକଟର ଫାଷ୍ଟ ସୋ’ର ଟିକେଟ୍‍ ନେଇ ଆହୁରି ଦର୍ଶକ ପହଞ୍ଚିଲେ । ଦେଖାଗଲା— ‘ସ୍ୱପ୍ନପୁରୀ’ରେ ଥିବା ଏକ ହଜାରସିଟ୍‍ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆହୁରି ଏକ ହଜାର ଦର୍ଶକ ଟିକେଟ୍‍ ଦେଇ ଭିତରକୁ ଯିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି । କ’ଣ କରାଯିବ ? କଥାଟା ମ୍ୟାନେଜରଙ୍କ କର୍ଣ୍ଣଗୋଚର ହେଲା ବୁକିଂ କ୍ଲର୍କକୁ ପ୍ରଶ୍ନ ହେବାରୁ ସେ ଉତ୍ତର ଦେଲା ଯେ ସେ ଆଦୌ ଭୁଲ ନମ୍ୱରିଂ କରି ନାହିଁ । ହୋଇଥିଲେ ଗୋଟିଏ ଦୁଇଟି ସିଟ୍‍ ପାଇଁ ଭୁଲ ହୋଇପାରେ, ଅଡିଟୋରିୟମ୍‍ର ସମସ୍ତ ସିଟ୍‍ ପାଇଁ ଭୁଲ ନମ୍ୱରିଂ ହେବାଟା ଅସ୍ୱାଭାବିକ ଏବଂ ଅସମ୍ଭବ । ଶେଷକୁ ଛାପା ଟିକେଟର ବ୍ୟୟିତ ସଂଖ୍ୟା ହିସାବ କରାଗଲା ଏବଂ ଦେଖାଗଲା ଯେ ଠିକ୍‍ ଏକ ହଜାର ଟିକେଟ୍‍ ବିକ୍ରୟ କରାଯାଇଛି ।

 

ପରିଶେଷରେ ମ୍ୟାନେଜର ବାହାରେ ଅପେକ୍ଷା କରିଥିବା ଲୋକମାନଙ୍କୁ ବୁଝାଇବାକୁ ଆରମ୍ଭ କଲେ । ଲୋକମାନେ କିନ୍ତୁ ସେତେବେଳକୁ ଉତ୍ତେଜିତ ହୋଇ ଉଠିଥିଲେ । କେହି କେହି ଅଭଦ୍ର ଭାଷାରେ ମ୍ୟାନେଜରଙ୍କୁ ଗାଳି ମଧ୍ୟ ଦେଲେ । ସେତେବେଳକୁ ଅମରନାଥଙ୍କର ଭାଳେଣି ପଡ଼ିଲାଣି । ମ୍ୟାନେଜରଙ୍କ ରୁମରେ ସେ ବସିଛନ୍ତି ମୁଣ୍ଡରେ ହାତ ଦେଇ ।

 

ହଠାତ୍‍ ‘ସ୍ୱପ୍ନପୁରୀ’ର ସମସ୍ତ ବିଦ୍ୟୁତାଲୋକ ଆକୃତକାର୍ଯ୍ୟତା ଲାଭ କଲା । ମ୍ୟାନେଜର ତାଙ୍କ ରୁମ୍‍କୁ ପାଗଳିଙ୍କ ଭଳି ଦୌଡ଼ିଲେ । କେତୋଟି ମୁହୂର୍ତ୍ତ । ତା’ପରେ ମ୍ୟାନେଜରଙ୍କ ରୁମ୍‍ର ଶୁଣାଗଲା—ମର୍‍ଗୟା, ମରଗୟା—ବଜାଓ ସାଲେକୋ, ମାରୋ ସାଲେକୋ—ମର ଗୟା— ଗୁମ୍‍ ଗାମ୍‍ ଠାଏ, ଚଟାସ୍‍, ଭୁସ୍‍, ଭାସ୍‍, ଝଣ୍‍, ଝାଣ୍‍, ଠଣ୍‍, ଠାଣ୍‍–ଶଳା, ତୋ ବାଉନ ପୁରୁଷ କେବେ ସିନେମା ଦେଖାଇ ଥିଲେ ? ......ଇତ୍ୟାଦି ଇତ୍ୟାଦି ।

 

କିଛି ସମୟ ପରେ ପୁଣି ‘ସ୍ୱପ୍ନପୁରୀ’ରେ ଖେଳିଗଲା ବିଦ୍ୟୁତାଲୋକର ଅପୂର୍ବ ଝଲକ—‘ସ୍ୱପ୍ନପୁରୀ’ର ସୌନ୍ଦର୍ଯ୍ୟ ବିକାଶ କରିବାକୁ ନୁହେଁ, ଆହତ କ୍ରନ୍ଦନରତା ‘ସ୍ୱପ୍ନପୁରୀ’ର ଅଶ୍ରୁକୁ ଜଗତ ସମ୍ମୁଖରେ ସ୍ପଷ୍ଟଭାବେ ଦେଖାଇ ଦେବାକୁ ।

 

ହଠାତ୍‍ ହତା ମଧ୍ୟରେ ପ୍ରବେଶକଲା ଦୁଇଟି ପୋଲିସ୍‍ ଜିପ୍‍ । ପ୍ରଥମ ଜିପ୍‍ରୁ ଓହ୍ଲାଇ ଆସିଲେ ସତ୍ୟଜିତ୍‍ ଦାସ ଏବଂ ସୁନୀଲ ଚାଟାର୍ଜି ଦ୍ୱିତୀୟ ଜିପ୍‍ରୁ ମିସ୍‍ ନୀହାର ରଞ୍ଜନ ପରିଜା ଓ ସମସ୍ତ କନଷ୍ଟେବଲ୍‍ । ତଳେ ଦେଖିଲେ—ଭଙ୍ଗା ଇଟା ଓ ଗେଟି ଗଦା ହୋଇଛି ।

 

ଉପରକୁ ଚାହିଁଲେ ସତ୍ୟଜିତ୍‍ । ପୂର୍ବରୁ ଲଗା ଯାଇଥିବା ‘ବମ୍ବେକା ବାବୁ’ର ବିରାଟ ପୋଷ୍ଟରଟି ଚ୍ଛିନ୍ନ ବିଚ୍ଛିନ୍ନ ହୋଇଯାଇଛି । ସ୍ଥାନେ ସ୍ଥାନେ ରହି ଯାଇଚି ଇଟା ବାଜିଥିବା ଦାଗ । କାଚ ଝରକା ଗୁଡ଼ିକ ଭାଙ୍ଗି ଯାଇଛି । କାଉଣ୍ଟର ନିକଟକୁ ଗଲେ ସେ ! ଦେଖିଲେ—କାଉଣ୍ଟର କାଚ ମଧ୍ୟ ଭାଙ୍ଗି ଯାଇଛି । ସମ୍ମୁଖଭାଗରେ ଥିବା କାଠର ଟିକେଟ୍‍ ଚାଟ୍‍ ସ୍ଥାନେ ସ୍ଥାନେ ଫାଟି ଯାଇଛି । ଅଧିକାଂଶ ସ୍ଥାନରେ ଅଛି ଇଟାଦାଗ । ତଦରୂପ ଅବସ୍ଥା ମଧ୍ୟ ସୋ’ ରୁମ୍‍ର । ଫଟୋଗୁଡ଼ିକରେ ପାନ ଛେପ ପଡ଼ିଛି । କେତୋଟି ଫଟୋ ମଧ୍ୟ ନାହିଁ । ଅଡିଟୋରିୟମ୍‍ ମଧ୍ୟକୁ ଚାହିଁଲେ ସତ୍ୟଜିତ୍‍ । ଫାଟି ଯାଇଛି ସ୍କ୍ରିନ । ଅନେକ ଚୌକୀ ଭାଙ୍ଗି ଯାଇଛି । ତେବେ ? ମ୍ୟାନେଜରଙ୍କ ଅବସ୍ଥା କିପରି ? ସତ୍ୟଜିତ୍‍ ପାହାଚ ଦେଇ ଚଞ୍ଚଳ ପଦକ୍ଷେପରେ ଉପରକୁ ଦୌଡ଼ିଲେ, ତାଙ୍କ ପଛେ ପଛେ ସୁନୀଲ ଚାଟର୍ଜି ଏବଂ ନୀହାର ରଞ୍ଜନ ପରିଜା ।

 

ମ୍ୟାନେଜରଙ୍କ ରୁମ୍‍ର ଦୁଇଟି ବାର୍‍ ଲାଇଟରୁ ଗୋଟିଏ ଭାଙ୍ଗିଯାଇଛି । ଦୁଇଟି ଚୌକି ଓଲଟି ପଡ଼ିଛି । ତଳେପଡ଼ି ଦୁଇଚାରି ଫାଳ ହୋଇଯାଇଛି ପେପର ଓ୍ୱେଟ୍‍ । କାଚ ଝରକା ଭାଙ୍ଗିଯାଇଛି । ଆଲମିରାର କାଚ ମଧ୍ୟ ତଦ୍ରୁପ ଟ୍ରେଜେରୀ ଖୋଲା । ରକ୍ତାକ୍ତ ଶରୀରରେ ତଳେ ଲୋଟି ପଡ଼ିଛନ୍ତି ଅମରନାଥ ଆଉ ରାଜେନ୍ଦ୍ର । ସତ୍ୟଜିତ୍‍ ପରୀକ୍ଷା କଲେ । ଗୁରୁତର ଭାବେ ଆହତ ହୋଇ ଅଚେତନ ହୋଇ ପଡ଼ିଛନ୍ତି ସେମାନେ । ସତ୍ୟଜିତ୍‍ଙ୍କ ଆଦେଶରେ ମେଡିକାଲ୍‍କୁ ଫୋନ କଲେ ସୁନୀଲ ଚାଟାର୍ଜି। ଦଶ ମିନିଟ୍‍ ମଧ୍ୟରେ ଆମ୍ୱୁଲାନ୍‍ସ ଆସି ଅମରନାଥ ଅଗରଓ୍ୱାଲ୍‍ ଓ ରାଜେନ୍ଦ୍ର କୁମାର ଲାଲାଙ୍କୁ ନେଇଗଲା ହସ୍‍ପିଟାଲ୍‍କୁ । ସେମାନଙ୍କ ସହିତ ଗଲେ ଦୁଇଟି କନଷ୍ଟେବଲ୍‍ ।

 

ତା’ ପରେ ସତ୍ୟଜିତ୍‍ ମ୍ୟାନେଜରଙ୍କ ରୁମ୍‍ଟି ପରୀକ୍ଷା କଲେ । ଘରଯାକ ଭଙ୍ଗା କାଚ । କାଗଜପତ୍ର ଖେଳା ଖେଳି ହୋଇପଡ଼ିଛି । ଟ୍ରେଜେରିରେ କିଛି ନାହିଁ, ଖୋଲା ଟେବୁଲ୍‍ ଉପରୁ ଗୋଟାଏ ଗୋଲାପୀ ରଙ୍ଗର ଏନଭେଲପ୍‍ ପାଇଲେ ସତ୍ୟଜିତ୍‍ । ସେଥିରେ ତାଙ୍କ ଆଡ୍ରେସ୍‍ କରାଯାଇଥିଲା—ଆଶ୍ଚର୍ଯ୍ୟର ସହିତ ଏନଭେଲପ୍‍ଟି ଖୋଲି ସତ୍ୟଜିତ୍‍ ତା’ମଧ୍ୟରୁ ଗୋଟାଏ ଲାଲ ରଙ୍ଗର ଚିଠି ବାହାର କଲେ—

 

ପ୍ରିୟ ସତ୍ୟଜିତ୍‍ ବାବୁ,

 

ମୋର ନମସ୍କାର ଗ୍ରହଣ କରିବେ । ଚିଠିଟି ଆପଣଙ୍କୁ ଆଡ୍ରେସ କରାଯାଇ ଥିବାର ଦେଖି ଆପଣ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ । କିନ୍ତୁ ଆମେ ଜାଣିଥିଲୁ ଯେ, ଆପଣ ନିଶ୍ଚୟ ଇନଭେଷ୍ଟିଗେସନ୍‍ କରିବାକୁ ଆସିବେ । ତେଣୁ ଆପଣଙ୍କ ଚିଠିଟି ଏହିଠାରେ ରଖି ଦେଇ ଗଲୁଁ ।

 

ଆପଣଙ୍କ ଉପଦେଶ ନ ମାନିଥିଲେ ଆଜି ମ୍ୟାନେଜର ଆଉ ଅମରନାଥଙ୍କର ଏପରି ଅବସ୍ଥା ଘଟି ନଥାନ୍ତା । ଆମେ ଯେତେବେଳେ ଜାଣିଲୁ ଯେ ମ୍ୟାନେଜର ଆଉ ଅମରନାଥ ଆପଣଙ୍କ ଉପଦେଶ ମାନିଛନ୍ତି, ସେତେବେଳେ ଆମେ ଜାଲ୍‍ ଟିକେଟ୍‍ର ଆଶ୍ରୟ ନେଲୁ । ଅବଶ୍ୟ ଅମରନାଥଙ୍କୁ ଚିଠି ଦେବା ପୂର୍ବରୁ ଆମେ ଜାଲ୍‍ ଟିକେଟ୍‍ ଛପାଇ ସାରିଥିଲୁ । କାରଣ ଆମେ ଜାଣିଥିଲୁ ଯେ ଲୋଭୀ ମାରଓ୍ୱାଡ଼ି ଅମରନାଥ କେବେହେଲେ ଏତେ ସହଜରେ ଆମ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିବ ନାହିଁ । ଆପଣ ଏକଘଣ୍ଟା ପୂର୍ବରୁ ଆସିଥିଲେ ବିଚରା ରାଜେନ୍ଦ୍ର ବାବୁ ଅମରନାଥଙ୍କର ଏ ଦୂରାବସ୍ଥାର ହୋଇନଥାନ୍ତା । ଆମେ ସେମାନଙ୍କ ଶରୀରରେ ଗୋଟାଏ ଅଙ୍ଗୁଳି ସୁଦ୍ଧା ସ୍ପର୍ଶ କରିନାହୁଁ । ଉତ୍ୟକ୍ତ ଜନତା ମ୍ୟାନେଜର, ଅମରନାଥ ଏବଂ ସିନେମାର ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉପରେ ଅତ୍ୟାଚାର ଚଳାଇବା ସମୟରେ ଆମ୍ଭେମାନେ ଟ୍ରେଜେରୀରୁ ସମସ୍ତ କ୍ୟାସ୍‍ ହରଣଚାଲ କରିଛୁ । ଉତ୍ୟକ୍ତ ଜନତାଙ୍କଠାରୁ ଆମେ କେବଳ ଏତିକି ସୁବିଧା ହାସଲ କରି ପାରିଛୁ ।

 

ଆମେ ଆଜି ସକାଳୁ ଜାଲ୍‍ ଟିକେଟ୍‍ କଟକର ସମସ୍ତ ବଜାର, ଗଳି କନ୍ଦିରେ ଅତି ସାବଧାନତାର ସହିତ ବିକ୍ରୀ କରିଥିଲୁ ଏବଂ ଦର୍ଶକମାନଙ୍କଠାରୁ ନିଃସନ୍ଦେହରେ ଆମର ପ୍ରାପ୍ୟ ପାଇ ପାରିଥିଲୁ । ସେମାନେ ବିଶ୍ୱାସ କରିଥିଲେ ‘ସ୍ୱପ୍ନପୁରୀ’ରେ ଅତ୍ୟନ୍ତ ଲୋକ ଗହଳି ହେବାରୁ କର୍ତ୍ତୃପକ୍ଷ ଦର୍ଶକମାନଙ୍କ ପାଇଁ ଏକପ୍ରକାର ବ୍ୟବସ୍ଥା କରିଛନ୍ତି । ତେଣୁ ଆମେ ପରିଶ୍ରମ କରି ଦୁଇଟି ସୋ’ର ଆୟ ଆଦାୟ କରିଛୁ । ଏବଂ ସୌଭାଗ୍ୟ ହେତୁ ‘ସ୍ୱପ୍ନପୁରୀ’ର ଟ୍ରେଜେରୀରୁ ବିନା ବାଧାରେ ସମସ୍ତ କ୍ୟାସ୍‍ ହରଣଚାଳ କରିଛୁ ।

 

ଆଉ ଗୋଟିଏ କଥା—ଆଜି ପାଞ୍ଚଟାବେଳେ ଆମର ଜଣେ ଲୋକ ଜାଲ୍‍ ଟିକେଟ୍‍ ବିକ୍ରି କରୁଥିବା ସମୟରେ ଜଣେ କନେଷ୍ଟବଲ୍‍ ଏହାକୁ ସନ୍ଦେହରେ ଧରିଥିଲା । ସେ ଦଶଟଙ୍କା ଦେବା ସତ୍ୱେ ତାକୁ କନ୍‍ଷ୍ଟେବଲ୍‍କୁ ଧରି ନେଇ ଆସିଛୁ । ତା’ର ଉପଯୁକ୍ତ ଶାସ୍ତି ଆପଣ କାଲି ସକାଳେ ଜାଣିପାରିବେ । ବନ୍ଦେଗୀ ।

 

ଆପଣଙ୍କର—

 

ସତ୍ୟଜିତ୍‍ଙ୍କ ପଛପଟେ ଛିଡ଼ାହୋଇ ସୁନୀଲ ଚାଟାର୍ଜି ମଧ୍ୟ ଚିଠିଟି ପଢ଼ୁଥିଲେ । ପାଟିକରି ଉଠିଲେ—ହାଓ୍ୱା ନିକଲ୍‍ଗୟି ।

 

ଆପଣଙ୍କର ସେ ବେମାରୀ ଆଉ ଗଲାନି । ସତ୍ୟଜିତ୍‍ ଗୋଟାଏ ବକ୍ର ଚାହାଣୀ ଦେଇ କହିଲେ ।

 

ସବୁ ବେମାରୀ ଯିବ, ମନ ବେମାରୀ ଆଉ ଅଭ୍ୟାସ ବେମାରୀ ଯିବ କିପରି ? ଆଲ୍‍ମାରୀ ପ୍ରଭୃତି ପରୀକ୍ଷା କରୁ କରୁ କହିଲେ ନୀହାର ରଞ୍ଜନ ।

 

ସୁନୀଲ୍‍ ଚାଟାର୍ଜି ତଳକୁ ମୁହଁକରି ବେକ ଆଉଁସିଲେ ।

 

ମୁଁ ଯଦିଓ ଜାଣିଥିଲି ଅମରନାଥଙ୍କ ଉପରେ କିଛି ନା କିଛି ଗୋଟାଏ ବିପଦ ପଡ଼ିବ, ତଥାପି ଏତେ ଶୀଘ୍ର ତାହା ଘଟିଯିବ ବୋଲି ମୋର କଳ୍ପନାତୀତ ଥିଲା । କିଛିକ୍ଷଣ ନୀରବ ରହିବା ପରେ ଗୋଟିଏ ଦୀର୍ଘଶ୍ୱାସ ମାରି ସତ୍ୟଜିତ୍‍ କହିଲେ ।

 

ଏହି ସମୟରେ ପଛରୁ ଖଟ୍‍ କରି ଏକ ଶବ୍ଦ ହେଲା । ସମସ୍ତେ ପଛକୁ ଚାହିଁଲେ । ମ୍ୟାନେଜରଙ୍କ ରୁମ୍‍କୁ ଲାଗି ଅପରେଟିଂ ରୁମ୍‍ । ତାର ଦ୍ୱାରା ବନ୍ଦ ଥିଲା ଭିତର ପଟୁ । ସେଥିପ୍ରତି ନଥିଲା କାହାର ଦୃଷ୍ଟି । ସେ ଖୋଲିଛି । ତା ମଧ୍ୟରୁ ବାହାରି ଆସିଛନ୍ତି ଦୁଇଜଣ ଲୋକ । ସେମାନେ ସୁନୀଲ, ସତ୍ୟଜିତ୍‍ ଏବଂ ନୀହାର ବାବୁଙ୍କୁ ନମସ୍କାର କଲେ । ପ୍ରଶ୍ନ କରିବାରୁ ଜଣାପଡ଼ିଲା ଯେ—ସେମାନଙ୍କ ମଧ୍ୟରୁ ଜଣେ ଅପରେଟର ଓ ଅନ୍ୟଜଣକ ଆସିସଟାଣ୍ଟ ଅପରେଟର । ମ୍ୟାନେଜର ଏବଂ ଅମରନାଥ ପ୍ରଭୃତିଙ୍କୁ ମାଡ଼ ଓ ଟେକା ପଥର ପଡ଼ିବା ସମୟରେ ସେମାନେ ପ୍ରାଣ ଭୟରେ ଭିତର ପଟୁ ଦ୍ୱାର ବନ୍ଦ କରି ଦେଇଥିଲେ । ପ୍ରୋଜେକ୍‍ଟର ଦୁଇଟି ଏବଂ ଫିଲ୍ମ ପ୍ରଭୃତିର କିଛି କ୍ଷତି ହୋଇନାହିଁ ।

 

ସତ୍ୟଜିତ୍‍ ଜାଣି ପାରିଲେ—ସେମାନେ ସତ କହୁଛନ୍ତି ଆଉ ମଧ୍ୟ ଯେତିକି କହିଲେ ସେତିକି ଜାଣନ୍ତି, ବିଶେଷ ପ୍ରଶ୍ନ କରିବା ବୃଥା ହେବ ।

 

ନିହାର ରଞ୍ଜନ ରିପୋର୍ଟ ଲେଖିବା ଶେଷ କଲେ ଏବଂ ସତ୍ୟଜିତ୍‍ଙ୍କ ସଙ୍ଗେ ପରାମର୍ଶ କରି ଦଶ ଜଣ ସଶସ୍ତ୍ର କନ୍‍ଷ୍ଟେବଲ୍‍ଙ୍କ ‘ସ୍ୱପ୍ନପୁରୀ’ ରେ ଜଗାଇ ଦେବାପରେ ଅନ୍ୟ ସମସ୍ତେ ବିଦାୟ ନେଲେ । ପଥ ମଧ୍ୟରେ ସତ୍ୟଜିତ୍‍ ଭାବୁଥିଲେ ସେହି କନ୍‍ଷ୍ଟେବଲ୍‍ଟି କଥା । କ’ଣ ହେବ ତାର ଅବସ୍ଥା ? ବିଚରା ! କିପରି ତାକୁ ବଞ୍ଚାଇବେ ?

 

ଭାବି ଭାବି କିଛି କିନାରା ପାଇଲେନି ସେ । ଅପରାଧୀ ହୁଏତ ତାକୁ ଦେଇପାରେ କଠୋର ଶାସ୍ତି । ଅତି ନିର୍ମମ ଏବଂ ନିର୍ଦ୍ଦୟ ଭାବେ ହତ୍ୟା ମଧ୍ୟ କରିପାରେ । ଦେଶର ମଙ୍ଗଳ ସାଧନ ପାଇଁ, ସରକାରୀ କର୍ମଚାରୀ ହିସାବରେ ତା’ର କର୍ତ୍ତବ୍ୟ ସାଧନ କରିବା ସମୟରେ ଯେତେବେଳେ ସେ ଅନ୍ୟଦ୍ୱାରା ବନ୍ଦୀ, ସରକାର ତା’ର ନିରାପତ୍ତା ପାଇଁ କ’ଣ କରି ପାରନ୍ତି ! ଅବଶ୍ୟ ତାର ଯଦି ମୃତ୍ୟୁ ହୁଏ, ତେବେ ସରକାର ତାର ପରିବାରର ଭରଣପୋଷଣର ଦାୟିତ୍ୱ ନେଇପାରନ୍ତି । କିନ୍ତୁ ସେ ? ସେ ତ ଆଉ ଫେରିବ ନାହିଁ ସତ୍ୟଜିତ୍‍ଙ୍କ ଅନ୍ତର ଥରି ଉଠିଲା ।

 

ତେବେ ?

 

ମୋହନ ବାରିକ ! ହଁ ତ ! ସେଇ, ତା’ରି ମୁଣ୍ଡା ଏ । ଇସ୍‍ ! କି ଭୟଙ୍କର ଦିଶୁଛି ତା’ର କଟା ମୁଣ୍ଡଟା ! ଆଖି ଦୁଇଟା ତରାଟି ପକାଇଛି ଭୟରେ । ପାଟିଟା ଫିଟାଇ ଦେଇଚି । ମେଞ୍ଚାଏ ଅଲରା ବାଳ ପଡ଼ିଛି ଲଲାଟ ଉପରେ । କି ନିର୍ଦ୍ଦୟ ଭାବରେ ହତ୍ୟା କରାଯାଇଛି ତାକୁ ! ତା’ର ବେକ ପାଖରେ ସୂତା ଦ୍ୱାରା ବନ୍ଧା ଯାଇଛି ଗୋଟାଏ କାଗଜ । ବଡ଼ ବଡ଼ ଅକ୍ଷରରେ ସେଥିରେ ଲେଖାଯାଇଛି—ପୁଷ୍ପମୟ ପଥରେ କଣ୍ଟକର ଆବିର୍ଭାବ ହେଲେ ତା’ର ସମୂଳୋତ୍ପାଟନ କରିବା ଆମର ପ୍ରଧାନ କର୍ତ୍ତବ୍ୟ ।

 

ତାହାହେଲେ ? କ’ଣ ଆମର ଚକ୍ଷୁର ଅନ୍ତରାଳରେ ଅପରାଧି ତା’ର ତାଣ୍ଡବ ଲୀଳା କରି ଚାଲିଥବ ? ଏହାର ଅବସାନ ଅସମ୍ଭବ ! କହି ସାରିବା ପାରେ ପ୍ରଶ୍ନବାଚୀ ନୟନରେ ସତ୍ୟଜିତ୍‍ଙ୍କୁ ଚାହିଁ ରହିଲେ ଏସ୍‍. ପି ।

 

ଅସମ୍ଭବ କାହିଁକି ? ଯଦି କେହି ଅନ୍ୟର ଚକ୍ଷୁରେ ଧୂଳି ଦେଇ ଗୋଟିକ ପରେ ଗୋଟିଏ ଅପରାଧ କରିବାଟା ସମ୍ଭବ ହୁଏ, ହତ୍ୟାର ତାଣ୍ଡବଲୀଳା ସୃଷ୍ଟି କରି ତାର ଛୁରୀକାକୁ ଶୋଣିତାପ୍ଲୁତ କରିବା ସମ୍ଭବ ହୁଏ; ତେବେ ଅନ୍ୟ ଦିଗରେ ତା’ର ଅବସାନ ପାଇଁ କାହାର ଚେଷ୍ଟା ବ୍ୟର୍ଥ ହେବ କାହିଁକି ? ଅପରାଧୀର ନରରକ୍ତ ଜର୍ଜରିତ ଛୁରିକାକୁ ଦଣ୍ଡ-ଜଳରେ ଧୋଇ ପରିଷ୍କାର କରି ଦେବାଟା ଅସମ୍ଭବ ହେବ କାହିଁକି ? ଧର୍ମର ଜୟ ସଦା ସର୍ବଦା । ଯୁକ୍ତି କଲେ ସତ୍ୟଜିତ୍‍ ।

 

ହଁ ! ଆପଣଙ୍କର ଯୁକ୍ତିତ ଅକାଟ୍ୟ କିନ୍ତୁ କାର୍ଯ୍ୟ ? ଏସ୍‍. ପି. ଙ୍କ ଚକ୍ଷୁରେ ବ୍ୟଙ୍ଗୋକ୍ତିର ସ୍ପଷ୍ଟ ପ୍ରମାଣ ।

 

କାର୍ଯ୍ୟରେ ତ ମୁଁ କେବେହେଲେ ହେଳା କରୁନାହିଁ । ଚେଷ୍ଟା କରୁଛି ଆଉ ମୋର ଦୃଢ଼ ଆଶା ମୁଁ ଦିନେ ସଫଳତା ଅର୍ଜନ କରିବି । ଦୃଢ଼ତାର ସହିତ କହିଲେ ସତ୍ୟଜିତ୍‍ ।

 

କିନ୍ତୁ ତୁମର ଚେଷ୍ଟା ସହିତ ତାଳ ରଖି ଏଣେ ଦୀପ ଯେ ଆହୁରି ଆହୁରି ତେଜି ଉଠୁଛି ? ପ୍ରଶ୍ନବାଚୀ ଚାହାଣୀ ଏସ୍‍. ପି.ଙ୍କର ।

 

ତେବେ ତାହା ଦୀପ ଲିଭିଯିବାର ସ୍ପଷ୍ଟ ସୂଚନା । ଶେଷ ଶିଖାର ପରିଚାୟକ । ସତ୍ୟଜିତ୍‍ଙ୍କର ସୌମ୍ୟ ମୁଖ ମଣ୍ଡଳରେ ଆତ୍ମବିଶ୍ୱାସର ହୁଁ । ଦେଖାଯାଉ, ଆପଣଙ୍କ ଚେଷ୍ଟା କେତେଦୂର ସଫଳତା ଲାଭ କରୁଛି । ଚାଲନ୍ତୁ ଡ୍ରଇଁ ରୁମ୍‍କୁ । ମୁଁ ନିହାର ଓ ସୁନୀଲଙ୍କୁ ଫୋନ୍‍ କରି ଦେଇଛି । ଏସ୍‍. ପି ଭିତରକୁ ଚାଲିଲେ । ପଛେ ପଛେ ସତ୍ୟଜିତ୍‍ ଦାସ୍‍ । ବାତାୟନ ନିକଟରୁ ଦୁଇଟି କରୁଣ ଚହାଣୀଭରା ନୟନ ଅପସରି ଯାଉଥିଲା । ସତ୍ୟଜିତ୍‍ଙ୍କ ସନ୍ଧାନୀ ଦୃଷ୍ଟିକୁ ତାହା ଏଡ଼ି ଦେଇପାରି ନଥିଲା । ତାଙ୍କର ଅଲକ୍ଷ୍ୟରେ ଯେ ଗୀତା ତାଙ୍କୁ ଅନେକ ସମୟ ହେବ ଚାହିଁ ରହିଥିଲା—ଏହା ସତ୍ୟଜିତ୍‍ଙ୍କୁ ଅବିଦିତ ରହିଲା ନାହିଁ । କିନ୍ତୁ କାହିଁକି.......

 

ଡ୍ରଇଁ ରୁମରେ ବସିଲେ ସତ୍ୟଜିତ୍‍ ଆଉ ଏସ୍‍. ପି. ।

 

ଆପଣ ଯଦି କିଛି ନ ଭାବନ୍ତି......ସାର୍‍ ମୁଁ ଘରର ସମସ୍ତ ଚାକର ଏବଂ ଦରୱାନ୍‍କୁ ଜେରା କରିବାକୁ ଇଚ୍ଛା କରୁଛି । ସତ୍ୟଜିତ୍‍ କହିଲେ ।

 

ନିଶ୍ଚେ, ଏଥିରେ ଭାବିବାର କ’ଣ ଅଛି ? କିନ୍ତୁ ତାଙ୍କୁ ଜେରାକରି ଲାଭ କଣ ?

 

ଲାଭ ନଥାଇ ପାରେ, ତେବେ— —ଦରଓ୍ୟାନ ଥାଉଁ ଥାଉଁ ଗେଟ୍‍କୁ ଟପି କିମ୍ୱା ପାଚେରୀ ଡେଇଁ ବିନା ବାଧାରେ ସେ କଟାମୁଣ୍ଡ ଆପଣଙ୍କ ବାହାର ବାରଣ୍ଡାରେ ଟାଙ୍ଗିଲା କିପରି ?

ହୁଁ । ସେ ବି ଗୋଟାଏ ପଏଣ୍ଟ– – – – ଆପଣ ସମସ୍ତଙ୍କୁ ଜେରା କରି ପାରନ୍ତି । କିଛି ସମୟ ଚିନ୍ତା କରି କହିଲେ ଏସ୍‍. ପି. ।

 

ସମସ୍ତ ଚାକର ଏବଂ ଦରଓ୍ୟାନ୍‍ ଉପସ୍ଥିତ ହେଲେ । ସେମାନଙ୍କୁ ଦେଖି ଆଶ୍ଚାର୍ଯ୍ୟାନ୍ୱିତ ସତ୍ୟଜିତ୍‍ ଅତିଶୟ ହୋଇପଡ଼ିଲେ କିନ୍ତୁ ପର ମୁହୂର୍ତ୍ତରେ ସମ୍ୱରଣ କରିନେଲେ ନିଜକୁ । ଏହା କିପରି ସମ୍ଭବ ଏତେ ଅଳ୍ପଦିନ ମଧ୍ୟରେ ?

 

ସତ୍ୟଜିତ୍‍ଙ୍କର ଜେରା ଆରମ୍ଭ କଲେ, କିନ୍ତୁ କୌଣସି ଫଳ ହେଲାନାହିଁ ।

 

ପ୍ରତ୍ୟେକଙ୍କ କଥାରୁ ଜଣାପଡ଼ିଲା ଯେ, କେହି କିଛି ଜାଣନ୍ତି ନାହିଁ । ଦରଓ୍ୟାନ୍‍ କହିଲା ଯେ ,ସେ ଠିକ୍‍ ରୂପେ ପ୍ରହରା ଦେଇଛି, କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ କିମ୍ୱା ଶବ୍ଦର ଆଭାସ ପାଇନାହିଁ ।

 

ସମସ୍ତଙ୍କୁ ବିଦାୟ ଦେଲେ ସତ୍ୟଜିତ୍‍ । ଏମାନଙ୍କୁ ଦେଖି ଆପଣ ସନ୍ଦେହ ଜାଲରେ ପଡ଼ିଥିବେ କିନ୍ତୁ ତାହା ବୃଥା । ପ୍ରଣତିଙ୍କର ହରଣଚାଳ ପରେ ମୁଁ ସେମାନଙ୍କ ଉପରୁ ବିଶ୍ୱାସ ହରାଇଥିଲି । ଏସ୍‍. ପି କହିଲେ ।

 

ନା, ନା ସନ୍ଦେହ କ’ଣ ? ମୁଁ ମଧ୍ୟ ପ୍ରଥମରୁ ସଇୟା ଭାବିଥିଲି । ସତ୍ୟଜିତ୍‍ ସମର୍ଥନ କଲେ ।

 

ଏତିକିବେଳେ ଫୋନଟା ବାଜି ଉଠିଲା । ରିସିଭ୍‍ କଲେ ଏସ୍‍. ପି—ଇଏସ୍‍ ସାର୍‍, ଆଇଆମ୍‍ ସ୍ପିକିଂ

 

ଓ—ମିଷ୍ଟର ମିଶ୍‍ଡ଼, ହାମେ ବଡ଼ ବିପଡ଼ଡ଼େ ପଡ଼ିଛୁ । ହାମଡ଼ ଘଡ଼ଡ଼ ସମସ୍‍ଟେ ଭୟଡ଼େ ଠଡ଼ ହଡ଼....

 

କଥା କ’ଣ ସାର୍‍ ?

 

ହା.......ହା......ହାମ ଦ୍ୱାଡ଼ରେ କୋଇ ଗୋଟାଏ ମନିଷ ମାଡ଼ି ତାଡ଼ ଅଣ୍ଟା ଠାଡ଼ୁ ଗୋଡ଼ ପଡ଼ର୍ଯ୍ୟାଣ୍ଟ ଟାଙ୍ଗିଚି ।

 

ଖୁନ୍‍ ହୋଇଥିବା ଲୋକଟି ଆପଣଙ୍କ ଘରର କେହି ନୁହେଁ ତ ?

 

ହଁ......ହଁ.......ନା.......ନା ଆମଡ଼ ତ କୋଇ ନାଇ । ଟେବେ ଆଉ କୋଇ କିପଡ଼ି ଜନା ପଡ଼ିବ ? ତାଡ଼ ଶଡ଼ିତ ହାଫ୍ (Half)ଟା ନାହିଁ ।

 

ଓ......ମୋ ଦ୍ୱାରରେ ସେହିପରି ଗୋଟାଏ କିଏ କଟାମୁଣ୍ଡ ଟାଙ୍ଗି ଦେଇଛି, ମୁଣ୍ଡଟି ଗୋଟାଏ କନ୍‍ଷ୍ଟେବଲ୍‍ର ବୋଲି ଜଣା ପଡ଼ିଛି ।

 

ହଁ ! କିଏ ସେହି ଡୁଃସାହାସୀ ନଡ଼ ! ଟାକୁ ଫାଶୀ.......ଫାଶୀ.......ଡେବା ଉଚିଟ୍‍.......ଫାଶୀ ତାଡ଼ ଉପଯୁକ୍‍ଟ ତଣ୍ଡ.......

 

ଆପଣଙ୍କ କଥାବାର୍ତ୍ତାରୁ ଜଣା ପଡ଼ୁଛି ଆପଣ ଅତି ବିଚଳିତ ହୋଇ ପଡ଼ିଛନ୍ତି । ଭୟ କରିବାର କୌଣସି କାରଣ ନାହିଁ । ମୁଁ ସଙ୍ଗେ ସଙ୍ଗେ ସି.ଆ.ଡ଼ି. ଇନ୍‍ସପେକ୍‍ଟର ସତ୍ୟଜିତ୍‍ ଦାସଙ୍କୁ ପଠାଉଛି ।

 

ହାଁ ହାଁ....ପଠାଣ୍ଟୁ ଶୀଘ୍‍ଡ଼.......

 

ରିସିଭର୍‍ ରଖିବାର ଶବ୍ଦ ।

 

ଏସ୍‍. ପି. ମଧ୍ୟ ଯଥାସ୍ଥାନରେ ରଖିଲେ ରିସିଭର ଓ ସତ୍ୟଜିତ୍‍ଙ୍କ ଉଦ୍ଦେଶ୍ୟରେ କହିଲା—

 

ଜଜ୍‍ ସାହେବଙ୍କ ଦ୍ୱାରରେ କିଏ ଗୋଟାଏ କଟା ମଣିଷ ଟାଙ୍ଗିଛି । ଶୀଘ୍ର ଆପଣ ଯା’ନ୍ତୁ । ବର୍ତ୍ତମାନ ସୁନିଲ ଆସିବେ, ଏଠାକାର ଅବଶିଷ୍ଟ କାର୍ଯ୍ୟ ସମାପନ କରିଦେବେ ।

 

ଜୀଚକ୍‍ଲେନ୍‍ । ଜଜ୍‍ସାହେବଙ୍କ ଦ୍ୱିତଳ ପ୍ରସାଦ । ଚତୁର୍ଦ୍ଦିଗରେ କମ୍ପାଣ୍ଡଓ୍ୟାଲ୍‍ । ସମ୍ମୁଖରେ ଗେଟ୍‍, ଗୋଟାଏ ନେମ୍‍ ପ୍ଲେଟ୍‍—ଜି.ଭି. ସୁନ୍ଦରମ୍‍, ଏମ୍‍. ଏ. (ମାଡ୍ରାସ୍‍), ବାର୍‍ ଆଟ’ଲ (ଲଣ୍ଡନ) । ଦରଓ୍ୟାନ୍‍ ଆଜି କାହିଁକି ନାହିଁ । ସତ୍ୟଜିତ୍‍ ଘର ଆଉଜା ଗେଟ୍‍ ଠେଲି ଚାହିଁଲେ ଭିତରକୁ । ଦ୍ୱିତଳ ପ୍ରାସାଦଟିର କୌଣସି ଦ୍ୱାର ବା ଝରକା ଉନ୍ମୁକ୍ତ ନାହିଁ । ଯେପରି ଗୋଟାଏ ପରିତ୍ୟକ୍ତ ପ୍ରସାଦ । ଠିକ୍‍ ଦେଖି ପାରିଲେ—ସମୁଖସ୍ଥ ଦ୍ୱାରରେ ଝୁଲୁଛି ଗୋଟାଏ ମଣିଷର ଅଣ୍ଡାଠାରୁ ଗୋଡ଼ ପର୍ଯ୍ୟନ୍ତ । ସତ୍ୟଜିତ୍‍ ଚଞ୍ଚଳ ପଦକ୍ଷେପରେ ସମ୍ମୁଖସ୍ଥ ଦ୍ୱାରଆଡ଼କୁ ଅବସର ହେଲେ ।

 

ଗୋଟାଏ କଡ଼ି । କଡ଼ି ଦେହରେ ଲାଗିଛି ଗୋଟାଏ ହୁକ୍‍ । ହୁକ୍‍ରୁ ଝୁଲିଛି ଗୋଟାଏ ଶକ୍ତ ଦଉଡ଼ି । ତା’ରି ଦ୍ୱାରା ଏକତ୍ର ବନ୍ଧା ଯାଇଛି । ଅର୍ଦ୍ଧାଙ୍ଗ ମନୁଷ୍ୟଟିର ଦୁଇଟି ଗୋଡ଼ । କଟି ହାଡ଼ ନିକଟରେ ଛୁଞ୍ଚିଦ୍ୱାରା କଣା କରାଯାଇ ଗୋଟାଏ ସୂତା ବନ୍ଧା ଯାଇଛି । ସୂତାର ଶେଷ ଭାଗକୁ କଣା କରାଯାଇ ଝୁଲାଇ ଦିଆ ହୋଇଛି ଗୋଟାଏ କାଗଜ । ଲେଖା ଯାଇଛି–ପୁଷ୍ପମୟ ପଥରେ କଣ୍ଟକର ଆବିର୍ଭାବ ହେଲେ ତା’ର ସମୂଳୋତ୍ପାଟନ କରିବା ଆମର ପ୍ରଧାନ କର୍ତ୍ତବ୍ୟ । ସେଇ ଅକ୍ଷର, ସେଇ ଭାଷା—ଯେପରି ସତ୍ୟଜିତ୍‍ ଦେଖିଥିଲେ ଏସ୍‍. ପି ଙ୍କ ଦ୍ୱାରରେ ଟଙ୍ଗା ଯାଇଥିବା କଟାମୁଣ୍ଡରୁ ଝୁଲୁଥିବା ସେଇ କାଗଜଟିରେ । ସତ୍ୟଜିତ୍‍ ପୁଣି ଚାହିଁଲେ ଲାସ୍‍ଟିର ଗୋଡ଼ ଆଡ଼କୁ । ପିନ୍ଧିଛି ଗୋଟିଏ ବୁଟ୍‍–କନେଷ୍ଟବଲ୍‍ମାନେ ଯେଉଁ ବୁଟ୍‍ ପିନ୍ଧନ୍ତି । ଗୋଟାଏ ମୋଜା—ପୋଲିସ୍‍ କର୍ମଚାରୀମାନେ ପିନ୍ଧନ୍ତି ଯେଇଁ ପ୍ରକାର ମୋଜା ତାହାହେଲେ ? ଅପରାଧୀ ଏକ ଆଉ ଏଇ କଟା ଅଂଶଟି କନେଷ୍ଟବଲ୍‍ ମୋହନ ବାରିକର । ବିଚରା ! ଶେଷରେ ତା’ର ମୃତ ଶରୀରଟା ବି ଏ ଦୁର୍ଦ୍ଦଶା ଭୋଗକଲା ? ସତ୍ୟଜିତ୍‍ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲେ । ଦେଖାଯାଉ । ଜଜ୍‍ ସାହେବ ଉପସ୍ଥିତ ହେଲେ ଯଦି କିଛି ଆବଶ୍ୟକୀୟ ତଥ୍ୟ ମିଳିପାରେ ।

 

କିନ୍ତୁ ସମସ୍ତ ଝରକା ଆଉ ଦ୍ୱାର ବନ୍ଦ ରହିଛି କାହିଁକି ? ଭିତରେ ମନୁଷ୍ୟର ସ୍ୱର ଶବ୍ଦ ତ କିଛି ନାହିଁ । ଉପର ମହଲାରେ ଅଛନ୍ତି, ନା ସେମାନେ ବିପଦଗ୍ରସ୍ତ ? ସୁଇଚ୍‍ ଟିପିଲେ ସତ୍ୟଜିତ୍‍ । ଥରେ, ଦୁଇଥର, ତିନିଥର । ଦ୍ୱାର ଉନ୍ମୁକ୍ତ ହେବାର କୌଣସି ସୂଚନା ନାହିଁ ତେବେ ପୁଣି ଥରେ ସୁଇଚ୍‍ ଟିପିଲେ ସେ । ଏଥର କିଏ ଭିତରୁ ବନ୍ଦ ଦରଜା ନିକଟକୁ ଧୀରେ ଧୀରେ ଆସିବାର ଶବ୍ଦ ଶୁଣି ପାରିଲେ । କିନ୍ତୁ ଶବ୍ଦଟି ହଠାତ୍‍ ଦ୍ୱାର ନିକଟରେ ବନ୍ଦ ହୋଇଗଲା । ଦ୍ୱାର ଉନ୍ମୁକ୍ତ ହେଲାନାହିଁ ପୁଣି ସୁଇଚ୍‍ ଟିପିଲେ ସତ୍ୟଜିତ୍‍ । ଏଥର କାହାର ତ୍ରସ୍ତ ସ୍ୱର ଆସିଲା—

 

କି.....କି.....କିଏ ଟୁମ୍ୱେ.....ହଟ୍ୟାକାଡ଼ି ? ଯାଅ......ଫୋଡ଼ିଯାଅ...... ହାମଡ଼ ସର୍ବନାଶ କଡ଼ନାଇଁ । ଟୁମ୍ୱକୁ ଯଡ଼ି ପୋଲିସ ଆରେଷ୍ଟ କଡ଼େ ଟେବେ ହାମେ ଟୁମକୁ ଖଲାସ ଦେବି ।

 

ସତ୍ୟଜିତ୍‍ ମନେ ମନେ ହସିଲେ । ଜଜ୍‍ ସାହେବ ଏତେ ଭୟାଳୁ । ସକାଳ ଆଠଟାରେ ହତ୍ୟାକାରୀକୁ ଭୟ ! ପୁଣି ସେହି କଣ୍ଠ ସ୍ୱର—

 

ଯାଅ....ଫେ.....ଫେଡ଼ି ଯାଅ ବାବା......

 

ଏଥର ସତ୍ୟଜିତ୍‍ ଉତ୍ତର ଦେଲେ—ନା ସାର୍‍ ମୁଁ ହତ୍ୟାକାରୀ ନୁହେଁ..... ମୁଁ ସି.ଆଇ.ଡ଼ି. ଇନ୍‍ସପେକ୍‍ଟର ସତ୍ୟଜିତ୍‍ ଦାସ........ଆପଣ ଏସ୍‍. ପିଙ୍କ ନିକଟକୁ ଏଇ ଅଳ୍ପ ସମୟ ପୂର୍ବରୁ ଫୋନ୍‍ କରିଥିଲେ......ସେ ମୋତେ ପଠାଇଛନ୍ତି ।

 

ଓ.....ଟୁମ୍ୱେ.......ସଟ୍ୟଜିଟ୍‍......ଆସଣ୍ଟୁ ବାବା ଆମ୍ଭକୁ ଡକ୍ଷା କଡ଼ନ୍ତୁ ।

 

ଦ୍ୱାର ଉନ୍ମୁକ୍ତ ହେଲା । ପୁଣି ଭୟପାଇ ମିଷ୍ଟର ସୁନ୍ଦରମ୍‍ ଦରଜା ବନ୍ଦ କରି ଦେଲେ ।

 

ନା......ନା......ନା........ପହିଲେ ଆପନ୍‍ ସେ କଟା ମନିଷଟାକୁ ନେଇ ଯାଣ୍ଟୁ ବାବା......ଟାପଡ଼େ ହାମେ ବାହାଡ଼ିବୁ.....

 

କିଛି ଭୟ କରନ୍ତୁନି ସାର୍‍ । ବିଶେଷତଃ ମୁଁ ଅଛି । ଏଇ ମୋ ପଛେ ପଛେ ସବ୍‍ଇନ୍‍ସପେକ୍‍ଟର ଓ କନଷ୍ଟେବଲ୍‍ ପ୍ରଭୃତି ଆସୁଛନ୍ତି । ସେମାନେ ସଙ୍ଗେ ସଙ୍ଗେ ତାକୁ ନେଇଯିବେ । ଆପଣଙ୍କ ସହିତ ବହୁ ଆବଶ୍ୟକୀୟ କଥାବାର୍ତ୍ତା ଅଛି । ଆପଣ ନ ଆସିଲେ କିପରି ହେବ ?

 

ଏଥର ମିଷ୍ଟର ସୁନ୍ଦରମ୍‍ ଦରଜା ଖୋଲିଲେ । ତାଙ୍କ ପଛେ ପଛେ, ସମସ୍ତ ପରିବାର । ପରିବାର ଅର୍ଥ—ଜଜ୍‍ ସାହେବଙ୍କ ସ୍ତ୍ରୀ, ଦୁଇଟି କନ୍ୟା ଏବଂ ଚାରୋଟି ଚାକର । କନ୍ୟାମାନଙ୍କ ମଧ୍ୟରୁ ପ୍ରାୟ ୨୦ ବର୍ଷ ହେବ ଏବଂ ଅନ୍ୟକୁ ୧୬।୧୭ ବର୍ଷ ହେବ । ସମସ୍ତେ ଭୟପାଇ ଯାଇଛନ୍ତି । ମିଷ୍ଟର ସୁନ୍ଦରମ୍‍ ଏତେ ଭୟ ପାଇଛନ୍ତି ଯେ, ସେ କଟା ଲାସ୍‍ଟା ଆଡ଼େ ଆଦୌ ଚାହୁଁ ନାହାନ୍ତି ।

 

ସତ୍ୟଜିତ୍‍ ଜେରା ଆରମ୍ଭ କଲେ । ପରିଶେଷରେ ଜାଣି ପାରିଲେ ଯେ ପୂଜାରୀ ଚାକର ସମେତ ସମସ୍ତ ପରିବାର କେହି କିଛି ଜାଣି ନାହାନ୍ତି କେବଳ ଏତିକି—

 

ମିଷ୍ଟର ସୁନ୍ଦରମ୍‍ଙ୍କ ପରିବାରର ସମସ୍ତ ସଭ୍ୟ ପ୍ରାୟ ରାତ୍ରି ଦଶଟା ସମୟରେ ଶଯ୍ୟାରୋହଣ କରନ୍ତି। ସକାଳ ପ୍ରାୟ ଚାରିଟାରେ ଶଯ୍ୟା ତ୍ୟାଗ କରିନ୍ତି । ମିଷ୍ଟର ସୁନ୍ଦରମ୍‍—ତା’ପରେ ନିଜର ଆବଶ୍ୟକୀୟ ନିତ୍ୟକର୍ମ ସମାପନ କରି ଠିକ୍‍ ପାଞ୍ଚଟା ବେଳକୁ ଡ୍ରଇଁ ରୁମକୁ ଚାଲି ଆସନ୍ତି । ସେ ଆଇନ ବହି ଖେଳା ଖେଳି କରନ୍ତି । ପ୍ରାୟ ସାଢ଼େ ପାଞ୍ଚଟାବେଳକୁ ଚାକର ଏବଂ ପୂଜାରୀ ଉଠନ୍ତି । ଓ ତା’ପରେ ପରେ ଉଠନ୍ତି ଅନ୍ୟ ସମସ୍ତେ । ଡ୍ରଇଁ ରୁମ୍‍ ଖୋଲିବା ପୂର୍ବରୁ ପ୍ରଥମେ ମିଷ୍ଟର ସୁନ୍ଦରମ୍‍ ବାହାର ଦରଜାଟା ଖୋଲି ଦିଅନ୍ତି । ଟିକିଏ କେଉଁଠି ଶବ୍ଦ ହେଲେ ଭୟପାଇ ଦରଓ୍ୟାନ ନଚେତ୍‍ କୌଣସି ଚାକରକୁ ଡାକନ୍ତି । ଦରଜାଟା ବାହାରପଟୁ ଖୋଲେ । ପ୍ରତ୍ୟେକ ଦିନଭଳି ଆଜି ମିଷ୍ଟର ସୁନ୍ଦରମ୍‍ ଯେତେବେଳେ ଦ୍ୱାର ଖୋଲିବାକୁ ଆରମ୍ଭ କଲେ, ସେତେବେଳେ ଅନ୍ୟ ଦିନମାନଙ୍କ ଅପେକ୍ଷା ଟିକିଏ ଶକ୍ତି ବ୍ୟୟ ହେଲା । ଫଳତଃ ତାଙ୍କର ଜାତ ହେଲା ସନ୍ଦେହ । ତଥାପି ସେ ଦ୍ୱାର ଖୋଲିଲେ । କଟା ଲାସ୍‍ଟା ତା ପୂର୍ବରୁ ପ୍ରାୟ କବାଟକୁ ଲାଗି ଟଙ୍ଗା ଯାଇଥିଲା । କବାଟ ବାହାର ପଟକୁ ଫିଟିବାରୁ ତା’ର ଧକ୍‍କାରେ ଲାସ୍‍ଟା କବାଟଠାରୁ କିଛି ଦୂରକୁ ଝୁଲି ଗଲା, ଏବଂ ପର ମୁହୂର୍ତ୍ତରେ ଝୁଲି ଆସି ମିଷ୍ଟର ସୁନ୍ଦରମ୍‍ଙ୍କ ମୁହଁରେ ବାଜିଲା ବେଶ୍‍, ସେତିକିରେ ସୁନ୍ଦରମ୍‍ ଗୋଟାଏ ଚଉକସ କଚଡ଼ା ଖାଇଲେ, ତା’ପରେ ଉପରକୁ ଚାହିଁ ଭୟରେ ଥରି ଥରି ଦରଓ୍ୟାନକୁ ଡାକିଲେ । କିନ୍ତୁ ଦରଓ୍ୟାନ ଆସିଲା ନାହିଁ । ତାଙ୍କର ଚିତ୍କାରରେ ଦୌଡ଼ି ଆସିଲେ ପରିବାରର ଅନ୍ୟମାନେ । ସେମାନେ ମଧ୍ୟ ଭୟ ପାଇଲେ । ମିଷ୍ଟର ସୁନ୍ଦରମ୍‍ଙ୍କୁ ନେଇଗଲେ ଭିତରକୁ ଓ ଦ୍ୱାରା ବନ୍ଦ କରିଦେଲେ । ତା’ପରେ ମିଷ୍ଟର ସୁନ୍ଦରମ୍‍ଙ୍କ ଆଦେଶରେ ବନ୍ଦ କରାଗଲା ସମସ୍ତ ଝରକା ଓ ଦ୍ୱାର । ଅଳ୍ପ ସମୟ ପରେ ମିଷ୍ଟର ସୁନ୍ଦରମ୍‍ ଆଶ୍ୱସ୍ତି ଲାଭକରି ଫୋନ କଲେ ଏସ. ପିଙ୍କ ନିକଟକୁ ।

 

କେତୋଟି ମୁହୂର୍ତ୍ତ ନୀରବତା ରାଜତ୍ୱ କଲାପରେ ସତ୍ୟଜିତ୍‍ ପ୍ରଶ୍ନ କଲେ—ତେବେ ଦରଓ୍ୟାନ୍‍ ?

 

ଦରଓ୍ୟାନ ତ କାହିଁ ନାହିଁ ! ନା । ସେତେବେଳେ ବି ତ ସେ ନଥିଲା । କହିଲେ ମିଷ୍ଟର ସୁନ୍ଦରମ୍‍ଙ୍କର ଜେଷ୍ଠା କନ୍ୟା ସରୋଜିନୀ ।

 

କିଛିକ୍ଷଣ ଚିନ୍ତା କରି କହିଲେ ସତ୍ୟଜିତ୍‍—ସାର୍‍, ମୁଁ ଟିକିଏ ଆପଣଙ୍କର ହତାଟା ପରୀକ୍ଷା କରିବାକୁ ଇଚ୍ଛାକରେ । ଦରଓ୍ୟାନ୍‍ ନିରୁର୍ଦ୍ଦେଶ ହେଲା କିପରି ?

 

ଇଏସ୍‍, ଇଏସ୍‍...ଦ୍ୟାଟ୍‍ ଇଭ କ୍ୟାନ୍‍ ଡ଼ୁ ସେଫଲି । କିଣ୍ଟୁ ବାବା ମୋତେ ବିଦାୟ ଡିଅ । ଏଠାଡ଼େ ଛିଡ଼ାହେଲା ବେଳକୁ ହାମଡ଼ ଭାଡ଼ି ଭୟ ହେଉଚି । ଜଜ୍‍ ସାହେବ କହିଲେ ।

 

ହଁ ସାର୍‍, ବର୍ତ୍ତମାନ ଆପଣଙ୍କ ସହିତ ସମସ୍ତ କାର୍ଯ୍ୟ ପ୍ରାୟ ସରିଲାଣି । ପୁଣି ଆବଶ୍ୟକ ହେଲେ ମୁଁ ଆପଣଙ୍କ ଡକାଇବ । ଆପଣମାନେ ଯାଇ ପାରନ୍ତି । କହିଲେ ସତ୍ୟଜିତ୍‍ ।

 

ସଙ୍ଗେ ସଙ୍ଗେ ମିଷ୍ଟର୍‍ ସୁନ୍ଦରମ୍‍ ଘର ଭିତରକୁ ଚାଲିଗଲେ । ତାଙ୍କୁ ଚାହିଁଥିଲେ ସତ୍ୟଜିତ୍‍ । ଏତେ ବର୍ଷ କଟକରେ ରହି ସୁଦ୍ଧା ଓଡ଼ିଆ ଭଲଭାବେ କହି ପାରୁନାହାନ୍ତି, ଅଥଚ ତାଙ୍କର କନ୍ୟାମାନେ ଅତି ଭଲଭାବେ କହି ପାରୁନାହାନ୍ତି, ଅଥଚ ତାଙ୍କର କନ୍ୟାମାନେ ଅତି ଭଲଭାବେ କହି ପାରୁଛନ୍ତି । ସେମିତି ହୁଏ । ବୋଧହୁଏ ମିଷ୍ଟର୍‍ ସୁନ୍ଦରମ୍‍ଙ୍କର କନ୍ୟାମାନେ ଏଇଠାରେ ଜନ୍ମ ଗ୍ରହଣ କରିଛନ୍ତି ।

 

ଏଥର ସତ୍ୟଜିତ୍‍ ଗେଟ୍‍ ନିକଟକୁ ଯାଇ ସେଠାରେ ନଇଁ ପଡ଼ି କ’ଣ ଦେଖିବାକୁ ଲାଗିଲେ ।

 

କେତେଗୁଡ଼ିଏ ଯୋତାର ଅସ୍ପଷ୍ଟ ଚିହ୍ନ । ଯେପରି ସେଠାରେ କେତେଜଣ ଧସ୍ତା ଧସ୍ତି ହୋଇଛନ୍ତି । ସତ୍ୟଜିତ୍‍ ସେଗୁଡ଼ିକୁ ଭଲ ଭାବେ ଲକ୍ଷ କରିବାକୁ ଲାଗିଲେ । ଗେଟ୍‍ ନିକଟରୁ ମିଷ୍ଟର ସୁନ୍ଦରମ୍‍ଙ୍କର ପ୍ରସାଦ ସମ୍ମୁଖସ୍ଥ ବାରଣ୍ଡା ପର୍ଯ୍ୟନ୍ତ ପଡ଼ିଛି ନାଲି ଗୋଡ଼ । ତେଣୁ ଚିହ୍ନ ଗୁଡ଼ିକୁ ଲକ୍ଷ୍ୟ କରିବା ଦୁଃସାଧ୍ୟ । ତଥାପି ଗେଟ୍‍ ନିକଟରେ ଗୋଡ଼ିରାସ୍ତା ଉପରେ ଅଳ୍ପ ପରିମାଣରେ ଧୂଳିବସି ଯାଇଥିବାରୁ ସେଠାକାର ଚିହ୍ନଗୁଡ଼ିକ ଅସ୍ପଷ୍ଟ ହେଲେ ମଧ୍ୟ ଭଲ ଭାବେ ଲକ୍ଷ୍ୟ କଲେ ଜଣାପଡ଼ୁଛି । କ୍ରମେ କ୍ରମେ ଯୋତାର ଚିହ୍ନ ବାମ ଦିଗକୁ ଯାଇଛି । ସେଗୁଡ଼ିକର ଅନୁସରଣ କଲେ ସତ୍ୟଜିତ୍‍ । ଅଳ୍ପଦୂର ଯିବାପରେ ସେ ଆଉ ଚିହ୍ନ ଦେଖି ପାରିଲେ ନାହିଁ ।

 

ତେବେ ? ସତ୍ୟଜିତ୍‍ ବାମଦିଗକୁ ଚାହିଁଲେ । ଫୁଲ ବଗିଚା, ଶାଗ କିଆରୀ, ପରିଶେଷରେ ପାଚେରୀ ନିକଟରେ ଗୋଟାଏ ନାଗଆରୀ ବଣ ବଗିଚା ମଧ୍ୟକୁ ଦୃଷ୍ଟି ନିକ୍ଷେପ କଲେ ସେ ଅଳ୍ପ ଦୂରରେ ଗୋଟାଏ ଫୁଲଗଛ ନଇଁ ପଡ଼ିଛି ତଳକୁ । ଦୁଇ ଚାରିଟା ଡାଳ ଭାଙ୍ଗିଯାଇ ପତ୍ର ସହିତ ମିଶି ଯାଇଛି ଭୂମିରେ, ଯେପରି କିଏ ଦଳ ଦେଇଛି । ସେଠାକୁ ଗଲେ ସେ, ପୁଣି । ଚାହିଁଲେ ସମ୍ମୁଖକୁ । ପୁଣି ପ୍ରାୟ ପାହୁଣ୍ଡେ ଦୂରରେ ଆଉ ଗୋଟିଏ ଗଛର ସେହିପରି ଅବସ୍ଥା । ଆହୁତି ସମ୍ମୁଖକୁ ଚାହିଁଲେ ସେ । ସେହିପରି ପ୍ରାୟ ଏକ ଏକ ପାହୁଣ୍ଡ ହଜାରେ ଗୋଟିଏ ଗୋଟିଏ ଫୁଲଗଛ ଏବଂ ତା’ପରେ ଶାଗ ଗଛ ଦଳି ହୋଇଯାଇଛି । ସେହି ସେହି ଗଛ ବାଟ ଦେଇ ଯାଇ, ସତ୍ୟଜିତ୍‍ ପହଞ୍ଚିଲେ ନାଗଆରୀ ବଣ ନିକଟରେ । ଜାମୟରୀ ବଣଟି ପାଚେରୀ ନିକଟରେ ଏପରି ଭାବେ ହୋଇଛି ଯେ ପାଚେରୀ ସହିତ ପ୍ରାୟ ଦେଢ଼ ହାତ ପ୍ରସ୍ଥ ବିଶିଷ୍ଟ ଗୋଟାଏ ଗୁମ୍ଫା ଭଳି ଘର ସୃଷ୍ଟି କରୁଛି । ତା’ରି ମଧ୍ୟରୁ ସତ୍ୟଜିତ୍‍ ଶୁଣି ପାରିଲେ ଖସ୍‍ ଖସ୍‍ ଶବ୍ଦ । ଭିତରକୁ ଚାହିଁଲେ ସେ ।

 

ହଁ ଅନୁମାନଟା ତାହାହେଲେ ସତ୍ୟ ହେଲା । ନାଗଆରୀ ବଣ ମଧ୍ୟରେ ବସି ପଡ଼ିଲେ ସେ । ପଡ଼ିଛି ଗୋଟାଏ ଲୋକ । ହସ୍ତପଦ ତାର ବନ୍ଧା ଯାଇଛି ଗୋଟାଏ ଶକ୍ତ ଦଉଡ଼ି ଦ୍ୱାରା । ଅଣ୍ଟାକୁ ଗୋଟିଏ ଦୌଡ଼ି ବେଷ୍ଟନ କରିଛି ଶକ୍ତ ଭାବେ ଓ ତା’ର ଅନ୍ୟ ପ୍ରାନ୍ତଟି ବନ୍ଧା ଯାଇଛି ଗୋଟାଏ ବଡ଼ ପ୍ରସ୍ତର ଦେହରେ, ଯେପରି ଲୋକଟି ଘୁଷୁଡ଼ି କରି କେଉଁଆଡ଼େ ଯାଇ ପାରିବ ନାହିଁ । ମୁହଁରେ ମାଡ଼ି ଦିଆଯାଇଛି ମେଞ୍ଚାଏ କନା ଏବଂ ତା’ ଉପର ଦେଇ ବେକକୁ ବେଷ୍ଟନ କରି ବନ୍ଧାଯାଇଛି ଗୋଟାଏ ଛୋଟ ଦୌଡ଼ି, ଯେପରି କୌଣସିମତେ କନା ମେଞ୍ଚାଏ ବାହାରକୁ ବାହାରି ପାରିବନି । ଲୋକଟି ଖାଲି ଯନ୍ତ୍ରଣାରେ ଏପାଖ ସେପାଖ ହଲୁଛି ଏବଂ ଅସ୍ପଷ୍ଟ ଭାବେ ଗଁ ଗଁ ଶବ୍ଦ କରୁଛି । ସଙ୍ଗେ ସଙ୍ଗେ ତାକୁ ବନ୍ଧନ ମୁକ୍ତ କଲେ ସତ୍ୟଜିତ୍‍ ତା ପରେ ତାକୁ ଜଜ୍‍ ସାହେବଙ୍କ ବାରଣ୍ଡାକୁ ନେଇଯାଇ ପାଣି ପିଇବାକୁ ଦେଲେ ଏବଂ ପ୍ରାୟ ତିରିଶ ମିନିଟ୍‍ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଲେ । ସେତେବେଳକୁ ମିଷ୍ଟର ସୁନ୍ଦରମ୍‍ ଓ ଅନ୍ୟାନ୍ୟ ମାନେ ଦରଓ୍ୟାନ୍‍ର ଏ ଅବସ୍ଥା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହେଲେ ।

 

ଲାସ୍‍ଟିକୁ ଦେଖି ଦରଓ୍ୟାନ୍‍ ଭୟ ପାଇଲା । ପ୍ରାୟ ଅଧ ଘଣ୍ଟାଏ ପରେ ସତ୍ୟଜିତ୍‍ ଜେରା ଆରମ୍ଭ କଲେ ।

 

ହଁ—ତମେ ତେବେ ଜଜ୍‍ସାହେବଙ୍କ ଦରଓ୍ୟାନ୍‍ ?

 

ଆଜ୍ଞା !

 

କେତେଦିନ ହେବ ତୁମେ ଏଠାରେ ରହିଛ ?

 

ଆଜ୍ଞା, ପାଞ୍ଚ ଛ’ ବର୍ଷ ହେବ ।

 

ତୁମ ଘର କେଉଁଠି ?

 

ସାହେବ୍‍, ନେପାଲରେ ।

 

ଓ.........କେତେଟଙ୍କା ଲେଖାଏଁ ଦରମା ପାଅ ?

 

ପଇଁଚାଳିଶ୍‍ ଟଙ୍କା ।

 

ତୁମ ପରିବାରରେ ଆଉ କେହି ଅଛନ୍ତି ?

 

ନା ସାହେବ୍‍ ।

 

କାଲି ରାତିରେ ତୁମକୁ କେତେବେଳେ କିପରି ସେମାନେ ଆକ୍ରମଣ କଲେ ?

 

ସାହେବ୍‍, କାଲି ମୁଁ ଯେତେବେଳେ ରାତି ଦୁଇଟାରେ ଗେଟ୍‍ ନିକଟରେ ପହରା ଦେଉଥିଲି, ସେତେବେଳେ ଗୋଟାଏ ବଳୁଆ ଲୋକ ମୋ ପାଖକୁ ଆସି ଜଜ୍‍ସାହେବ୍‍ଙ୍କୁ ଡାକି ଦେବାପାଇଁ କହିଲା । ତା’ ଚାଲିଚଳନରେ ମୋର ସନ୍ଦେହ ହେଲା । ମୁଁ ନାରାଜ ହେବାରୁ ସେ ଜିଦ୍‍ ଧରି ବସିଲା । ଶେଷରେ ସେ ନଗଲେ ମୁଁ ତାକୁ ମାରି କରି ତଡ଼ିଦେବି ବୋଲି ଧମକଦେଲି । କିନ୍ତୁ ସେ ନ ଯାଇ ମୋ ତଣ୍ଟିଟା ଚିପି ପକାଇଲା । ମୁଁ ତାକୁ ହଟାଇ ଦେବା ପାଇଁ ବହୁତ ଚେଷ୍ଟା କଲି ଏବଂ ଅନୁଭବ କଲି ଯେ ତାର ବଳ ହଟି ଆସିଲାଣି, କିନ୍ତୁ ଠିକ୍‍ ସେହି ସମୟରେ ଆଉ ଦୁଇ ଚାରିଜଣ କଳା ପୋଷାକ ପିନ୍ଧା ଲୋକ ଆସି ମୋତେ ମାଡ଼ି ବସିଲେ ଓ ମୋ କାନରେ ଗୋଟାଏ କ’ଣ ମାଡ଼ି ଧରିଲେ । ତା’ପରେ କ’ଣ ହେଲା—ମୁଁ କିଛି ଜାଣେନି ।

 

ହୁଁ—ତୁମ କାର୍ଯ୍ୟ ଏଥର ଶେଷ ହେଲା । ତୁମେ ଯାଇପାର । ଦରଓ୍ୟାନ୍‍ ଚାଲିଗଲା ।

 

ହତା ମଧ୍ୟରେ ପ୍ରବେଶ କଲା ଗୋଟାଏ ପୋଲିସ ଜିପ୍‍ । ତା’ ମଧ୍ୟରୁ ବାହାରି ଆସିଲେ ସୁନୀଲ ଚାଟାର୍ଜି, ନୀହାର ରଞ୍ଜନ ପରିଜା ଏବଂ ଚାରି ଜଣ କନଷ୍ଟେବଳ

 

ଆପଣମାନେ କିପରି ଆସିଲେ ? ପ୍ରଶ୍ନ କଲେ ସତ୍ୟଜିତ୍‍ ।

 

କାହିଁକି ? ଆପଣ କ’ଣ କଣା କି ? ଗୋଟାଏ ରହସ୍ୟଭରା ଚାହାଣୀ ଦେଇ କହିଲେ ସୁନୀଲ ଚାଟାର୍ଜି । ହସିଲେ ନୀହାର ରଞ୍ଜନ ।

 

ମାନେ !

 

ମାନେ—ଦେଖୁଛନ୍ତି, ଜିପରେ ଆସିଲୁ ପୁଣି ପଚାରୁଛନ୍ତି । ସତ୍ୟଜିତ୍‍ ଗୋଟାଏ ଶୁଖିଲା ହସ ହସି ଦେଲେ । ସୁନୀଲ ଚାଟର୍ଜି ସତ୍ୟଜିତ୍‍ଙ୍କ ସହିତ କଲେଜରେ ଦୁଇବର୍ଷ ପଢ଼ିଥିଲେ । ତେଣୁ ସବୁବେଳେ ନିଜର ସାଥିଭଳି ସେ ବ୍ୟବହାର କରନ୍ତି । ନୀହାର ରଞ୍ଜନ ମଧ୍ୟ ବେଳେ ବେଳେ ଯୋଗ ଦିଅନ୍ତି ସେଥିରେ ।

 

ନାହିଁ......ମୁଁ ପଚାରୁଥିଲି କିପରି ଜାଣିଲେ ? ସତ୍ୟଜିତ୍‍ ପୁଣି ପ୍ରଶ୍ନ କଲେ ।

 

ଏସ୍‍. ପି. ଆପଣଙ୍କୁ ସାହାଯ୍ୟ କରିବାକୁ ପଠାଇଲେ ।

 

ସେଠିକାର ସବୁ କାର୍ଯ୍ୟ ସାରିଛ ତ ?

 

ହଁ ସବୁ ସରିଛି ।

 

କଣ ପାଇଲେ ?

 

କିଛି ନୁହେଁ ତେବେ ଘରର ପଶ୍ଚାଦଭାଗରେ କେତେଗୁଡ଼ିଏ ଜୋତା ଚିହ୍ନ ।

 

ଫଟୋ ଉଠାଇଛନ୍ତି ?

 

ହୁଁ—ସେ କାମ ଆଉ ଆପଣଙ୍କ ଏ ଚେଲା ଛାଡ଼ିବେ ? ସୁନୀଲଙ୍କୁ ଚାହିଁ କହିଲେ ନୀହାର ରଞ୍ଜନ । ସୁନୀଲ ଟିକିଏ ହସି ଦେଲେ ।

 

ତେବେ ବର୍ତ୍ତମାନ ଦୟାକରି ଚାଲନ୍ତୁ ସେଇ ନାଗଆରୀ ବଣ ନିକଟରେ ପଡ଼ିଥିବା ଜୋତା ଚିହ୍ନ ଗୁଡ଼ିକର ଫଟୋ ଉଠାଇ ନେବା ।

 

ଚାଲନ୍ତୁ, ହଁ.....ଏ ଲାସ୍‍ଟି କାହାର ଜାଣି ପାରିଲେଣି ?

 

ଏଠାରେ ବି ତ ସେହିପରି ଏକ ଜାଗାରେ ସେହି ଭାଷା ଲେଖା ଯାଉଛି ।

 

ହଁ—ଅର୍ଦ୍ଧାଙ୍ଗ ଲାସ୍‍ଟି କନ୍‍ଷ୍ଟେବଲ ମୋହନ ବାରିକର । ସତ୍ୟଜିତ୍‍ଙ୍କ ସ୍ୱର ବାଷ୍ଫାକୁଳ ।

 

ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲେ ନୀହାର ରଞ୍ଜନ । କେତୋଟି ମୁହୂର୍ତ୍ତ ପାଇଁ ନୀରବତା ନଇଁ ଆସିଲା । ତା’ ସଙ୍ଗେ ସଙ୍ଗେ ନଇଁଗଲା ସମସ୍ତଙ୍କ ମସ୍ତକ ।

 

ଏବେବି ଅର୍ଦ୍ଧାଙ୍ଗ ଲାସ୍‍ଟାରୁ ବିନ୍ଦୁ ବିନ୍ଦୁ ହୋଇ ଲାଲ୍‍ ଲାଲ୍‍ ରକ୍ତ ଝରି ପଡ଼ୁଛି । ସେହି ରକ୍ତକୁ ଚାହିଁଛନ୍ତି ସମସ୍ତେ । ମୁହଁ ଝାଉଁଳି ପଡ଼ିଛି ପରାଜୟର ଲାଞ୍ଛନାରେ । ପରାଜୟର ଲାଞ୍ଛନା ! ହଁ—ସମ୍ମୁଖରେ ଝୁଲୁଛି ଅପରାଧର ପ୍ରମାଣ ଆଉ ତା’ରି ମଧ୍ୟରୁ ଝରି ପଡ଼ୁଛି ଲାଲ ରକ୍ତ—ମୁଣ୍ଡା ମୁଣ୍ଡା ରକ୍ତ—ସିମେଣ୍ଟ ଚଟାଣ ଉପରେ ଜମା ହେଉଛି, ଆଉ ବିନ୍ଦୁ ବିନ୍ଦୁ ହୋଇ ତା’ର ପରିମାଣ ବଢ଼ି ଚାଲିଛି । ତାହାରି ସହିତ ତାଳରଖି ସମ୍ମୁଖଭାଗରେ ବେଢ଼ି ଛିଡ଼ା ହୋଇଥିବା ପୋଲିସ ଅଫିସରଗୁଡ଼ିକଙ୍କର ଲାଞ୍ଛନାର ଭାର ବଢ଼ି ଚାଲିଛି । ସତ୍ୟଜିତ୍‍ଙ୍କର ଚକ୍ଷୁଦୁଇଟି ସେଇ ନରରକ୍ତ ମଧ୍ୟକୁ ଅନ୍ତର୍ଭେଦୀ ଦୃଷ୍ଟିରେ ଚାହିଁଛନ୍ତି, ସତେ ଯେପରି ସେଇ ଲଞ୍ଛନା ମଧ୍ୟରୁ ଖୋଜି ବୁଲୁଛନ୍ତି ବିଜୟର ସଙ୍କେତ ।

 

ଖଚ୍‍........

 

ଦକ୍ଷିଣ ପାର୍ଶ୍ୱକୁ ଚାହିଁଲେ ସତ୍ୟଜିତ୍‍ ସିଗାରେଟ୍‍ଟିଏ ମୁହଁରେ ଧରି ଅଗ୍ନି ସଂଯୋଗ କରିବାପାଇଁ ଦିଆସିଲି ଜଳାଇଛନ୍ତି ସୁନୀଲ ଚାଟାର୍ଜି । ଲଲାଟାରେ ବିନ୍ଦୁ ବିନ୍ଦୁ ହୋଇ ଅଗ୍ନିସଂଯୋଗ କରିବାପରେ ପ୍ରତ୍ୟେକ ଗୋଟିଏ ଗୋଟିଏ ସିଗାରେଟ ଦେଇ ଦିଆସିଲିଟି ବଢ଼ାଇଦେଲେ ସୁନୀଲ୍‍ । ଆଉ ଦୁଇଥର ଦିଆସିଲି ଜଳାଇବାର ଶବ୍ଦହେଲା । ତା’ ପରେ ତିନୋଟି ଧୁମ୍ର କୁଣ୍ଡଳି ଉପରକୁ ଉପରକୁ ଉଠିବାକୁ ଲାଗିଲେ ।

 

ହଁ....ଏଠାରେ ଆଉ ଛିଡ଼ା ହୋଇ ଲାଭ କ’ଣ ? ସୁନୀଲ୍‍ ବାବୁ । ଆପଣ ଏଠାକାର କାର୍ଯ୍ୟ ଶେଷ କରି ଦିଅନ୍ତୁ । ନୀହାର ବାବୁ ଆଉ ମୁଁ ଯାଉଛୁଁ ସେଠାରେ ଫଟୋ ଉଠାଇବୁ ।

 

ମସ୍ତକ ଦ୍ୱାରା ସଙ୍କେତ ଦେଇ ନୀରବରେ ହଁ ଭରିଲେ ସୁନୀଲ ଚାଟାର୍ଜି ।

 

ସୁନୀଲ ଚାଟାର୍ଜି ।

 

ହଁ, କ’ଣ କଣ୍ଠସ୍ୱରରୁ ବାରିପାରୁ ନାହାନ୍ତି ?

 

ତା’ ପାରୁଛି ଯେ, ତେବେ ଫର୍‍ମାଲିଟି ଦୃଷ୍ଟିରୁ ପଚାରି ଦେଲି କ’ଣ ହୋଇଛି ?

 

କିଛି ନାହିଁ । ହାଓ୍ୟା ନିକଲ୍‍ ଗୟି ।

 

ହାଓ୍ୟା ନିକଲ୍‍ ଗୟା !

 

ହଁ ନୀହାର ବାବୁ ! ଆପଣ ଏବଂ ମୋ ନାମରେ ତିନୋଟି ବଡ଼ ବଡ଼ ପେଟି ପାର୍ସେଲ ହେବା ଭଳି ଆସିଥିଲା । ମୋ ପେଟିଟି ଫିଟାଇ ଦେଖିଲେ ବେଳକୁ ମୋର ବାରଟା ବାଜିଗଲା ।

 

ବାରଟା ବାଜିଗଲା ! ମାନେ ?

 

ମାନେ ଆଉ କ’ଣ ? ଗୋଟାଏ କଟା ହାତ ଠିକ୍‍ କାନ୍ଧ ନିକଟରୁ କଟା ଯାଇଛି । ଆଉ ସେହିପରି ଖଣ୍ଡିଏ କାଗଜରେ ଲେଖା ଯାଇଛି—ପୁଷ୍ପମୟ ପଥରେ କଣ୍ଟକର ଆବିର୍ଭାବ ହେଲେ ତା’ର ସମୂଳୋତ୍ପାଟନ କରିବା ଆମର ପ୍ରଧାନ କର୍ତ୍ତବ୍ୟ । ବର୍ତ୍ତମାନ ଆସନ୍ତୁ, ଆପଣଙ୍କ ପେଟିଟି ଫିଟାଇବେ ।

 

ଫିଟାଇବ ଆଉ କ’ଣ ? ମୋ ପେଟିରେ ସେହିପରି ଏକ ପ୍ରତିଜ୍ଞା ପତ୍ରସହ ଆଉ ଗୋଟାଏ କଟା ହାତ କିମ୍ୱା ବେକଠାରୁ ଅଣ୍ଟା ପର୍ଯ୍ୟନ୍ତ ଥିବ ଆଚ୍ଛା ହେଉ ମୁଁ ସଙ୍ଗେ ସଙ୍ଗେ ବାହାରିଲି ।

 

ରିସିଭର୍‍ ରଖିଲେ ସତ୍ୟଜିତ୍‍ ।

 

ପ୍ରିୟ ସତ୍ୟଜିତ୍‍ ବାବୁ,

 

ମୋର ନମସ୍କାର ଗ୍ରହଣ କରିବେ । ‘‘ପୁଷ୍ପମୟ ପଥରେ କଣ୍ଟକର ଆବିର୍ଭାବ ହେଲେ, ତା’ର ସମୂଳୋତ୍ପାଟନ କରିବା ଆମର ପ୍ରଧାନ କର୍ତ୍ତବ୍ୟ । –ଏ ପ୍ରତିଜ୍ଞାଟିରେ କେତେଦୂର ସତ୍ୟ ନିହିତ ଅଛି, ତାହା ଆପଣ କନଷ୍ଟେବଲ୍‍ ମୋହନ ବାରିକର ବିଭତ୍ସ ହତ୍ୟାକାଣ୍ଡରୁ ବେଶ୍‍ ବୁଝି ପାରୁଥିବେ । ସୁତରାଂ ଆପଣ ଯେଉଁ ଭଳି ଭାବେ ଆମର ଅନୁସନ୍ଧାନ ନେବାକୁ ଯାଉଛନ୍ତି ତାର ପରିଣାମ କ’ଣ ହୋଇପାରେ—ତାହା ମଧ୍ୟ ବେଶ୍‍ ଭଲଭାବେ ବୁଝୁଛନ୍ତି । ସାବଧାନ । ମୋହନ ବାରିକର ହତ୍ୟାକାଣ୍ଡ ଯେପରି ଆପଣଙ୍କୁ ଆହୁରି ଉତ୍ତେଜିତ କରି ଆମର ଅନୁସନ୍ଧାନ କରିବାକୁ ନ ଦିଏ, ବରଂ ଆପଣଙ୍କର ସେ ଉତ୍ତେଜନାର ସୌଧକୁ ଧୂଳିସାତ କରିବାରେ ସାହାଯ୍ୟ କରେ । ନଚେତ୍‍ ଆପଣଙ୍କ ଶରୀର ମଧ୍ୟ ଖଣ୍ଡ ଖଣ୍ଡ ହୋଇ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରରେ ଚେତାବନୀ ସ୍ୱରୂପ ଝୁଲିବ । ସୁତରାଂ ଆପଣ ସେଥିରୁ କ୍ଷାନ୍ତ ହୁଅନ୍ତୁ । ବନ୍ଦେଗୀ ।

 

ଆପଣଙ୍କର—

 

ଯାହାହେଉ, ଅପରାଧୀ ମୋତେ ତେବେ ଭୟ କରେ ଆଉ ମୁଁ ଠିକ୍‍ ରୂପେ ଅନୁସନ୍ଧାନ କଲେ ଯେ ଅପରାଧିକୁ ଡିଟେକ୍‍ଟକରି ପାରିବି—ଏହାର ପ୍ରମାଣ ହେଉଛି ତା’ର ଭୟ । ଚିଠିଟି ଯତ୍ନ ସହକାରେ ପକେଟ୍‍ ମଧ୍ୟରେ ରଖିଲେ ସତ୍ୟଜିତ୍‍ । ପୁଣିଥରେ ଚାହିଁଲେ ସେଇ ଅର୍ଦ୍ଧାଙ୍ଗ ଲାସଟିକୁ । ଦୁଇକାନ୍ଧରୁ କାଟି ଦିଆଯାଇଛି ହାତ ଦୁଇଟି ଓ ତଳୁ କଟା ଯାଇଛି ଅଣ୍ଟା ନିକଟରୁ । ହାୟରେ ମୋହନ ବାରିକ ।

 

ଏ କଣ ! ପଶ୍ଚାଦଭାଗରୁ ନୀହାର ରଞ୍ଜନ ପରିଜାଙ୍କର ଆଶ୍ଚର୍ଯ୍ୟଭରା କଣ୍ଠସ୍ୱର ଶୁଣାଗଲା ।

 

କିଛି ନୁହେଁ । ମୋହନ ବାରିକର ବାକୀ ଅଂଶତକ । ମୁହଁ ବୁଲାଇ ଉତ୍ତର ଦେଲେ ସତ୍ୟଜିତ୍‍ ।

 

ପେଟି ।

 

ହଁ ସାର ଏଇ ସେଇଠି ରଖାଯାଇଛି । ନିର୍ଦ୍ଦେଶ ଦେଇ କହିଲେ ସୁନିଲ ଚାଟାର୍ଜି ।

 

ପେଟି ନିକଟକୁ ଗଲେ ନୀହାର ରଞ୍ଜନ । ଚାହିଁଲେ ଉପରେ ଲେଖା ଯାଇଥିବା ଆଡ୍ରେସକୁ । ଲେଖାଯାଇଛି ତାଙ୍କର ନାମ । ଗୋଟାଏ କନେଷ୍ଟବଲକୁ ଡାକି ପେଟିଟି ଫିଟାଇବା ପାଇଁ ଆଦେଶ ଦେଲେ ସେ । ପନ୍ଦର ମିନିଟ ମଧ୍ୟରେ ସ୍ୱଳ୍ପ ପରିଶ୍ରମ କରିବା ପରେ କିରାସିନୀ ପଟାର ପେଟିଟିକୁ ଫିଟାଇ କନେଷ୍ଟବଲ ବାହାର କଲା ଗୋଟାଏ କଟା ହାତ ଆଉ ଗୋଟାଏ ସେହିପରି ପ୍ରତିଜ୍ଞା ପତ୍ର ।

 

ପେଟିଗୁଡ଼ାକ ଥାନା ଭିତରକୁ ଆଣିଲା କିଏ ? ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ନୀହାର ରଞ୍ଜନ ।

 

ଗୋଟିଏ ଘୋଡ଼ା ଗାଡ଼ିବାଲା—ଉତ୍ତର ଦେଲେ ସୁନୀଲ ଚାଟାର୍ଜି ।

 

ଆଉ ଆପଣ ତାକୁ ନିରାପଦରେ ଛାଡ଼ିଦେଲେ । ନୀହାର ବାବୁଙ୍କ କଣ୍ଠ ସନ୍ଦେହ ଭରା ।

 

ଆଉ କଣ ତାକୁ ଆରେଷ୍ଟ କରି ଥାନ୍ତେ ? ରହସ୍ୟଭରା କଣ୍ଠରେ ପ୍ରଶ୍ନ କଲେ ସତ୍ୟଜିତ୍‍ ।

 

ମାନେ ! ନୀହାରଙ୍କ ଚକ୍ଷୁରେ ଆଶ୍ଚର୍ଯ୍ୟର ସୂଚନା ।

 

ମାନେ ଆଉ କଣ ? ବର୍ତ୍ତମାନ ଚାଲୁ ନାହାନ୍ତି ଷ୍ଟେସନ୍‍ ନିକଟକୁ ଘୋଡ଼ାଗାଡ଼ିବାଲାକୁ ଆରେଷ୍ଟ କରିବେ । କିନ୍ତୁ ସେ ହୁଏତ ଏ ବିଷୟରେ କିଛି ଜାଣି ନଥିବ ।

 

କିପରି ?

 

ଘୋଡ଼ାଗାଡ଼ି ବାଲା ହେଉଛି ମୋର ଅତି ପରିଚିତ—ଝୁମର ଜେନା, ଯେକି ଖାଇବାକୁ ନ ପାଇ ମରିଯିବ ପଛେ ଅନ୍ୟାୟ କରି ଦୁଇ ପଇସା ଅର୍ଜନ କରିବାକୁ ଯିବନି । କହିଲେ ସତ୍ୟଜିତ୍‍ ।

 

ତେବେ ପେଟିଗୁଡ଼ାକ ସେ ଆଣିଲା କିପରି ?

 

ସାର ଝୁମର ଜେନା ଷ୍ଟେସନ ନିକଟରେ ତାର ଘୋଡ଼ାଗାଡ଼ି ପ୍ରସ୍ତୁତ କରି ଛିଡ଼ା ହୋଇଥିଲା । ସେତେବେଳକୁ ଟ୍ରେନ ଆସିବାକୁ ବାକୀଥିଲା ଆଉ ଅଳ୍ପ ସମୟ । ହଠାତ୍‍ ଜଣେ ଫୁଲପ୍ୟାଣ୍ଟ ଆଉ ହାୱାଇ ସାର୍ଟ ପିନ୍ଧା ବାବୁ ପ୍ଲାଟ୍‍ଫର୍ମରୁ କୁଲି ହାତରେ ତିନୋଟି ପେଟି ଆଣି ଝୁମର ଜେନା ସହିତ ଭାଉ ଛିଡ଼ାଇ ସେଗୁଡ଼ିକୁ ଘୋଡ଼ା ଗାଡ଼ି ମଧ୍ୟରେ ରଖାଇଲେ । ତା’––ପରେ ଝୁମର ଜେନାକୁ ତାର ପ୍ରାପ୍ୟ ଛିଡ଼ାଇ ଦେଲେ । ଆଉ ପେଟିଗୁଡ଼ିକୁ ଥାନାରେ ପହଞ୍ଚାଇ ଦେବାପାଇଁ କହି ଚାଲିଗଲେ । ତା’ପରେ ଝୁମର ଜେନା ତା’ର କାର୍ଯ୍ୟ ସାଧନ କରିଛି । ନୀହାର ରଞ୍ଜନ ପ୍ରଶ୍ନର ଉତ୍ତର ଦେଇ କହିଲେ ସୁନୀଲ ଚାଟାର୍ଜି ।

 

ତୁମେ ଏତେକ ଯବାନ ବନ୍ଦୀ କେଉଁଠୁ ଯୋଗାଡ଼ କଲ ? ପ୍ରଶ୍ନ କଲେ ନୀହାର ରଞ୍ଜନ ।

 

ଝୁମର ଜେନାଠାରୁ । ସେ ଯେତେବେଳେ ପେଟିଗୁଡ଼ିକ ଆଣି ଏଠାରେ ପହଞ୍ଚିଲା ମୁଁ ସେଗୁଡ଼ିକର ପ୍ରେରକର ନାମ ପଚାରିବାରୁ ସେ କହି ପାରିଲାନି ଆଉ ତା ବଦଳରେ ଏତିକି କହିଛି ।

 

ହଁ—ତା’ ହେଲେ ଅପରାଧୀ ଅତି ଚାଲାକ । ମନ୍ତବ୍ୟ ଦେଲେ ନୀହାର ରଞ୍ଜନ ।

 

ହୁଁ । ଏତେବେଳେ ତାହା ହେଲେ କଥାଟା ଧରି ପାରିଲେ ? ଟିକେ ମୁରୁକି ହସା ଦେଇ କହିଲେ ସତ୍ୟଜିତ୍‍ ।

 

ଆପଣଙ୍କର ଭଳି କଣ ଜଣେ ପ୍ରଖ୍ୟାତନାମା ଗୋଏନ୍ଦା ହୋଇଛୁ ଯେ ଏତେ ଶୀଘ୍ର ବୁଝି ପାରିବୁ ? ହସିଲେ ନୀହାର ରଞ୍ଜନ ।

 

ହଉ.....ମୁଁ ତେବେ ଆସୁଛି ନୀହାର ବାବୁ । ଠିକେ ହସି ଦେଇ କହିଲେ ସତ୍ୟଜିତ୍‍ ।

 

ହଁ ସାର, ଆଉ ଗୋଟାଏ କଥା....ଆଜି ଆପଣଙ୍କୁ ଏସ.ପି ଙ୍କର ନିମନ୍ତ୍ରଣ ଅଛି....ସନ୍ଧ୍ୟା ସାତଟାରେ । ସତ୍ୟଜିତ୍‍ଙ୍କର ଉଦ୍ଦେଶ୍ୟରେ କହିଲେ ସୁନୀଲ ଚାଟାର୍ଜି ।

 

କ’ଣ ମୋତେ ଏକା ?

 

ନା.....ନା......ଆମ ସମସ୍ତଙ୍କୁ—ମାନେ—ମୋତେ ଆଉ ନୀହାର ବାବୁଙ୍କ ମଧ୍ୟ । ....ଆପଣ ଆସିବା ପୂର୍ବରୁ ଏସ. ପି ଫୋନ କରିଥିଲେ ।

 

ୱାଚ୍‍କୁ ଚାହିଁଲେ ସତ୍ୟଜିତ୍‍ । ପାଞ୍ଚଟା ବାଜିବାକୁ ପନ୍ଦର ମିନିଟ୍‍ । ଚୌକି ଛାଡ଼ିଲେ ସେ ।

 

ତା ହେଲେ ମୁଁ ଆସୁଛି । ପୁଣି ସାତଟାବେଳେ ଏସ.ପିଙ୍କ ବାସଭବନରେ ସାକ୍ଷାତ ହେବ .......ହଁ ନୀହାର ବାବୁ ? ଆପଣ ଏ ଗୁଡ଼ାକୁ ପୋଷ୍ଟମାର୍ଟମ ପାଇଁ ପଠାଇ ଦିଅନ୍ତୁ । ଆମେ ତ ସବୁ ଜାଣିଛେ । ତଥାପି ଗୋଟିଏ ଫର୍‍ମାଲିଟି....ହଁ ମୁଁ ଚାଲିଲି......ଟା......ଟା..... ।

 

ବାହାରେ ଗୋଟାଏ ମଟର ବାଇକର ଷ୍ଟାଟିଂ ଶବ୍ଦ କ୍ରମେ କ୍ରମେ ସହରର କୋଳାହଳ ମଧ୍ୟରେ ଦୂରକୁ ମିଳାଇ ଗଲା ।

 

କଟକ ଷ୍ଟେସନ୍‍ । ମଟର ବାଇକରେ ବ୍ରେକ ଦେଲେ ସତ୍ୟଜିତ୍‍ ।

 

ପାଞ୍ଚଟା ବାଜିବାକୁ ଆହୁରି ପ୍ରାୟ ଦଶମିନିଟ । ତାଳଚେର ଆସିବାକୁ ବହୁ ସମୟ ଅଛି । ଦକ୍ଷିଣ ପାର୍ଶ୍ୱକୁ ଚାହିଁଲେ ସେ । ଏଇତ ଝୁମର ଜେନା ।

 

ନମସ୍କାର ଆଜ୍ଞା ।

 

ନମସ୍କାର, ଭଲ ତ ?

 

ଆଜ୍ଞା.....ଆପଣଙ୍କ ଦୟାରୁ ଆଜ୍ଞା.... ।

 

ଆଜ୍ଞା ଝୁମର, ସେ ଯେଉଁ ପେଟିଗୁଡ଼ାକ ଥାନାରେ ନେଇ ଆଜି ଚାରିଟାବେଳେ ପହଞ୍ଚାଇଲ, ସେଗୁଡ଼ାକୁ କିଏ ଆଣିଥିଲା ? ତା’ମଧ୍ୟରୁ କଟା ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ବାହାରୁଛି ।

 

ଏଁ ! ସମସ୍ତ ଚଳତ୍‍ଶକ୍ତି ରହିତ ହୋଇଛି ଯେପରି ଝୁମର ଜେନାର ।

 

ହଁ—ଦୁଇଟି ପେଟିରୁ ଦୁଇଟି ହାତ ଏବଂ ଆଉ ଗୋଟିକରୁ ଛାତି ଓ ପେଟ । ଗୋଟାଏ ତୀକ୍ଷ୍‍ଣ ଦୃଷ୍ଟି ନିକ୍ଷେପ କରି କହିଲେ ସତ୍ୟଜିତ୍‍ ।

 

ମୁଁ ଚିହ୍ନେନି ଆଜ୍ଞା ତାକୁ....ମୁଁ କିଛି ଜାଣେନି ...ଆପଣ ବିଶ୍ୱାସ କରନ୍ତୁ ।

 

ତମ ଉପରେ ମୋର ବିଶ୍ୱାସ ଅଛି ଯେ....ତେବେ ତାକୁ ଦେଖିଲେ ଚିହ୍ନି ପାରିବେ ?

 

ନିଶ୍ଚେ .....ନିଶ୍ଚେ ...ଆଜ୍ଞା ତା ବୋପାକୁ ଚିହ୍ନିବି ।

 

ଚ୍ଛା,କହିଲ.............ଦେଖିବାକୁ କେମିତି ?

 

ଆଜ୍ଞା ଆପଣଙ୍କଠାରୁ ପ୍ରାୟ ଛ’ଇଞ୍ଚ ଉଚ୍ଚାରେ ସାନ ହେବ । ସାବନା ରଙ୍ଗ । କୁଞ୍ଚ କୁଞ୍ଚିଆ ବାଳ । ନାକ ତଳେ ତଲ୍‍ୱାର କଟିଂ ନିଶ । ଓଠ ତଳକୁ ଗୋଟାଏ କଳାଯାଇ । ପିନ୍ଧିଥିଲା ଗୋଟାଏ ମେଘୁଆ ରଙ୍ଗର ଫୁଲ ପ୍ୟାଣ୍ଟ୍‍ ଆଉ ଗୋଟାଏ ଚମ୍ପା ରଙ୍ଗର ହାୱାଇ ସାଟ୍‍ ।

 

କଟକ ସହରରେ ତ ଏମିତି କେତେ ଦେଖିବାକୁ ମିଳେ । ତେବେ ଏମିତି ଗୋଟିଏ ଲୋକ ତାଙ୍କର କେଉଁଠି ଦେଖିଲା ଭଳି ମନେ ହେଉଚି । କେଉଁଠି ? ନା, ମନେ ପଡ଼ୁନି, ଭାବୁଥିଲେ ସତ୍ୟଜିତ୍‍ ।

 

ଆଜ୍ଞା, ଦରକାର ପଡ଼ିଲେ ତୁମକୁ ମୁଁ ଡାକି ନେବି ଚିହ୍ନିବା ପାଇଁ ଯିବ ।

 

ଆଜ୍ଞା ।

 

ହଉ ମୁଁ ଆସୁଛି ।

 

ନମସ୍କାର ଆଜ୍ଞା ।

 

ନମସ୍କାର.......

 

ସତ୍ୟଜିତ୍‍ ପ୍ରବେଶ କଲେ ପ୍ଲାଟ୍‍ଫରମ୍‍ ମଧ୍ୟକୁ । ପ୍ଲାଟଫରମ୍‍ ମଧ୍ୟରେ ସେ ପାନ ଦୋକାନୀଟାକୁ ସେ ପେଟି ଏବଂ ଲୋକଟି ବିଷୟରେ ପ୍ରଶ୍ନ କଲେ । କିନ୍ତୁ ବିଫଳ ହେଲେ । ସେ କିଛି କହି ପାରିଲାନି । ଏହିପରି ଅନେକ ଟି.ଟି.ଆଉ ଏବଂ ଟି.ଟି.ସି.ଙ୍କୁ ସେ ବିଷୟରେ କହିବାରୁ ମଧ୍ୟ ସେମାନେ ସେମାନଙ୍କର ଅଜ୍ଞତା ପ୍ରକାଶ କଲେ । ବୁକ୍‍ଷ୍ଟଲର ଅଧିକାରରେ ଥିବା ଭଦ୍ରବ୍ୟକ୍ତି ମଧ୍ୟ ସେ ବିଷୟରେ କିଛି କହି ପାରିଲେନି । ଶେଷକୁ ପ୍ଲାଟ୍‍ଫର୍ମ ମଧ୍ୟରେ ତଳେ ବସି ରହି ବିକ୍ରି କରୁଥିବା ସେଇ ଲୋକଟି ନିକଟକୁ ଗଲେ ସତ୍ୟଜିତ୍‍ ।

 

କିଓ ଚୈତନ୍ୟ ? ଭଲ ଅଛ ?

 

ଆଜ୍ଞା, ହଁ ହଁ....ନମସ୍କାର ଆଜ୍ଞା......କୁଆଡ଼େ ଆସିଲେ ? ହିଁ.....ହିଁ । ଛିଡ଼ା ହୋଇଯାଇ ଚୈତନ୍ୟ ଅତି ନମ୍ରତାର ସହିତ କହିଲା ।

 

ତୁମ ସହିତ ଗୋଟାଏ କଥା ଥିଲା ।

 

ବେଶ୍‍.....କୁହନ୍ତୁ.....ତମେ......ଆପଣେ ପୁଣି ଏମିତି ମୋ’ଠ ଅନୁମତି.......ଚାହୁଛନ୍ତି ନା ? ହିଁ.....ହିଁ ।

 

ନା......କାଳେ ତୁମେ କାର୍ଯ୍ୟ ବ୍ୟସ୍ତଥିବ....... ।

 

ଯେତେ ଥିଲେ ଆଜ୍ଞା ? ଆପଣ ଅଫିସର୍‍ ଲୋକ, ଆମେ ହେଲୁ ମୂଲିଆ ......ତେମେ ଆପଣେ ଯାହା କହିବେ ପରା ଆମେ ତା’ କରିବୁ ? ଆପଣଙ୍କ କଥା ନଶୁଣି ଯାହା କହିବେ ପରା ଆମେ ତା’ କରିବୁ ? ଆପଣଙ୍କ କଥା ନଶୁଣି ମୋ ବାପାର ଚାରା ଅଛି ? ହିଁ....ହିଁ.... । ଖୋସାମତି କରି କହିଲା ଚୈତନ୍ୟ ।

 

ଟିକିଏ ହସି ଦେଲେ ସତ୍ୟଜିତ୍‍ ।

 

ହଉ, ଟିକିଏ ଇୟାଡ଼େ ଆସ । ବାପାଙ୍କ କାହିଁକି ଏତେ ଛୋଟ ମନେ କରୁଛ ? ଦୁଇ ପାହୁଣ୍ଡ ପଛକୁ ଚାଲିଗଲେ ସେ ।

 

ଚୈତନ୍ୟ ଆସିଲା ସତ୍ୟଜିତ୍‍ଙ୍କ ନିକଟକୁ । ଅପେକ୍ଷାକୃତ ନିମ୍ନ ସ୍ୱରରେ ପ୍ରଶ୍ନ କଲା—

 

ଆଜ୍ଞା....ହିଁ.....ହିଁ......କ’ଣ ଆଜ୍ଞା ?

 

ସେମିତି କିଛି ନୁହେଁ ଯେ, ଆଜି ଦିନ ଗୋଟାଏ ବେଳେ ହାଓରା ପ୍ୟାସେଞ୍ଜର ଆସିବା ବେଳକୁ ତୁମେ ବହି ବିକ୍ରି କରିବାକୁ ଆସିଥିଲ ।

 

ହଁ ଆଜ୍ଞା । ଗାଡ଼ି ଆସିବା ଆଗରୁ ମୁଁ ଆସିଥିଲି । କାହିଁକି ଆଜ୍ଞା ?

 

ମୋ ଠାରୁ ଉଚ୍ଚାରେ ସାନ ହେବ, ଓଠ ତଳକୁ ଗୋଟାଏ କଳା ଯାଇ ଅଛି, ତଲଓ୍ୟାର କଟିଂ ନିଶ ରଖିଛି—ଏମିତି ଗୋଟାଏ ସାବନା ରଙ୍ଗର ଲୋକ ପ୍ଲାଟଫର୍ମ ମଧ୍ୟକୁ ତିନିଟା କିରାସିନୀ ପଟାର ପେଟି ଆଣିବାର ଦେଖିଛ ?

 

କ’ଣ ପିନ୍ଧିଥିଲା ଆଜ୍ଞା କହିଲେ ? କିଛି କ୍ଷଣ ଚିନ୍ତାକରି ଚୈତନ୍ୟ ପ୍ରଶ୍ନ କଲା ।

 

ପିନ୍ଧିଥିଲା ଗୋଟାଏ ମେଘୁଆ ରଙ୍ଗର ଫୁଲ୍‍ ପ୍ୟାଣ୍ଟ ଆଉ ଗୋଟାଏ ଚମ୍ପା ରଙ୍ଗର ହାଓ୍ୱାଇ ସାର୍ଟ ।

 

ଠିକ୍‍....ଠିକ୍‍ ଆଜ୍ଞା ଦେଖିଚି

 

.....ହିଁ......ହିଁ ମୋର ପୁଣି ମନେ ପଡ଼ିବନି ଆଜ୍ଞା.....ହିଁ ହିଁ.... । କଥା ନସରୁଣୁ ଚୈତନ୍ୟ କହିଲା । କିଛି କ୍ଷଣ ନୀରବ ରହିବା ପରେ ପୁଣି ଆରମ୍ଭ କଲା—

 

ଆଜ୍ଞା, ସେତେବେଳକୁ ଗାଡ଼ି ଆସିବାକୁ ପ୍ରାୟ ଅଧଘଣ୍ଟାଏ ବାକି ଥାଏ । ମୁଁ ବହିନେଇ ପିଲାଟ୍‍ଫାରମ୍‍ ଭିତରକୁ ପଶୁଚି, ହଠାତ୍‍ ଗୋଟାଏ ମଟର ଗାଡ଼ି ଆସି ଗେଟ୍‍ ପାଖରେ ରହିଗଲା । ମୁଁ ପଛକୁ ଚାହିଁଲି । ଦେଖିଲି—ଗୋଟାଏ ଖଇରିଆ ରଙ୍ଗର ମଟର ଗାଡ଼ି । ଭିତରେ ବସିଛି ଜମା ଜଣେ ମଣିଷ । ସେଇ ବୋଧହୁଏ ଚଳାଇଥିଲା । ଆପଣଙ୍କ କହିବା ଭଳି ସେଇ ଲୋକଟି ସେମିତି ପୋଷାକ ପନ୍ଧିଥିଲା । ଆଉ ଚେହେରା ବି ଠିକ୍‍ ସେମିତି । ମୁଁ ତାକୁ ଯେମିତି ଅନେଇବି, ସେ ସେମିତି ଡାକ ଛାଡ଼ିଲା—କୁଲି କୁଲି । ମୁଁ ଭାବିଲି ବୋଧେ ନବାବଙ୍କ ନାତି ଇୟେ—ପିଲାଟ୍‍ଫାରମ୍‍ ବାହାରେ ରହି ଭିତରୁ କୁଲିକୁ ଡାକୁଚି । କ’ଣ କରିବି ? ଗୋଟାଏ ଲୋକକୁ ଡାକି ଦେଲି । ସେ ଗଲା ତା ପାଖକୁ । ମୁଁ ପିଲାଟ୍‍ଫାରମ୍‍ ଭିତରକୁ ଆସି ବହି ସଜାଡ଼ୁଛି, ଦେଖିଲି ସେ ଲୋକଟା ଗୋଟି ଗୋଟି କିନି ତିନୋଟି କିରାସିନୀ ପେଟି ଆଣିଲା । ଯୋଡ଼ାଏ ଟିକିଏ ଲମ୍ୱା ଆଉ ଏକା ସାଇଜ୍‍ର, ଆଉ ଗୋଟିଏ ସେ ଯୋଡ଼ାକଠୁ ଟିକିଏ ବଡ଼ ।

 

ଏଥର ସତ୍ୟଜିତ୍‍ ବୁଝି ପାରିଲେ—ଚୈତନ୍ୟ ଠିକ୍‍ କହୁଛି ।

 

ହୁଁ—ତା’ପରେ ?

 

ଆଜ୍ଞା’ ତାପରେ ପେଟି ବୋହି ଆଣିଥିବା ଲୋକଟିକୁ ସେ ପଇସା ଦେଇ ପେଟି ପାଖରେ ଛିଡ଼ା ହେଲା । ପୁଣି କଛି ସମୟ ପରେ, ତା’ର କ’ଣ ହେଲା କେଜାଣି ଗୋଟାଏ କୁଲି ଡାକି ଜିନିଷତକ ଫେଣେ ପିଲାଟ୍‍ଫାରମ୍‍ ବାହାରକୁ ନେଇଗଲା । ଏତିକି ଆଜ୍ଞା ମୁଁ ଜାଣେ.....ହିଁ.......ହିଁ.......ଆଜ୍ଞା ମୁଁ କାହିଁକି ତା’ ପଛରେ ଯାଇଥାନ୍ତି ? ....କ’ଣ ହୋଇଚି ଆଜ୍ଞା ? ଚୋରୀ ?

 

Unknown

ଚୋରୀଠାରୁ ମଧ୍ୟ ଆହୁରି ଅଧିକ ।

 

ଏଁ ! ଆଜ୍ଞା ଆଗରୁ ଯଦି ଜାଣିଥାନ୍ତି.......ହୋଁ........ଶଶୁର ପୁଅ ତ ଏଇଠି ଥା’ନ୍ତା, ମୁଁ ଆପଣଙ୍କୁ ଡାକି ଆଣିଥାନ୍ତି । ବହି ପଛେ ବିକା ନ ହୋଇଥାନ୍ତା–ହିଁ ହିଁ—।

 

ମଟର ନମ୍ୱର ଦେଖିଛ ?

 

ନା, ଆଜ୍ଞା—ମୁଁ କାହିଁକି ଦେଖୁଥିଲି ?

 

କେଉଁଆଡ଼ୁ ଆସିଲା କହି ପାରିବ ?

 

ଇୟାଡ଼କୁ ତ ମୁଁହ କରିଥଲା— –ଆଜ୍ଞା, କଲେଜ ଛକ ଆଡ଼ୁ ଆସିଥିବ ।

 

ହୁଁ—ତୁମେ ତା’କୁ ଦେଖିଲେ ଚିହ୍ନି ପାରିବ ?

 

ଜରୁର୍‍ ଆଜ୍ଞା— –ଜରୁର୍‍—ତା’ ଚଉଦ ପୁରୁଷଙ୍କ ଚିହ୍ନିବି । ଆଚ୍ଛା, ମୁଁ ଆସୁଛି—ଦରକାର ପଡ଼ିଲେ ତୁମକୁ ଡକାଇବି— —ଆଜ୍ଞା— –ନମସ୍କାର ଆଜ୍ଞା ।

 

ନମସ୍କାର– –

 

ନମସ୍କାର ।

 

ନମସ୍କାର । ଲେଟ୍‍ କଲେ ଯେ ? ପ୍ରତି ନମସ୍କାର ଦେଇ କହିଲେ ଏସ୍‍. ପି. ।

 

ଓ୍ୟାଚ୍‍କୁ ଚାହିଁଲେ ସତ୍ୟଜିତ୍‍ । ସାତଟା କୋଡ଼ିଏ ।

 

କ’ଣ କରିବି ସାର୍‍ ? ନିତ୍ୟକର୍ମ ସମାପନ କରି ଆସୁ ଆସୁ ଲେଟ୍‍ ହୋଇଗଲା । ଉତ୍ତର ଦେଇ କହିଲେ ସେ ।

 

ହେଉ, କିଛି ଯାଏ ଆସେ ନାହିଁ । ଆମର ଘରୋଇ କଥାତ, ଚାଲନ୍ତୁ— –। ଏସ୍‍. ପି. ଆଗେ ଆଗେ ଚାଲିଲେ । ପଛେ ପଛେ ସତ୍ୟଜିତ୍‍ ଦାସ ।

 

ଡ୍ରଇଁ ରୁମ୍‍ ତଳେ ଗୋଟାଏ ଦାମିକା କାର୍ପେଟ ବିଛା ଯାଇଛି । ଦ୍ୱାରର ବିପରୀତ ଦିଗକୁ ପଡ଼ିଛି ଗୋଟାଏ ସ୍ପ୍ରିଂ ଦିଆ ଲମ୍ୱା କୁଶନ୍‍ ଚେୟାର । ଅନ୍ତତଃ ପାଞ୍ଚଜଣ ଲୋକ ବସି ପାରିବେ । ତାର ଠିକ୍‍ ଦୁଇ ପ୍ରାନ୍ତ ଭାଗକୁ ପଡ଼ିଛି ସେହିପରି ଚେୟାର । ଦ୍ୱାର ସମ୍ମୁଖକୁ ଆଉ ଗୋଟିଏ ଚେୟାର ପଡ଼ିଥିଲେ ସୃଷ୍ଟି ହୋଇଥାନ୍ତା ଗୋଟିଏ ବର୍ଗାକାର କ୍ଷେତ୍ର । ମଧ୍ୟଭାଗରେ ପଡ଼ିଛି ଗୋଟାଏ ଗୋଲ ଟେବୁଲ। ତା’ଉପରେ ପଡ଼ିଛି ଗୋଟାଏ ପ୍ଲାସ୍‍ଟିକ୍‍ ଟେବୁଲ୍‍ କ୍ଲଥ । ଟେବୁଲ୍‍ ଉପରେ ରଖାଯାଇଛି ଏକ ଦାମିକା ଫୁଲଦାନୀ, ଏକ ସିଗାରେଟ୍‍ କେଶ୍‍, ଏକ ୟାସ୍‍ଟ୍ରେ ଦିଆସିଲି, ଗୋଟାଏ ଖିଲିପାନ ଭରା ପ୍ଲେଟ୍‍ ଏବଂ ଗୋଟାଏ କଲିଂ ବେଲ୍‍ । ଦ୍ୱାରର ବିପରୀତ ପାର୍ଶ୍ୱରେ ଥିବା କାନ୍ଥ ଦେହରେ ଫିଟ୍‍ ହେଇଥିବା ଗୋଟାଏ ବାର୍‍ ଲାଇଟ୍‍ରୁ ବିଦ୍ୟୁତାଲୋକ ବିଚ୍ଛୁରିତ ହୋଇ ପଡ଼ିଛି ଘରଯାକ । ତାର ପ୍ରାୟ ଚାରିଫୁଟ ତଳକୁ ଗୋଟାଏ ବଲ୍‍ଜିୟମ କାଚର ବିରାଟ ଦର୍ପଣ ।

 

ବାମ ପାର୍ଶ୍ୱର ଚେୟାରରେ ବସିଛନ୍ତି ଦୁଇଜଣ । ନୀହାର ରଞ୍ଜନ ପରିଜା ଆଉ ସୁନୀଲ ଚାଟର୍ଜି । ଏସ୍‍. ପି. ଡ୍ରଇଂ ରୁମରେ ପ୍ରବେଶ କରିବା ମାତ୍ରେ ସେମାନେ ଚେୟାର ଛାଡ଼ି ଛିଡ଼ାହେଲେ ।

 

ବସନ୍ତୁ.......ବସନ୍ତୁ । ଟିକିଏ ହସିଦେଇ କହିଲେ ଏସ୍‍. ପି. ଏବଂ ବସିଲେ ଦ୍ୱାରର ବିପରୀତ ପାର୍ଶ୍ୱରେ ପଡ଼ିଥିବା ଚୌକୀରେ । ସତ୍ୟଜିତ୍‍ ବସୁଥିଲେ ସୁନୀଲ ଚାଟାର୍ଜି ଆଉ ନୀହାର ରଞ୍ଜନ ବସିଥିବା ଚେୟାରଟିରେ ।

 

କାହିଁକି ? ଏ ପାଖକୁ ଆସୁ ନାହାନ୍ତି ? ଗୋଟିଏ ଚେୟାର ଖାଲି ଥାଉ ଥାଉ ସେଠାରେ କାହିଁକି ଖୁନ୍ଦା ଖୁନ୍ଦି ! ଅବଶ୍ୟ ଆଉ ତିନିଜଣ ସେଠାରେ ବସି ପାରିବେ । ତଥାପି....

 

ସତ୍ୟଜିତ୍‍ ସେଠା ଉଠିରୁ ଆସିଥିଲେ ଖାଲି ଥିବା ଚେୟାର ଆଡ଼କୁ । କିନ୍ତୁ ପର ମୁହୂର୍ତ୍ତରେ ଏସ୍‍. ପି. କ’ଣ ଚିନ୍ତା କରି ପୁଣି କହି ଉଠିଲେ—

 

ଆଚ୍ଛା........ଥାଉ.......ସେଇଠାରେ ବସନ୍ତୁ ।

 

ସୁନୀଲ ଚାଟାର୍ଜିଙ୍କୁ ଲାଗି ପୂର୍ବ ଚୌକିଟିରେ ବସିଲେ ସତ୍ୟଜିତ୍‍ । ଏସ୍‍. ପି.ଙ୍କର ଦକ୍ଷିଣ ହାତଟା ପଡ଼ିଲା କଲିଂ ବେଲ୍‍ ଉପରେ । ସଙ୍ଗେ ସଙ୍ଗେ ଦୌଡ଼ି ଆସିଲା ଗୋଟାଏ ଚାକର ।

 

ଗୀତାକୁ ଟିକେ ଡାକି ଦେ । ତା’ରି ଉଦ୍ଦେଶ୍ୟରେ କହିଲେ ଏସ୍‍. ପି । ଚାକର ଚାଲିଗଲା । ଏସ୍‍. ପି. ତାଙ୍କ ପାଇପରେ ଅଗ୍ନି ସଂଯୋଗ କରି ପୁଣି କହିଲେ—

 

ଗୀତା ଆସି ଏଠାରେ ସବୁ ଶୁଣୁ । ଏତକ ତ ଜାଣି ପାରିବ ଯେ, ତା’ର ମା’ର ଉଦ୍ଧାର ଲାଗି ଆପଣମାନେ ସଚେଷ୍ଟା ଏବଂ ଏଇଥିରୁ ବର୍ତ୍ତମାନ ସାନ୍ତ୍ୱନା ପାଇପାରିବ ।

 

ପର୍ଦ୍ଦା ଆଡ଼େଇ ଗୀତା ଛିଡ଼ାହେଲା । ପିନ୍ଧିଛି ଗୋଟିଏ ଧଳା ରଙ୍ଗର ସିଲ୍‍କ୍‍ ଶାଢ଼ି । ଗୋଟିଏ କଳା ବର୍ଣ୍ଣର ପୁରାହାତ ବ୍ଲାଉଜ । ବ୍ଲାଉଜଟିର ଦେହ ସାରା ଧଳା ରଙ୍ଗର ଷ୍ଟ୍ରାଇଭ୍‍ ପଡ଼ିଛି ।

 

ଆସ ଏଇଠି ବସ । ଖାଲି ପଡ଼ିଥିବା ଚେୟାର ଆଡ଼କୁ ନିର୍ଦ୍ଦେଶ ଦେଇ କହିଲେ ଏସ୍‍. ପି. ।

 

ଗୀତା ବସିଲା । ଦୃଷ୍ଟି ତାର ପଡ଼ିଲା ସତ୍ୟଜିତ୍‍ଙ୍କ ଉପରେ । ସତ୍ୟଜିତ୍‍ ତଳକୁ ମୁହଁ କଲେ ।

 

ପାନ, ସିଗାରେଟ୍‍ କେହି ଖାଇଲେ ନାହିଁ ଯେ ? ସୁନୀଲ ଚାଟାର୍ଜିଙ୍କ ଆଡ଼କୁ ଚାହିଁ କହିଲେ ଏସ୍‍. ପି. ।

 

ସାଦା ପାନତ ? ବାହାରି ପଡ଼ିଲା ସତ୍ୟଜିତ୍‍ଙ୍କ ମୁହଁରୁ ।

 

ହଁ......ଉତ୍ତର ଦେଲେ ଏସ୍‍. ପି. ?

 

ସମସ୍ତେ ଖଣ୍ଡେ ଖଣ୍ଡେ ପାନ ନେଲେ ।

 

ହୁଁ—ଏଥର ଆପଣ କୁହନ୍ତୁ କେତେଦୂର ଆଗେଇ ପାରିଛନ୍ତି ? ସତ୍ୟଜିତ୍‍ଙ୍କ ଉଦ୍ଦେଶ୍ୟରେ କହିଲେ ଏସ୍‍.ପି.!

 

ସତ୍ୟଜିତ୍‍ ସିଗାରେଟ୍‍ କେଶ୍‍ରୁ ଗୋଟାଏ ସିଗାରେଟ୍‍ ନେଇ ପାଟିରେ ଦେଉ ଦେଉ କହିଲେ—

 

ପ୍ରଣତି ଦେବୀ ହରଣଚାଳ ହେବାର ଆଜିକୁ ଚାରିଦିନ ହେଲା । ଏହି ଚାରିଦିନ ମଧ୍ୟରେ ମୁଁ ଏପରି ଜଟିଳ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେଇଛି ଯେ, ହରଣଚାଲଣ ଚେର କେଉଁଠି ମୁଁ ଖୋଜି ପାଉନି । ବର୍ତ୍ତମାନ ଘଟଣା ଗୁଡ଼ିକୁ ବିଶ୍ଳେଷଣ କରି ଦେଖିଲେ ମୋର କଥାର ଗୁରୁତ୍ୱ ଆପଣ ସ୍ପଷ୍ଟ ଭାବେ ଉପଲ୍‍ବ୍‍ଧି କରି ପାରିବେ ।

 

ସିଗାରେଟରେ ଅଗ୍ନି ସଂଯୋଗ କରି ପୁଣି ଆରମ୍ଭ କଲେ ସତ୍ୟଜିତ୍‍—

 

ପ୍ରଣତି ଦେବୀଙ୍କର ହରଣଚାଳର ଉଦ୍ଦେଶ୍ୟ ଆମେ ଏ ପର୍ଯ୍ୟନ୍ତ ଜାଣି ପାରିଲେନି । ହରଣଚାଳ ହତ୍ୟା ବା ଷଡ଼ଯନ୍ତ୍ରର ଯେଉଁ ଗୁଡ଼ିକ ପ୍ରଧାନ ଉପାଦେୟ ବସ୍ତୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ପ୍ରଣତି ଦେବୀଙ୍କଠାରେ ନଥିଲା । ତେବେ ଅପରାଧୀ ହରଣଚାଳ କଲା କାହିଁକି ? ଏହି ପ୍ରଶ୍ନଟିର ଉତ୍ତର ପାଇବା ପାଇଁ ମୁଁ ବହୁତ ଭାବିଛି । କିନ୍ତୁ କୌଣସି କିନାରା ପାଇନି ।

 

ଗୀତା ଦେବୀଙ୍କୁ ମୁଁ ସେ ଦିନ ପ୍ରଶ୍ନ କରିଥିଲି । କିନ୍ତୁ ସେ ଉତ୍ତରରେ କହିଥିଲେ ଯେ ତାଙ୍କ ମା’ଙ୍କର କୌଣସି ଶତ୍ରୁ ଥିବାର ସେ ଜାଣନ୍ତିନି । ଗୀତାକୁ ଚାହିଁଲେ ସତ୍ୟଜିତ୍‍ । ଅପଲକ ନୟନରେ ସେ ଚାହିଁଛି ତାଙ୍କୁ । ମୁହଁ ଫେରାଇ ନେଲେ ସେ ।

 

ଆପଣଙ୍କଠାରୁ ମଧ୍ୟ ମୁଁ ସେଇ ଉତ୍ତର ପାଇଛି । ଏସ୍‍. ପି.ଙ୍କୁ ଚାହିଁଲେ ସତ୍ୟଜିତ୍‍ ଏବଂ ପୁଣି କହିଲେ—

 

ବର୍ତ୍ତମାନ ଦେଖାଯାଉ ‘‘ସ୍ୱପ୍ନପୁର’’ରେ ଜାଲ ଟିକେଟ୍‍ ବିକ୍ରୀ ଏବଂ ତା’ର ଟ୍ରେଜେରୀ ଲୁଟ୍‍ ଏବଂ କନଷ୍ଟେବଲ୍‍ ମୋହନ ବାରିକର ହତ୍ୟା । ମୁଁ ଭାବୁଛି ଏହି ଅପରାଧଗୁଡ଼ିକ ସହିତ ନିଶ୍ଚେ ପ୍ରଣତି ଦେବୀଙ୍କର ହରଣଚାଳର କୌଣସି ସମ୍ପର୍କ ରହିଛି ।

 

ଏସ୍‍. ପି.ଙ୍କର ଚକ୍ଷୁ ଦପ୍‍ କରି ଜଳି ଉଠିଲା । ସଙ୍ଗେ ସଙ୍ଗେ ସେ ପ୍ରଶ୍ନ କଲେ କି ପ୍ରକାର ସମ୍ପର୍କ ?—

 

ସତ୍ୟଜିତ୍‍ ଉତ୍ତର ଦେଲେ—ସେଇଠି ରହିଛି ଆମର ସୂତ୍ର । ଯେଉଁ ମୁହୂର୍ତ୍ତରେ ଆମେ ସେଇ ସମ୍ପର୍କଟିକୁ ଜାଣି ପାରିବୁ, ସେହି ମୁହୂର୍ତ୍ତରେ ଆମେ ଏକ ବିରାଟ ମାରାତ୍ମକ ଅପରାଧୀକୁ ଆରେଷ୍ଟ କରି ପାରିବୁ । କିନ୍ତୁ ଅପରାଧୀ ଏତେ ଚାଲାକ ଯେ ତା’ର ବିରୁଦ୍ଧରେ ଯାଉଥିବା କୌଣସି ସୂତ୍ର ସେ ଆମ ନିକଟରେ ଛାଡ଼ି ଯାଉନି ଏବଂ ତାର କର୍ତ୍ତବ୍ୟ ପଥରେ ଆସୁଥିବା ଯେ କୌଣସି ବିରୋଧୀ ଶକ୍ତିକୁ ସେ ସଙ୍ଗେ ସଙ୍ଗେ ନିଶ୍ଚିହ୍ନ କରି ଦେଉଛି ।

 

କିନ୍ତୁ ପ୍ରଣତି ଦେବୀଙ୍କର ହରଣଚାଳ ଏଇ ଅପରାଧୀମାନଙ୍କ ସହିତ ଯେ ସଂମ୍ଫୃକ୍ତ—ଆପଣ ଏ ବିଷୟରେ ଏତେ ଦୃଢ଼ ପ୍ରତିଜ୍ଞା କାହିଁକି ? ବାଧା ଦେଇ କହିଲେ ଏସ୍‍. ପି. ।

 

ଗୋଟିଏ କଥା ଲକ୍ଷ୍ୟ କରିଥିବେ ସାର୍‍—କଟକ ସହରଟା ଆଜି ପର୍ଯ୍ୟନ୍ତ ଶାନ୍ତ ବାତାବରଣ ମଧ୍ୟରେ ଥିଲାବେଳେ ପ୍ରଣତି ଦେବୀଙ୍କ ହରଣଚାଳ ପରିଦିନ ଠାରୁ ତା’ଉପରେ ଗୋଟିଏ ଆଶାନ୍ତ ଝଡ଼ ସୃଷ୍ଟି ହୋଇଛି । ‘‘ସ୍ୱପ୍ନପୁରୀ’’ରେ ଜାଲ୍‍ ଟିକେଟ ବିକ୍ରୀ ଏବଂ ତା’ ଟ୍ରେଜେରୀ ଲୁଟ୍‍, କନଷ୍ଟେବଲ୍‍ ମୋହନ ବାରିକର ହତ୍ୟା—ଏ ପ୍ରକାର ଦୁଃସାହସିକ କାର୍ଯ୍ୟ ଏହା ପୂର୍ବରୁ କଟକରେ କେବେ ଘଟିଥିଲେ ବୋଲି ମୋର ଅନୁମାନ ହୁଏ ନା । ଦ୍ୱିତୀୟରେ କେବଳ ପ୍ରଣତି ଦେବୀଙ୍କ ହରଣଚାଳକାରୀ ହିଁ ଏହି ସବୁ ଦୁଃସାଧ୍ୟ କାର୍ଯ୍ୟର ନାୟକ ସହିତ ତୁଳନୀୟ । ମୋର ବିବେକ କାହିଁକି ଏଇ ମତ ସଦାସର୍ବଦା ଦେଉଛି । ସୁତରାଂ ମୁଁ ତାହାହିଁ ସନ୍ଦେହ କରୁଛି । ସତ୍ୟଜିତ୍‍ ପୁଣି ଗୋଟାଏ ଦମ୍‍ ଟାଣି ନେଇ ସିଗାରେଟ୍‍ଟାକୁ ହାତରେ ଧରିଲେ ।

 

କିନ୍ତୁ ସନ୍ଦେହ ଉପରେ ଆସ୍ଥା ରଖି ତୁମେ କ’ଣ କରି ପାରିବ ? ସତ୍ୟଜିତ୍‍ଙ୍କ ମୁହଁକୁ ଚାହିଁଲେ ଏସ୍‍. ପି. ।

 

ନିଶବ୍ଦରେ ହସିଲେ ସତ୍ୟଜିତ୍‍ ।

 

ସାର୍‍, ସନ୍ଦେହ କରିବାଟାହିଁ ଆମର ଅଗ୍ରଗତିର ପ୍ରଥମ ସୋପାନ ଏବଂ ସେହି ସନ୍ଦେହକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବା ଆମର ସଫଳତା । ଆଶାକରେ ଏଇ ଅଳ୍ପ କେତେଦିନ ମଧ୍ୟରେ ମୁଁ ସଫଳତା ଅର୍ଜନ କରିବି ।

 

କେବଳ ଆଶା କଲେ ହେବନି । ଆଶାନୁରୁପ ଫଳ ପାଇବା ପାଇଁ କାର୍ଯ୍ୟ କରିବା ଉଚିତ । ବର୍ତ୍ତମାନ ଯେପରି ପରିସ୍ଥିତିର ସମ୍ମୁଖୀନ ଆମେ ହେଲେଣି ଦେଶବାସୀଙ୍କ ବିଶ୍ୱାସ ଆମ ଉପରେ ରହିବ ବୋଲି କୌଣସି ଭରସା ମୁଁ ଦେଖି ପାରୁନି । ଯେଉଁଠି ପୋଲିସ କର୍ମଚାରୀକୁ ଅନାୟାସରେ ହତ୍ୟା କରା ଯାଇପାରେ, ସେଠାରେ ସାଧାରଣ ଲୋକଙ୍କର ଧନ ଆଉ ଜୀବନ ନିରାପଦରେ ରହିବ ବୋଲି କି ବିଶ୍ୱାସ ରହିଛି ? ଊତ୍ତେଜିତ ହୋଇ କହିଲେ ଏସ୍‍. ପି.

 

ସା ସାର୍‍ ମୁଁ ଆପଣଙ୍କୁ ଦେଉଛି । ଯେଉଁ ବିଶ୍ୱାସ ଆମେ ଜନ ସାଧାରଣଙ୍କଠାରୁ ଏଇ ଅଳ୍ପ ଦିନ ମଧ୍ୟରେ ହରାଇବେ, ତାହା ଶତ ଗୁଣ ହୋଇ ଫେରି ଆସିବ ଆମ ନିକଟକୁ ।

 

କାହାକୁ ତୁମେ ଅପରାଧୀ ବୋଲି ସନ୍ଦେହ କରିନି । କେବଳ ତା’ର କାର୍ଯ୍ୟ କଳାପରୁ ସେ କି ପ୍ରକାର ଲୋକଟିଏ ହୋଇଥିବ—ଅନୁମାନ କରି ପାରିଛି । ଜାଣେନା, ମୋର ଅନୁମାନ ସତ୍ୟ କି ମିଥ୍ୟା ।

 

ଅନୁମାନ ଆପଣଙ୍କର କ’ଣ ! ପୁଣି ପ୍ରଶ୍ନକଲେ ଏସ୍‍.ପି. ।

 

ଜଣେ ଧୃତ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ—ଯାହାର ନିଜରୂପ ଜାଣିଲେ ଯେ କୌଣସି ଲୋକ ଅଭୟ ପାଇ ସର୍ବଶ୍ରେଷ୍ଠ ଅନ୍ୟାୟ କାର୍ଯ୍ୟ କରିବାକୁ ମଧ୍ୟ ପଶ୍ଚାଦପଦ ହେବ ନାହିଁ ।

 

ଚମକି ଉଠିଲେ ସମସ୍ତେ ।

 

ସତ୍ୟଜିତ୍‍ ଚାହିଁଲେ ଏସ୍‍. ପି.ଙ୍କୁ । ଏସ୍‍. ପି.ଙ୍କର ହୃଦୟରେ ଯେପରି କିଏ କୁଠାରଘାତ କରିଛି, ତାଙ୍କର ସମସ୍ତ ଆବେଗ ଯେପରି ସ୍ତିମିତ ହୋଇଛି ସଙ୍ଗେ ସଙ୍ଗେ ନିଜକୁ ସମ୍ଭରଣ କରି ନେଇ ହସି ଉଠିଲେ ଏସ୍‍. ପି. ହିମାଂଶୁ ମୋହନ ମିଶ୍ର—

 

ଆକାଶ କୁସୁମ.....ଆକାଶ କୁସୁମ........

 

ସାର୍‍, ଆପଣ ମୋତେ ଉପହାସ କରି ପାରନ୍ତି କିନ୍ତୁ ମୋର ଅନୁମାନ ମିଥ୍ୟାବୋଲି ମୁଁ କେବେ ସନ୍ଦେହ କରୁନି । ଏସ୍‍. ପି.ଙ୍କ ସହଧର୍ମିଣୀଙ୍କୁ ହରଣଚାଳ କରିବା କେଉଁ ଦସ୍ୟୁର ସାହସ ହେବ ? ପୋଲିସ କର୍ମଚାରୀକୁ ହତ୍ୟାକରି ଖଣ୍ଡ ବିଖଣ୍ଡ କରି, ତାର ଶରୀରକୁ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ଓ ପୋଲିସ୍‍ ଅଫିସରଙ୍କ ଦ୍ୱାରରେ ଚେତାବନୀ ରୂପେ ଝୁଲାଇବାକୁ ଭୟ କାହାର ନ ହେବ ? ଅବଶ୍ୟ ତା’ର ପ୍ରମାଣ ମୁଁ ଏ ପର୍ଯ୍ୟନ୍ତ ପାଇନି....

 

କ’ଣ ଆପଣ କହୁଛନ୍ତି ! ଏସ୍‍. ପି. ଯେପରି ଅତିଶୟ ଆଶ୍ଚର୍ଯ୍ୟ ହୋଇପଡ଼ନ୍ତି ?

 

ମୋର କେବଳ ଅନୁମାନ ସାର । ହୋଇପାରେ ମିଥ୍ୟା । ତାହା ଆପେ ଆପେ ପରେ ଜଣା ପଡ଼ିବ ।

 

ତେବେ । ବର୍ତ୍ତମାନ ଆପଣ ଅପରାଧୀ ବିରୁଦ୍ଧରେ କି କି ପ୍ରମାଣ ସଂଗ୍ରହ କରିଛନ୍ତି ।

 

କିଛି ନୁହେଁ କହିଲେ ଚଳେ । ସେତିକି ପ୍ରଣତି ଦେବୀଙ୍କ ବେଡ଼ରୁମ୍‍ରୁ ଗୋଟାଏ କ୍ଲୋରୋଫରମ୍‍ ରୁମାଲ ପାଇଥିଲି ଯାହାକି, କୌଣସି କାର୍ଯ୍ୟରେ ଆସିବନି କେବଳ ଏତିକି ଜଣାପଡ଼ିଲା ଯେ ପ୍ରଣତି ଦେବୀ ନିଜ ଇଚ୍ଛା ଅନୁଯାୟୀ କେଉଁଆଡ଼େ ଯାଇ ନାହାନ୍ତି । ଆଜି ସକାଳେ ଆପଣଙ୍କର ଘରର ପଶ୍ଚାଦ୍‍ଭାଗରୁ ଓ ଜଜ୍‍ ସାହେବଙ୍କ ଘରର ସମ୍ମୁଖ ଭାଗରୁ ଯୋତା ଚିହ୍ନ ମିଳିଛି । ଜଜ୍‍ ସାହେବଙ୍କ ହତା ମୁଁ ଭଲ ଭାବରେ ପରୀକ୍ଷା କରିଛି । ସେଠାରେ ତାହା ବ୍ୟତୀତ ଆଉ କିଛି ନାହିଁ । ସୁନୀଲ ଚାଟାର୍ଜି ଏଠାରେ ଇନଭେଷ୍ଟିଗେସନ୍‍ କରି ଚାଲିଯିବା ପରେ ମଧ୍ୟ ମୁଁ ଏଠାକୁ ଆଉ ଥରେ ଆସି ସମସ୍ତ ହତା ପରୀକ୍ଷା କରିଛି, ବୋଲି ଆପଣ ତ ଜାଣନ୍ତି । କିନ୍ତୁ ସେହି ଯୋତା ଚିହ୍ନ ବ୍ୟତୀତ ଆଉ କିଛି ମୁଁ ପାଇନି ତା’ପରେ ବୋଧହୁଏ ନୀହାର ବାବୁ ଆପଣଙ୍କୁ କହିଥିବେ ଆମ୍ଭମାନଙ୍କ ନିକଟକୁ ପ୍ରେରିତ ହୋଇଥିବା ସେହି ତିନୋଟି ପେଟି ବିଷୟ । ତା’ ମଧ୍ୟରୁ ମୁଁ ସେପରି କୌଣସି ଉଲ୍ଲେଖ ଯୋଗ୍ୟ ସୂତ୍ର ପାଇନି । ତେବେ ଷ୍ଟେସନ ନିକଟକୁ ଯାଇ ଅନେକ କଷ୍ଟରେ ପେଟି ଫିଟାଇଥିବା ଲୋକର ବର୍ଣ୍ଣନା ମୁଁ ପାଇ ପାରିଛି ।

 

ତାକୁ ତୁମେ ଚିହ୍ନ ! ପ୍ରଶ୍ନ କଲେ ଏସ. ପି. । ଭ୍ରୂ ଦୁଇଟି ତାଙ୍କର ଆପେ ଆପେ କୁଞ୍ଚିତ ହୋଇଯାଇଛି ।

 

ନା—ସହଜ ସ୍ୱରରେ ଉତ୍ତର ଦେଲେ ସତ୍ୟଜିତ୍‍ ।

 

ହୁଁ—ତେବେ ? ଆଉ କେତେ ଦିନ ଅପେକ୍ଷା କରାଯାଇପାରେ । ଏସ୍‍. ପିଙ୍କ ପାଇପରୁ ବାହାରି ପଡ଼ିଲା ଗୋଟାଏ ଅଗ୍ନି ସ୍ଫୁଲିଙ୍ଗ ।

 

ବେଶୀ ଦିନ ନୁହେଁ । ମୋତେ ଦୁଇ ମାସ ସମୟ ଦିଅନ୍ତୁ ।

 

ବେଶ୍‍ ତାହାହିଁ ହେଉ । ସମର୍ଥକ କଲେ ଏସ୍‍. ପି.

 

କିଛି ସମୟ ନୀରବ ରହିବା ପରେ ପୁଣି ଏସ୍‍. ପି. ଗୀତର ଉଦ୍ଦେଶ୍ୟରେ କହିଲେ—ଯା’ ତ ଗୀତା , ଦେଖା ସବୁ ପ୍ରସ୍ତୁତ ଅଛି ତ ? ନିଜେ ସବୁ ନେଇ ଆ ।

 

ଗୀତା ଚାଲିଗଲା । ଏ ତିନିଜଣଙ୍କୁ ନାହିଁ ଏସ୍‍. ପି. ଟିକେ ହସିଲେ—କିଛି ନୁହେଁ....ଗୋଟାଏ......ଜଳ ଯୋଗ.....

 

ସାଗରରେ ତରଙ୍ଗାୟିତ ବକ୍ଷକୁ ଚାହିଁ ନରମା ବାଲୁକାରାଜି ଉପରେ ବସିଛନ୍ତି ସତ୍ୟଜିତ୍‍ ଆଉ ଭାବୁଛନ୍ତି କେତେ ଶୀଘ୍ର ଦିଗ୍‍ବଳୟର ଆର ପାରିରେ ଲୁଚିଗଲେ ରକ୍ତିମ ସୂର୍ଯ୍ୟ ଉଭେଇ ଗଲା ରକ୍ତିମ ଆକାଶ । ତା’ରି ବଦଳରେ ସୃଷ୍ଟି ହେଲା ନୀଳ ଆକାଶ ଆଉ ଅଗଣିତ ତାରିକା, ନକ୍ଷତ୍ରଙ୍କ ଗ୍ରହଣରେ ଉଠି ଆସିଲେ ପୂର୍ଣ୍ଣମୀର ଚନ୍ଦ୍ର । କେତେ ଶୀଘ୍ର ଉଷ୍ମ ବାଲୁକାରାଜି ଉପରେ ଚନ୍ଦ୍ର ତାଙ୍କର କିରଣ ବିଛାଡ଼ି ଦେଲା ଆଉ ସେଇ ଶୀତଳ ଚନ୍ଦ୍ରିକାର ସଂସ୍ପର୍ଶରେ ଆସି ବାଲୁକାରାଜି ହୋଇ ପଡ଼ିଲା ଶୀତଳ ଚନ୍ଦ୍ରିକାର ସଂସ୍ପର୍ଶରେ ଆସି ବାଲୁକାରାଜି ହୋଇ ପଡ଼ିଲା ଶୀତଳ । ଇସ୍‍ ! ଚନ୍ଦ୍ରକି ସୁନ୍ଦର ଦିଶୁଛନ୍ତି । କି ନରମ ଲାଗୁଚି ଏଇ ବାଲୁକା ବାଲୁକା ବି ଏତେ ନରମ ଲାଗେ ।

 

ହେଇଟି, ଯେପରି ଅସଂଖ୍ୟ ଚନ୍ଦ୍ର ନକ୍ଷତ୍ରମାନଙ୍କ ସହ ସେଇ ଢେଉ ଉପରେ ବସି ତାଙ୍କ ନିକଟକୁ ଆସିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପାରୁନାହାନ୍ତି । ଏଇ ଅଳ୍ପ ଦୂରରେ ଖଣ୍ଡ ବିଖଣ୍ଡ ହୋଇ ଯାଉଛନ୍ତି । କିନ୍ତୁ ସେମାନେ ତ ପୁଣି ଆସୁଛନ୍ତି । ସେମାନେ ବୋଧହୁଏ ପ୍ରତିଜ୍ଞା କରିଛନ୍ତି ଜୀବନ ବିନିମୟରେ ତାଙ୍କର ପ୍ରତିଜ୍ଞା ପାଳନ କରିବାକୁ ଚେଷ୍ଟା କରିବେ ।

 

ଏତିକିବେଳେ ସତ୍ୟଜିତ୍‍ ତାଙ୍କର କେଶ ରାଶିରେ ପାଇଲେ କାହାର ଧୀର ପରଶ । ପଛକୁ ଚାହିଁଲେ । ଗୀତା ବସିଛି ତାଙ୍କର ପଶ୍ଚାଦଭାଗରେ । ସତ୍ୟଜିତ୍‍ ଚାହିଁବାରୁ ସେ ତାର ନରମା ହାତ ଦୁଇଟି ସତ୍ୟଜିତ୍‍ଙ୍କ କାନ୍ଧରେ ଦେଇ ମୁହଁଟାକୁ ଆଉଜେଇ ଲୁଚାଇ ଦେଲା ତାଙ୍କର ପିଠିରେ । ସତ୍ୟଜିତ୍‍ଙ୍କ ମୁହଁରୁ ବାହାରି ପଡ଼ିଲା ଏକ ଅସ୍ପଷ୍ଟ ଶବ୍ଦ—

 

ଗୀତା !

 

ହଁ, ମୁଁ......ଚିହ୍ନି ପାରୁନା ? ହଁ......ମୋର ହୃଦୟକୁ ଯେ ନ ଚିହ୍ନିଚି ମୋତେ ବା ସେ କିପରି ଚିହ୍ନିବ ! କଇଁ କଇଁ ହୋଇ କହିଲା ଗୀତା ।

 

ଗୀତା....ତୁମେ କାନ୍ଦୁଛ ଗୀତା !

 

ନ କାନ୍ଦି ଆଉ ଉପାୟ କ’ଣ ? ତୁମେ ତ ମୋତେ କେବେ ହସିବାକୁ ସୁଯୋଗ ଦେଇନା ।

 

ମୁଁ ତୁମକୁ ହସିବାକୁ ସୁଯୋଗ ଦେଇନି ଗୀତା ! ସତ୍ୟଜିତ୍‍ ଉଦ୍‍ଭ୍ରାନ୍ତ ପରି କହି ଉଠିଲେ ।

 

ନିଜ କର୍ଯ୍ୟରେ ବି ନିଜର ଅବିଶ୍ୱାସ ? ଗୋଟିଏ ତରୁଣୀର ଶତ ଆଶାକୁ ପଦ ଦଳିତ କରି ବର୍ତ୍ତମାନ ତା’ କଥାରେ ଆଶ୍ଚର୍ଯ୍ୟ ହେଉଛ । ଅଭିନୟ କରୁଛ ! ....ଛଳନାର କଳା ଛାଇ ତୁମକୁ ଢାଙ୍କି ରଖିଚି....ତୁମେ କେଉଁଠୁ ବୁଝିବ ନାରୀର ହୃଦୟ ? ......ପୁଣି କାନ୍ଦି ଉଠିଲା ଗୀତା ।

 

ଗୀତା ! ତୁମେ ମୋତେ ଭଲପାଅ ? ଯେପରି ସେ ବିଶ୍ୱାସ କରି ପାରୁ ନ ଥିଲେ ଗୀତା କଥାରେ ।

 

ତଥାପି ସନ୍ଦେହ !

 

ଗୀତା ! ତୁମେ କାନ୍ଦନା ଗୀତା........ଜାଣନା ମୁଁ ତୁମକୁ କେତେ ଭଲପାଏ.......

 

ଗୀତାକୁ ନିଜ କୋଳକୁ ଟାଣି ନେଲେ ସତ୍ୟଜିତ୍‍ । ଅନୁଭବ କଲେ—ସତେ ଯେପରି ଗୀତା ସୋଲଠାରୁ ବି ହାଲୁକା । କୋଟ୍‍ ପକେଟରୁ ଗୋଟାଏ ରୁମାଲ କାଢ଼ି ତା’ର ଲୁହ ପୋଛିଦେଲେ ସେ । ତଥାପି ବନ୍ଦ ହେଲାନି ଲୁହବୁହା । ଅଭିମାନର ଲୁହ, ସେ କର ମଣିଷ ତିଆରି ରୁମାଲରୁ କଥା ମାନିବ ?

 

ସତ୍ୟଜିତ୍‍ ଗୋଟାଏ ଉଷ୍ମ ଚୁମ୍ୱନ ଆଙ୍କି ଦେଲେ ଗୀତାର ରଙ୍ଗୀନ ଓଠରେ.......

 

କ୍ରିଂ...... କ୍ରିଂ........କ୍ରିଂ...........

 

ସ୍ୱପ୍ନ ଭାଙ୍ଗିଲା । ଆଖି ଖୋଲି ଚାହିଁଲେ ସତ୍ୟଜିତ୍‍ । ଝରକା ବାଟ ଦେଇ ସୂର୍ଯ୍ୟଙ୍କ କିରଣ ପଡ଼ିଛି । ତାଙ୍କରି ଉପରେ । ଓ୍ୟାଲ୍‍ କ୍ଲକଟାକୁ ଚାହିଁଲେ । ଛ’ଟା ପଇଁତିରିଶ । ଇସ୍‍ କି ସୁନ୍ଦର ସ୍ୱପ୍ନ ଦେଖୁଥିଲେ ସେ । ଗୀତା! ତାଙ୍କୁ ଭଲପାଏ ? ସ୍ୱପ୍ନ କ’ଣ ସତ୍ୟ ହୁଏ ନାହିଁ, ପାହାନ୍ତି ସ୍ୱପ୍ନ.....

 

କ୍ରିଂ......କ୍ରିଂ........କ୍ରିଂ......

 

ଏଁ ! କଲିଂ ବେଲ୍‍ ବାଜୁଛି ! ଚଞ୍ଚଳ ପଦକ୍ଷେପରେ ସତ୍ୟଜିତ୍‍ ଦୌଡ଼ିଲେ ବାହାର ଘରେ ଦ୍ୱାର ନିକଟକୁ । ଦ୍ୱାର ଉନ୍ମୁକ୍ତ ହେଲା ।

 

ସମ୍ମୁଖରେ ତାଙ୍କର ଛିଡ଼ା ହୋଇଛନ୍ତି ଜଣେ ପୌଢ଼—ନନ୍ଦକୁମାର ମହାନ୍ତି, ଚିତ୍ରାଳୟର ପ୍ରଯୋଜକ । ନ ଚିହ୍ନେ କିଏ ? ଚକ୍ଷୁରେ ତାଙ୍କର ବିଷଦର ଛାୟା ପ୍ରତିଫଳିତ । ମୁଖରେ ତାଙ୍କର ଭୟର ସ୍ପଷ୍ଟ ସୂଚନା ।

 

ଆପେ ଆପେ ସତ୍ୟଜିତ୍‍ଙ୍କର ହାତ ଉଠିଗଲା—

 

ନମସ୍କାର ।

 

ନମସ୍କାର ।

 

ଆପଈ ! ସକାଳୁ—କୁଆଡ଼େ ?

 

ବହୁତ ଜରୁରୀ କଥାବାର୍ତ୍ତା ଅଛି.....ଆପଣ ବୋଧହୁଏ ବର୍ତ୍ତମାନ ଉଠୁଛନ୍ତି......ଯାନ୍ତୁ ମୁହଁ ଧୋଇ ଆସିବେ....

 

ତାହା ହେଲେ......ଭିତରକୁ........ଆସନ୍ତୁ......

 

ଡ୍ରଇଂ ରୁମ୍‍ରେ ବସିଲେ ନନ୍ଦ କୁମାର ମହାନ୍ତି । ମୁହଁ ଧୋଇବାକୁ ଗଲେ ସତ୍ୟଜିତ୍‍ । କିଛି ସମୟ ପରେ ହଠାତ୍‍ ପଶ୍ଚାଦ୍‍ଭାଗରୁ ଶୁଣି ପାରିଲେ କାହାର କର୍ଶକ କଣ୍ଠସ୍ୱର—

 

ହ୍ୟାଣ୍ଡ୍‍ ଆପ୍‍ ସାବଧାନ, ବାଧ୍ୟ ପିଲାଟି ଭଳି ହାତ ଉପରକୁ ଟେକି ଛିଡ଼ାହୁଅ, ନଚେତ ମୋର ରିଭଲଭରର ଦୂତ ତୁମର ପଠିବାଟେ ପ୍ରବେଶ କରି ତା’ର ତୃଷା ମେଣ୍ଟାଇବା ପାଇଁ ବକ୍ଷରୁ ଖୋଜି ବୁଲିବ ରଙ୍ଗିନ ଜଳ......ହଃ......ହଃ

 

ମିଷ୍ଟର ମହାନ୍ତି ଭୟ ପାଇ ଯାଇଥିଲେ । ଥରି ଥରି ହାତ ଉପରକୁ ଟେକି ଛିଡ଼ାହେଲେ ସେ । ପଶ୍ଚାଦଭାଗକୁ ଚାହିଁବାକୁ ତାଙ୍କର ସାହସ ନଥିଲା ।

 

ବିଶ୍ୱାସ ଘାତକ ଗୋଏନ୍ଦା ନିକଟକୁ ଆସିଛ ? ଭାବିଛ ସେ ତୁମକୁ ବଞ୍ଚାଇବ ବୋଲି ? ବାଃ, କି ଚମତ୍କାର କଳ୍ପନା....ହାଃ....ହାଃ......। ପୁଣି ଶୁଭିଲା ସେହି କଣ୍ଠସ୍ୱର ।

 

ନା........ନା........ମୁଁ.......ମୁଁ.......କି........କି କିଛି କ.......ହିବି.......ନା..........ନା.........ନାହିଁ । ମୋତେ.....କ୍ଷ......ମା.......ଦି–ଅ–କହି କହି ନନ୍ଦକୁମାର ଥରି ଥରି କ୍ରମେ କ୍ରମେ ଆଗକୁ ଯିବାକୁ ଲାଗିଲେ । କିନ୍ତୁ ହଠାତ୍‍ ଧକ୍‍କା ଖାଇଲେ ସମ୍ମୁଖରେ ରଖାଯାଇଥିବା ଟେବୁଲ ଦେହରେ ।

 

ଏହି ସମୟରେ ଶୁଣିବାକୁ ପାଇଲେ ରିଭଲ୍‍ଭର୍‍ର ଫାୟାରିଂ ଶବ୍ଦ । ଆହୁରି ଥରିବାକୁ ଲାଗିଲେ ସେ । କେତୋଟି ମୁହୂର୍ତ୍ତ ପରେ ଅନୁଭବ କଲେ ଯେ ଦେହରେ ତାଙ୍କର ବୁଲେଟ୍‍ ବାଜିନି । ବୋଧହୁଏ ଲକ୍ଷ୍ୟ ବ୍ୟର୍ଥ ହୋଇଛି ।

 

କିନ୍ତୁ ଟେବୁଲ୍‍କୁ ଅନ୍ୟବାଟେ ଯିବାକୁ ତାଙ୍କର ଧୈର୍ଯ୍ୟ କିମ୍ୱା ସାହାସ ନଥିଲା । ସେ ସଙ୍ଗେ ସଙ୍ଗେ ବସିପଡ଼ି ଗୁରୁଣ୍ଡି ଗୁରୁଣ୍ଡି ଟେବୁଲ୍‍ ତଳକୁ ଯିବାକୁ ଲାଗିଲେ ।

 

ଆରେ ? ଏ କ’ଣ କରୁଛନ୍ତି ଆପଣ !

 

ଫେରି ଚାହିଁଲେ ନନ୍ଦ କୁମାର । ଡ୍ରଇଂରୁମ୍‍କୁ ପ୍ରବେଶ କରୁଛନ୍ତି ସତ୍ୟଜିତ୍‍ ଦାସ । ଟିକିଏ ସାହସ ପାଇଲେ ସେ ।

 

ଡକାୟତ୍‍........ଡକା......ୟ......ତ । ପାଗଳଙ୍କ ଭଳି କହିବାକୁ ଲାଗିଲେ ନନ୍ଦ କୁମାର ।

 

ଡକାୟତ ! ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ ସତ୍ୟଜିତ୍‍ ।

 

ହଁ.......ହଁ........ବର୍ତ୍ତମାନ.......ଆସିଥିଲା ।

 

କେଉଁବାଟେ ?

 

ମୋର ଚୌକିର ପଛପଟୁ ଶୁଣିପାରିଲି ତା’ର ପାଟି । ଛିଡ଼ା ହେଉ ହେଉ କହିଲେ ନନ୍ଦ କୁମାର ମହାନ୍ତି ।

 

କ’ଣ କହିଲେ ସେ ଆପଣଙ୍କ ? ସନ୍ଧାନୀ ଚକ୍ଷୁ ତାଙ୍କର ଘୂରି ଆସିଲା ଘରର ଚତୁର୍ଦ୍ଦିଗରୁ ।

 

କହିଲା.......କହିଲା.........ହାତ ଉପରକୁ ଟେକି ଛିଡ଼ା ହେବାକୁ—ମୁଁ ଛିଡ଼ା ହେଲି ।

 

ତା’ ପରେ ?

 

ତା’ପରେ କହିଲା—ବିଶ୍ୱାସ ଘାତକ, ଗୋଏନ୍ଦା ନିକଟକୁ ଆସିଛ ? ଭାବିଛ ସେ ତୁମକୁ ବଞ୍ଚାଇବ ବୋଲି ? ତା’ପରେ ମୁଁ ଶୁଣିଲି ଏକ ଅଟ୍ଟହାସ୍ୟ ମୁଁ ପଳାଇ ଯିବାକୁ ଚେଷ୍ଟା କରୁଥିଲି । କିନ୍ତୁ ପାରିଲି ନାହିଁ, ଟେବୁଲରେ ଧକ୍‍କା ଖାଇଲି । ତା’ପରେ ସେ ଫାୟାର କଲା—

 

ତା’ପରେ—ତା’ପରେ—ନନ୍ଦ କୁମାର ନିଜ ଦେହର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଭଲ ଭାବେ ନିରେଖି ଦେଖି କହିଲେ—ମୋ ଦେହରେ ବାଜିନି—ବାଜିନି—ସେ ବୋଧହୁଏ ଫେରିଯାଇଛି—। ଖର ନିଶ୍ୱାସ ବାହାରୁଥିଲା ନନ୍ଦ କୁମାରଙ୍କ ନାକରୁ ।

 

ଏ ପର୍ଯ୍ୟନ୍ତ ମଧ୍ୟ ଆପଣଙ୍କର ସନ୍ଦେହଥିଲା ? ହଠାତ୍‍ ହସି ଉଠିଲେ ସତ୍ୟଜିତ୍‍ । ସେ ହସରୁ କିଛି ବୁଝିପାରିଲେନି ନନ୍ଦ କୁମାର । ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ସେ ।

 

ସେତେବେଳେ ଟିକିଏ ଯଦି ଆପଣ ପଛକୁ ଚାହିଁ ଥା’ନ୍ତେ ତେବେ ଏତେ ଦୂରକୁ କଥାଟା ଯାଇ ପାରି ନଥାନ୍ତା । ଜାଣି ପାରିଥାନ୍ତେ ଯେ, ରେଡ଼ିଓରୁ ସେ ଶବ୍ଦ ବାହାରୁଛି ।

 

ରେଡ଼ିଓ ! ପଛକୁ ଚାହିଁଲେ ନନ୍ଦ କୁମାର । ସତେ ତ ଗୋଟାଏ ରେଡ଼ିଓ ଲାଉଡସ୍ପିକର୍‍ ରଖା ଯାଇଛି ଏକ ଛୋଟ ଟେବଲ୍‍ ଉପରେ ।

 

ରେଡ଼ିଓରୁ କିପରି ଏ ପ୍ରକାର ଶବ୍ଦ ବାହାରିଲା ? ଡ୍ରାମା ନା ଫିଲ୍ମ ଆଡଭାଟାଇଜ୍‍ମେଣ୍ଟ?

 

ବେଡରୁମରେ ମୁଁ ରେଡ଼ିଓ ରଖିଛି । ତା’କୁ ଏଇ ଲାଉଡସ୍‍ପିକର୍‍ ସହିତ ମୁଁ କନେକ୍‍ଟ୍‍ କରିଦେଇଛି । ସେଠାରେ ଯେତେବେଳେ ବାଜିବ, ଏଠାରେ ମଧ୍ୟ ବାଜିବ । ଏକ ସମୟରେ ଦୁଇଟି ପକ୍ଷୀ ଶୀକାର ହେବ । ବର୍ତ୍ତମାନ ମୁହଁ ଧୋଇ ସାରିବା ପରେ ମୁଁ ଭାବିଲି, ବୋଧହୁଏ କିଛି ଗୀତର ପୋଗ୍ରାମ ଥାଇପାରେ । କିନ୍ତୁ ସେଟ୍‍କରି ଦେଖିଲି—ଗୋଟାଏ ଡିଟେକ୍‍ଭଫିଲର୍‍ ଆଡଭାଟାଇଜ୍‍ମେଣ୍ଟ ପାଇଁ ବ୍ରଡ୍‍କାଷ୍ଟିଂ ହେଉଛି । କିଛିକ୍ଷଣ ପରେ ବନ୍ଦକରି ଦେଇ ଏଠାକୁ ଆସି ଦେଖେତ ଆପଣଙ୍କର ଏ ଅବସ୍ଥା ।

 

ନନ୍ଦ କୁମାର ଲଜ୍ଜିତ ହେଲେ । ସତେ ତ ! ସେ ଏ ବିଷୟରେ ଅତି ଅଭିଜ୍ଞ, କିନ୍ତୁ ଭୟ ବିହ୍ୱଳତା ଯୋଗୁଁ ତାଙ୍କର ଏପରି ଘଟିଲା ସିନା ।

 

ପୂର୍ବରୁ ଅତ୍ୟଧିକ ଭୟ ପାଇ ଯାଇଥିବାରୁ ଆପଣଙ୍କର ଏପରି ଘଟିଛି । ତାହା ସ୍ୱାଭାବିକ । ଗୋଟାଏ ବିଛା କିମ୍ୱା ସାପ ଦେଖି ଭୟ ପାଇବା ସମୟରେ ଯଦି କେହି ସେ ଲୋକର ଅଜ୍ଞାତସାରରେ ଗୋଟାଏ ବାଡ଼ି କିମ୍ୱା ଅପେକ୍ଷାକୃତ ମୋଟା ସୂତା ତାର ଦେହରେ ସଲ ସଲ କରି ଦିଏ, ତେବେ ସେ ଭାବେ ଯେ, ବିଛା କି ସାପ ତାକୁ ଆକ୍ରମଣ କରିଛି । ସୁତରାଂ ଏଥିରେ ଭାବିବାର କିଛି ନାହିଁ । ବର୍ତ୍ତମାନ କୁହନ୍ତୁ ଆପଣଙ୍କର କ’ଣ ଆବଶ୍ୟକ ।

 

ପିନ୍ଧିଥିବା ପଞ୍ଜାବୀଟିର ପକେଟ୍‍ରୁ ଗୋଟାଏ ଗୋଲାପି ଖାମ୍‍ ବାହାର କରି ନନ୍ଦ କୁମାର ବଢ଼ାଇ ଦେଲେ ସତ୍ୟଜିତ୍‍ଙ୍କ ପ୍ରସାରିତ ହସ୍ତକୁ । ଖାମ୍‍ଟି ଉପରେ ଲେଖା ଯାଇଥିଲେ ନନ୍ଦ କୁମାରଙ୍କର ଆଡ୍ରେସ୍‍—ଶ୍ରୀ ନନ୍ଦ କୁମାର ମହାନ୍ତି ପ୍ରୟୋଜନ ଚିତ୍ରାଳୟ ତୁଳସୀପୁର, କଟକ, ସତ୍ୟଜିତ୍‍ ଲକ୍ଷ୍ୟ କଲେ ଖାମ୍‍ଟି ଉପରେ ପୋଷ୍ଟାଲ୍‍ ଷ୍ଟାମ୍ପ ନାହିଁ ।

 

ଏ ଚିଠିଟି ବୋଧହୁଏ ଡାକରେ ଆସନି ? ପ୍ରଶ୍ନକଲେ ସତ୍ୟଜିତ୍‍ ।

 

ନା—ଗୋଟାଏ ଲୋକ ଆଜି ସକାଳ ଛ’ଟାବେଳେ ମୋର ଦରଓ୍ୟାନ୍‍କୁ ମୋ ବାସଭବନରେ ଦେଇଯାଇଛି ।

ହୁଁ ! ସତ୍ୟଜିତ୍‍ ଖାମ୍‍ ମଧ୍ୟରୁ ଗୋଟାଏ ଲାଲ କାଗଜ ବାହାର କଲେ । ସେଥିରେ ଲେଖାଥିଲା—

 

ପ୍ରିୟ ‘ଚିତ୍ରାଳୟ’ର ପ୍ରୟୋଜନ ନନ୍ଦବାବୁ.

 

ମୋର ନମସ୍କାର ଗ୍ରହଣ କରିବେ । ଆଶା କରେ ଆମର କାର୍ଯ୍ୟକଳାପ ସମ୍ୱନ୍ଧରେ ଆପଣଙ୍କୁ ଅବିଦିତ ନଥିବ । ତେଣୁ ଭୂମିକାର ପ୍ରୟୋଜନ ନାହିଁ । ବେଶୀ ଗୁଡ଼ାଏ ଲେଖି ଆପଣଙ୍କ ବହୁ ମୂଲ୍ୟ ସମୟ ନଷ୍ଟ କରିବାକୁ ମୋର ମଧ୍ୟ ଉଚ୍ଚାଭିଳାଷ ନାହିଁ । କେବଳ ଏତିକି ଜାଣି ରଖନ୍ତୁ—ଆମର ଦୁଇଲକ୍ଷ ଟଙ୍କା ଆବଶ୍ୟକ ।

 

କାଲି ସକାଳ ସାତଟାବେଳେ ଆପଣଙ୍କ ତୁଳସୀପୁରସ୍ଥ ବାସଭବନର ଗେଟ୍‍ ସମ୍ମୁଖରେ ଏକ ଚକୋଲେଟ୍‍ ରଙ୍ଗର ଆମ୍ୱାସାଡ଼ର୍‍ କାର୍‍ ଛିଡ଼ା ହୋଇଥିବ । ନିକଟକୁ ଆସି ଦେଖିବେ ତାର ଚାଳକ ଗୋଟିଏ ଗାଢ଼ ସବୁଜ ରଙ୍ଗର ରୁମାଲରେ ମୁହଁ ପୋଛୁଚି । ଆପଣ ଦୁଇଲକ୍ଷ ଟଙ୍କା ତାକୁ ଅର୍ପଣ କରିବେ ।

 

ସାବଧାନ ! ପୋଲିସର କୌଣସି ସାହାଯ୍ୟ ନେଲେ ତାହା ଆମକୁ ଅବିଦିତ ରହିବ ନାହିଁ । ଆପଣ ଯଦି ପୋଲିସ୍‍ ସାହଯ୍ୟରେ ଆମକୁ ଧରାଇବାର ଚେଷ୍ଟା କରନ୍ତି କିମ୍ୱା ଟଙ୍କା ନ ଦିଅନ୍ତି, ତେବେ ‘ଚିତ୍ରାଳୟ’ ସିନେମା ଷ୍ଟୁଡିଓରେ ‘ମିଷ୍ଟର ଫୁଟ୍‍ପାଥ୍‍’ ଚିତ୍ରର ସୁଟିଂ ସମୟରେ ଆପଣ ଉପସ୍ଥିତ ଥିଲାବେଳେ ଆପଣଙ୍କୁ ଦିନ ଗୋଟାଏ ବେଳେ ହତ୍ୟା କରାଯିବ । ପୋଲିସର ଶତ ଚେଷ୍ଟା ବ୍ୟର୍ଥ ହେବ ।

 

ବନ୍ଦେଗୀ ।

 

ଆପଣଙ୍କର—

 

ତେବେ ? ଆପଣ କ’ଣ ଚାହାନ୍ତି ? ପ୍ରଶ୍ନ କଲେ ସତ୍ୟଜିତ୍‍ ।

 

ମୁଁ ? ମୁଁ ଚାହେଁ ଆପଣଙ୍କ ସାହାଯ୍ୟ, ପୋଲିସର ସାହାଯ୍ୟ । ଏତେ ବୁଦ୍ଧି ବିବେକ ଏବଂ ମୂଳଧନ ଖର୍ଚ୍ଚ କରି ଆମ୍ଭେମାନେ ଫିଲ୍ମପ୍ରଡ୍ୟୁସ୍‍ କରିବା ଆଉ ଏତେ ସହଜରେ ସେ ଆମଠାରୁ ଟଙ୍କା ନେବ ? କଣ୍ଠ ଥରି ଉଠୁଥିଲେ ନନ୍ଦ କୁମାରଙ୍କର ।

 

ତେବେ ପୋଲିସ ଡିପାର୍ଟମେଣ୍ଟ ଆପଣଙ୍କୁ ପୂର୍ଣ୍ଣ ସାହାର୍ଯ୍ୟ କରିବେ ଆଉ ମୁଁ ମଧ୍ୟ । ଆପଣ ମୋଟେ ଧୈର୍ଯ୍ୟ ହରାନ୍ତୁ ନାହିଁ । ମୁଁ ଦେଖିବି, ଆମେ ସମସ୍ତେ ଉପସ୍ଥିତ ଥିଲାବେଳେ ସେ କିପରି ଆପଣଙ୍କ ହତ୍ୟା କରିବ । ମୁଁ କାଲି ଏଗାରଟାବେଳେ ଆପଣଙ୍କ ଷ୍ଟୁଡିଓରେ ଉପସ୍ଥିତ ହେବି । ଆପଣ ଯାନ୍ତୁ । ନିର୍ଭର ପ୍ରତିଶ୍ରୁତି ଦେଇ କହିଲେ ସତ୍ୟଜିତ୍‍ ।

 

ଆପଣ ଦୟା କରି ନିଶ୍ଚେ ଯିବେ । ଦେଖନ୍ତୁ, ମୋର ଜୀବନ.......

 

ହଁ.....ହଁ......ତା’ ମୁଁ ବୁଝୁଛି । ମୋର ତାହା କର୍ତ୍ତବ୍ୟ ।

 

କାର୍‍ ପଠାଇ ଦେବି କାଲି ।

 

କିଛି ଆବଶ୍ୟକ ନାହିଁ । ମୁଁ ପୋଲିସ ଜିପ୍‍ କିମ୍ୱା ମୋର ମଟର ସାଇକଲରେ ଯିବି । ଆଚ୍ଛା ଆପଣଙ୍କର ‘ମିଷ୍ଟର ଫୁଟପାଥ୍‍’ ଫିଲ୍ମର କାଲି କେଉଁ ସିକ୍ୟୋନସ୍‍ ସୁଟିଂ ହେବାର ଅଛି ?

 

ଅଭିନେତ୍ରୀ ଇଭା ପଟ୍ଟନାୟକଙ୍କର ଗୋଟା, ଇଂଲିଶ ଛାଞ୍ଚର ଡ୍ୟାନ୍‍ସ୍‍ । ଆପଣତ ଜାଣନ୍ତି—ସେପରି ଡ୍ୟାନସ ଦେବାରେ ଇଭା ହିଁ ଓଡ଼ିଶାରେ ସର୍ବ ଶ୍ରେଷ୍ଠ ହଉ ତେବେ.....ମୁଁ ଆସୁଛି । ଚୌକି ଛାଡ଼ିଲେ ନନ୍ଦ କୁମାର ।

 

ହଁ—ଚାଲନ୍ତୁ । ଗେଟ୍‍ ପର୍ଯ୍ୟନ୍ତ ବଳାଇ ଦେଇ ଆସିବା ପାଇଁ ସତ୍ୟଜିତ୍‍ ଉଠିଲେ ।

 

ନନ୍ଦକୁମାର ଗେଟ୍‍ ନିକଟରେ ରଖା ଯାଇଥିବା ତାଙ୍କ କାରରେ ବସି ଷ୍ଟାର୍ଟ ଦେଇ କହିଲେ—ଦେଖନ୍ତୁ, ଭୁଲିବେ ନାହିଁ ।

 

ନା.....ନା........ନିଜର କର୍ତ୍ତବ୍ୟ ମୁଁ କେବେ ଭୁଲେ ନାହିଁ । ଦୃଢ଼ତାର ସହିତ ଉତ୍ତର ଦେଲେ ସତ୍ୟଜିତ୍‍ ।

 

ଏତିକିବେଳେ ପାଶ୍‍ କରିଗଲା ଗୋଟାଏ ଚକୋଲେଟ ରଙ୍ଗର ଆମ୍ୱାସଡ଼ର କାର୍‍ । ଆରୋହଣକାରୀ ଜଣେ । ସେଇ ଚାଳକ । ଚାଳକ ଜଣକ କେତେକ ମୁହୂର୍ତ୍ତ ପାଇଁ କିପରି ଏକ ସନ୍ଧାନୀ ଦୃଷ୍ଟିରେ ଚାହିଁଲା ନନ୍ଦକୁମାରଙ୍କର କାର୍‍ ମଧ୍ୟକୁ ସତ୍ୟଜିତ୍‍ଙ୍କ ହୃଦୟରେ ଖେଳିଗଲା ସନ୍ଦେହର ଢେଉ, ଯେପରି ସେ ଏକ ଲୋକକୁ କାର୍‍ ମଧ୍ୟରେ ଏଠାରେ ଏଭଳି ଭାବରେ ଯିବାକୁ ଆଶାକରି ନଥିଲେ ନମ୍ୱରଟା ମନେ ରଖିଲେ । ଏଗାର ଶହ ସତାଅଶି ।

 

ନମସ୍କାରର ଆଦାନ ପ୍ରଦାନ ପରେ ନନ୍ଦକୁମାର ତାଙ୍କ କାର୍‍କୁ ଛୁଟାଇ ଦେଲେ । ସତ୍ୟଜିତ୍‍ ଫେରି ଆସିଲେ ଡ୍ରଇଂ ରୁମ୍‍କୁ ।

 

ଏଗାର ଶହ ସତାଅସି ନମ୍ୱରର ଚକୋଲେଟ୍‍ ଆମ୍ୱାସଡ଼ର କାହାର ? ନିଜର ଡାଇରୀରେ ନମ୍ବର ଟିପି ରଖି ରିସିଭର ଉଠାଇଲେ ସେ ।

 

ଉଆନ୍‍ ଫୋର୍‍ ସିକ୍‍ସ ପ୍ଲିଜ୍‍......

 

ଅନ୍ୟ ପ୍ରାନ୍ତରୁ ଭାସି ଆସିଲା ଏକ ନାରୀର ସୁମଧୁର କଣ୍ଠସ୍ୱର—କିଏ କହୁଛନ୍ତି ?

 

ମୁଁ......ସତ୍ୟଜିତ୍‍ ଦାସ......ଆପଣ ଗୀତା ଦେବୀ ବୋଧହୁଏ ରିସିଭ କରୁଛନ୍ତି ? ବାପା ଉଠିଲେଣି ?

 

କେତେବେଳୁ ଉଠିଗଲାଣି । ସେ ଡାକି ଦେବି ?

 

ହଁ........ —ଦୟାକରି ଡାକିଦିଅନ୍ତୁ ।

 

କିଛି ସମୟ ପରେ ଏସ୍‍. ପି. ଆସି ରିସିଭ୍‍ କଲେ—

 

ସତ୍ୟଜିତ୍‍ ବାବୁ ? କ’ଣ ଆବଶ୍ୟକ ପଡ଼ିଲା ?

 

ସାର୍‍, କାଲି ଦିନ ଏଗାରଟା ବେଳେ ମୋର କୋଡ଼ିଏ ଜଣ କନଷ୍ଟେବଲ୍‍ ଦରକାର ।

 

କାହିଁକି ?

 

କାଲିଦିନ ଗୋଟାଏବେଳେ ଚିତ୍ରାଳୟର ପ୍ରଡ଼୍ୟୁସର୍‍ ମିଷ୍ଟର ନନ୍ଦ କୁମାର ମହାନ୍ତିଙ୍କୁ ତାଙ୍କ ଷ୍ଟୁଡିଓରେ ହତ୍ୟା କରାଯିବାକୁ ଧମକ ଦିଆ ଯାଇଛି ।

 

କିଏ ଦେଇଛି ? କାହିଁକି ? ଏସ୍‍. ପି. ଯେପରି ରାଗି ଯାଇଛନ୍ତି ।

 

ଦେବ ଆଉ କିଏ ? ଆଜି ପର୍ଯନ୍ତ ଆମେ ଯାହାର ସନ୍ଧାନ ପାଇବା ପାଇ ଚେଷ୍ଟା କରୁଛୁ, ସେ । କଥା କ’ଣକି, ସେ ଚିଠି ଦ୍ୱାରା ଜଣାଇଛି—ଦୁଇଲକ୍ଷ ଟଙ୍କା ଦେବା ପାଇଁ, ତା’ର ଆଦେଶ ଆମାନ୍ୟ କଲେ, କାଲି ସେ ମିଷ୍ଟର ମହାନ୍ତିଙ୍କ ସୁଟିଂ ସମୟରେ ହତ୍ୟା କରିବ । ଲେଖିଚି—ପୋଲିସ୍‍ର ଚେଷ୍ଟା ବ୍ୟର୍ଥ ହେବ ।

 

ଏଁ....ଏବେ ସାହସ ତାର ! ଆଚ୍ଛା, କାଲି ମୁଁ ମଧ୍ୟ ଉପସ୍ଥିତ ରହିବି ଷ୍ଟୁଡିଓରେ ସେହି ସମୟରେ । ଦେଖିବି—ତାର କେତେ ବୁଦ୍ଧି । ଆପଣ କୋଡ଼ିଏ କଣ କନ୍‍ଷ୍ଟେବଲ ପାଇ ପାରିବେ, ଆଉ ନୀହାର ରଞ୍ଜନ ଓ ସୁନୀଲ ଚାଟର୍ଜି ମଧ୍ୟ ଉପସ୍ଥିତ ରହିବେ ଘଟଣା ସ୍ଥଳରେ । କିଏ ସେହି ସ୍ପଷ୍ଟ ଦିବାଲୋକରେ ପୋଲିସ ସାମନାରେ ହତ୍ୟାକାଣ୍ତ କରିବ । ତାକୁ ମୁଁ ନିଶ୍ଚୟ ଦେଖି ନେବି । ଏସ୍‍. ପି. ଅତ୍ୟଧିକ ପରିମାଣରେ ଉତ୍ତେଜିତ ହୋଇ ପଡ଼ିଲେ ।

 

ହଉ—ମୁଁ ରହିଲି—। ଅନ୍ୟ ପ୍ରାନ୍ତରୁ ରିସିଭର୍‍ ରଖିବାର ଶବ୍ଦ ଶୁଣାଗଲା ।

 

ଯଥା ସ୍ଥାନରେ ରିସିଭର୍‍ ରଖିଲେ ସତ୍ୟଜିତ୍‍ ।

 

ଗୋଟାଏ ମଟର ବାଇକ୍‍ ବ୍ରେକ୍‍ ଦେଲା ଥାନା ହତା ମଧ୍ୟରେ ପ୍ରବେଶ କରି । ବାହାରକୁ ଚାହିଁଲେ ସୁନୀଲ ଚାଟାର୍ଜି ସତ୍ୟଜିତ୍‍ ଦାସ ପ୍ରବେଶ କରୁ କରୁ ପ୍ରଶ୍ନ କଲେ—

 

ବୁଝିଲେ କାହାର କାର ।

 

ଏଗାରଶହ ଅତାଅଶି ନା ।

 

ହୁଁ ।

 

ଡିଲକ୍‍ସ ପ୍ରିଟିଂ ଓ୍ୟାର୍କସର ମ୍ୟାନେଜରଙ୍କର । କିନ୍ତୁ ଚକୋଲେଟ ଆମ୍ୱାସଡ଼ର ନୁହେଁ ବ୍ଲାକ ଅଷ୍ଟିନ୍‍ ।

 

ଏଁ । ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ ସତ୍ୟଜିତ୍‍ । ସେ ତ ନିଜେ ଦେଖିଛନ୍ତି ଆମ୍ୱାସଡ଼ର୍‍ କାର୍‍ଟିର ନମ୍ୱର । ନମ୍ୱରରେ ମଧ୍ୟ ଜାଲ ହୋଇଛି । ସେ ତ ଏହା କେବେ କଳ୍ପନା କରି ନଥିଲେ । କିନ୍ତୁ ଡିଲ୍‍କସ କଣ୍ଟଂଓ୍ୟାସର ମ୍ୟାନେଜରଙ୍କର କାର୍‍ର ନମ୍ୱରକୁ କାହିଁକି ? ନିଜ କାର୍‍ର ନମ୍ୱରକୁ ରଖିବାକୁ । ନା ପ୍ରେସ୍‍ର ଏହା ସହିତ ସମ୍ପୃକ୍ତ ?

 

ହଠାତ୍‍ ଏକ ଭାବନାର ତରଙ୍ଗ ଖେଳିଗଲା ସତ୍ୟଜିତ୍‍ଙ୍କ ମସ୍ତିଷ୍କରେ । ଜାଲ ସିନେମା ଟିକେଟ କେଉଁଠାରେ ଛପା ଯାଇଥିଲା ? ସେ ତ ବୁଝିଛନ୍ତି ଯେ କଟକର ସମସ୍ତ ସିନେମାର ଟିକେଟ୍‍ ସେହିଠାରେ ଛପାଯାଏ । ତେବେ ? ଏ ପର୍ଯ୍ୟନ୍ତ ତ ସେ ଏ ବିଷୟରେ କେବେ ଜାଣି ନାହାନ୍ତି ।

 

ସାର୍‍, ଆପଣଙ୍କର ଏସବୁ ଆସିଯାଇଛି । କେତେଗୁଡ଼ିଏ ଯୋତା ଚିହ୍ନର ଫଟୋ ଆଉ ଗୋଟାଏ ପୋଷ୍ଟମୋଟମ୍‍ ରିପୋର୍ଟ ବଢ଼ାଇ ଦେଉ ଦେଉ ସତ୍ୟଜିତ୍‍ଙ୍କ ଭାବନାରେ ବାଧା ଦେଇ କହିଲେ ସୁନୀଲ ଚାଟାର୍ଜି ।

 

ମୋହନ ବାରିକର ହତ୍ୟାରେ ପୋଷ୍ଟମୋଟମ୍‍ ରିପୋର୍ଟ କ’ଣ ହେବ ତା’ତ ଆମେ ପୂର୍ବରୁ ଜାଣିଥିଲେ । ବର୍ତ୍ତମାନ ଯୋତା ଚିହ୍ନ ଗୁଡ଼ିକ ଦେଖିବା କଥା । ଫଟୋଗୁଡ଼ିକ ଦେଖୁ ଦେଖୁ କହିଲେ ସତ୍ୟଜିତ୍‍ ।

 

କ’ଣ ଜାଣିଲେ ? ସୁନୀଲି ଚାଟାର୍ଜି ପ୍ରଶ୍ନ କଲେ କିଛି ସମୟ ପରେ ।

 

ଯାହା ଆପଣ ମଧ୍ୟ ଜାଣି ପାରିଥାନ୍ତେ । ଜାଣିଲି—ଏସ୍‍. ପିଙ୍କ ଘରର ପଛବାଟେ ଯେଉଁମାନେ ମୋହନ ବାରିକର କଟା ମୁଣ୍ଡ ଟଙ୍ଗାଇବା ପାଇଁ ଯାଇଥିଲେ, ସେହିମାନେ ଜଜ୍‍ସାହେବଙ୍କ ସମ୍ମୁଖଭାଗରେ ଗେଟ୍‍ ବାଟେ ପ୍ରବେଶ କରି କଟା ଲାସ୍‍ଟାକୁ ଟଙ୍ଗାଇ ଥିଲେ ତାଙ୍କ ଦ୍ୱାରରେ ।

 

କିଛି ସମୟ ନୀରବ ରହିବାପରେ ପୁଣି କହିଲେ ସତ୍ୟଜିତ୍‍—କି ଏସ୍‍. ପି.ଙ୍କର ଦରଓ୍ୟାନ୍‍ କିପରି ଜାଣି ପାରିଲାନି ? ଗେଟ୍‍ ନିକଟରେ ରହିଲା ବୋଲି କ’ଣ.......

 

ଶୋଇ ପଡ଼ିଥିବ । କିଛିକ୍ଷଣ ଚିନ୍ତା କରି କହିଲେ ସୁନୀଲ ଚାଟାର୍ଜି ।

 

ହୋଇପାରେ କିଏ କହିବ ? ମୋର ଅନୁମାନ କ’ଣ ଜାଣନ୍ତି ? ସତ୍ୟଜିତ ସିଗାରେଟ୍‍ରେ ଅଗ୍ନି ସଂଯୋଗ କଲେ ।

 

କ’ଣ ଆଗ୍ରହ ପ୍ରକାଶ କରି ପ୍ରଶ୍ନକଲେ ସୁନୀଲ ।

 

ଦରଓ୍ୟାନ ମଧ୍ୟ ଏଥିରେ ସମ୍ପୃକ୍ତ । କଥାଟା ବର୍ତ୍ତମାନ ଆଉ କାହା ସମ୍ମୁଖରେ ପ୍ରକାଶ କରିବା ଉଚିତ ନୁହେଁ । ବୁଝିଲେ ?

 

ବୁଝୁଚି ।

 

ଆପଣ କାଲି ଏଗାରଟା ବେଳେ ବୋଧହୁଏ ‘ଚିତ୍ରାଳୟ’ ଷ୍ଟୁଡିଓକୁ ଯିବେ ? ସତ୍ୟଜିତ୍‍ଙ୍କ ମୁହଁବାଟେ ବାହାରି ସିଗାରେଟ୍‍ ଧୁଆଁଗୁଡ଼ିକ ଉପରକୁ ଉପରକୁ ଉଠିଗଲା ।

 

ନୀହାର ବାବୁ ମଧ୍ୟ ଏସ୍‍. ପି.ନିଜେ କହି ଯାଇଛନ୍ତି ।

 

ହଁ ତେବେ ମୁଁ ଆସୁଚି । ପୁଣି ଯାଇ କାଲି ସକାଳ ଏଗାରଟାରେ ସାକ୍ଷାତ । ଚୌକି ଛାଡ଼ି ଛିଡ଼ା ହେଲେ ସତ୍ୟଜିତ୍‍ ଓ ପୁଣି କହିଲେ—ଆପଣ ବୁଲି ଯିବେ ?

 

ହଁ ଯିବି ଯେ, କିନ୍ତୁ ନୀହାର ବାବୁ ଆସିଲେ । ମହାନଦୀ କୂଳକୁ ଚାଲି ଯିବାଟା ମୋର ନିତ୍ୟକର୍ମ ଲିଷ୍ଟରେ ଲେଖା ହେଇ ସାରିଲାଣି । ଟିକିଏ ହସିଦେଲେ ସୁନୀଲ୍‍ ।

 

ଓ୍ୟାଚ୍‍କୁ ଚାହିଁଲେ ସତ୍ୟଜିତ୍‍ । ଓମେଗା ଅଟୋମେଟିକ୍‍ ତାର କର୍ତ୍ତବ୍ୟ ପଥରେ ଚାଲିଛି । ଛ’ଟା ବାଜିବାକୁ ଦଶ ମିନିଟ୍‍ । ମିନିଟ୍‍କଣ୍ଟା ଦୌଡ଼ୁଛି ଆହୁରି ଆଗକୁ ।

 

ତେବେ ମୁଁ ଚାଲିଲି..... । ମଟର ବାଇକରେ ଷ୍ଟାର୍ଟ ଦେଲେ ସେ । ସଙ୍ଗେ ସଙ୍ଗେ ତାଙ୍କୁ ବହନ କରି ବାଇକ୍‍ଟି ପ୍ରଖର ବେଗରେ ଛୁଟି ଚାଲିଲା କ୍ୟାଣ୍ଟନ୍‍ମେଣ୍ଟ ରୋଡ଼ ଦେଇ ।

 

ଆଜି କାହିଁକି ତାଙ୍କ ମୁଣ୍ଡଟା ଗୋଳମାଳିଆ ହୋଇଯାଇଛି। ଏଗାରଶହ ସତାଅଶୀ ନମ୍ୱର ଜାଲ୍‍ ଆମ୍ୱାସଡ଼ରଟାକୁ ତ ସେ ସ୍ୱଚକ୍ଷୁରେ ଦେଖିଛନ୍ତି । ଯଦି ନମ୍ବର ଜାଲ୍‍ କରାଯାଇଥାଏ, ତେବେ କାହିଁକି ? ଜାଲ୍‍ ନମ୍ୱରର କାରଟା ସେବାଟେ ପାଶ୍‍ କଲା ନାହିଁକି ? ସେ କଣ ନନ୍ଦ କୁମାରଙ୍କୁ ଅନୁସରଣ କରୁଥିଲା ? ଆମ୍ୱାସଡ଼ର୍‍ କାର୍‍ଟା କାହାର ? ଏହିପରି ବହୁତ ଗୁଡ଼ିଏ ପ୍ରଶ୍ନର ଘନୀଭୂତ କଳା ବଉଦ ତାଙ୍କ ମସ୍ତିଷ୍କରେ ଖେଳି ବୁଲିଲା । କିନ୍ତୁ ତା’ର କୌଣସି ଉତ୍ତର ପାଇଲେନି ସେ । ଅବଶେଷରେ ସିଦ୍ଧାନ୍ତ କଲେ—ମହାନଦୀ କୂଳର ଶୀତଳ ବାୟୁର ବାତାବରଣରେ ସେ ଭାବିବେ ପୁଣି ସେହି ବିଷୟ ।

 

ସନ୍ଧ୍ୟା ଆଗତ ପ୍ରାୟ ।

 

ସତ୍ୟଜିତ, ଶିବ ମନ୍ଦିରଠାରୁ ଆଉ କିଛି ଦୂରକୁ ଯାଇ ମଟର ବାଇକ୍‍ଟି ରଖି ଦେଇ ବସିବାକୁ ଗୋଟିଏ ସିମେଣ୍ଟ ବେଞ୍ଚ୍‍ ଆଡ଼କୁ ଅଗ୍ରସର ହେଲେ । ଏହି ସମୟରେ ତାଙ୍କ ପଶ୍ଚାଦଭାଗରୁ ଶୁଣି ପାରିଲେ ଏକ ମଟର ହର୍ଣ୍ଣ । ଫେରି ଚାହିଁଲେ ସେ । ଗୋଟାଏ ଚକୋଲେଟ୍‍ ରଙ୍ଗର ଆମ୍ୱାସଡ଼ର୍‍ କିଛି ଦୂରରେ ବ୍ରେକ୍‍ କରିଛି । ନମ୍ୱର ପ୍ରତି ଦୃଷ୍ଟି ନିକ୍ଷେପ କଲେ । ଅଠର ଶହ ଏକାନବେ । ଏ ତ’ ଜଜ୍‍ ସାହେବଙ୍କର । ବୋଧହୁଏ ବୁଲି ଆସିଛନ୍ତି ।

 

ଜଜ୍‍ ସାହେବ ଓହ୍ଲାଇ ଆସିଲେ କାର୍‍ରୁ । ପଛେ ପଛେ ତାଙ୍କର ଡ୍ରାଇଭର୍‍ । ଚମକି ଉଠିଲେ ସତ୍ୟଜିତ୍‍ । ମନେ ପଡ଼ିଲା ତାଙ୍କର ଝୁମର ଜେନା କଥା.....ଆଜ୍ଞା, ଆପଣଙ୍କଠାରୁ ପ୍ରାୟ ଛ’ ଇଞ୍ଚ ଉଚ୍ଚାରେ ସାନ ହେବ....ସାବନାରଙ୍ଗ.....କୁଞ୍ଚ କୁଞ୍ଚିଆ ବାଳ.....ନାକ ତଳେ ତଲଓ୍ୟାର କଟିଂ ନିଶ ଓଠ ତଳକୁ ଗୋଟାଏ କଳାଯାଇ...... । ଜଜ୍‍ ସାହେବ୍‍ଙ୍କ ଡ୍ରାଇଭର୍‍ ନୁହେଁ ତ ? ଠିକ୍‍ ସେଇ ଚେହେରା ! ଜଜ୍‍ ସାହେବ୍‍ଙ୍କ ଡ୍ରାଇଭର୍‍ ନୁହେଁ ତ ! ଠିକ୍‍ ସେଇ ଚେହେରା ! ଜଜ୍‍ସାହେବ୍‍ କ’ଣ ସହରରେ ଘଟୁଥିବା ସମସ୍ତ ଘଟଣାର ନାୟକ ! ସେ ପୋଲିସର ସନ୍ଦେହ ଚକ୍ଷୁରେ ପଡ଼ିବେ ବୋଲି କ’ଣ ଜାଲ୍‍ ନମ୍ୱର ବ୍ୟବହାର କରି କାର୍‍ ପଠାଉଛନ୍ତି ! ସେ ଦିନ ସେ ତାହାହେଲେ ଭୟ ପାଇଛନ୍ତି ବୋଲି ଗୋଟାଏ ଅଭିନୟ କରିଥିଲେ ।

 

ସତ୍ୟଜିତ୍‍ ସିମେଣ୍ଟ ବେଞ୍ଚଟା ଉପରେ ବସି ସେମାନଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କଲେ । ସେମାନେ ବୋଧହୁଏ ତାଙ୍କୁ ଦେଖି ନାହାଁନ୍ତି । ଗୋଟାଏ ସିମେଣ୍ଟ ବେଞ୍ଚ ଉପରେ ବସି ଦୁଇଜଣଯାକ କ’ଣ କଥାବାର୍ତ୍ତା ହେଲେ । ପୁଣି କିଛି ସମୟ ପରେ ଦୂରରେ ଦିଶୁଥିବା ପର୍ବତମାଳା ଆଡ଼େ ଚାହିଁ ରହିଲେ । ଜଜ୍‍ସାହେବ ମଝିରେ ମଝିରେ ପର୍ବତମାଳା ଆଡ଼କୁ ହାତ ବଢ଼ାଇ କ’ଣ କହୁଥାନ୍ତି । ଏହିପରି ପ୍ରାୟ କୋଡ଼ିଏ ମିନିଟ୍‍ ବସି ରହି ସେମାନେ ଫେରି ଆସିଲେ କାର୍‍ ନିକଟକୁ ।

 

ସତ୍ୟଜିତ୍‍ ଆସିଲେ ତାଙ୍କ ମଟରସାଇକେଲ ଆଡ଼କୁ । ଭାବିଥିଲେ, ସେମାନଙ୍କର ଅନୁସରଣ କରିବେ । କିନ୍ତୁ ସେହି ମୁହୂର୍ତ୍ତରେ ପାଣି କରିଗଲା ଏସ୍‍. ପି. ଙ୍କର କଳା ପ୍ଲାଇମାଉଥ୍‍ଟା । ଡ୍ରାଇଭ କରୁଛି ଗୀତା । କାର୍‍ ମଧ୍ୟରେ ଆଉ କେହି ନାହାନ୍ତି । ଗୀତାର ମୁଖମଣ୍ଡଳରେ ପଡ଼ିଲା ସତ୍ୟଜିତ୍‍ଙ୍କର ଦୃଷ୍ଟି । ଚମକି ଉଠିଲେ ସେ । ଏ କ’ଣ ଗୀତାର ମୁଖ ମଣ୍ଡଳ ! ସରଳ, ଶାନ୍ତ ନିଷ୍କପଟ ମୁଁହଟାରେ ତାର ଆଜି ଝଡ଼ର ସୂଚନା କାହିଁକି ? କ’ଣ ହୋଇଛି ତା’ର ! କିଛି ଦୂର ଯାଇ ଗୋଟାଏ ଗଛତଳେ ବେପ୍ଲକ ଦେଲା ଇମାଉଥଟା । ଓହ୍ଲାଇ ପଡ଼ିଲା ଗୀତା ।

 

ସତ୍ୟଜିତ୍‍ ଚାହିଁଥାନ୍ତି ତାକୁ । ଗୋଟାଏ ସିମେଣ୍ଟ ବେଞ୍ଚ ଉପରେ ବସିଲା ସେ ଦିଗ୍‍ବଳୟରେ ଦିଶୁଥିବା ଉତ୍ତୁଙ୍ଗ ପର୍ବତମାଳାକୁ ଚାହିଁ । ଯତ୍ନ କେଶରାଶି ତା’ର ମୁକ୍ତ ବାୟୁର ହିଲ୍ଲୋଳ ଦ୍ୱାରା ଉଡ଼ୁଥାଏ ଫୁର୍‍ଫୁର୍‍ ହୋଇ । କେତୋଟି ମୁହୂର୍ତ୍ତପରେ ପୁଣି ସେ ବେଞ୍ଚଟାରୁ ଉଠି ସେହିଠାରେ କିଛି ସମୟ ପାଇଁ ଛିଡ଼ାହୋଇ ମହାନଦୀର ଅସ୍ଥିର ବକ୍ଷକୁ ଚାହିଁ ରହିଲା ଏବଂ ସେଠାରୁ ଫେରିଯାଇ ତୁଳସୀପୁର ଆଡ଼କୁ ଯାଇଥିବା ପିଚୁ ରାସ୍ତାରେ ଚାଲିବାକୁ ଲାଗିଲା ।

 

ଏପରି ଅସ୍ଥିରତା କାହିଁକି ? ସତ୍ୟଜିତ୍‍ ଚାହିଁଲେ ଜଜ୍‍ ସାହେବଙ୍କ ଆମ୍ୱାସଡ଼ର୍‍ ଯେଉଁଠି ରଖାଯାଇଥିଲା ସେହିଠାକୁ । ସେ ସ୍ଥାନ ଖାଲି ପଡ଼ିଛି । ଆଉ ସ୍ଥିର ହୋଇ ରହିପାରିଲେନି ସେ । ଗୀତାର ଅନୁସରଣ କରି ଚାଲିଲେ ଯେ ସେଇ ରାସ୍ତାରେ । କିଛିବାଟ ଅବସର କରି ଗୀତା ପୁଣି କୂଳକୁ ଆସିଲା ଏବଂ ଓହ୍ଲାଇବାକୁ ଲାଗିଲା ବାଲୁକାପ୍ରାନ୍ତର ମଧ୍ୟକୁ । ପରିଶେଷରେ ସେ ବସିଲା ପ୍ରାନ୍ତରର ଶେଷଭାଗରେ, ଯେଉଁଠି ପ୍ରବାହିତ ହେଉଛି ମହାନଦୀର ଜଳରାଶି । ସତ୍ୟଜିତ୍‍ କୂଳ ନିକଟବର୍ତ୍ତୀ ଏକ ଗଛତଳେ ଗୋଡ଼କୁ ଗୋଡ଼ ଛନ୍ଦି ଚାହିଁଲେ ଗୀତାକୁ । ସେତେବେଳେ ସମ୍ପୂର୍ଣ୍ଣ ରୂପେ ସନ୍ଧ୍ୟା ହୋଇ ଆସିଥିଲା ।

 

ଆଠଟା ବାଜିଲା । ତଥାପି ଗୀତା ଉଠିଲାନି । ସନ୍ଦେହ ଭରି ଉଠିଲା ସତ୍ୟଜିତ୍‍ଙ୍କ ହୃଦୟରେ । ସେ ଧୀରେ ଯିବାକୁ ଲାଗିଲେ ସେଇ ବାଲୁକାପ୍ରାନ୍ତର ମଧ୍ୟକୁ ଓ ଗୀତାର ପଶ୍ଚାଦଭାଗରେ କିଛି ଦୂରକୁ ପଡ଼ିଥିବ ଗୋଟିଏ ଭଙ୍ଗା ନୌକା ପଛରେ ଲୁଚି ରହିଲେ ।

 

କିଛି ସମୟ ପରେ ଗୀତା ଉଠି ଛିଡ଼ା ହେଲା ଏବଂ କ’ଣ ଭାବି ଚାହିଁ ରହିଲା ନୀଳ ଆକାଶକୁ । ପରିଶେଷରେ ଚନ୍ଦ୍ରକୁ ହାତ ବଢ଼ାଇ ନମସ୍କାର ହେଲା । ତା’ପରେ କ୍ରମେ କ୍ରମେ ଜଳ ମଧ୍ୟକୁ ପ୍ରବେଶ କରିବାକୁ ଲାଗିଲା । ଗୀତାର କଟିଦେଶକୁ ସ୍ପର୍ଶକଲା ମହାନଦୀର ଶୀତଳ ଜଳ ।

 

ଗୀତା !!! ପଶ୍ଚାଦ ଭାଗରୁ ପାଟିକରି ଉଠିଲେ ସତ୍ୟଜିତ୍‍ । କିନ୍ତୁ ଫେରି ଚାହିଁଲାନି ଗୀତା । ଫେରି ଆସିଲା ପ୍ରତିଧ୍ୱନି । ଗୀତା ଝାଁପଦେଲେ ଜଳରାଶି ମଧ୍ୟକୁ । ସୃଷ୍ଟି ହେଲା କେତେଗୁଡ଼ିଏ ଭଉଁରୀ ଏବଂ ସେମାନଙ୍କର ପରିଧି ବୃଦ୍ଧିପାଇ ମିଳାଇ ଯିବାକୁ ଲାଗିଲା ଦୂରରେ......ଆହୁରି ଦୂରରେ ।

 

ଠିକ୍‍ ସେହି ମୁହୂର୍ତ୍ତରେ ଭୁସ୍‍ କରି ଏକଶବ୍ଦ ହେଲା ସେହି ଜଳମଧ୍ୟରେ ଏବଂ ଆହୁରି କେତେଗୁଡ଼ିଏ ଭଉଁରୀ ଖେଳିଗଲା ସ୍ରୋତସ୍ପିନୀ ମହାନଦୀର ବକ୍ଷରେ ।

 

କେତୋଟି ମୁହୂର୍ତ୍ତ ପରେ ସତ୍ୟଜିତ୍‍ ଗୀତାର ଶରୀରଟାକୁ ବହନ କରି ଫେରି ଆସିଲେ କୂଳକୁ । ଗୀତା କିନ୍ତୁ ଖୁବ୍‍ ଛାଟିପିଟି ହେଉଥିଲା ।

 

ସତ୍ୟଜିତ୍‍ଙ୍କ ସବଳ ହସ୍ତରୁ ଖସିଯିବା ପାଇଁ । କିନ୍ତୁ ପାରିଲା ନାହିଁ । ସତ୍ୟଜିତ୍‍ ପାଟିକରି ଉଠିଲେ—

 

ଗୀତା ! ଏ କଣ କରୁଛ ତୁମେ.....

 

ମୋତେ ଛାଡ଼ି ଦିଅନ୍ତୁ......ମୋତେ ଛାଡ଼ି ଦିଅନ୍ତୁ......ମୁଁ ଚାହେଁ ମୋର ମୃତ୍ୟୁ........

 

ଗୀତା ! ଶୁଣ ତୁମେ........

 

ନା ନା ମୁଁ.........କୌଣସି କଥା ଆପଣଙ୍କର..........ଶୁଣିବାକୁ ଚାହେଁନା........ଆପଣ କାହିଁକି ମୋତେ ବଞ୍ଚାଇଲେ........ମୋତେ ଛାଡ଼ି ଦିଅନ୍ତୁ........ଅତ୍ୟଧିକ ଶକ୍ତି ବ୍ୟୟକରି ଗୀତା ସତ୍ୟଜିତ୍‍ଙ୍କ ହସ୍ତରୁ ଖସି ଚାଲି ଯିବାପାଇଁ ଚେଷ୍ଟାକଲା ।

 

ସତ୍ୟଜିତ୍‍ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ଗୀତାର ଔଦ୍ଧତ୍ୟ ତାଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲା । କେତେ ସମୟ ଧରି ସେ ଆଉ ଛାଟିପିଟି ହେଇଥିବା ଗୋଟାଏ ଅବୁଝା ତରୁଣୀକୁ ଧରି ରଖିବେ ।

 

ଚୁପ୍‍କର ଗୀତା..... । ହଠାତ୍‍ ଗୀତାର କଅଁଳ ଗଣ୍ଡ ଦେଶରେ ସତ୍ୟଜିତ୍‍ ଚପେଟାଘାତ କଲେ । ଚୁପ୍‍ ହୋଇଗଲା ସେ । କିନ୍ତୁ ପର ମୁହୂର୍ତ୍ତରେ ବିକଳ ଭାବେ ନିଶବ୍ଦରେ କ୍ରନ୍ଦନ କରି ଉଠିଲା ।

 

ସତ୍ୟଜିତ୍‍ଙ୍କ ଜ୍ଞାନ ଫେରି ଆସିଲା । କ’ଣ ସେ କଲେ । ସେ ତ ତାଙ୍କ ଜୀବନରେ ଏପରି କାହାକୁ ମାରି ନାହାନ୍ତି ! ଦୁଃଖ ଏବଂ ଅନୁଶୋଚନାରେ ପୂର୍ଣ୍ଣ ହେବାକୁ ଲାଗିଲା ତାଙ୍କର ହୃଦୟ । ହୃଦୟ କେଉଁ ଏକ ଗୁପ୍ତ କୋଣରେ ଗୀତାକୁ ସ୍ଥାନ ଦେଇଥିଲେ ସେ ତାକୁ ଭଲ ପାଇ । କିନ୍ତୁ ଆଜି ତା’ର ଗଣ୍ଡଦେଶରେ ନିଷ୍ଠୁର ଭାବରେ ସେ ଚପେଟାଘାତ କରିଛନ୍ତି । ଗୀତା କିପରି ପୁଣି ଏହାକୁ ସହ୍ୟ କରି ପାରିଲା ! ଗୀତାର ସୁନ୍ଦର ମୁହଁଟିକୁ ସେ ଚାପି ଧରିଲେ ନିଜର ପ୍ରଶସ୍ତ ବକ୍ଷଦେଶରେ । ବାଧାଦେଲାନି ଗୀତା । ସତ୍ୟଜିତ୍‍ଙ୍କ ଧୀରେ ଧୀରେ କହିବାକୁ ଲାଗିଲେ—

 

ମୁଁ........ମୁଁ.....ଭୁଲ କରିଛି ଗୀତା........ମୋତେ କ୍ଷମା ଦିଅ ।

 

ଗୀତା କିନ୍ତୁ କ୍ରନ୍ଦନ କରୁଥିଲା ତାଙ୍କରି ବକ୍ଷ ଉପରେ । ପୁଣି କହିଲେ ସତ୍ୟଜିତ୍‍—

 

ଶିକ୍ଷିତା ତୁମେ । ଆତ୍ମହତ୍ୟା କରିବାକୁ ଯାଉଛ ?

 

ତା’....ନକରି ମୋର....ଉପାୟ ନାହିଁ । ...କଇଁ କଇଁ ହୋଇ କହିଲା ଗୀତା ।

 

କାହିଁକି ? କ’ଣ ହୋଇଛି ତୁମର ?

 

ଲୋକପବାଦ ମୁଁ ସହ୍ୟ କରିବି କେତେ ଦିନ ?

 

ଲୋକପବାଦ !

 

ହଁ...ମା.....ମା’ ପାଇଁ.....ମା’ର ହରଣଚାଳ ବିଷୟରେ କେତେ ଲୋକ କେତେ କଥା କହୁଛନ୍ତି.....ମୋର କଲେଜସାଥିମାନଙ୍କ ସମ୍ମୁଖରେ ମୁଁ ଆଦୌ ମୁହଁ ଟେକି ଚାଲିପାରୁନି.....

 

ଓ.....ଏଇଥି ପାଇଁ ? ଯୁଗ ଯୁଗ ଧରି ଲୋକାପବାଦ ରହି ଆସିଛି । ଆଉ ରହିବ ମଧ୍ୟ । ଲୋକାପବାଦକୁ ଭୟକରି ସତୀ ସୀତାଙ୍କୁ ଅସହାୟା ଅବସ୍ଥାରେ ବନବାସ ଦେବାପରେ ରାମଚନ୍ଦ୍ରଙ୍କ ହୃଦୟରେ ପ୍ରବାହିତ ହୋଇଥିଲ । ଦୁଃଖ ଆଉ ଅନୁତାପର ଝଞ୍ଜା । ତା’କଣ ତୁମେ ଜାଣି ନାହଁ ? ଏତିକି ତୁମେ ସହ୍ୟ କରି ପାରୁନାହଁ ! ବିଶେଷତଃ ତୁମର ମା’ଙ୍କର ଚରିତ୍ର ମୋ ଅପେକ୍ଷା ତୁମେ ଅଧିକ ଭଲ ଭାବେ ଜାଣିଥିବ ? ଆତ୍ମବିଶ୍ୱାସ ତୁମର ନାହିଁ ? ସାନ୍ତ୍ୱନା ଦେଇ କହିଲେ ସତ୍ୟଜିତ୍‍ ।

 

ସହ୍ୟ କରିବାର......ଗୋଟାଏ......ସୀମା ଅଛି ମା’ ମରିଛି.....କି ବଞ୍ଚିଛି ମୁଁ ଜାଣେନା ଯଦି ଦସ୍ୟୁ ଦଳ.....ତାକୁ ହତ୍ୟା କରିଥିବେ ତେବେ ତ ସେ ଆଉ ଫେରିବନାହିଁ...ମୁଁ କ’ଣ ଚିରଦିନ ପାଇଁ ସହ୍ୟ କରିବି ?

 

ମୁଁ ତୁମକୁ ଅଭୟ ଦେଇ କହୁଚି, ମା’ ତୁମର ବଞ୍ଚିଛନ୍ତି ଆଉ ମୁଁ ତାଙ୍କ ଉଦ୍ଧାର କରିବି ଅଳ୍ପଦିନ ମଧ୍ୟରେ । ଅପରାଧର ଯେତେ ପରାକ୍ରମଶାଳୀ ହେଲେ ମଧ୍ୟ ସତ୍ୟଜିତ୍‍ ଦାସ ସମ୍ମୁଖରୁ ବର୍ତ୍ତୀ ଯିବନି । କିନ୍ତୁ ଗୋଟିଏ କଥା ଆଜି, ମୁଁ ତୁମକୁ ଖୋଲି କହୁଚି ଗୀତା.....ତୁମେହିଁ ମୋର ମେରୁଦଣ୍ଡ......ତୁମେ ଯଦି ନିଜର ଦୁର୍ବଳ ହୃଦୟ ପାଇଁ ଏପରି କୌଣସି କାର୍ଯ୍ୟ କରି ବସ ତେବେ ମୁଁ ଭାଙ୍ଗି ପଡ଼ିବି । ତୁମ ବିନା ମୁଁ ପଦେ ମାତ୍ର ଅଗ୍ରସର ହୋଇପାରିବିନି । ମୁଁ ଯେଉଁ ଦୁଃସାଧ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଯାଉଛି ତା’ମୂଳରେ ରହିଚି ତମରି ପ୍ରେରଣା ।

 

ଗୀତା ନୀରବ ।

 

ଆସ, ଫେରି ଚାଲ । ଟାଣି ଟାଣି ଆଣିଲେ ସେ ଗୀତାକୁ । ପହଞ୍ଚିଲେ ତାଙ୍କ ମଟର ସାଇକେଲ୍‍ ନିକଟରେ । ଏଁ ! କିଏ ବସିଛି ତାଙ୍କ ମଟର ସାଇକଲରେ ! ଆରୋହଣକରୀଟି ଷ୍ଟାର୍ଟ ଦେଲା ସତ୍ୟଜିତ୍‍ଙ୍କ ମଟରବାଇକ୍‍ଟିରେ । ଦୌଡ଼ିଯାଇ ତା’ର ସାର୍ଟଟାକୁ ପଛପଟୁ ଝିଙ୍କି ଧରିଲେ ସତ୍ୟଜିତ୍‍ । ଆରୋହଣକାରୀ ଫେରି ଚାହିଁଲା ।

 

ହାଓ୍ୟା ନିକଲ ଗୟି !

 

ଆରେ—ସୁନୀଲ ବାବୁ ଯେ !

 

ଆପଣ—ଏଠରେ ଏକାକୀ, ଆପଣଙ୍କ ମଟରବାଇକ୍‍କୁ ଦେଖି ସନ୍ଦେହରେ ପଡ଼ିଲି । ଭାବିଲି, ଆଖପାଖରେ କେଉଁଠି ଆପଣ ଥିବେ । କିନ୍ତୁ ପାଇଲିନି । ବହୁ ସମୟ ଅପେକ୍ଷା କରିବା ପରେ ଆପଣଙ୍କ ଅମଙ୍ଗଳ ଆଶଙ୍କା କରି ଥାନାକୁ ମଟର ସାଇକଲ୍‍ଟାକୁ ନେଇ ଯାଉଥିଲି । ଆରେ । ଓଦା ହୋଇଛନ୍ତି ଯେ ! ଆଶ୍ଚର୍ଯ୍ୟ ହେଲେ ସୁନୀଲ ଚାଟାର୍ଜି ।

 

ଏକା ମୁଁ ନୁହେଁ, ଗୀତାଦେବୀ ମଧ୍ୟ । କିଛି ଦୂରରେ ଛିଡ଼ା ହୋଇଥିବା ଗୀତାକୁ ନିର୍ଦ୍ଦେଶ କରି କହିଲେ ସତ୍ୟଜିତ୍‍ ।

 

ଏଁ ! ଗୀତା ଦେବୀ ! ହାଓ୍ୟା ନିକଲ ଗୟି । କାହିଁକି ? କଥା କ’ଣ ? ଜଳକ୍ରୀଡ଼ା ନୁହେଁ ତ ! ନିମ୍ନ ସ୍ୱରରେ କହିଲେ ସୁନୀଲ ।

 

ସବୁ—ବୁଝି ପାରିବେ । ବର୍ତ୍ତମାନ ଦୟାକରି ମଟର ସାଇକେଲଟାକୁ ନେଇ ଆସନ୍ତୁ ଏସ୍‍. ପି.ଙ୍କ ଘର ପର୍ଯ୍ୟନ୍ତ । ମୁଁ ଗୀତାଙ୍କ ସହିତ କାରରେ ଯାଉଛି । ହସିଲେ ସତ୍ୟଜିତ୍ ।

 

ଈଶ୍ୱର ଯାହା କରନ୍ତ ପ୍ରାଣୀର ମଙ୍ଗଳପାଇଁ । ବର୍ତ୍ତମାନ ମୋତେ ଚାଲି କରି ଯିବାକୁ ପଡ଼ିଥାନ୍ତା । ତାହା ହେଲେ ମୁଁ ଚାଲିଲି ଟା........ଟା.....

 

ଗୀତାକୁ ସାଇଡ୍‍ ରେ ବସାଇ ସତ୍ୟଜିତ୍‍ ଡ୍ରାଇଭ୍‍ କରି ନେଲେ ଫ୍ଲାଇମାଉଥ୍‍ଟାକୁ ।

 

କ୍ରିଂ....... କ୍ରିଂ........ କ୍ରିଂ..........

 

କ୍ରିଂ....... କ୍ରିଂ........ କ୍ରିଂ..........

 

ସତ୍ୟଜିତ୍‍ ଏସ୍‍. ପି.ଙ୍କ ଘରୁ ଫେରି ବଦଳୁଥଲେ । ଓଦାପ୍ୟାଣ୍ଟ ସାର୍ଟ । ଲୁଙ୍ଗିଟା ପିନ୍ଧି ଡ୍ରଇଂରୁମ୍‍କୁ ଆସି ଫୋନ ରିସିଭ୍‍ କଲେ—

 

ହ୍ୟାଲୋ....କିଏ କୁହୁଛନ୍ତି ?

 

ଅନ୍ୟ ପ୍ରାନ୍ତରୁ ଭାସି ଆସିଲା ଏକ ନାରୀର ବୀଣାଜିଣା କଣ୍ଠସ୍ୱର—ଆପଣ—ମିଷ୍ଟର ସତ୍ୟଜିତ୍‍ ଦାସ—ସି.ଆଇ.ଡି ଇନ୍‍ସପେକ୍‍ଟର ?

 

ହଁ ହଁ ଆପଣ କିଏ ? କେଉଁଠାରୁ କହୁଛନ୍ତି ?

 

ମୁଁ.......ମୁଁ କେଉଁଠାରୁ ଆଉ କିଏ କହୁଚି କିଛି ଜାଣିବା.......ଆବଶ୍ୟକ ନାହିଁ । ମୁଁ ଘଟିଥିବା ହତ୍ୟାକାଣ୍ଡ ଆଉ ତାର ନାୟକ ବିଷୟରେ ବହୁତ କିଛି ଜାଣେ ! କିନ୍ତୁ ଆପଣଙ୍କ ନିକଟକୁ ଯାଇ ପାରିଲି ନାହିଁ.....ମୁଁ ଘରୁ ଗୋଡ଼....କାଢ଼ିବା ମାତ୍ରେ ରିଭଲଭର୍‍ ବୁଲେଟ୍‍ ଭେଦ କରିବ—ମୋର ବକ୍ଷକୁ । ବରଂ ଆପଣ ଗୁପ୍ତ ଭାବେ ଏଠାକୁ ଆସିପାରନ୍ତି । ସ୍ୱରରୁ ଜଣା ପଡ଼ୁଥିଲେ ସତେ ଯେପରି ନାରୀଟି ଭୟ ପାଇଛି ।

 

ଆପଣ—ତାହା ହେଲେ ଫୋନରେ କହୁ ନାହାନ୍ତି ?

 

ନା—ନା—ମୁଁ ଏଭଳି କହିପାରିବି ନାହିଁ । ତା’ର ଯଥେଷ୍ଟ କାରଣ ଅଛି । ଆପଣ ଆସନ୍ତୁ—

 

କିନ୍ତୁ ମୁଁ ଯେ ଆପଣଙ୍କ ଆଡ୍ରେସ ଜାଣିନି !

 

ଆଡ୍ରେସ ଜାଣିବା କିଛି ଆବଶ୍ୟକ ନାହିଁ । ଆପଣ ଡ୍ରେସିଂ ହୋଇ ଘରୁ ବାହାରି ଆସନ୍ତୁ.....ଆପଣଙ୍କ ଘରର ଗେଟ୍‍ ସମ୍ମୁଖରେ.....ମୁଁ ପଠାଇଥିବା.....ଗୋଟାଏ କଳା......ପ୍ଲାଇମାଉଥ୍ ରଖାଯାଇଥିବ । ନମ୍ୱର....ପନ୍ଦରଶହ ବାଇଶ....... । ବାସ୍‍ ......ସେଇଥିରେ ନିର୍ଭୟରେ ବସିଯା’ନ୍ତୁ.....ମୋ ନିକଟରେ ପହଞ୍ଚି.....ପାରିବେ । ସାବଧାନ.....ଅନ୍ୟ କାହାକୁ କିମ୍ୱା ପୋଲିସକୁ ସାଙ୍ଗରେ ଆଣି ନିଜର ଭୀରୁତା.....ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେନି । ଆଣିଲେ ଅପରାଧୀକୁ ଆରେଷ୍ଟ କରିବା ତ ଦୂରର କଥା ମୋର ଜୀବନର ସତ୍ତା ଦେଖିବାକୁ ପାଇବେନି ଦେଖିବେ ମୋର ମୃତ ଶରୀରଟାକୁ..... ।

 

ହଠାତ୍‍ କିଏ ଯେପରି ନାରୀଟିର ପାଟି ବନ୍ଦ କରିଦେଲା । ତା’ପରେ ସ୍ପଷ୍ଟବାରି ହେଲେ ରିସିଭର ରଖିବାର ଶବ୍ଦ ।

 

ହ୍ୟାଲୋ..... ହ୍ୟାଲୋ । ସତ୍ୟଜିତ୍‍ ଦାସଙ୍କ ହୃଦୟରେ ଖେଳିଗଲା ସନ୍ଦେହର ତରଙ୍ଗ । କ’ଣ ହେଲା ? ସେ ଯିବେ କି ନାହିଁ ? ତାଙ୍କୁ ହସ୍ତଗତ କରିବାର ଏ ଗୋଟାଏ ଜାଲ ନୁହେଁ ତ ! ତଥାପି ସେ ଯିବେ । ନିଜର କର୍ତ୍ତବ୍ୟ ସାଧନ କରିବେ ସେ । ସିଦ୍ଧି ଲାଭ କରିବା ଅଦୃଷ୍ଟର ଇଙ୍ଗିତ ଉପରେ ନିର୍ଭର କରେ ।

 

ଡ୍ରଇଂରୁମ୍‍ ମଧ୍ୟରେ ପ୍ରବେଶ କଲେ ସେ । ସଙ୍ଗେ ସଙ୍ଗେ ପିନ୍ଧି ପକାଇଲେ ଗୋଟାଏ ଗାଢ଼ କଳାରଙ୍ଗର ସିଲକ ସାର୍ଟ । ତା’ପରେ ପିନ୍ଧିଲେ ଧଳା ଗୋଆଲିୟର୍‍ ରେୟନ୍‍ର ପ୍ୟାଣ୍ଟ । ତା’ପରେ ସେହି ଧଳାକନାର ବଟନ୍‍ ଦିଆ ଗୋଟାଏ ଜରକିନ୍‍ଟାକୁ ଅଧା ବଟନ୍‍ ଲଗାଇ ପିନ୍ଧି ନିକଟରେ ରଖାଯାଇଥିବା ଗୋଟାଏ ବେଲ୍‍ଜିୟମ ମିରର ସମ୍ମୁଖରେ ଛିଡ଼ା ହେଲେ । ଶୀଘ୍ର ମୁଣ୍ଡଟା କୁଣ୍ଡାଇ ଦେଇ ବାହାରି ଆସିଲେ ବାହାରକୁ । ଦ୍ୱାରରେ ତାଲା ଦେଇ ଗେଟ୍‍ ନିକଟକୁ ଗଲେ । ଦେଖିଲେ, ଗେଟ୍‍ ବାହାରେ ରଖାଯାଇଛି ଗୋଟାଏ ପ୍ଲାଇମାଉଥ୍‍ । ନିକଟକୁ ଯାଇ ନମ୍ୱର ଦେଖିଲେ—1522..... । ତାଙ୍କୁ ଦେଖି ଡ୍ରାଇଭର୍‍ ଓହ୍ଲାଇ ଆସିଲା କାର୍‍ ମଧ୍ୟରୁ । ପଛପାଖର ଦ୍ୱାରଟା ଖୋଲି ଦେଇ ସେ ବସିବା ପାଇଁ ନିର୍ଦ୍ଦେଶ ଦେଲା ସତ୍ୟଜିତ୍‍ଙ୍କୁ । ବିନା ବାକ୍ୟବ୍ୟୟରେ ସତ୍ୟଜିତ୍‍ ବସି ପଡ଼ିଲେ ପଛ ସିଟରେ । ପୂର୍ବରୁ ପଛ ସିଟରେ ବସିଥିଲେ ଆଉ ଜଣେ ଲୋକ ଟିକିଏ ଘୁଞ୍ଚିଗଲା । ସେ ଡ୍ରାଇଭର କାର୍‍ର ଦୁଇ ପାର୍ଶ୍ୱଦେଶରେ କଳା ରଙ୍ଗର ସ୍କ୍ରିନ ଟାଣି ଦେଲା । ତା’ପରେ ସତ୍ୟଜିତ୍‍ଙ୍କ ପାର୍ଶରେ ବସିଥିବା ଲୋକଟି ତାଙ୍କ ସମ୍ମୁଖରେ ଥବା ଗୋଟାଏ କଳା ସ୍କିନ୍‍ ଟାଣି ଦେଲା । ବର୍ହିଜଗତର ସମସ୍ତ ବିଷୟ ରହିଗଲା ସତ୍ୟଜିତ୍‍ଙ୍କ ଦୃଷ୍ଟିର ଅନ୍ତରାଳରେ । କାର୍‍ଟି ପ୍ରଖର ବେଗରେ ଛୁଟି ଚାଲିଲା ।

 

କେଉଁଆଡ଼କୁ ଯାଉଛନ୍ତି କିଛି ଜାଣି ପାରିଲେନି ସେ । କେବଳ ଅନୁମାନ କରି ପାରିଲେ—କଟକ ସହରର କେଉଁ ଏକ ରାସ୍ତାରେ ସେ ବସିଥିବା କାରଟି ଆଗେଇ ଯାଉଛି । କାରଣ ଜନ କୋଳାହଳ, ମଟର୍‍ ହର୍ଣ୍ଣ ଓ ରିକ୍‍ସାର ଠକ୍‍ ଠକ୍‍ ଶବ୍ଦ ପ୍ରଭୃତି ସେ ବେଶ୍‍ ଶୁଣି ପାରୁଥିଲେ । ପ୍ରାୟ ପନ୍ଦର ମିନିଟ୍‍ ପରେ କାର୍‍ ବ୍ରେକ୍‍ ଦେଲା । ବ୍ରେକ ଦେବା ପୂର୍ବରୁ ପାର୍ଶ୍ୱଭାଗରେ ବସିଥିବା ଲୋକଟି ସତ୍ୟଜିତ୍‍ଙ୍କ ଦୁଇଚକ୍ଷୁ ବାନ୍ଧି ଦେଇଥିଲା ଗୋଟିଏ କଳା କନାର ପଟି, ଯେପରି ବାହରକୁ ଆସିଲେ କିଛି ଦେଖି ପାରିବେନି ସେ । ସତ୍ୟଜିତ୍‍ ବାଧା ଦେଇ ନଥିଲେ । କେବଳ ସନ୍ଦେହ କରିଥିଲେ—ଅପରାଧୀ ବିରୁଦ୍ଧରେ ଯାଉଥିବା ଲୋକର ଏ ପ୍ରକାର ବ୍ୟବସ୍ଥା କାହିଁକି ?

 

କାର୍‍ ବ୍ରେକ୍‍ ଦେବା ପରେ ଲୋକଟି ତାଙ୍କୁ ଧରି ବାଟ କଢ଼ାଇ ଆଣିଲା । ଚକ୍ଷୁ ହୀନ ମନୁଷ୍ୟ ଭଳି ଚାଲିବାକୁ ଲାଗିଲେ ସତ୍ୟଜିତ୍‍ ।

 

ଅନୁମାନ କଲେ କୌଣସି ହୋଟେଲ ମଧ୍ୟରେ ପ୍ରବେଶ କରିଛନ୍ତି ସେ । ଦୂରରୁ ଆସୁଥିବା ଅକେଷ୍ଟ୍ରାର ମୃଦୁ ସଙ୍ଗୀତ ଧନୀ ପ୍ରବେଶ କରୁଥାଏ ତାଙ୍କ କର୍ଣ୍ଣ କୁହରରେ । କ୍ରମେ କ୍ରମେ ମିଳାଇ ଯିବାକୁ ଲାଗିଲା ସେହି ସଙ୍ଗୀତ ଧ୍ୱନି । ସେହି ଲୋକଟି ସାହାଯ୍ୟରେ ସୋପାନ ପରେ ସୋପାନ ଉପରକୁ ଉପରକୁ ଅତିକ୍ରମ କରିବାକୁ ଲାଗିଲେ ସତ୍ୟଜିତ୍‍ । କିଛି ସମୟପରେ ସମାପ୍ତି ଘଟିଲା ସୋପାନ ଶ୍ରେଣୀର । ସମତଳ ଚଟାଣ ଉପରେ ଯିବାକୁ ଲାଗିଲେ ସେ । ଦୁଇ ଚାରିଟା ମୋଡ଼ ବୁଲିବାପରେ ଗୋଟାଏ ସ୍ଥାନରେ ଛିଡ଼ା କରାଗଲା ତାଙ୍କୁ । ତା’ପରେ ଫଟାଇ ଦିଆଗଲେ କଳା ପଟିଟି ।

 

ଚମକି ଗଲେ ସେ । ସମ୍ମୁଖରେ ତାଙ୍କର ପଡ଼ିଛି ଗୋଟାଏ କାରୁକାର୍ଯ୍ୟ ପୂର୍ଣ୍ଣ ମୂଲ୍ୟବାନ ପଲଙ୍କ । ତା’ଉପରେ ସଜ୍ଜିତ ହୋଇପଡ଼ିଛି ଏକ ଗାଢ଼ ସବୁଜ ରଙ୍ଗର ମୂଲ୍ୟବାନ ଭେଲ୍‍ଭେଟ ଗଦି । ଗୋଟାଏ ପ୍ରାନ୍ତରେ ସେଇ ରଙ୍ଗର ଭେଲ୍‍ଭେଟ ତକିଆ । ତା’ରି ଉପରେ କହୁଣୀ ଭରାଦେଇ ପାଦ ଦୁଇଟି ଅନ୍ୟପ୍ରାନ୍ତକୁ ଲମ୍ୱାଇଦେଇ ପଲଙ୍କର ଗୋଟାଏ ବାଡ଼ାକୁ ଆଉଜି ପଡ଼ିଛି ଗୋଟାଏ ଅପରୂପା ଯୁବତୀ । ପିନ୍ଧିଛି ଗୋଟାଏ ଧଳା ରଙ୍ଗର ସିଲ୍‍କ ଘାଘରା । ଉନ୍ନତ ବକ୍ଷଦେଶ ଦେଇ ଋଷି କନ୍ୟାମାନଙ୍କ ଭଳି ବାନ୍ଧି ଦେଇଛି ଗୋଟାଏ ଗାଡ଼ କଳା ରଙ୍ଗର ସିଲ୍‍କ କନା । ଲଜ୍ଜା ନିବାରଣ ପାଇଁ ବେଶ୍‍ ସେତିକି । ବକ୍ଷ ଦେଶରେ ସ୍ୱର୍ଣ୍ଣଭରଣର ଅପୂର୍ବ ଝଲକ । କେଶରାଶି ତା’ର ଅପୂର୍ବ ଭାବେ ସଜ୍ଜିତ । ଘର ସାରା ମୂଲ୍ୟବାନ ଏସେନ୍‍ସ୍‍ ଦ୍ୱାରା ସୁଗନ୍ଧିତ ଏବଂ ଇଷତ ନୀଳ ବିଦ୍ୟୁତାଲୋକ ଦ୍ୱାରା ଉଦ୍ଭାସିତ ।

 

ସତ୍ୟଜିତ୍‍ଙ୍କୁ ଚାହିଁ ଏକ ଅପୂର୍ବ ଭଙ୍ଗୀମାରେ ହସି ଉଠିଲା ଲାସ୍ୟମୟୀ ଯୁବତୀଟି । ଶୁଭ୍ର ଦାନ୍ତ ପଂକ୍ତି ତା’ର ମୁକ୍ତାମାଳା ଭଳି ଝଟକି ଉଠିଲା । କେତୋଟି ମୁହୂର୍ତ୍ତପାଇଁ ଆତ୍ମବିଭୋର ହୋଇ ପଡ଼ିଲେ ସତ୍ୟଜିତ୍‍ । ମନେ କରୁଥିଲେ ସତେ ଯେପରି ଅପ୍‍ସରା ଭୁବନରେ ପହଞ୍ଚିଛନ୍ତି ସେ । ହଠାତ୍‍ ତାଙ୍କର ବିହ୍ୱଳତା ଭାଙ୍ଗିଲା ଯୁବତୀଟିର ମଧୁର କଣ୍ଠସ୍ୱରରେ—

 

ବସନ୍ତୁ......

 

ଲଜ୍ଜିତ ହେଲେ ସତ୍ୟଜିତ୍‍ । ପଶ୍ଚାଦଭାଗକୁ ଚାହିଁଲେ ସେ । ଗୋଟାଏ ସ୍ପ୍ରିଂ ଦିଆ ମୁଲ୍ୟବାନ ଚୌକି ପଡ଼ିଛି । ବସି ପଡ଼ିଲେ । ଚତୁଃପାର୍ଶ୍ୱକୁ ସେ ଚାହିଁଲେ । ଅନୁମାନ କଲେ, ଗୋଟାଏ ସୁସଜ୍ଜିତ ହଲ୍‍ ମଧ୍ୟରେ ଅଛନ୍ତି ସେ ଆଉ ଯୁବତୀଟି । ଆଉ କେହି ନାହାନ୍ତି । ପଶ୍ଚାଦଭାଗରେ ତାଙ୍କର ବହୁଦୂରରୁ କାନ୍ଥ ବଦଳରେ ଝୁଲା ଯାଇଛି ଗୋଟାଏ ଲାଲ ରଙ୍ଗର ଦାମିକା ସ୍କ୍ରିନ୍‍ । ବାହାରକୁ ଯିବାକୁ ଗୋଟିଏ ଦ୍ୱାର । ସେଥିରେ ମଧ୍ୟ ଲାଲ୍‍ ସ୍କ୍ରିନ୍‍ । ଦୁଇ ପାର୍ଶ୍ୱରେ ତାର ଛ’ଟି ଝରକା । ସେଥିରେ ମଧ୍ୟ ସେଇ ଲାଲ ସ୍କ୍ରିନ୍‍ । ପୁଣି ଶୁଣି ପାରିଲେ ସେଇ ନାରୀର ସୁମଧୁର ସ୍ୱର—

 

କ’ଣ ଦେଖୁଛନ୍ତି ? ପୁଣି ନିଃଶବ୍ଦରେ ହସି ଉଠିଲା ସେ ।

 

ଏଥର ଚମକି ଉଠିଲେ ସତ୍ୟଜିତ୍‍ । ଏଇ କଣ୍ଠସ୍ୱର ଯେପରି ତାଙ୍କର ପରିଚିତ । କିନ୍ତୁ, କାହାର ମନେ ପଡ଼ିଲାନି । ଯୁବତୀଟିକୁ ତ କେଉଁଠି ଦେଖିଛନ୍ତି ବୋଲି ମନେ ହେଉନି । ସମ୍ଭବତଃ ଅତି ଚତୁରତା ସହିତ ମେକ୍‍ଅପ୍‍ ହୋଇଛି ସେ ।

 

ପୁଣି କହିଲେ ସେ—

 

ଏଥର କୁହନ୍ତୁ କେତେଦୂର ଆଗେଇଛନ୍ତି ?

 

ମାନେ ! ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ ସତ୍ୟଜିତ୍‍ ।

 

ମାନେ—ଅପରାଧୀକୁ ଆରେଷ୍ଟ କରିବା ପଥରେ....... । ସେ ପୁଣି ହସି ଉଠିଲା ଏକ ଅପୂର୍ବ ଭଙ୍ଗୀରେ ।

 

ମୁଁ......ମୁଁ ତ କିଛି ଆଗେଇ ପାରିନି । ଆଶାକରେ ଆପଣ ସେ ଦିଗରେ ସାହାଯ୍ୟ କରିବେ ! ସନ୍ଦେହ ମନରେ ଚିନ୍ତିତ ଥିଲେ ମଧ୍ୟ ଗୋଟାଏ ବକ୍ର କଟାକ୍ଷପାତ କରି ସତ୍ୟଜିତ୍‍ କହିବାକୁ କୁଣ୍ଠାବୋଧ କଲେନି ।

 

ସାହାଯ୍ୟ ? .......ପୁଣି ହସି ଉଠିଲା ସେ । ଏକ ଅପୂର୍ବ ବକ୍ର କଟାକ୍ଷପାତ କରି ସେ ମଧ୍ୟ କହିଲା—ସାହାଯ୍ୟ କରିବାପାଇଁ ତ ଆପଣଙ୍କୁ ଡକାଇଛି । ଆପଣଙ୍କ ଜୀବନ ଯେତେବେଳେ ବିପଦଗ୍ରସ୍ତ, ମୋର ସେତେବେଳେ ସାହଯ୍ୟ କରିବା ଉଚିତ ନିଶ୍ଚୟ । କିନ୍ତୁ ମୋ’ ଉପଦେଶ ମାନିବେ ତ ? ପୁଣି ନିଃଶବ୍ଦରେ ହସି ଉଠିଲା ସେ—ସତ୍ୟଜିତ୍‍ଙ୍କ ଚକ୍ଷୁ ସହିତ ଚକ୍ଷୁ ମିଳାଇ ।

 

ଆପଣ କଣ କହୁଛନ୍ତି ମୁଁ ବୁଝି ପାରୁନି ।

 

ବୁଝି ପାରୁନାହାନ୍ତି ? ତେବେ ବୁଝନ୍ତି ତେବେ ବୁଝନ୍ତୁ—ଆପଣ ଅପରାଧୀର ଅନୁସନ୍ଧାନରୁ କ୍ଷାନ୍ତ ନହେଲେ ଆପଣଙ୍କୁ ହତ୍ୟା କରାଯିବ । ଅନ୍ୟ ଆଡ଼କୁ ଚାହିଁଲା ସେ—

 

ସତ୍ୟଜିତ୍‍ ଏଥର ସ୍ପଷ୍ଟ ବୁଝି ପାରିଲେ—ବର୍ତ୍ତମାନ ସେ ଡକାୟତ ମାନଙ୍କର ସଂପୂର୍ଣ୍ଣ କବଳିତ । ତଥାପି ଭୟ ନକରି ସେ ସାହସର ସହିତ ଚାହିଁ ରହିଲେ ଯୁବତୀଟିକୁ । ମୁହଁ ବୁଲାଇ ପୁଣି କହିଲା ସେ—

 

ଅନୁସନ୍ଧାନରୁ କ୍ଷାନ୍ତ କରିବାପାଇଁ ଅବଶ୍ୟ ଆପଣଙ୍କୁ ଯଥେଷ୍ଟ ଧନ ଦିଆଯିବ । କେତେ ନେବେ ? ଦଶ ହଜାର ? ପନ୍ଦର ହଜାର ? ତିରିଶ ହଜାର ? ପଚାଶ ହଜାର ?

 

ମୁଁ ମୋର କର୍ତ୍ତବ୍ୟକୁ ନିଲାମରେ ବିକ୍ରୀ କରିବାକୁ ଆସିନି ଏଠାକୁ । ସହଜ ସ୍ୱରରେ କହିଲେ ସତ୍ୟଜିତ୍‍ ।

 

ଓଃ.....ଏପରି କଥା ? ପଶ୍ଚାଦ୍‍ଭାଗରୁ କାହାର କର୍କଶ କଣ୍ଠର ବ୍ୟଙ୍ଗୋକ୍ତି ଶୁଣାଗଲା । ମୁହଁ ବୁଲାଇଲେ ସତ୍ୟଜିତ୍‍ । ଲାଲ୍ ସ୍କ୍ରିନର ସମ୍ମୁଖରେ ଛିଡ଼ା ହୋଇଛି ଏକ କଳା ପୋଷାକଧାରୀ ନରମୂର୍ତ୍ତୀ । ଆଖିଠାରୁ ତଳକୁ ତାର ବନ୍ଧାଯାଇଛି ଗୋଟାଏ କଳା ରୁମାଲ । ମସ୍ତକରେ ଗୋଟାଏ ଫଲ୍‍ଟ କ୍ୟାପ୍‍ । ପୁଣି ସେ କହିଲା—

 

ତେବେ ମନେ ରଖନ୍ତୁ ମିଷ୍ଟର ସତ୍ୟଜିତ୍‍ ଦାସ—ଆପଣଙ୍କୁ ଏକମାସ ସମୟ ଦିଆଗଲା । ଯଦି ଏହି ଏକମାସ ମଧ୍ୟରେ ଆପଣ ଆମର ଅନୁସନ୍ଧାନର ବିରତ ନ ରହନ୍ତି, ତେବେ ଆଜିଠାରୁ ଏକମାସ ଯେଉଁଦିନ ପୂର୍ଣ୍ଣହେବ, ଠିକ୍‍ ତାର ପରଦିନ ଆପଣଙ୍କୁ ହତ୍ୟା କରାଯିବ ।

 

ସତ୍ୟଜିତ୍‍ ଚୌକି ଛାଡ଼ି ଛିଡ଼ାହେଲେ ଏବଂ କହିଲେ—ତେବେ ଆଜି ମୁଁ ଆସୁଚି ?

 

ଉଁ ହୁଁ.......ସେପରି ନୁହେଁ ବନ୍ଧୁ । ସର୍ବତ୍‍ ଟିକିଏ ପି’ କରି ଯିବେ । ଭୟ ନାହିଁ—ମୃତ୍ୟୁ ହେବ ନାହିଁ ।

 

ତା’ପରେ ଦୁଇଟି ତାଳି ମାରିଲା ସେ ।

 

ସଙ୍ଗେ ସଙ୍ଗେ ପୂର୍ବୋକ୍ତ ଯୁବତୀଟି ପଲଙ୍କ ଉପରୁ ଉଠି ଆସି ସତ୍ୟଜିତ୍‍ଙ୍କ ଦୁଇହାତକୁ ନିଜର ଦୁଇ ହାତରେ ଧରି ପକାଇ ତାଙ୍କୁ ଚାହିଁ ହସିଲା । ଏହି ସମୟରେ ପଶ୍ଚାଦଭାଗରୁ ସେ ଶୁଣିବାକୁ ପାଇଲେ ଇଂଲିସ୍‍ ଅର୍କେଷ୍ଟ୍ରାର ମଧୁର ସଙ୍ଗୀତ ଧ୍ୱନୀ । କେବଳ ଇଂଲିଶ ମ୍ୟୁଜିକ୍‍ ମିଶ୍ରିତ ହୋଇ ଗଢ଼ି ଉଠୁଥିଲା ତାର ସ୍ୱର । ପଛକୁ ଚାହିଁଲେ ସତ୍ୟଜିତ୍‍ । କଳା ପୋଷାକଧାରୀ ନରମୂର୍ତ୍ତୀଟି ଆଉ ସେଠାରେ ନାହିଁ । ସ୍କ୍ରିନ୍‍ର ପଶ୍ଚାଦଭାଗରୁ ଆସୁଚି ଅର୍କେଷ୍ଟ୍ରାର ସଙ୍ଗୀତ ଧ୍ୱନୀ । ଏହି ସମୟରେ ତାଙ୍କୁ ଟିକିଏ ହଲାଇ ଦେଲା ଯୁବତୀଟି ଓ ହସିଦେଇ ସଙ୍ଗୀତର ତାଳେ ତାଳେ ଗୀତ ବୋଲି ତାଙ୍କର ନିକଟରେ ନୃତ୍ୟ ରଚନା କଲା ।

 

ରହିବ ଟିକେ,ରହିଯାଅ ଗୋ,

ତୁମେ ଯେତେଦୂରେ ଗଲେ ବି ତୁମର ସାଥେ ମୁଁ ଥିବି,

କହିବି ଟିକେ, କହି ଯାଅ ଗୋ,

ତୁମେ ଯେତେଦୂରେ ଗଲେ ବି ତୁମର ସାଥେ ମୁଁ ଥିବି,

କହିବି ଟିକେ, କହି ଯାଅ ଗୋ,

ତୁମେ ଯେତେ ଭୁଲିଲେ ବି ତୁମର ହୃଦୟେ ମୁଁ ଥିବି ।

କ୍ଷଣ କ୍ଷଣ ମୋ ହୃଦୟ ଦୁଆରେ ପ୍ରଶ୍ନ ଜାଗେ ପରା ଗୋ,

ଆଜି ମିଳନର ରାତିରେ ଏ ବିଚ୍ଛେନ କିମ୍ପା ଗୋ ?

ରାଣ ମୋର

ଦିଏ ପ୍ରିୟ,

ରହି ଯାଅ ବାରେ ଗୋ । ରହିବ ଟିକେ..........

ମୁଁ ତ ହସୁଚି ତୁମର ମିଳନେ , ତୁମେ ହସ ପ୍ରଣୟୀ,

ଚାହଁ ଟିକେ ବି ପ୍ରଣୟ ନୟନେ ସ୍ନେହ ସଙ୍କେତ ଦେଇ

‘‘ପ୍ରେୟସୀ,

ଆସଗୋ’’

ଡାକି ଯାଅ ବାରେ ଗୋ । ରହିବ ଟିକେ.......

ତୁମରି ପରଶେ ମଜ୍ଜିଯାଏ ମୁଁ, ବିତୁ ଏହି ରଜନୀ,

ମାନିବନି ମୁଁ ଆଜି ସେ ବାହାନା, ଦେଖ—ମୁଁ ତ ମାନୁନି ।

ଆସଗୋ

ରଚିବା

ପ୍ରେମ ସ୍ମୃତି ବାରେ ଗୋ । ରହିବ ଟିକେ.....

 

ଗୀତଟି ଠିକ୍‍ ସମାପ୍ତ ହେଲାବେଳକୁ ଗୋଟାଏ କଳା ପୋଷାକଧାରୀ ଶୀର୍ଣ୍ଣକାୟ ବ୍ୟକ୍ତି ସର୍ବତ ଗ୍ଲାସେ ଆଣି ପ୍ରବେଶକଲା ଦ୍ୱାର ବାଟେ । ଯୁବତୀଟି ତା’ଠାରୁ ସର୍ବତ ନେଇ ସତ୍ୟଜିତ୍‍ଙ୍କୁ ପି’ବାକୁ ଦେଲା ଏବଂ ସେଠାରୁ ଚାଲିଯିବା ପାଇଁ ଲୋକଟିକୁ ଇଙ୍ଗିତ ଦେଲା । ସଙ୍ଗେ ସଙ୍ଗେ ପ୍ରସ୍ଥାନ କଲା ସେ । ଇଚ୍ଛା ବିରୁଦ୍ଧରେ ସତ୍ୟଜିତ୍‍ ସର୍ବତ ପିଇବାକୁ ବାଧ୍ୟହେଲେ । ପିଇ ସାରିବାର କିଛିକ୍ଷଣ ପରେ କିପରି ଅସୁସ୍ଥତା ବୋଧକଲେ ସେ । ମସ୍ତଷ୍କରେ ଅନୁଭବକଲେ ତୀବ୍ର ଯନ୍ତ୍ରଣା । ତା’ପରେ ଯୁବତୀଟି ତାଙ୍କୁ ଟାଣିନେଲା ପଲଙ୍କ ଉପରକୁ । ବସିଯାଇ ତାଙ୍କ ମସ୍ତଷ୍କକୁ ନିଜ କୋଳରେ ସ୍ଥାପନ କରି ମୃଦୁ କର ସଞ୍ଚାଳନ କରିବାକୁ ଲାଗିଲା ସେ । ଇଚ୍ଛା ନଥିଲେ ମଧ୍ୟ ତା’ରି କୋଳରେ ପଡ଼ି ରହିଲେ ସତ୍ୟଜିତ୍‍ । କିଛି ସମୟପରେ ହସିଦେଇ କହିଲା ସେ—

 

ଆପଣଙ୍କ ଉପରେ ଯିଏ ଯେତେ ରାଗିଥାଉ ନା କାହିଁକି, ଆପଣଙ୍କୁ ଦେଖିଲେ ସବୁ ଭୁଲିଯିବ ।

 

ଏତେ ଯନ୍ତ୍ରଣାରେ ବି ଟିକିଏ ହସିଦେଲେ ସତ୍ୟଜିତ୍‍ । ପୁଣି ଅତି ନରମା କଣ୍ଠରେ ଯୁବତୀଟି କହିଲା—ଶୋଇପଡ଼ନ୍ତୁ ।

 

ହୋ........

 

ନିଦଟା ଭାଙ୍ଗିଗଲା ସତ୍ୟଜିତ୍‍ଙ୍କର । ଝରକା ଆରପଟେ ଖିଲ୍‍ ଖିଲ୍‍ ହୋଇ ହସି ଉଠିଲା ଗୋଟାଏ ଦଶ ଏଗାର ବର୍ଷର ବାଳିକା । ଝରକା ଆଡ଼କୁ ଚାହିଁ କହିଲେ ସତ୍ୟଜିତ୍‍—

 

ଫୁଲ ତ ତୋଳିବାକୁ ଆସିଛି, ଏ ବାଡ଼ିଟାରେ ମୁଣ୍ଡକଣ୍ଟାଟାଏ ବାନ୍ଧି ମୋତେ କେଞ୍ଚୁଛ କାହିଁକି ?

 

ଆଉ କଣ କରିଥା’ନ୍ତି ? ଏତେ ଡାକିଲି, ଟେକା ତ ଫୋପାଡ଼ିଲି, ଉଠିଲେ ନାହିଁ ।

 

ସତ୍ୟଜିତ୍‍ଙ୍କ ଚକ୍ଷୁ ଘରର ଚତୁର୍ଦ୍ଦିଗରେ ଓ ପଲଙ୍କ ଉପରେ ବୁଲି ଆସିଲା । ତଳେ ଓ ଖଟ ଉପରେ ପଡ଼ିଛି ଗୋଡ଼ି ଆଉ ଗୋଟାଳିଆ ମାଟି ।

 

ଏଁ ! ୟା ଭିତରେ ଦେଖୁଚି ଘରଟାକୁ ତୁମେ ମ୍ୟୁନିସିପାଲିଟି ମଇଳା ଟିଣ କରି ସାରିଲଣି !

 

ବେଶ୍‍ ତ । ଆଉ ଭାବିବାର କ’ଣ ଅଛି ? ଆପଣ ଏଥର ମ୍ୟୁନିସିପାଲଟିର କର୍ତ୍ତୃପକ୍ଷଙ୍କ ଖବର ଦେଇ ଦିଅନ୍ତୁ ।

 

ହୁଃ ! ହସିଦେଲେ ସତ୍ୟଜିତ୍‍ । ଆଉ କିଛି କହିଲେ ନି ।

 

ଜ୍ୟୋସ୍ନାମୟୀ ! ଅଣ୍ଡର୍‍ ସେକ୍ରେଟେରୀଙ୍କ କନ୍ୟା ଅଳ୍ପ ଦୂରରେ ତାଙ୍କ ଘର । ଦଶ କି ଏଗାର ବର୍ଷ ବୟସ । କଥା କହେ ବୟସ୍କାଙ୍କ ଭଳି । ନିଜ ବଗିଚାର ଏତେ ଫୁଲ ଅଣ୍ଟେନି ତାକୁ । ସକାଳୁ ଦୌଡ଼ି ଆସେ ସତ୍ୟଜିତ୍‍ଙ୍କ ହତା ମଧ୍ୟକୁ, ଫୁଲ ତୋଳିବା ପାଇଁ । କେଉଁଦିନ ଯଦି ସତ୍ୟଜିତ୍‍ ଉଠି ନଥାନ୍ତି, ଯେ କୌଣସି ଉପାୟ ଅବଲମ୍ବନ କରି ଉଠାଇ ଦିଏ ସେ ।

 

ଉଠି ବସିଲେ ସତ୍ୟଜିତ୍‍ ।

 

ଆରେ ବାଃ ! ଆଜି କ’ଣ ଏତେ ବେଶ ! ଫୁଲ୍‍ ପ୍ୟାଣ୍ଟ, ସାର୍ଟ ଜକନ୍‍ ପିନ୍ଧି ସେ ଶୋଇଥିଲେ ! ତେବେ ?

 

ମନେ ପଡ଼ିଲା ତାଙ୍କର ପୂର୍ବ ରାତ୍ରିର କଥା । ଘଟଣାଗୁଡ଼ିକ ସ୍ୱପ୍ନ ଭଳି ପ୍ରତୀୟମାନ ହେଲା ତାଙ୍କୁ । ସେ ହଠାତ୍‍ ଦୌଡ଼ିଲେ ଡ୍ରଇଁରୁମ୍‍କୁ

 

ଉଁ ଚାହୁଁ ଚାହୁଁ କ’ଣ ରେସ୍‍ ଆରମ୍ଭ କରି ଦେଲେଣି ? ବିନା ଟିକେଟରେ ମୁଁ ରେସ୍‍ ଦେଖେନି । ଫେରିଗଲା ଜ୍ୟୋସ୍ନାମୟୀ ।

 

ଡ୍ରଇଂରୁମ୍‍କୁ ଆସିଲେ ସତ୍ୟଜିତ୍‍ । ଦେଖିଲେ ବାହାର ପଟ ଦ୍ୱାରଟା ଖୋଲା ଅଛି । ଅନ୍ୟ ସମସ୍ତ କୋଠରୀ ପରୀକ୍ଷା କଲେ ସେ । ସମସ୍ତ ବସ୍ତୁ ପୂର୍ବପରି ରହିଛି । ଡ୍ରଇଂରୁମ୍‍ର ଟେବଲ୍‍ ଉପରୁ ସେ ପାଇଲେ ଗୋଟାଏ ଗୋଲାପୀ ଏନ୍‍ଭଲପ୍‍ । ଖାମ୍‍ ମଧ୍ୟରୁ ସେ ବାହାର କଲେ ଗୋଟାଏ ଲାଲ କାଗଜ । ସେଥିରେ ଲେଖା ଥିଲା—

 

ପ୍ରିୟ ସତ୍ୟଜିତ୍‍ ବାବୁ,

 

ଆପଣଙ୍କୁ ଏକ ମାସ ପର୍ଯ୍ୟନ୍ତ ମୁକ୍ତ ଆକାଶର ବିହଙ୍ଗ ପରି ଉଡ଼ି ବୁଲିବାକୁ ଛାଡ଼ି ଦିଆଗଲା । ଏହି କର୍ତ୍ତବ୍ୟ ପଥ ବାଛି ନିଅନ୍ତୁ । ଆଶାକରୁ ଆପଣ ଆମର ସର୍ତ୍ତରେ ରାଜି ହେବେ । ନଚେତ୍‍ ଫଳାଫଳ ତ ଜାଣନ୍ତି ।

 

ବିଶ୍ୱସ୍ତସୂତ୍ରରୁ ସମ୍ୱାଦ ପାଇଛୁଁ—ଆଜି ଏଗାରଟା ବେଳୁ ଆପଣ ‘ଚିତ୍ରାଳୟ’ରେ ଦଳ ବଳ ନେଇ ଉପସ୍ଥିତ ରହିବେ । ତେବେ ପରୀକ୍ଷା କରିନେବେ କାହାର ବୁଦ୍ଧି ଆଉ ଶକ୍ତି ଅଧିକ । ବନ୍ଦେଗୀ ।

 

ଆପଣଙ୍କର—

 

ହୁଁ । ତାଙ୍କୁ ତାହାହେଲେ କାଲି ସଂଜ୍ଞାହୀନ ଅବସ୍ଥାରେ ଅପରାଧୀ ଏଠାରେ ଛାଡ଼ି ଦେଇଯାଇଛି ଆଜି । ତେବେ ଅପରାଧୀ ସହିତ ତାଙ୍କର ସାକ୍ଷାତ ହେବ ନିଶ୍ଚୟ । ଦେଖାଯାଉ ।

 

ଚିତ୍ରାଳୟ । ସମୟ ପ୍ରାୟ ସାଢ଼େ ବାରଟା । ‘‘ମିଷ୍ଟର ଫୁଟ୍‍ପାଥ’’ର ସୁଟିଂ ଆରମ୍ଭ ହେଉଛି ।

 

କ୍ୟାମେରାର ପଶ୍ଚାଦଭାଗକୁ କିଛି ଦୂରରେ ଲଗାଲଗି ହୋଇପଡ଼ିଛି । କେତେଗୁଡ଼ିଏ ଚୌକୀ ସେଥିମଧ୍ୟରୁ ଗୋଟାକରେ ବସିଛନ୍ତି ପ୍ରଯୋଜକ ନନ୍ଦକୁମାର ମହାନ୍ତି । ତାଙ୍କର ଦକ୍ଷିଣ ପାର୍ଶ୍ୱକୁ ଲାଗି ବସିଛନ୍ତି ଏସ୍‍. ପି. ହିମାଂଶୁ ମୋହନ ମିଶ୍ର ଏବଂ ତା’ ପରେ ସି. ଆଇ.ଡ଼ି ଇନ୍‍ସପେକ୍‍ଟର ସତ୍ୟଜିତ୍‍ ଦାସ । ମିଷ୍ଟର ମହାନ୍ତିଙ୍କ ବାମପାର୍ଶ୍ୱକୁ ଲାଗି ବସିଛନ୍ତି ଇନ୍‍ସପେକ୍‍ଟର ନୀହାର ରଞ୍ଜନ ପରିଜା ଏବଂ ତା’ପରେ ସବ୍‍ ଇନ୍‍ସପେକ୍‍ଟର ସୁନୀଲ ଚାଟାର୍ଜି । ସମସ୍ତଙ୍କ ନିକଟରେ ଲୋଡେଡ୍‍ ରିଭଲ୍‍ଭର ।

 

ସତ୍ୟଜିତ୍‍ଙ୍କ ନିର୍ଦ୍ଦେଶରେ ଷ୍ଟୁଡିଓର ଚତୁର୍ଦ୍ଦିଗ ଘେରାଉ କରାଯାଇଛି । କୌଣସ ଭିଜିଟରଙ୍କୁ ଷ୍ଟୁଡିଓ ମଧ୍ୟକୁ ପ୍ରବେଶ କରିବା ନିମିତ୍ତ ଅନୁମତି ଦେବା ନିଷେଧ କରାଯାଇଛି । ଗେଟ୍‍ ବାହାରେ ପ୍ରସ୍ତୁତ ହୋଇରହିଛି ଦୁଇଟି ପୋଲିସ୍‍ ଜିପ୍‍ ।

 

ସୁଟିଂ ଆରମ୍ଭ ହେଉଛି । କ୍ୟାମେରା ନିକଟରେ ପ୍ରସ୍ତୁତ ହୋଇ ରହିଛନ୍ତି କ୍ୟାମେରାମ୍ୟାନ୍‍ ଅଜିତ୍‍ ସେନ୍‍ । ତାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ନିର୍ଦ୍ଦେଶକ ସୁଦୀପ୍ତ ଦାସ ମହାପାତ୍ର । କ୍ୟାମେରା ସମ୍ମୁଖରେ ସଜ୍ଜିତ ହୋଇଛି ଗୋଟାଏ ବିରାଟ ହଲ୍‍ । କାନ୍ଥ, ଘର, ଝରକା ଗୁଡ଼ିକ ତାର କାଗଜ ତିଆରି । କିନ୍ତୁ, ସ୍ପଷ୍ଟ ଅନୁମାନ କରି ଦେଉଛି ଗୋଟାଏ ପ୍ରକୃତ ଆଧୁନିକ ହୋଟେଲ୍‍ର ଡାଇନିଂ ହଲ୍‍ ବୋଲି । ଡାଇନିଂ ହଲ୍‍ର ଶେଷଭାଗକୁ ଆର୍କେଷ୍ଟ୍ରା ବସିବା ନିମିତ୍ତ ଗୋଟାଏ ଆଧୁନିକ ଧରଣର ପେଣ୍ଡାଲ୍‍ ।

 

ସୁଦୀପ୍ତ ଦାସ ମହାପାତ୍ରଙ୍କ ନିର୍ଦ୍ଦେଶରେ ସୁସଜ୍ଜିତ ପେଣ୍ଡାଲ ଉପରେ ପଡ଼ିଥିବା ଚୌକିଗୁଡ଼ିକ ଦଖଲ କଲେ ଅର୍କେଷ୍ଟ୍ରା । ଭଦ୍ରଲୋକ ଏବଂ ଭଦ୍ରମହିଳାଙ୍କର ସମାଗମରେ ହୋଟେଲ୍‍ଟି ହୋଇଉଠିଲା ଜୀବନ୍ତ । ହୋଟେଲ୍‍ ମଧ୍ୟରେ ପଡ଼ିଥିବା ଡାଇନିଂ ଟେବୁଲ୍‍କୁ ଅଧିକାର କଲେ ପ୍ରତ୍ୟେକେ । ଆରମ୍ଭ ହେଲା ହୋଟେଲ୍‍ ବୟମାନଙ୍କର ନିତିଦିନିଆ କାର୍ଯ୍ୟ ।

 

ହଠାତ୍‍ ଡାଇନିଂ ହଲ୍‍ର ପ୍ରଧାନ ଦ୍ୱାର ଦେଇ ପ୍ରବେଶ କଲେ ଜଣେ ସାହେବୀ ପୋଷାକଧାରୀ ସୁଦର୍ଶନ ଯୁବକ । ଚକ୍ଷୁ ତାଙ୍କର ସ୍ଥିର । ବାମହସ୍ତଟି ସେ ଭରି ଦେଇଛନ୍ତି ପିନ୍ଧିଥିବା ଫୁଲ୍‍ପ୍ୟାଣ୍ଟର ପକେଟ୍‍ ମଧ୍ୟରେ । ଦକ୍ଷିଣ ହସ୍ତର ଦୁଇଟି ଅଙ୍ଗୁଳି ମୁହଁରେ ଧରିଥିବା ଗୋଲ୍‍ଡ଼ ଫ୍ଲେକ୍‍ ସିଗାରେଟ୍‍ଟିକୁ ଦେଉଛନ୍ତି ଆଶ୍ରା । ଧୀରେ ଅଧିକାର କଲେ ସେ ହୋଟେଲ୍‍ର ଗୋଟାଏ ଚୌକୀ ।

 

ସେହି ସମୟରେ ପେଣ୍ଡାଲ ଉପରୁ ସ୍ୱର ତୋଳିଲା ଅର୍କେଷ୍ଟ୍ରା । ମୁଗ୍‍ଧ ହୋଇ କିମ୍ୱା ଚମକି ପଡ଼ି ସେ ଚାହିଁଲେ ନି ଅର୍କେଷ୍ଟ୍ରା ଆଡ଼କୁ । ଦୃଷ୍ଟି ତାଙ୍କର ନିବଦ୍ଧ ହୋଇ ରହିଲା ସମ୍ମୁଖରେ ପଡ଼ିଥିବା ଗୋଟାଏ ଟେବୁଲ୍‍ର ମଧ୍ୟଭାଗରେ ସତେ ଯେପରି ସେହି ଟେବଲ୍‍ ମଧ୍ୟରେ ଲୁଚି ରହିଛି ତାଙ୍କ ଜୀବନର ସବୁ କିଛି ।

 

ଅର୍କେଷ୍ଟ୍ରା ବାଜିବା ସଙ୍ଗେ ସଙ୍ଗେ ପେଣ୍ଡାଲ୍‍ର ଏକ ପାର୍ଶ୍ୱ ଭାଗରେ ଥିବା ସୁସଜ୍ଜିତ ସିଡ଼ିକୁ ଲୀଳାୟିତ ଭଙ୍ଗିରେ ଓହ୍ଲାଇ ଆସିଲେ ଜଣେ ସୁନ୍ଦରୀ ଯୁବତୀ । ହୋଟେଲ ଗାର୍ଲ । ଇଂଲିଶ୍‍ ଅର୍କଷ୍ଟ୍ରାର ତାଳେ ତାଳେ ନୃତ୍ୟ କରି ପ୍ରତ୍ୟେକ ଡାଇନିଂ ଟେବୁଲ ଦେଇ ସେ ଯିବାକୁ ଲାଗିଲା । ରକ୍ତ ବର୍ଣ୍ଣର ଓଷ୍ଠଦ୍ୱୟ ତାର ଚାଳିତ ହେଲା ସତେ ଯେପରି ସେ ଗୀତ ବୋଲିବାରେ ବ୍ୟସ୍ତ କ୍ରମେ କ୍ରମେ ଯୁବତୀଟି ଆସିଲା ଯୁବକ ନିକଟକୁ । ସମ୍ମୁଖରେ ତାର ନୃତ୍ୟ ରଚନାକରି ବାଧା ଦେଲା ତା ଭାବନାରେ । ପର ମୁହୂର୍ତ୍ତରେ ସେ ବସି ପଡ଼ିଲା ଯୁବକଟି ବସିଥିବା ଚୌକୀର ଗୋଟାଏ ବାଡ଼ାରେ ଏବଂ ସୌନ୍ଦର୍ଯ୍ୟଭରା ମୁଖଟିକୁ ତା’ର ଝଙ୍କାଇଦେଲା ଯୁବକଟିକୁ ଆଶ୍ଚର୍ଯ୍ୟ ହୋଇ ଏବଂ ହଠାତ୍‍ ତାର ହାତଟିକୁ ଧରି ପକାଇ ଚିତ୍‍କାର କରି ଉଠିଲା—ସ୍ୱପ୍ନା ତୁମେ !

 

କଟ୍‍.....ନିର୍ଦ୍ଦେଶ ଦେଲେ ସୁଦୀପ୍ତ ଦାସ ମହାପାତ୍ର । ସଙ୍ଗେ ସଙ୍ଗେ କ୍ୟାମେରାମ୍ୟାନ୍‍ କ୍ୟାମେରା ଦୁଇଟିର କାର୍ଯ୍ୟ ବନ୍ଦ କରିଦେଲେ । ଯୁବକଟି ବସିଥିବା ଚୌକି ନିକଟରେ ପହଞ୍ଚିଲେ ସୁଦୀପ୍ତ ?

 

ମିଷ୍ଟର ନୀଳାଙ୍କ ଭୂଷଣ ସାମନ୍ତ, ଆପଣଙ୍କ ଚାହାଣୀ ପ୍ରଥମେ ଟିକିଏ ଭିନ୍ନ ପ୍ରକାର ହେବା ଉଚିତ । ଯେତେବେଳେ ମିସ୍‍ ଇରା ନୃତ୍ୟ କରି ଏପର୍ଯ୍ୟନ୍ତ ଆସିବେ, ପ୍ରଥମେ ତ ଆପଣ ଆଦୌ ତାଙ୍କୁ ଚାହିଁବେ ନାହିଁ । ପୁଣି ଯେତେବେଳେ ସାଧାରଣଭାବେ କଣେଇ କରି ଆପଣ ଚାହିଁବେ ତା’ଙ୍କୁ । ତା’ପରେ ଆଶ୍ଚର୍ଯ୍ୟ ପ୍ରକାଶ କରି କ୍ରମେ କ୍ରମେ ମୁହଁଟି ତାଙ୍କ ଆଡ଼କୁ ବୁଲାଇଦେବେ ଏବଂ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ ସେତିକିବେଳେ ହଁ.....ଠିକ୍‍ ସେତିକିବେଳେ ଗୀତଟି ଯେପରି ଶେଷ ହୋଇଥିବ । ସୁଦୀପ୍ତଙ୍କର ଏ ନିର୍ଦ୍ଦେଶନା ମନ ଦେଇ ଶୁଣୁଥିଲେ ଚିତ୍ରଟିର ନାୟକ ନୀଳାଙ୍କଭୂଷଣ ।

 

ମିସ୍‍ ଇଭା ପଟ୍ଟନାୟକ, ଆପଣଙ୍କ ଅଭିନୟ ମନ୍ଦ ହେଉନାହିଁ । ଆଉ ଟିକିଏ ଭଲ ହେବାପାଇଁ ଚେଷ୍ଟା କରନ୍ତୁ । ଗୋଟାଏ ଦୋଷ ରହିଯାଉଛି ଆପଣଙ୍କ ଓଷ୍ଠ ଚାଳନାରେ । ଏଡିଟିଂ ସମୟରେ ବ୍ୟାକ୍‍ଗ୍ରାଉଣ୍ଡ ମ୍ୟୁଜିକ୍‍ ସହିତ ଗୋଟାଏ ଗୋଟାଏ ସ୍ଥାନରେ ମିଳି ପାରିବନି ଆପଣ ତ ବ୍ୟାକ୍‍ଗ୍ରାଉଣ୍ଡ ସିଙ୍ଗର ଭଲ ହେବ ଆପଣ ବର୍ତ୍ତମାନ ଗୀତଟି ଗାଇ ଗାଇ ଆସନ୍ତୁ ଫଳତଃ ଚାଳନା ଠିକ୍‍ ରହିବ । କ’ଣ ରାଜି ତ ?

 

ମସ୍ତକଦ୍ୱାରା ନୀରବ ସଙ୍କେତ ଦେଇ ସୁଦୀପ୍ତଙ୍କ ପ୍ରସ୍ତାବରେ ରାଜି ହେଲେ ଅଭିନେତ୍ରୀ ଇଭା ପଟ୍ଟନାୟକ ।

 

ବେଶ୍‍ ଆପଣ ପୁଣି ଥରେ ଯା’ନ୍ତୁ ଆସିବେ । ଆମେ ସୁଟିଂ ଆରମ୍ଭ କରୁଛୁ । କ୍ୟାମେରା ନିକଟକୁ ଫେରି ଆସିଲେ ସୁଦୀପ୍ତ । ପେଣ୍ଡାଲ ନିକଟରେ ଥିବେ ସୁସଜ୍ଜିତ ସଡ଼ି ଉପରେ ଅଦୃଶ୍ୟ ହୋଇଗଲେ ଅଭିନେତ୍ରୀ ଇଭା । ପୁଣି ଥରେ ପ୍ରାରମ୍ଭରୁ ବାଜି ଉଠିଲା ଇଂଲିଶ୍ ଅର୍କଷ୍ଟ୍ରା । ଅପୂର୍ବଭଙ୍ଗୀରେ ଓହ୍ଲାଇ ଆସିଲେ ଛନ୍ଦମୟୀ ଇଭା । ବୀଣାଜିଣା କଣ୍ଠ ତାଙ୍କର ସ୍ୱର ତୋଳିଛି—

 

ଆଃ.......ରା......ରା......ରା......ରା.......ରା......ରା.......

ନୟନର ଏକ ସଙ୍କେତେ ମୁଁ ହୋଇଲି ତୁମରି

କେତେ ଭୁଲ୍‍ କଲି ସତେ ! ଆଉ ଆମ୍‍ ସରି

ଓ, ଆଇ ଆମ୍‍ ସରି........

ଏଃ......ରା.....ରା......ରା......ରା......ରା

ମାତିଲା ଯୌବନ ଲେଇ ଲେଇ ଲେଇ ଲେଇ,

ଭୁକିଲା ମୋ ମନ ଲେଇ ଲେଇ ଲେଇ ଲେଇ

ଅନ୍ୟର ହୃଦୟ ଖୋଜି ବୁଲିଲି ମୁଁ, ଅନ୍ୟର ପରଶ ଖୋଜି ବୁଲି ମୁଁ,

ଆଃ.....ଭୁଲ କଲି........ଏଃ.......ଭୁଲ କଲି

କେତେ ଭୁଲ କଲି ସତେ ! ଆଇ ଆମ୍‍ ସରି,

ଓ ଆଇ ଆମ୍‍ ସରି

ଶୟନେ, ସ୍ୱପନେ ଲେଇ ଲେଇ ଲେଇ ଲେଇ,

ଆବା ଜାଗରଣେ ଲେଇ ଲେଇ ଲେଇ ଲେଇ,

ତୁମରିତ ଛାୟା ଦେଖିଲି ଗୋ ମୁଁ, ତୁମରି ବନ୍ଦନା ଗାଇଲି ଗୋ ମୁଁ

ବସନ୍ତ ଆସିଲା ଲେଇ ଲେଇ ଲେଇ ଲେଇ

କୋଇଲି ଗାଇଲା ଲେଇ ଲେଇ ଲେଇ ଲେଇ,

ତୁମରି ପ୍ରଣୟେ ମଜିଗଲି ଗୋ ମୁଁ, ତୁମରି ପରଶେ ଚହଲିଲି ମୁଁ

ଆଃ.....ଭୁଲ୍‍ କଲି......ଏଃ ଭୁଲ୍‍ କଲି,

କେତେ ଭୁଲ୍‍ କଲି ସତେ ! ଆଇ ଆମ୍‍ ସରି

ଓ ଆଇ ଆମ୍‍ ସରି

 

ଚମକି ଉଠିଲେ ସତ୍ୟଜିତ୍ । ଏହି କଣ୍ଠସ୍ୱର କେଉଁଠାରେ ସେ ଶୁଣିଛନ୍ତି ! କେଉଁଠାରେ ମନେ ପଡ଼ିଲା ତାଙ୍କର । କାଲି ରାତିରେ । ଯେଉଁ ଯୁବତୀଟି ତାଙ୍କ ସମ୍ମୁଖରେ ନୃତ୍ୟ କରୁଥିଲା—ସେଇ.....ଏ ତ ତାହାରି ସ୍ୱର । ସେଇ ଚାହାଣୀ । ସେଇ ଠାଣୀ । ତେବେ କ’ଣ କାଲି ରାତିରେ ସେ ଅଭିନେତ୍ରୀ ଇଭାଙ୍କୁ ଭେଟିଥିଲେ ସେହି ଅଜ୍ଞାତ ହୋଟେଲ୍‍ଟିରେ ? ମିସ୍‍ ଇଭା ତାଙ୍କ କୌଶଳରେ ସେଠାକୁ ଡକାଇଥିଲେ ! ଦସ୍ୟୁ ସହିତ ତାଙ୍କର ସମ୍ପର୍କ ରହିଛି ! ଆଉ ଭାବି ପାରିଲେନି ସେ । ବାମହାତର ରିଷ୍ଟରେ ପଡ଼ିଲା ତାଙ୍କର ଦୃଷ୍ଟି । ଗୋଟାଏ ବାଜିବାକୁ ତିନି ମିନିଟ୍‍ । ଦସ୍ୟୁର କଥା ଅନୁଯାୟୀ ଠିକ୍‍ ଗୋଟାଏ ବେଳେ ସେ ହତ୍ୟା କରିବ ମିଷ୍ଟର ମହାନ୍ତିଙ୍କୁ । ଚତୁର୍ଦ୍ଦିଗକୁ ଚାହିଁଲେ ସେ । କୌଣସି ସନ୍ଦେହଜନକ ବ୍ୟକ୍ତି ନାହାନ୍ତି । ତେବେ ? କିଏ ହତ୍ୟାକାଣ୍ଡ ଘଟାଇବ ? କିପରି ବା ଘଟାଇବ ? ନିଜର ଦୁଇ ପାର୍ଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପଡ଼ିଲା ଦୃଷ୍ଟି । ସଚେତ ହୋଇ ପଡ଼ିଛନ୍ତି ସମସ୍ତେ ନନ୍ଦ କୁମାରଙ୍କର ଭୟାର୍ତ୍ତ ଚାହାଣୀ ବାରମ୍ୱାର ଘୂରି ଆସୁଛି ଚତୁର୍ଦ୍ଦିଗରୁ ।

 

ଆଉ ଦୁଇ ମିନିଟ୍‍ । ଓ୍ୱାଚ୍‍କୁ ଚାହିଁଥିଲେ ଏସ୍‍. ପି ।

 

କିନ୍ତୁ, କାହିଁ ? ସେପରି ତ କେହି ଆସି ନାହାନ୍ତି ! ଏସ୍‍. ପିଙ୍କର ଏପ୍ରକାର ପ୍ରଶ୍ନର ଉତ୍ତର କେହି ଦେଲେନି ।

 

ସତ୍ୟଜିତ୍‍ ମଧ୍ୟ ନୀରବ । ଆହୁରି ଗୋଟିଏ ମିନିଟ୍‍ ଅତିବାହିତ ହୋଇଗଲା ।

 

ପ୍ୟାଣ୍ଟର ବାମ ପାର୍ଶ୍ୱସ୍ଥ ପକେଟ୍‍ରୁ ଗୋଟିଏ ‘କ୍ୟାପ୍‍ଷ୍ଟାନ୍‍’ ପ୍ୟାକେଟ ବାହାର କଲେ ଏସ୍‍. ପି । ଖଣ୍ଡିଏ ଖଣ୍ଡି, ଦେଲେ ପ୍ରତ୍ୟେକଙ୍କୁ । ମିଷ୍ଟର ମହାନ୍ତି ସିଗାରେଟ୍‍ଟିକୁ ମୁହଁରେ ଦେଇ ଚୌକୀକୁ ଆଉଜିପଡ଼ି ସଦ୍‍ବ୍ୟବହାର କଲେ ତାର ।

 

Unknown

ଓ୍ୱାଚ୍‍କୁ ଚାହିଁଲେ ସତ୍ୟଜିତ୍ । ଗୋଟାଏ । ସେହି ମୁହୂର୍ତ୍ତରେ ଆନନ୍ଦର ସହିତ ଅପେକ୍ଷାକୃତ ଉଚ୍ଚ ସ୍ୱରରେ କହିଲେ ଏସ୍‍. ପି—ଦେଖିଲେ ? ସମ୍ପୂର୍ଣ୍ଣ ମିଥ୍ୟା । ଆମେ ଥାଉଁ ଥାଉଁ କରିବ ସେ ! ସତ୍ୟଜିତ୍‍ଙ୍କୁ ଚାହିଁଥିଲେ ସେ ।

 

ନିଃଶବ୍ଦରେ ହସି ଉଠିଲେ ସତ୍ୟଜିତ୍ । ମୁଖରେ ତାଙ୍କର ବିଜୟର ଦୀପ୍ତି ଆଜି ଜିତିଛନ୍ତ ସେ ।

 

ଦେଖିଲେ ମିଷ୍ଟର ମହାନ୍ତି ? ଆପଣ ବୃଥା ଭୟ ସିନା କରୁଥିଲେ । ନନ୍ଦକୁମାରଙ୍କ ଆଡ଼କୁ ଚାହିଁଲେ ସତ୍ୟଜିତ୍ । ଏ କ’ଣ ! ମିଷ୍ଟର ମହାନ୍ତିଙ୍କର ଚକ୍ଷୁ ଯେ ମୁଦି ହୋଇଯାଇଛି । ଜଳନ୍ତା ସିଗାରେଟ୍‍ଟା ପିନ୍ଧଥିବା ପଞ୍ଜାବୀଟି ଉପରେ ଖସି ପଡ଼ି କିଛି ଅଂଶ ପୋଡ଼ି ଦେଇଛି ।

 

ମିଷ୍ଟର୍‍ ମହାନ୍ତି ! ମିଷ୍ଟର ମହାନ୍ତି ! ନନ୍ଦକୁମାରଙ୍କ ହଲାଇଦେଇ ଉଚ୍ଚସ୍ୱରରେ ଡାକିଲେ ସତ୍ୟଜିତ୍ । କିନ୍ତୁ ଶୁଣିଲେ ନାହିଁ ମିଷ୍ଟର ମହାନ୍ତି ।

 

ମିଷ୍ଟର ମହାନ୍ତି ! ମିଷ୍ଟର ମହାନ୍ତି.....ଥରି ଥରି ଯାଉଥିଲା ସତ୍ୟଜିତ୍‍ଙ୍କ କଣ୍ଠ ।

 

କ’ଣ ହେଲା ? କ’ଣ ହେଲା ? ନନ୍ଦକୁମାରଙ୍କ ଚତୁଃପାର୍ଶ୍ୱରେ ବେଢ଼ିଗଲେ ସମସ୍ତେ ।

 

ବଞ୍ଚିପାରିଲେ ନାହିଁ ! ଦୁଃଖଭରା ସ୍ୱରରେ କହିଲେ ସତ୍ୟଜିତ୍‍ ।

 

ସମସ୍ତେ ନିର୍ବାକ୍‍ ।

 

ଆଶ୍ଚର୍ଯ୍ୟ ! ବାହାରି ପଡ଼ିଲା ଏସ୍‍.ପିଙ୍କ ପାଟିରୁ । ମୁହଁଟା ତାଙ୍କର ହୋଇଯାଇଛି ବିବର୍ଣ୍ଣ । ନିର୍ଦ୍ଧାରିତ ସମୟ ଅତିବାହିତ ହୋଇଯାଇଛି ବୋଲି କେତେ ଗର୍ବ କରି ନଥିଲେ ସେ !

 

ବି.ଷ ବି.ଷ....ବିଷ ବ୍ୟତୀତ ଆଉ କ’ଣ ହୋଇପାରେ ? ନନ୍ଦକୁମାରଙ୍କୁ ପରୀକ୍ଷା କରୁଥିଲେ ସତ୍ୟଜିତ୍‍ ।

 

ମୁଁ ମଧ୍ୟ ସଇୟା ଭାବୁଛି । ସତ୍ୟଜିତ୍‍ଙ୍କ ଅନୁମାନକୁ ସମର୍ଥନ କଲେ ଏସ୍‍.ପି. ।

 

ମୁଁ ମଧ୍ୟ ସେଇୟା ଆଶା କରୁଛି । ଲାସ୍‍ଟା ଉପରେ ଚକ୍ଷୁ ଦୁଇଟା ବୁଲାଇ ଆଣି କହିଲେ ନୀହାର ରଞ୍ଜନ ।

 

ସୁନୀଲ ଚାଟର୍ଜି କେବଳ ଚାହିଁ ରହିଥିଲେ । ଲାସ୍‍ଟାକୁ ଅନ୍ତର୍ଭେଦୀ ଦୃଷ୍ଟିରେ ଚାହିଁ ରହି ଏସ୍‍. ପି. ଗମ୍ଭୀର ହୋଇ ରହିଲେ—ଶୀଘ୍ର କାର୍ଯ୍ୟ ସମାପନ କରନ୍ତୁ । ମୁଁ ମ୍ୟାନେଜିଂ ଡାଇରେକ୍‍ଟରଙ୍କ ରୁମ୍ ରେ ଅଛି । ଷ୍ଟୁଡିଓର ଗୋଟିଏ କୋଣ ମଧ୍ୟ ସର୍ଚ୍ଚ କରିବାକୁ ଭୁଲିବେନି ।

 

ତଦନ୍ତ ଆରମ୍ଭ କରିଦେଲେ ସତ୍ୟଜିତ୍‍ । ବୃଥା ହେଲା ତାଙ୍କର ସମସ୍ତ ଚେଷ୍ଟା । ଷ୍ଟୁଡିଓ କନ୍ଦି ବିକନ୍ଦି ପରୀକ୍ଷା କଲେ ସେ । କିନ୍ତୁ କୌଣସି ସନ୍ଦେହଜନକ ବସ୍ତୁ ବା ବ୍ୟକ୍ତିର ସନ୍ଧାନ ପାଇଲେନି । ଶେଷକୁ ନନ୍ଦକୁମାରଙ୍କ ଲାସ୍‍ଟାକୁ ହସ୍‍ପିଟାଲ ପଠାଇଦେଲେ ପୋଷ୍ଟମର୍ଟମ ନିମିତ୍ତ । ନିଜେ ଆସି ବସି ପଡ଼ିଲେ ଯେଉଁଠି ପୂର୍ବରୁ ବସିଥିଲେ ନନ୍ଦକୁମାର ।

 

ହଠାତ୍‍ ତାଙ୍କର ଦୃଷ୍ଟି ଆକର୍ଷଣ କଲା ଗୋଟାଏ ଅର୍ଦ୍ଧଦଗ୍‍ଧ ସିଗାରେଟ୍‍ ଯେଉଁଟିକୁ ମୃତ୍ୟୁପୂର୍ବରୁ ବ୍ୟବହାର କରିଥିଲେ ନନ୍ଦକୁମାର । ସିଗାରେଟଟିକୁ ଗୋଡ଼ରେ ଆଡ଼େଇ ଦେଉଥିଲେ ସେ । ପୁଣି କ’ଣ ଭାବି ତାଳୁ ଗୋଟାଇ ଆଣି ସେଇଟାକୁ ରୁମାଲରେ ଗୁଡ଼ାଇ ନିଜ ପକେଟ୍‍ ମଧ୍ୟରେ ରଖିଦେଲେ ସେ । ନାନା ପ୍ରକାର ଭାବନାରେ ମସ୍ତିଷ୍କ ତାଙ୍କର ହୋଇ ପଡ଼ିଲା ଭାରାକ୍ରାନ୍ତ । ଚୌକି ଦେହରେ ଆଉଜି ପଡ଼ିଲେ ସେ ।

 

ଠିକ୍‍ ସେତିକିବେଳକୁ ସୁନୀଲ ଚାଟାର୍ଜି ଓ ନୀହାରରଞ୍ଜନ ପରିଜା ଷ୍ଟୁଡିଓର ପ୍ରତ୍ୟେକ କର୍ମଚାରୀ, ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକମାନଙ୍କୁ ଜେରା କରୁଥିଲେ । କିନ୍ତୁ ଫଳ କିଛି ପାଇଲେନି । ପରିଶେଷରେ ଫେରି ଆସିଲେ ସତ୍ୟଜିତ୍‍ଙ୍କ ନିକଟକୁ ।

 

କ’ଣ କିଛି ପାଇଲେ ?

 

ଉଁ-ହୁଁ-ଉଁ– । ମୁଣ୍ଡ ହଲାଇଲେ ନୀହାରରଞ୍ଜନ ।

 

ଟିକିଏ ହସିଦେଲେ ସତ୍ୟଜିତ୍‍ । ସେ ଯେପରି ଏମାନେ ପରାଜୟ ।

 

ବରଣ କରିବେ ବୋଲି ଜାଣିଥିଲେ ପୂର୍ବରୁ ।

 

କୁଇକ୍‍........କୁଇକ୍‍.........

 

କ’ଣ ହେଲା ସାର୍‍ !

 

ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଅସହ୍ୟ ଘଟଣା ଘଟି ଯାଉଛି । ଆଉ କି ପ୍ରକାର ଷ୍ଟେପ୍‍ ନିଆଯିବ—ଭାବି ପାରୁନି । ମ୍ୟାନଜିଂ ଡାଇରେକ୍‍ଟରଙ୍କ ରୁମ୍‍ଆଡ଼ୁ ଚଞ୍ଚଳ ପଦକ୍ଷେପ ଆସୁଥିଲେ ଏସ୍‍. ପି. । କୁଞ୍ଚିତ ହୋଇ ଯାଇଥିଲା ତାଙ୍କର ଭ୍ରୁ ଦୁଇଟି ।

 

କ’ଣ ହୋଇଛି ସାର୍‍ !

 

ଠିକ୍‍ ରୂପେ ଜାଣିନି । ମୋର ଅନୁମାନ ଯଦି ସତ୍ୟ ହୁଏ, ତେବେ ବହୁତ କିଛି—ଯାହା ଆମେ ଏ ପର୍ଯ୍ୟନ୍ତ କଳ୍ପନା କରି ପାରି ନଥିଲୁ । ଏଠିକାର କାର୍ଯ୍ୟ ଆପଣମାନଙ୍କର ସରିଲାଣି ବୋଧହୁଏ । କୌଣସି ସଫଳତା ଅର୍ଜନ କରିନାହାନ୍ତି ନିଶ୍ଚୟ—ମୁହଁ ଆପଣଙ୍କର କହୁଛି । ମୁଁ ମଧ୍ୟ ଅନେକଙ୍କୁ ଜେରା କରି ବୁଝିଛି—ଷ୍ଟୁଡିଓକୁ ଆସିବା ବେଳଠାରୁ ନନ୍ଦକୁମାର ଏଠାରେ କୌଣସି ଖାଦ୍ୟଦ୍ରବ୍ୟ ବ୍ୟବହାର କରି ନଥିଲେ । ଆମ୍ଭମାନଙ୍କ ସନ୍ଦେହ ଅନୁଯାୟୀ ଯଦି ତାଙ୍କର ମୃତ୍ୟଦୂତ ବିଷ ହୁଏ, ତେବେ ତାହା ଆସିଲା କେଉଁଠୁ ? ଏସ୍‍. ପି. ଚାହିଁଥିଲେ ସତ୍ୟଜିତ୍‍ଙ୍କୁ ।

 

ସାର, ମୋର ଅନୁମାନ—ଏସବୁ ଅଡ଼ୁଆ ସୂତାର ଗଣ୍ଠି ଅଛି ନନ୍ଦକୁମାରଙ୍କ ବାସଭବନରେ । କିଛିକ୍ଷଣ ଚିନ୍ତାକରି କହିଲେ ସତ୍ୟଜିତ୍‍ ।

 

ହୁଁ, ହୋଇପାରେ । ସେ ଯାହାହେଉ, ଆପଣମାନେ ଶୀଘ୍ର ଚାଲନ୍ତୁ ନନ୍ଦକୁମାରଙ୍କ ବାସଭବନ ‘ହାଉସ ମେରୀ’କୁ । ମୁଁ ନନ୍ଦକୁମାରଙ୍କ ବିଷୟରେ ଖବରଦେବାକୁ ରିଙ୍ଗ୍‍ କଲି । କିନ୍ତୁ ଉତ୍ତର କିଛି ଆସିଲାନି.......ବୋଧହୁଏ ଲାଇନ୍‍ କଟାଯାଇଛି । ସେଠାରେ ମଧ୍ୟ କିଛି ଘଟି ଥାଇପାରେ ।

 

ପାଞ୍ଚ ମିନିଟ୍‍ ମଧ୍ୟରେ ଦୁଇଟି ପୋଲିସ୍‍ ଜିପ୍‍ ପୋଲିସ କର୍ମଚାରୀମାନଙ୍କୁ ନେଇ ପ୍ରଖର ବେଗରେ ଛୁଟିଲା । ଏସ୍‍. ପି. ପ୍ରଥମ ଜିପ୍‍ର ଫ୍ରଣ୍ଟ୍‍ ସିଟରେ ବସି ଡ୍ରାଇଭର୍‍କୁ ନିର୍ଦ୍ଦେଶ ଦେଇଥିଲେ—ହାଉସ ମେରୀ ।

 

ହାଉସ ମେରୀ ।

 

ଅତି ଆଧୁନିକ ଧରଣର ଏକ ବିରାଟ ତ୍ରିତଳ ପ୍ରସାଦ । ଗେଟ୍‍ ନିକଟରୁ ପ୍ରାସାଦଟିର ସମ୍ମୁଖଭାଗର ପୋର୍ଟିକୋ ପର୍ଯ୍ୟନ୍ତ ପଡ଼ିଛି ଗୋଟାଏ ନାଲି ଗୋଡ଼ି ରାସ୍ତା । ଗେଟ୍‍ ନିକଟରେ ଛିଡ଼ା ହୋଇଛି ଦରଓ୍ୱାନ ।

 

ପୋଲିସ ଜିପ୍‍ ଦୁଇଟି ବ୍ରେକ୍‍ ଦେଲା । ଓହ୍ଲାଇ ଆସିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା ଦରଓ୍ୱାନ । ସମ୍ମାନର ସହିତ ସାଲ୍ୟୁଟ୍‍ ଦେଲା ସେ । ତା’ପରେ ଟିକିଏ ଶଙ୍କିଯାଇ ପ୍ରଶ୍ନ କଲା—

 

ଫିର୍‍....ଆପ୍‍ ଲୋଗ୍‍ କାହାଁ ଆ ଗୟେ...

 

କ୍ୟାଁ.... ? ଏସ୍‍. ପି. ପ୍ରଶ୍ନ କଲେ ।

 

ନହିଁ.... ଆପ୍‍ ତୋ ନହିଁ....ଲେକିନ୍‍ ଇନ୍‍ସପେକ୍‍ଟର ସାହେବ.....

 

ଏଁ ! କ’ଣ କହା ! ମୈ....ମୈ.....ଆସିଥିଲି ! ଅତିଶୟ ଆଶ୍ଚର୍ଯ୍ୟ ହୋଇପଡ଼େ ପ୍ରଶ୍ନ କଲେ ନୀହାର ରଞ୍ଜନ ।

 

ନହିଁଜୀ.....ଆପନ୍‍ ତୋ ଆମି ନଥିଲା.....ମଗର୍‍ ଆପନ୍‍ଙ୍କ ଭଲି ଜନେ ଇନ୍‍ସପେକ୍‍ଟର ସାହେବ୍‍ ଆଉର.....କନଷ୍ଟେବଲ୍‍...... । ନୀହାରଙ୍କୁ କିଛି ଚାହିଁ କହିଲା ଦରଓ୍ୱାନ ।

 

 

ପ୍ରତ୍ୟେକଙ୍କ ମୁହଁକୁ ଚାହିଁଲେ ପ୍ରତ୍ୟେକ । ସମସ୍ୟାଟା କ’ଣ ?

 

ଉନ୍‍ ଲୋଗ୍‍ ସବ୍‍ କ୍ୟୋଁ ଆୟେ ଥେ ? ଏସ୍‍. ପି. ପ୍ରଶ୍ନ କଲେ ।

 

କ୍ୟା....ଆଜ୍‍ ବାବୁକା ଘର୍‍ମେ କୁଛ....ଚୋରୀ ହେନେକା ଥା.....ଇସିଲିୟେ ଓ.....

 

ଆଃ ! ଚୋରକୁ ପୋଲିସ୍‍ ଜଗିବାକୁ ଆସି ନଥିଲେ । ପୋଲିସକୁ ଚୋର ଜଗିବାକୁ ଆସିଥିଲେ । ସତ୍ୟଜିତ୍‍ ପାଟି କରି ଉଠିଲେ ।

 

ମାନେ ? ପ୍ରଶ୍ନ କଲେ ସୁନୀଲ ଚାଟାର୍ଜି ।

 

ମାନେ.....ଭିତରକୁ ଆସନ୍ତୁ ବୁଝିପାରିବେ....ଆସନ୍ତୁ । ସତ୍ୟଜିତ୍‍ ଗେଟ ଅତିକ୍ରମ କରିଯିବାକୁ ଲାଗିଲେ ପ୍ରାସାଦ ଆଡ଼କୁ । ପଛେ ପଛେ ତାଙ୍କର ଅନ୍ୟ ସମସ୍ତେ ।

 

ପୋର୍ଟିକୋ ମଧ୍ୟରେ ପହଞ୍ଚି ଭିତରକୁ ଚାହିଁଲେ ସେମାନେ ।

 

ସବୁ ତ ଠିକ୍‍ ଅଛି ! ବାରଣ୍ଡା ଉପରକୁ ଯାଇ କହିଲେ ନୀହାର ରଞ୍ଜନ । ଟ୍ରେଜେରୀ ମଧ୍ୟରେ ଥିଲା କ୍ୟାସ ବ୍ୟତୀତ ଆଉ ତ ସବୁ ଠିକ୍‍ ଥିବା କଥା । କଲିଂ ବେଲରେ ଚାପ ଦେଉଁ ଦେଉଁ କହିଲେ ସତ୍ୟଜିତ୍‍ ।

 

କଲିଂ ବେଲ୍‍ ବାଜିଲା । ଥରେ, ଦୁଇ ଥର, ତିନି ଥର । କେହି ଆସିଲେ ନି । ସ୍କ୍ରିନ୍‍ ଆଡ଼େଇ ଦେଇ ଭିତରକୁ ପ୍ରବେଶ କଲେ ସତ୍ୟଜିତ୍‍ । ପଶ୍ଚାଦ୍‍ଭାଗରେ କେତେଗୁଡ଼ିଏ ଭାରି ବୁଟ୍‍ ତାଙ୍କର ଯିବା ପଥକୁ ମାପି ଚାଲିଥିଲା । ଦୁଇ ପାର୍ଶ୍ୱରେ ଥବା କୋଠରୀଗୁଡ଼ିକୁ ଭଲ ଭାବେ ଲକ୍ଷ୍ୟ କରୁଥିଲେ ସତ୍ୟଜିତ୍‍ । ସମସ୍ତ କୋଠରୀ ଖୋଲା । କେହି କିନ୍ତୁ ନାହାନ୍ତି ଭିତରେ । ପରିଶେଷରେ ଉପର ମହାଲାକୁ ପଡ଼ିଥିବା ସୋପାନ ଶ୍ରେଣୀରେ ପାଦ ଦେଉ ଦେଉ ଅଟକିଗଲେ ସତ୍ୟଜିତ୍‍ । ଯେପରି କ’ଣ ସେ ଶୁଣିବାକୁ ପାଉଛନ୍ତି ।

 

କ’ଣ ହେଲା ? ପ୍ରଶ୍ନ କଲେ ଏସ୍‍. ପି ।

 

ଉପରେ ନିଶ୍ଚୟ ଘଟିଛି କିଛି । ଶୁଣି ପାରୁନାହାନ୍ତି ? ଗଣ୍ଡଗୋଳର ଶବ୍ଦ ଆସୁଛି । ଶୀଘ୍ର ଆସନ୍ତୁ । ଚଞ୍ଚଳ ଆସନ୍ତୁ । ଚଞ୍ଚଳ ପଦକ୍ଷେପରେ ଉପରକୁ ଯିବାକୁ ଲାଗିଲେ ସତ୍ୟଜିତ୍‍ ଦାସ । ପହଞ୍ଚିଲେ ଦ୍ୱିତଳରେ । ସେଠାରେ ମଧ୍ୟ ସେହି ଅବସ୍ଥା ସମସ୍ତ କୋଠରୀ ଯେପରି ପରିତ୍ୟକ୍ତ । ଗଣ୍ଡଗୋଳର ଶବ୍ଦ ସ୍ପଷ୍ଟ ହୋଇ ଆସିଥିଲା ଏବଂ ତ୍ରିତଳରେ ଯେ ନିଶ୍ଚୟ କିଛି ଘଟିଛି—ଏ କଥା ପ୍ରତ୍ୟେକଙ୍କୁ ଅବିଦିତ ରହିଲା ନାହିଁ । ତ୍ରିତଳକୁ ପହଞ୍ଚି ଦେଖିଲେ, ଜଣେ ପୌଢ଼ା ଚେତାଶୂନ୍ୟା ହୋଇ ପଡ଼ିଛନ୍ତି ତଳେ ଜଣେ ଯୁବତୀ ଓ ଜଣେ ତରୁଣୀ ତାଙ୍କ ମୁହଁରେ ଛାଟୁଛନ୍ତି ପାଣି । ସେମାନଙ୍କ ନୟନରେ ଅଶ୍ରୁ । ଦୁଇ ଚାରିଜଣ ପରିଚାରିକା ପୌଢ଼ାଙ୍କର ଦୁଇ ଗୋଡ଼କୁ ଆଉଁସିବାରେ ଲାଗିଛନ୍ତି ।

 

ପୋଲିସ କର୍ମଚାରୀମାନଙ୍କୁ ଦେଖି ସ୍ତବ୍‍ଧ ହୋଇପଡ଼ିଲେ ସମସ୍ତେ ।

 

ଆପଣ ଅଧୈର୍ଯ୍ୟ ହୁଅନ୍ତୁ ନି । ବର୍ତ୍ତମାନ କ୍ଷେତ୍ରରେ ଆପଣ ଆମ୍ଭମାନଙ୍କୁ ସାହାର୍ଯ୍ୟ କରିବା କଥା । ସାହାସ କିମ୍ୱା ଧୈର୍ଯ୍ୟ ହରାଇଲେ ଆପଣ ଯେ ଆପଣଙ୍କ ସ୍ୱାମୀଙ୍କୁ ଫେରି ପାଇବେ—ତାହା ନୁହେଁ ! ବରଂ ଆମ୍ଭମାନେ ଯାହା ଆପଣଙ୍କଠାରୁ ଆଶା କରୁଛୁ, ତାହା ପାଇଲେ ହତ୍ୟାକାରୀର ଅନୁସନ୍ଧାନ କରାଯାଇପାରେ । ସତ୍ୟଜିତ୍‍ ସାନ୍ତ୍ୱନା ଦେଉଥିଲେ ଚେତନା ଫେରିପାଇଥିବା ସୁରଭୀ ଦେବୀଙ୍କୁ ।

 

ତଥାପି ନୟନରୁ ତାଙ୍କର ଛୁଟିଥିଲା ଅଶ୍ରୁଧାର । ନିଜକୁ ଯଥା ସମ୍ଭବ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ସୁରଭୀ ଦେବୀ । ତାଙ୍କର ଚୌକୀକୁ ଲାଗି ଛିଡ଼ା ହୋଇଥିଲେ ତାଙ୍କର କନ୍ୟା ଦ୍ୱୟ–ସୁପ୍ରିୟା ଓ ଶୁକ୍ଲା ।

 

ହୁଁ । ବର୍ତ୍ତମାନ ମୁଁ ଯାହା ପ୍ରଶ୍ନ କରୁଛି, ସେଗୁଡ଼ିକର ସଠିକ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ସୁରଭୀ ଦେବୀଙ୍କୁ ଚାହିଁଲେ ସତ୍ୟଜିତ୍‍ ।

 

ମିଷ୍ଟର ମହାନ୍ତି ସକାଳେ କେତେବେଳେ ଷ୍ଟୁଡିଓକୁ ଯା’ନ୍ତି ? କିଛିକ୍ଷଣ ନୀରବ ରହିବା ପରେ ପ୍ରଶ୍ନ କଲେ ସତ୍ୟଜିତ୍‍ ।

 

ପ୍ରାୟ.......ନ’ଟା.......ବେଳକୁ । ସୁରଭୀଙ୍କର ଅପ୍ରକଶ୍ୟ ଦରଦି ସ୍ୱର ଥରି ଥରି ଅସ୍ପଷ୍ଟ ହେଉଥିଲା ।

 

ଯିବା ପୂର୍ବରୁ ନିଶ୍ଚୟ.......ଖାଉଥିବେ ?

 

ହଁ........ପ୍ରତିଦିନ........ଜଳଖିଆ.........

 

କ’ଣ କ’ଣ ଖାନ୍ତି ?

 

ଚା କପେ, ଅଣ୍ଡା ଭଜା, କମଳା, ଦୁଇଟା କଦଳୀ, ସେଓ, ନାସପାତି.......ଏମିତି.......

 

ଆଜି କ’ଣ ଖାଇ ନଥିଲେ ?

 

ହଁ, ଖାଇଥିଲେ ।

 

ଆଜି କିଏ ଖାଇବାକୁ ଦେଇଥିଲା ?

 

ମୁଁ ନିଜେ ।

 

ଆପଣ କ’ଣ ପ୍ରତିଦିନ ଦିଅନ୍ତି ?

 

ହଁ, ଭୋଜନ ଶେଷ ପର୍ଯ୍ୟନ୍ତ ତାଙ୍କ ନିକଟରେ ବସେ, ନଚେତ୍‍ ସେ ଖା’ନ୍ତି ନି ସୁରଭୀ ନତ ମୁଖା ହେଲେ ।

 

ରାନ୍ଧେ କିଏ ?

 

ମୁଁ ନିଜେ । ଅନ୍ୟ କେହି ରାନ୍ଧିଲେ ଏ ଘରେ କାହାକୁ ଭଲ ଲାଗେନି ।

 

ମିଷ୍ଟର ମହାନ୍ତି ଷ୍ଟୁଡିଓରୁ ଫେରନ୍ତି କେତେବେଳେ ?

 

ପ୍ରାୟ ସାଢ଼େ ଗୋଟାଏ, ଦୁଇଟା ବେଳକୁ ।

 

ତା’ପରେ ?

 

ଖାଇ ସାରି ବିଶ୍ରାମ ନିଅନ୍ତ ।

 

ଆଉ ଷ୍ଟୁଡିଓକୁ ଯା’ନ୍ତି ନି ?

 

ବିଶେଷ ଆବଶ୍ୟକ ହେଲେ ଖାଇବା ପରା ଚାଲିଯାନ୍ତି....ନଚେତ୍‍ ସନ୍ଧ୍ୟାବେଳକୁ ଯା’ନ୍ତି ।

 

ହୁଁ । ଆପଣଙ୍କ.....ପୁଅ ନିରଞ୍ଜନ ବାବୁ.......ନାହାନ୍ତି କି ?

 

ନା, ସେ ବର୍ତ୍ତମାନ ଏଠାରେ ନାହିଁ ।

 

କେଉଁଆଡ଼ ଯାଇଛନ୍ତି ?

 

ବମ୍ୱେ ।

 

କାହିଁକି ?

 

‘ଚିତ୍ରାଳୟ’ର......ଏକ ହିନ୍ଦୀ ଫିଲ୍ମ.........ପ୍ରଯୋଜିତ.......ହେବାର..........ଥିଲା ଯେ, ସେ ନିର୍ଦ୍ଦେଶକ....ଚିତ୍ର ତାରକା ପ୍ରଭୃତିଙ୍କ ସହିତ ଚୁକ୍ତି କରିବାକୁ ଯାଇଛି ।

 

ସେ ଏକା ଯାଇଛନ୍ତି ?

 

ନା । ତା’ ସହିତ ବୋହି ଯାଇଛି ଓ ଦୁଇଜଣ ଚାକର ଯାଇଛନ୍ତି ।

 

ହୁଁ । ସତ୍ୟଜିତ୍‍ ଗୋଟାଏ ଦୀର୍ଘଶ୍ୱାସ ମାରିଲେ ।

 

ସମସ୍ତ ନୀରବ ।

 

ଆଚ୍ଛା......ବର୍ତ୍ତମାନ ମୋର କର୍ତ୍ତବ୍ୟ ଦୃଷ୍ଟିରୁ ଗୋଟାଏ ପ୍ରଶ୍ନ କରିବାକୁ ବାଧ୍ୟ ହେଉଛି । କିଛି ଭାବିବେ ନାହିଁ । ନୀରବତା ଭଙ୍ଗ କଲେ ସତ୍ୟଜିତ୍‍ ।

 

ପ.....ଚାରନ୍ତୁ.......

 

ମିଷ୍ଟର ମହାନ୍ତିଙ୍କର ଚରିତ୍ର କିପରି ଥିଲା ?

 

ଖୁବ୍‍ ଭଲ ।

 

ମାନେ ? .....ମୁଁ ଜାଣିପାରୁଛି ଯେ ତାଙ୍କ ବ୍ୟବସାୟ କ୍ଷେତ୍ରରେ ସେ ତ ଅସଂଖ୍ୟ ଯୁବତୀଙ୍କ ସଂସ୍ପର୍ଶରେ ଆସୁଥିବେ ।

 

ହୋଇପାରେ, କିନ୍ତୁ ତା’ ବୋଲି ସେ ଅନ୍ୟର ଯୌବନର ମୋହରେ ପଡ଼ୁ ନଥିଲେ।

 

ମୁଁ ଯଦି କୁହେ, ସେ ପଡ଼ୁଥିଲେ ।

 

ତେବେ.........ମୁଁ ବିଶ୍ୱାସ କରିବିନି ।

 

ହୁଁ.........ବର୍ତ୍ତମାନ କୁହନ୍ତୁ.......ସେ ପୋଲିସମାନେ କେତେବେଳେ ଆପଣଙ୍କ ଘରକୁ ଆସିଲେ ?

 

ପ୍ରାୟ ସାଢ଼େ ବାରଟା ବେଳକୁ ।

 

ଆପଣ........ସେମାନଙ୍କୁ ବିଶ୍ୱାସ କଲେ କିପରି ?

 

ଅବିଶ୍ୱାସ.....କରିବାର....କିଛି କାରଣ ନଥିଲା । ସେମାନେ ଠିକ୍‍ ପୋଲିସ୍‍ ଡ୍ରେସରେ ସଜ୍ଜିତ ହୋଇ....ଆସିଥିଲେ । ଆଉ.....ଆମେ ମଧ୍ୟ ଦସ୍ୟୁର ପତ୍ର.....ଅନୁଯାୟୀ.....ବିପଦର ଆଶଙ୍କା କରୁଥିଲୁ.... ତେଣୁ ଭାବି ନେଲୁ ଯେ, ସେ ଆମର ନିରାପତ୍ତା ପାଇଁ ପୋଲିସ ପଠାଇଛନ୍ତି ।

 

ତା’ପରେ ?

 

ତା’ପରେ.....ତିନି ମହଲାରେ ଥିବା ଆଇରନ୍‍ ଚେଷ୍ଟ ଜଗିବା ପାଇଁ ସେମାନଙ୍କୁ ଛାଡ଼ି ଦେଲୁ ଏବଂ ଆମେ ସମସ୍ତେ ଅନ୍ୟ ଗୋଟିଏ ରୁମରେ ବସି ରହିଲୁ ।

 

ପୋଲିସମାନଙ୍କ ଛଡ଼ା ଆଉ ସେ ଘରେ କେହି ନଥିଲେ ?

 

ନା ।

 

ଆଚ୍ଛା.......ତା’ପରେ

 

ତା’ପରେ ପ୍ରାୟ ଗୋଟାଏ ବାଜି ଯାଇଥିଲା......ଷ୍ଟୁଡିଓରୁ ଆସି ଜଣେ ଖବର ଦେଲା......ତା......ଙ୍କୁ........ହତ୍ୟା......କରା......ଗଲା......ମୁଁ ଅଚେତ ହୋଇ ପଡ଼ିଗଲି,......ଅନ୍ୟମାନେ ମୋର ଚେତନା ଫେରାଇ ଆଣିବାକୁ ଚେଷ୍ଟା.......କରୁଥବାବେଳେ.......ସେମାନେ କହିଲେ ଯେ ସଠିକ୍‍ ଖବର ଦେବାକୁ ସେମାନେ ଷ୍ଟୁଡିଓ ଯାଉଛନ୍ତି ଏବଂ.......ତା’ପରେ.........ଚାଲିଗଲେ.......ମୋର ଚେତନା ଫେରିବା ପରେ ମୁଁ ଆଇରନ୍‍ ଚେଷ୍ଟ ଥିବା ଘରକୁ ଗଲି,.......ଦେଖିଲି ଖୋଲା......ପଡ଼ିଛି । ପୁଣି ଅଚେତ ହୋଇ ପଡ଼ିଲି....

 

ତେବେ, କେତେ ଚୋରୀ ଯାଇଛି ?

 

ସେଥିରେ ଯାହା ଥିଲା.....ସବୁ.........ଯାଇଛି ।

 

କେତେଥିଲା ?

 

ତିନିଲକ୍ଷ ଟଙ୍କା ।

 

ପୂନର୍ବାର ନୀରବତା ରାଜତ୍ୱ କଲା । ସୁରଭୀଙ୍କ ମୁହଁକୁ ଚାହିଁଥିଲେ ସତ୍ୟଜିତ୍‍ । ନୟନରୁ ସେହିପରି ଛୁଟିଛି ଅଶ୍ରୁଧାର । ସୁପ୍ରିୟା ଓ ଶୁକ୍ଳାଙ୍କର ଅବସ୍ଥ ମଧ୍ୟ ସେହିପରି ।

 

ମୁଁ ଟିକିଏ ସେ ରୁମ୍‍ଟିକୁ ପରୀକ୍ଷା କରିବାକୁ ଇଚ୍ଛା କରେ । ସୁରଭିଙ୍କୁ ଚାହିଁଲେ ସତ୍ୟଜିତ୍‍ ।

 

ପରୀକ୍ଷା କରି ପାରନ୍ତି.....ମୋର ସେଥିରେ କ’ଣ ଅଛି ? ସ୍ୱରରୁ ଜଣା ଯାଉଥାଏ ସେ ଯେପରି ନିରୀହା ଆଶ୍ରୟହୀନା ହୋଇପଡ଼ିଛନ୍ତି ।

 

ଆଉ କିଛି କହିବାକୁ ଇଚ୍ଛା ହେଲାନି ସତ୍ୟଜିତ୍‍ଙ୍କର । ସେ ଅନ୍ୟମାନଙ୍କ ସହିତ ଗଲେ ଆଇରନ୍‍ ଚେଷ୍ଟ ଥିବା ରୁମ୍‍ଟିକୁ । କିନ୍ତୁ କୌଣସି ସୂତ୍ର ପାଇଲେନି ସେ । କେବଳ ଗୋଟାଏ ଚିଠି । ସେଥିରେ ଲେଖାଥିଲା—

 

ପ୍ରିୟ ସତ୍ୟଜିତ୍‍ ବାବୁ,

 

ଆମେ ଜାଣିଥିଲୁ ଆପଣ ଏଠାକୁ ଆସିବେ । ତେଣୁ ଚିଠିଟି ରଖି ଦେଇଗଲୁ । କ୍ଷମା କରିବେ । ନନ୍ଦକୁମାରଙ୍କ ହତ୍ୟା କରିବାରୁ ପୂର୍ବରୁ ଜଣାଇଥିଲେ ମଧ୍ୟ ଏ ଚୋରି ବିଷୟ ଉଲ୍ଲେଖ କରି ନଥିଲୁ । ଉଲ୍ଲେଖ କରିଥିଲେ ଆମର କାର୍ଯ୍ୟସାଧନ ଦିଗରେ ଟିକିଏ ଅସୁବିଧା ଉପୁଜିଥାନ୍ତା ।

 

ବନ୍ଦେଗୀ ।

 

ଆପଣଙ୍କର—

 

ତେବେ, ଲାଇନ୍‍ କାହିଁକି କଟାଯାଇଥିଲା ମୁଁ ବୁଝି ପାରିଲି ନି ସତ୍ୟଜିତ୍‍ଙ୍କୁ ଚାହିଁ କହିଲେ ଏସ୍‍. ପି.।

 

ବୁଝି ପାରିଲେନି ? ପୋଲିସମାନେ ଆସିବା ସମ୍ୱାଦ କାଳେ ସୁରଭି ଦେବୀ ଷ୍ଟୁଡିଓକୁ ଦେଇଥାନ୍ତେ ଯେତେବେଳେ ଫୋନ୍‍ଟା ନିଜର ଅଛି । ଫୋନ୍‍ ଦ୍ୱାରା କଥାଟା ସେମାନଙ୍କର କାର୍ଯ୍ୟସାଧନ ପୂର୍ବରୁ ଧରା ପଡ଼ିଯାଇଥାନ୍ତା ।

 

ପୋଲିସ୍‍ !

 

ହଁ ଜାଲ୍‍ ପୋଲିସ୍‍ ।

 

ଓଃ ! କି ଅଦ୍ଭୁତ କାଣ୍ଡ କହନ୍ତୁ ତ ? ପୋଲିସ୍‍ ସମ୍ମୁଖରେ ଜଣଙ୍କର ହତ୍ୟା । ପୋଲିସର ଛଦ୍ମବେଶରେ ତିନି ଲକ୍ଷ ଟଙ୍କା ହରଣଚାଳ । କିନ୍ତୁ ବାସ୍ତବିକ୍‍ ବଡ଼ ଲଜ୍ଜାର ବିଷୟ ଏସ୍‍. ପି. କହି ଚାଲିଥିଲେ ।

 

ସତ୍ୟଜିତ୍‍ ନୀରବ ।

 

ପାଇପରେ ମିକ୍‍ସ୍‍ଚର ଭରି ଦେଇ ତା’ର ସଦ୍‍ବ୍ୟବହାର କରୁ କରୁ ପୁଣି କହିଲେ ଏସ୍‍. ପି.—ଏପରି ଯଦି ଘଟେ, ପୋଲିସ ଉପରେ କିଏ କାହିଁକି ଆସ୍ଥା ରଖିବ !

 

କିଏ କାହିଁକି ଆସ୍ଥା ରଖିବ ? ଏପରି ଯଦି ଘଟେ ପୋଲିସ ସମ୍ମୁଖରେ ଜଣକର ହତ୍ୟା । ପୋଲିସର ଛଦ୍ମବେଶରେ ତିନିଲକ୍ଷ ଟଙ୍କା ହରଣଚାଳ ବାସ୍ତବିକ, ବଡ଼ ଲଜ୍ଜାର ବିଷୟ । ପିଚ୍‍ ରୋଡ୍‍ର ଦୃଶ୍ୟରାଜି ଦୁଇଟି ଚକ୍ଷୁ ଦୁଇଟିରେ ପ୍ରତିଫଳିତ ହେଉଥିଲେ ମଧ୍ୟ ସତ୍ୟଜିତ୍‍ଙ୍କ କାନରେ ପ୍ରତିଧ୍ୱନିତ ହେଉଥିଲା । ଏସ୍‍. ପି.ଙ୍କର ଉକ୍ତିଗୁଡ଼ିକୁ । ମୁହଁରେ ତାଙ୍କର ଗୋଟାଏ ଜ୍ୱଳନ୍ତ ‘ପାନାମା ସିଗାରେଟ୍‍’ । ମଟର ବାଇକ୍‍ ତାଙ୍କର ଛୁଟି ଚାଲିଛି ମିଶନରୋଡ଼୍‍ ଦେଇ ସଙ୍ଗେ ସଙ୍ଗେ ବକ୍‍ଲେ ଗାର୍ଲସ୍‍ ହାଇସ୍କୁଲ ପୂର୍ବରୁ ପଡ଼ିଥିବା ଗଳିଦେଇ ସୂତାହାଟ ଅଭିମୁଖେ ଛୁଟି ଚାଲିଲା ମଟର ବାଇକ୍‍ଟି । କିଛି ଦୂର ଯାଇ ବ୍ରେକ୍‍ ଦେଲା ଗୋଟାଏ ଏକ ମହଲା ପକ୍‍କା କୋଠା ସମ୍ମୁଖରେ ।

 

ଗେଟରେ ଗୋଟାଏ ନେମ ପ୍ଲେଟ୍‍—ଅଙ୍ଗୁରବାଳା ପରେଖ୍‍ । ଇନ୍‍ । ସମ୍ମୁଖସ୍ଥ ଦ୍ୱାର ନିକଟକୁ ଯାଇ କଲିଂ ବେଲରେ ଚାପ ଦେଲେ ସେ । କିଛି ସମୟ ପରେ ଦ୍ୱାରା ଉନ୍ମୁକ୍ତ ହେଲା । ସମ୍ମୁଖରେ ତାଙ୍କର ଜଣେ ସୁନ୍ଦରୀ ଯୁବତୀ । ଚଳନୀୟ ସ୍ୱାସ୍ଥ୍ୟ । ପତଳା ମୁହଁ । ଗୋରା ଚେହେରା । ପରିଧାନ ଗୋଟାଏ ଧଳା ସାଲଓ୍ୱାର ଏବଂ ଗୋଟାଏ ଗାଢ଼ ନାଲି ରଙ୍ଗର ଭଏଲ ପଞ୍ଜାବୀ । କଟିଦେଶକୁ ବେଷ୍ଟନ କରିଛି ଖଣ୍ଡିଏ ଧଳା ନାଇଲନ୍‍ ଚାଦର । ବାମ ହସ୍ତରେ ଗୋଟାଏ ଲେଡ଼ିଜ୍‍ ଓ୍ୟାଚ୍‍ । ଦକ୍ଷିଈ ହସ୍ତରେ ଦୁଇପଟ ସୁନାଚୁଡ଼ି କାନ ଦୁଇଟିରେ ଆଧୁନିକ ଧରଣର ସ୍ୱର୍ଣ୍ଣ ଝୁମୁକା । ଦୁଇଟି ବେଣୀ ବେକର ଦୁଇ ପାର୍ଶ୍ୱ ଦେଇ ଲମ୍ୱିତ ଉନ୍ନତ ବକ୍ଷଦେଶ ଉପରେ ।

 

ଆରେ ! ଆପଣ ଯେ ! ନମସ୍କାର ଆସନ୍ତୁ, ଆସନ୍ତୁ ଭିତରକୁ । ଯୁବତୀଟି ଭିତରକୁ ଚାଲିଲେ । ପ୍ରତି ନମସ୍କାର ଦେଇ ସତ୍ୟଜିତ୍‍ ଚାଲିଲେ ତାଙ୍କ ପଛେ ପଛେ ।

 

ହୁଁ । ଏଥର କୁହନ୍ତୁ ଅଦିନେ କାହିଁକି ସୋରିଷ ଫୁଟିଲା ? ସତ୍ୟଜିତ୍‍ଙ୍କୁ ଚାହିଁ ଟିକିଏ ହସି ଦେଲେ ଯୁବତୀଟି ।

 

ବେଶ୍‍ ତ ଓଡ଼ିଆ କହି ଶିଖିଲେଣି ? ମୁଁ ଜାଣି ନଥିଲି ।

 

ନ ଜାଣି ଭୁଲ୍‍ କରିଛନ୍ତି । ଅନ୍ତତଃ ପ୍ରସିଦ୍ଧ ଡିଟେକ୍‍ଟିଭ ହିସାବରେ ଅନୁମାନ ତ କରି ପାରିଥାନ୍ତେ ଯେ, ଓଡ଼ିଶାରେ ଦୁଇ ବର୍ଷ ହେବ ରହି ବିଶେଷତଃ ଲେଡ଼ି ଡିଟେକ୍‍ଟିଭ ହିସାବରେ ଚାକିରୀ ପାଇ ଓଡ଼ିଆ କଥା ନ ଶିଖିବାଟା ଗୋଟାଏ ବୋକାମୀ ।

 

ତାତ ନିଶ୍ଚୟ । ତେବେ ଆପଣ ବୋକୀ ଲିଷ୍ଟରେ ଅଛନ୍ତି କି ବୁଦ୍ଧିମତୀ ଲିଷ୍ଟରେ ଅଛନ୍ତି କି ବୁଦ୍ଧିମତୀ ଲିଷ୍ଟରେ ଅଛନ୍ତି ମୁଁ ପରୀକ୍ଷା କରିବାକୁ କେବେ ସୁବିଧା ପାଇ ନଥିଲି ।

 

ହସି ଉଠିଲେ ଦୁଇଜଣ ଯାକ ।

 

ଆପଣ ବଡ଼ ବ୍ୟସ୍ତ ଜଣା ଯାଉଛନ୍ତି ! ନିଶ୍ଚୟ କିଛି ଗୁରୁତର ବ୍ୟାପାର ନ ହେଲେ କେବେ ତ ଏମିତି ଆସନ୍ତି ନି ? ସତ୍ୟଜିତ୍‍ଙ୍କୁ ଚାହିଁ କହିଲେ ଅଙ୍ଗୁରବାଳା ।

 

ମିସ୍‍ ପରେଖ୍‍, ଆପଣ ଠିକ୍‍ ଅନୁମାନ କରିଛନ୍ତି.....ଆଜି ଦିନସାରା ଗୋଟାଏ ସେକେଣ୍ଡ ହେଲେ ବିଶ୍ରାମ ନାହିଁ । ପ୍ରତି ମୁହୂର୍ତ୍ତରେ ସମସ୍ୟା ପରେ ସମସ୍ୟା ମୁଣ୍ଡ ଉପରେ ଲଦି ହୋଇଯାଉଛି, ଅଥଚ ତା’ର ସମାଧାନ ହୋଇ ପାରୁନି ।

 

ଓ.....ତେବେ କେତେଗୁଡ଼ିଏ ସମସ୍ୟାର ବୋଝ ମୋ ମୁଣ୍ଡ ଉପରେ ଲଦିଦେଇ ନିଜର ଭାରା ହାଲୁକା କରିବାକୁ ଚାହାନ୍ତି ବୋଧହୁଏ ?

 

ଆପଣଙ୍କ ଅନୁମାନ କେତେକାଂଶରେ ଠିକ୍‍ । ଓ୍ୱାଲ କ୍ଲକ୍‍ଟାକୁ ଚାହିଁଲେ ସତ୍ୟଜିତ୍‍ । ଛ’ଟା ପାଞ୍ଚ । ଟିକିଏ ଚଞ୍ଚଳ ହୋଇପଡ଼ିଲେ ସେ ।

 

ବର୍ତ୍ତମାନ ସମ୍ପୂର୍ଣ୍ଣ କଥାଟା ଶୁଣି ନିଅନ୍ତୁ । ମୋର ସମୟ ବହୁତ କମ୍‍, ଆପଣ ତ ଜାଣିଥିବେ, ଏଇ କେତେ ଦିନ ହେବ କଟକ ସହରରେ ଯେପରି ହତ୍ୟା ଓ ଚୋରିର ତାଣ୍ଡବଲୀଳା ଚାଲିଛି.....

 

ତା’ର ତଦନ୍ତ ଆପଣ କରୁଛନ୍ତି । ଏଇ ତ ?

 

ବେଶ୍‍, ଆପଣ ତେବେ ସବୁ ଜାଣନ୍ତି । ତେଣୁ ଭୂମିକାର ପ୍ରୟୋଜନ ହେବନି । ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟାଏ ଅନୁରୋଧ କରିବି ।

 

ଅନୁରୋଧ କାହିଁକି ? ଆଦେଶ କରନ୍ତୁ ।

 

ବିଶେଷ ଧନ୍ୟବାଦ । କୋର୍ଟ ପକେଟ୍‍ ମଧ୍ୟରୁ ଗୋଟାଏ ରୁମାଲ କାଢ଼ିଲେ ସତ୍ୟଜିତ୍‍ । ତାକୁ ଫିଟାଇ ବାହାର କଲେ ଗୋଟାଏ ଅର୍ଦ୍ଧଦଗ୍‍ଧ କ୍ୟାପ୍‍ସ୍‍ଟ୍ୟାନ୍‍ ସିଗାରେଟ୍‍ । ତା’କୁ ମିସ୍‍ ପରେଖଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ—

 

ବର୍ତ୍ତମାନ ଏଇ ସିଗାରେଟ୍‍ଟିକୁ ନେଇଯିବେ ଡକ୍‍ଟର ପ୍ରେମରାଜ ଦାସଗୁପ୍ତଙ୍କ ନିକଟକୁ । ସନ୍ଧ୍ୟା ହେଲେ ସୁଦ୍ଧା ବର୍ତ୍ତମାନ ନିଶ୍ଚୟ ତାଙ୍କ ଲାବୋରେଟେରୀରେ ସେ ଥିବେ । ତାଙ୍କୁ କହିବେ ଏଇ ସିଗାରେଟ୍‍ଟି ଗୋଟାଏ ସାଧାରଣ ‘କ୍ୟାପ୍‍ସ୍‍ଟ୍ୟାନ୍‍’ ନା ଏହା ମଧ୍ୟରେ ଆଉ କିଛି ଅଛି । ଆଉ ଯାହା ଅଲଗା ଅଛି ତା’ଦ୍ୱାରା ବ୍ୟବହାରକାରୀର ମୃତ୍ୟୁ ହେବକି ନା—ବେଶ୍‍ ଏଇତକ ସଙ୍ଗେ ସଙ୍ଗେ ସେ ପରୀକ୍ଷା କରି କହିବେ । କିନ୍ତୁ ଖୁବ୍‍ ସାବଧାନ, ଆମ ତିନି ଜଣଙ୍କ ବ୍ୟତୀତ ଯେପରି ଅନ୍ୟ କୌଣସି ଲୋକ ଏ ବିଷୟ ନ ଜାଣନ୍ତି ।

 

ସେ ବିଷୟରେ ନିଶ୍ଚିନ୍ତ ରୁହନ୍ତୁ ।

 

ଅଶେଷ ଧନ୍ୟବାଦ । ମନେ ରଖିଲେ ତ ? ମୁଁ ଚାଲିଲି....ଆହୁରି ବହୁତ କାର୍ଯ୍ୟ ଅଛି । ଏଥର ଚୌକି ଛାଡ଼ିଲେ ସତ୍ୟଜିତ୍‍ ।

 

ଏଁ ଚା, ଟିକେ, ପି’ବେନି !

 

ନା, କ୍ଷମା କରିବେ । ଆଜି ହୋଇ ପାରିବନି.....ହଁ......ଆପଣ ଯିବାକୁ ପ୍ରସ୍ତୁତ ହୋଇଯା’ନ୍ତୁ ।

 

ହଁ...........ମୁଁ ଏଇ ଦଶ ମିନିଟ ମଧ୍ୟରେ ଯିବି ।

 

ମିସ୍‍ ଇଭା ଦାସ ବି.ଏ. ଅନର୍ସ ଫିଲ୍ମ ଷ୍ଟାର୍‍ ।

 

ନେମ୍‍ ପ୍ଲେଟ ପ୍ରତି ଦୃଷ୍ଟି ନିକ୍ଷେପକରି ମକରବାଗ ଖ୍ରୀଷ୍ଟିୟାନ ସାହିର ଏକ ଆଧୁନିକ ଧରଣର ଦ୍ୱିତଳ ପ୍ରାସାଦ ସମ୍ମୁଖରେ ମଟର୍‍ବାଇକରେ ବ୍ରେକଦେଲେ ସତ୍ୟଜିତ୍‍ । ପାଦ ଦୁଇଟି ତାଙ୍କର ଆପେ ଆପେ ଆଗେଇଚାଲିଲା ଗେଟ୍‍ ଆଡ଼କୁ ।

 

ମିସ୍‍ ଦାସ ହେଁ ଘରମେ ? ଗୁର୍ଖା ଦରଓ୍ୟାନକୁ ଦେଖି ପ୍ରଶ୍ନକଲେ ସତ୍ୟଜିତ୍‍ ।

 

ହାଁ, ହୈ.....ଲେକିନ ଆପ୍‍ ଐସେ ଇନ୍‍କେ ସାଥ୍‍ ମିଲ୍‍ ନହିଁ ସକ୍‍ତେ, ପହଲେ ଆପକୋଂ ଇନ୍‍କା ପର୍‍ସନାଲ ଏସିସ୍‍ଟାଣ୍ଟ କେ ସାଥ୍‍ ମିଲ୍‍ନା ହୋଗା—ଦରଓ୍ୱାନ କହିଲା ।

 

ଆଜିକାଲି ଚିତ୍ରତାରକାମାନଙ୍କର ସ୍ଥାନ କେତେ ଉଚ୍ଚରେ—ସତ୍ୟଜିତ୍‍ ବେଶ୍‍ ବୁଝିପାରିଲେ ।

 

ଇନ୍‍କୋ ପରସନାଲ ଆସିସ୍‍ଟାଣ୍ଟ କହାଁ ହେଁ ?

 

ଜୀ, ଇନ୍‍କୋ ଅଫିସମେ......ଆପ୍‍ ଜାଇୟେ......ଓ ପୋର୍ଟିକୋ ମେ ମଟର ବାଇକ୍‍ ରଖ୍‍ କର୍‍ ଇନ୍‍କେ ସାଥ୍‍ ମିଲିୟେ ।

 

ଗେଟ୍‍ ଅତିକ୍ରମ କରି ସତ୍ୟଜିତ୍‍ ହତା ମଧ୍ୟରେ ପ୍ରବେଶ କଲେ । ଦୁଇ ପାର୍ଶ୍ୱର ମନୋରମ ଉଦ୍ୟାନ ଅତିକ୍ରମ କରିବା ପରେ ପୋର୍ଟିକୋ ନିକଟରେ ପହଞ୍ଚିଲେ ସେ । ବାମପାର୍ଶ୍ୱର ରୁମ୍‍ଟିର ଦ୍ୱାରରେ ଝୁଲୁଛି ଏକ ଦାମିକା ପ୍ଲାସ୍‍ଟିକ ପର୍ଦ୍ଦା । ରୁମ୍‍ ମଧ୍ୟରେ ଜଳୁଛି ଏକ ନୀଳବର୍ଣ୍ଣର ବିଦ୍ୟୁତାଲୋକ ।

 

ପର୍ଦ୍ଦା ଆଡ଼େଇ ରୁମ୍‍ ମଧ୍ୟକୁ ଚାହିଁଲେ ସତ୍ୟଜିତ୍‍ । ସମ୍ମୁଖରେ ତାଙ୍କର ଗୋଟାଏ ଟେବ୍‍ଲ୍‍ । ଦୁଇ ପାର୍ଶ୍ୱରେ ଦୁଇଟି ଦାମିକା ଚୌକୀ । ଟେବୁଲ୍‍ର ଅପର ପାର୍ଶ୍ୱରେ ପଡ଼ିଥିବା ଚୌକିଟି ଅଧିକାର କରିଛି ଜଣେ ଯୁବକ । ସମ୍ଭବତଃ ଖଣ୍ଡିଏ ହିନ୍ଦୀ ଉପନ୍ୟାସ ମଧ୍ୟରେ ମନୋନିବେଶ କରିଛି ସେ । ପ୍ୟାରକି ଜିନ୍ଦେଗୀ ସତ୍ୟଜିତ୍‍ଙ୍କର ଉପସ୍ଥିତି ଜାଣିପାରନ୍ତି ସେ । ମନେ ହେଲା ଯେପରି ଯୁବକଟି ପରିଚିତ ତାଙ୍କର ।

 

ମୋ ଆଇ କମ୍‍ ଇନ୍‍ ସାର୍‍ ?

 

ଇଏସ୍‍.....ହ୍ୱାଇ ନଟ୍‍– । ଯୁବକଟି ଚାହିଁଲା ପରଦା ଆଡ଼କୁ

 

କି ରେ ? ବାଳୁଙ୍ଗା, ତୁ ଏଠି !

 

କି ରେ ? ଧୂମକେତୁ ଭଳି କ’ଣ ହାବୁଡ଼ିଲୁଣି ! ସତ୍ୟଜିତଙ୍କର ପ୍ରଶ୍ନର ଉତ୍ତର ନ ଦେଇ କହିଲା ଯୁବକଟି ।

 

ଜାଣିନୁ ? ପାପର ମାତ୍ରା ଅଧିକ ହେଲେ ଧୂମକେତୁର ଆବିର୍ଭାବ ହୁଏ ।

 

ବ’ବେ ସେ ଚୌକିରେ । ନିଜେ ତ ଭାରି ଧାର୍ମିକଟାଏ ।

 

ହଇ ରେ କିଶୋର, ସେକ୍ରେଟେରୀଏଟ୍‍ ଛାଡ଼ି ଏଠି କେବେଠୁ ରହିଲୁଣି—ମୁଁ ଜାଣିନି ! ବସୁ ବସୁ କଥାର ସୁଅ ବଦଳାଇ କହିଲେ ସତ୍ୟଜିତ୍‍ ।

 

ପ୍ରାୟ ଦେଢ଼ ବର୍ଷ ହେବ ଯାହା କହ, ସେ କିରାନୀ ଜୀବନଠାରୁ ଇଏ ଲକ୍ଷେ ଗୁଣରେ ଭଲ । ସକାଳ ନ’ଟାରୁ ଦିନ ଗୋଟାଏ, ପୁଣି ସନ୍ଧ୍ୟା ଛ’ଟାରୁ ରାତି ନ’ଟା ପର୍ଯ୍ୟନ୍ତ ଯାହା କାର୍ଯ୍ୟ । ସେମିତି ବି ବିଶେଷ କିଛି କାର୍ଯ୍ୟ ନ ଥାଏ ।

 

ଦରମା କେତେ ?

 

ତିନିଶହ ପଞ୍ଚାନବେ । ଟିକିଏ ହସିଲେ କିଶୋର ।

 

ବେଶ୍‍ ତ ! ଆଉ କ’ଣ ........ସେଇଥିପାଇଁ ଆମକୁ ଆଉ ପଚାରୁନୁ ବୋଧହୁଏ ?

 

ଏଇତ ହେଲା ଅଭିମାନ । କଥା କ’ଣ କି; ୟା ଭିତରେ ମୁଁ ଗୋଟାଏ ନିପଟ ଅଳସୁଆ ପାଲଟି ଯାଇଛି । ବାଇଚାନ୍‍ସ୍‍ ବି କେତେବେଳେ ତୋ ସହିତ ଦେଖା ହୋଇପାରୁନି । ପୁଣି ତୋର ମୂଲ୍ୟ ଏମିତି ବଢ଼ିଯାଇଛି ଯେ, ଯେତେବେଳେ ଖୋଜିବାକୁ ଯିବ, ତୁ ନଥିବୁ ତିନି ଚାରିଥର ଫେରିବା ପରେ ତୋ ନିକଟକୁ ଯିବାର ଦୁଃସାହସ ଆଉ ମୁଁ କରି ପାରିନି । ମୋ କଥା କ’ଣ ? କାମଟା ଯଦି ମୋର ଗୋଟାଏ ହବି ନ ହୋଇଥାନ୍ତା ମୁଁ କେବେଠାରୁ ଛାଡ଼ି ଦିଅନ୍ତିଣି ।

 

ତା’ ନ ହେଲେ କାହିଁ ପୁରୀର ଲକ୍ଷପତି ବିରାଜ ଦାସଙ୍କର ଏକ ମାତ୍ର ପୁଅ ସତ୍ୟଜିତ୍‍ ଦାସ ଆଉ କାହିଁକି ସି.ଆଇ.ଡ଼ି ଇନ୍‍ସପେକ୍‍ଟର ! ବେଳେ ବେଳେ ଘରୁ ଖାଇ ଘୋଡ଼ା ଆଗରେ ବି ଡେଇଁବାକୁ ପଡ଼େ । ସତ୍ୟଜିତ୍‍ଙ୍କୁ ଚାହିଁଲେ କିଶୋର ।

 

ସତ୍ୟଜିତ୍‍ ଚାହିଁଲେ ଓ୍ୱାଚ୍‍କୁ । ସାଢ଼େ ଛ’ଟାରେ ଯିବାକୁ ହେବ । ଅପେକ୍ଷାକୃତ ନିମ୍ନସ୍ତରରେ କହିଲେ ସତ୍ୟଜିତ୍‍ ।

 

କି ରେ ! ଆସିବାର ଅଭିପ୍ରାୟ ନ ଜଣାଇ କ’ଣ ଯିବାର ଉପକ୍ରମ କଲୁଣି ?

 

ଆସିବାର ଅଭିପ୍ରାୟ ହେଉଛି, ଫିଲ୍ମଷ୍ଟାର ମିସ୍‍ ଇଭାଙ୍କ ସହିତ ଦେଖା କରିବା ।

 

କାହିଁକି ? କ’ଣ କିଛି ଫିଲ୍ମ ପ୍ରଡ଼୍ୟୁସ କରୁଛୁ ନା କ’ଣ ?

 

ନା, ତା’ ବର୍ତ୍ତମାନ ମୋ ଭାଗ୍ୟରେ ନାହିଁ । ବର୍ତ୍ତମାନ ଆସିଛି ସେମିତି.........

 

ଟିକିଏ ଅପେକ୍ଷା କର । ଏଇ ପନ୍ଦର ମିନିଟ ହେବ ସେ ମଧ୍ୟ ଗୋଟାଏ ମିଟିଂରୁ ଆସିଛନ୍ତି ।

 

ମିଟିଂ !

 

ହଁ.....‘ଇୟଙ୍ଗ ଆର୍ଟଷ୍ଟସ୍‍ ଆସୋସିଏସନ୍‍’ ଉଦ୍‍ଘାଟନ କରିବାକୁ ଯାଇଥିଲେ ପ୍ରଧାନ ଅତିଥି ହୋଇ......ଆରେ ହେ ! ପ୍ରଯୋଜକ ନନ୍ଦକୁମାରଙ୍କୁ ପୋଲିସ ସମ୍ମୁଖରେ ହତ୍ୟା କରାଗଲା !

 

ହୁଁ । ସତ୍ୟଜିତ୍‍ଙ୍କ ମୁହଁ ତଳକୁ ହେଲା ।

 

ବାବୁ ସିଗାରେଟ । ଗୋଟା, ‘ପାନାମା’ ପ୍ୟାକେଟ୍‍ ଆଣି ଚପରାସି ରଖିଲା ଟେବ୍‍ଲ୍‍ ଉପରେ ।

 

ଆରେ ବାଦଲ୍‍ ଯା’ ତ ମାଙ୍କୁ କହିବୁ ଯେ, ସି. ଆଇ.ଡ଼ି ଇନ୍‍ସପେକ୍‍ଟର ସତ୍ୟଜିତ୍‍ ଦାସ ତାଙ୍କ ସହିତ ଦେଖା କରିବାକୁ ଇଚ୍ଛା କରନ୍ତି । କିଶୋର ବାବୁ ନିର୍ଦ୍ଦେଶ ଦେଲେ ।

 

ପ୍ରସ୍ଥାନ କଲା ବାଦଲ ।

 

ଦୁଇଟି ‘ପାନାମା’ର ଧୂମ୍ରକୁଣ୍ଡଳୀ ରୁମ୍‍ ମଧ୍ୟରୁ ବାହାରକୁ ଯିବା ନିମିତ୍ତ ଅନ୍ୱେଷଣ କରୁଥିଲେ ପାର୍ଥ । ଫେରି ଆସିଲା ବାଦଲ୍‍ ।

 

ଆଜ୍ଞା, ସେ କହିଲେ ଭଦ୍ର ଲୋକଙ୍କୁ ଉପରକୁ ପଠାଇ ଦିଅନ୍ତୁ ।

 

ଯା’ରେ ବାବୁ ଉପରେ ମଧ୍ୟ ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା ହେବାର ବେଶ ବ୍ୟବସ୍ଥା ରହିଛି । ସତ୍ୟଜିତ୍‍ଙ୍କୁ ଚାହିଁ କହିଲା କିଶୋର ।

 

ଚୌକି ଛାଡ଼ିଲେ ସତ୍ୟଜିତ୍‍ । ଆଗେ ଆଗେ ବାଦଲ, ପଛରେ ତା’ର ସତ୍ୟଜିତ୍‍ ! ପ୍ରଧାନ ଦ୍ୱାର ଦେଇ ପ୍ରବେଶ କରି ସତ୍ୟଜିତ୍‍ ଦେଖିବାକୁ ପାଇଲେ ଉପରକୁ ଯିବାକୁ ପଡ଼ିଛି ସୋପାନଶ୍ରେଣୀ । ବାଦଲ ସହିତ ଉଠିବାକୁ ଲାଗିଲେ ସେ । ସୋପାନଶ୍ରେଣୀ ଅତିକ୍ରମ କରି ଦୁଇ ଚାରି ପାହୁଣ୍ଡ ଅଗ୍ରସର ହେବା ପରେ ସେ ଦେଖିବାକୁ ପାଇଲେ ଏକ ସୁସଜ୍ଜିତ ରୁମ୍‍ । ପର୍ଦ୍ଦା ଆଡ଼େଇ ପ୍ରବେଶ କଲେ ରୁମ୍‍ ମଧ୍ୟରେ ।

 

ଆରେ ? ଆପଣ ଯେ ! ବସନ୍ତୁ...ବସନ୍ତୁ.....ନମସ୍କାର ଗ୍ରହଣ କରିବାର ଭଙ୍ଗୀ ଦେଖାଇ କହିଲେ ଇଭା ।

 

ପଡ଼ିଥିବା କୁଶନ୍ ସେଟ୍‍ରୁ ଗୋଟିଏ ଅଧିକାର କରୁକରୁ ରୁମ୍‍ଟିର ଚତୁର୍ଦ୍ଦିଗରେ ଦୃଷ୍ଟି ନିକ୍ଷେପ କରୁଥିଲେ ସତ୍ୟଜିତ୍‍ । ସାଜସଜ୍ଜା ଦେଖି ମୁଗ୍‍ଧ ହୋଇ ପଡ଼ିଲେ ସେ । ସମ୍ମୁଖର ଗୋଲାକାର ଛୋଟ ଟେବୁଲଟି ଉପରେ ଦୃଷ୍ଟି ପଡ଼ିଲା ତାଙ୍କର । ଫିଲ୍ମ ଇଣ୍ଡିଆ, ଫିଲ୍ମ ଫେୟାର; ମୁଭି ଫେୟାର, ଚିତ୍ରପୁରୀ ନବ୍‍ ଚିତ୍ରପଟ, କ୍ଲିକ୍‍, ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ, ସାମଜ ଓ ଆମେରିକାନ ରିପୋର୍ଟର ପ୍ରଭୃତି ପତ୍ର ପତ୍ରିକା ଖେଳେଇ ହୋଇପଡ଼ିଛି ।

 

ଏଥର କୁହନ୍ତୁ......କେଉଁଆଡ଼େ ଆସିଲେ । ଦ୍ୱିପ୍ରହର ବେଳେ ତ ଷ୍ଟୁଡିଓରେ ଆପଣମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ମୁଣ୍ଡ ଖରାପ କରି ଦେଇଛନ୍ତି । ଇଭା ଦାସଙ୍କ ଓଷ୍ଠରେ ଦେଖା ଦେଇଥିଲା ଗୋଟିଏ କ୍ଷୀଣ ହାସ୍ୟରେଖା ।

 

ନା’ ବର୍ତ୍ତମାନ ଆଉ ମୁଣ୍ଡ ଖରାପ କରି ଦେବା ନିମିତ୍ତ ଆସିନି । ଆସିଛି ଅଭିବାଦନ ଜଣାଇବା ପାଇଁ । ଇଭାଙ୍କ ମୁହଁକୁ ଚାହିଁଥିଲେ ସତ୍ୟଜିତ୍‍ ।

 

ଅଭିବାଦନ ! ଆଶ୍ଚର୍ଯ୍ୟାନ୍ୱିତା ହୋଇପଡ଼ିଲେ ଇଭା ।

 

ହଁ । ଆପଣଙ୍କ ନୃତ୍ୟଟି ମୋତେ ବେଶ୍‍ ଭଲ ଲାଗିଲା ।

 

ଓ......ନିର୍ଦ୍ଦେଶକ ମଧ୍ୟ କହୁଥିଲେ ଭଲ ହେଉଥିଲା ବୋଲି....କିନ୍ତୁ କ’ଣ ହେବ । ହଠାତ୍‍ ଇଭାଙ୍କ ମୁଖମଣ୍ଡଳରେ ଦେଖା ଦେଲା ମଳିନତାର କଳା ଛାଇ । ସତେ ଯେପରି ଅତ୍ୟଧିକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସେ ।

 

ସେ କଥା ବର୍ତ୍ତମାନ ଛାଡ଼ନ୍ତୁ । ମୁଁ ମଧ୍ୟ ଆଜିର ସେ ନୃତ୍ୟ ବିଷୟରେ କହିବାକୁ ଆସିନି ।

 

ତେବେ ?

 

କାଲି ରାତିର ନୃତ୍ୟ ନିମିତ୍ତ ଆପଣଙ୍କୁ ବିଶେଷ ଧନ୍ୟବାଦ ଦେଉଛି ।

 

କାଲି ରାତିର ! ସତେ ଯେପରି ଆକାଶଟା ଇଭାଙ୍କ ମସ୍ତକ ଉପରେ ଛିଡ଼ି ପଡ଼ିଲା । ସଙ୍ଗେ ସଙ୍ଗେ ନିଜକୁ ସମ୍ୱରଣ କରି ନେଲେ ସେ ।

 

ହଁ,....କାଲି ରାତିରେ ମୋତେ ଫୋନ୍‍ କରି ଭୁଲାଇ ଡାକି ନେଲେ ହୋଟେଲକୁ ....ତା’ପରେ .....ତା’ପରେ ....ଅପରାଧିର ଅନୁସନ୍ଧାନରୁ କ୍ଷାନ୍ତ ରହିଲେ ଯଥେଷ୍ଟ ଧନ ଦେବେ ବୋଲି ପ୍ରଲୋଭନ ଦେଖାଇଲେ......ତା’ ପରେ ମୋର ପଶ୍ଚାଦଭାଗରେ ଆବିର୍ଭାବ ହେଲା ଗୋଟାଏ କଳାପୋଷାକଧାରୀ ନରମୂର୍ତ୍ତିର....ତା’ପରେ ତା’ରି ନିର୍ଦ୍ଦେଶରେ ଆପଣ ମୋ ସମ୍ମୁଖରେ ନୃତ୍ୟ ରଚନା କଲେ....ନୃତ୍ୟ ଶେଷରେ ଦେଲେ ଗ୍ଲାସେ ସର୍ବତ.....ତାପରେ....ମୋର ସଂଜ୍ଞା ଲୋପ ପାଇବାର ଉପକ୍ରମ ହେଲା ଏବଂ ଆପଣଙ୍କ ଇଚ୍ଛାନୁସାରେ ମୁଁ ପଡ଼ି ରହିଲି.....

 

ପାଗଳ ହେଲେ ନା କ’ଣ ! କେଉଁ କଥା କହୁଛନ୍ତି ମୁଁ ବୁଝିପାରୁ ନି ?

 

ମୋତେ ଭୁଲାଇବା ପାଇଁ ଅଭିନୟ କରନ୍ତୁ ନାହିଁ ମିସ୍‍ ଇଭା । ମନୁଷ୍ୟର ଅଭିନୟ ସଫଳ ହୁଏ ବା ବାସ୍ତବତାର ରୂପ ନିଏ ସେତିକିବେଳେ, ଯେତେବେଳେ ସେ ସେହି ଅଭିନୟ ବିଷୟ ହିଁ ଭାବୁଥାଏ, ସମ୍ମୁଖରେ ଯେ କୌଣସି ବ୍ୟକ୍ତିର ଉପସ୍ଥିତି ତାକୁ ଜଣାଯାଏ ଅନୁପସ୍ଥିତି ଭଳି, କିମ୍ୱା ତାକୁ ସେ ଜଣାଯାଏ ତା’ର ଅତି ପୁରାତନ ଘନିଷ୍ଠ ବନ୍ଧୁ ଭଳି, ଯେତେବେଳେ ତା’ ପ୍ରତି ନଥାଏ ଅଭିନେତା କିମ୍ୱା ଅଭିନେତ୍ରୀ ନର୍‍ଭସନେସ୍‍ । କିନ୍ତୁ....ବର୍ତ୍ତମାନ ଆପଣଙ୍କ ଦୁର୍ବଳତା ହେତୁ ଆପଣ ମୋତେ ଭୟ କରୁଛନ୍ତି ନିଶ୍ଚୟ, ତେଣୁ ଆପଣଙ୍କ ଅଭିନୟରେ ଫୁଟି ଉଠୁନି ବାସ୍ତବତା ।

 

କ’ଣ ଆପଣ କହୁଛନ୍ତି....କିଛି ବୁଝି ପାରୁନି ମୁଁ ।

 

ବୁଝି ପାରୁଛନ୍ତି.....ନ ବୁଝିବାର ଛଳନା କରୁଛନ୍ତି...ସେଥିରେ ମୋର କିଛି ଯାଏ ଆସେ ନି...ବର୍ତ୍ତମାନ କୁହନ୍ତୁ........ନନ୍ଦକୁମାରଙ୍କ ହତ୍ୟା ମୂଳରେ କିଏ ?

 

ଆରେ ! ବଡ଼ ଅସମ୍ଭବ କଥା ତ ? ମୁଁ ଜାଣିଲି କିପରି ? ସତେ ଯେପରି ଆଉ ଟିକିଏ ଗଲେ ସେ କାନ୍ଦି ପକାଇବେ । ସୁନ୍ଦର ମୁଖ ମଣ୍ଡଳରେ ତାଙ୍କର ଫୁଟି ଉଠିଲା ସେଇ ଭାବ ।

 

ଆପଣ ଜାଣନ୍ତି । ଅବଶ୍ୟ ମୁଁ କହୁ ନି ଯେ, ଆପଣ ନନ୍ଦକୁମାରଙ୍କ ହତ୍ୟାରେ ଜଡ଼ିତ, କିନ୍ତୁ ମୁଁ ଜାଣେ ଆପଣ ଏ ଅପରାଧର ନାୟକକୁ ଭଲରୂପେ ଚିହ୍ନନ୍ତି । ମୁଁ କହୁନି ଯେ, ହତ୍ୟା କିପରି କରାଗଲା—ଆପଣ ଜାଣନ୍ତି । କିନ୍ତୁ ଯାହାର ଚକ୍ରାନ୍ତରେ ଏସବୁ ସମ୍ଭବପର ହୋଇଛି ସୋ ଆପଣଙ୍କର ପରିଚିତ । ତା’ ନ ହେଲେ କାହିଁ ଲକ୍ଷ ହୃଦୟର ରାଣୀ, ସମ୍ମାନାସ୍ପଦ ଓ ଉଚ୍ଚ ଶିକ୍ଷିତା ଚିତ୍ରାଭିନେତ୍ରୀ ମିସ୍‍ ଇଭା ଆଉ କାହିଁ ଦସ୍ୟୁପୁରୀ । ବେଶ୍‍ ମୋର ସେତିକି ହିଁ ଆବଶ୍ୟକ । ସେଇ ପରିଚୟଟା ମୋତେ କହି ଦେଲେ ଆପଣଙ୍କର କୌଣସି ଅନିଷ୍ଟ କରିବି ନି.....ଆପଣ ବିଶ୍ୱାସ କରନ୍ତୁ....ଏପରି କି ଏ ବିଷୟରେ ଆପଣଙ୍କ ନାମ ସୁଦ୍ଧା ମୋ ବ୍ୟତୀତ ଆଉ କେହି ଜାଣିବେନି । ମୁଁ ପ୍ରତିଜ୍ଞା କରି କହୁଛି । ଇଭାଙ୍କ ମୁଖମଣ୍ଡଳ ଉପରେ ପ୍ରତ୍ୟେକ ମୁହୂର୍ତ୍ତରେ ପଡ଼ୁଥିଲା ତାଙ୍କର ଦୃଷ୍ଟି । ସେହିପରି ସତ୍ୟଜିତ୍‍ ଚାହିଁ ରହିଲେ ମିସ୍‍ ଦାସଙ୍କୁ ।

 

ହଁ କିଛି ଜାଣେ ନି....ମୁଁ କିଛି ଜାଣେ ନି......ମୋତେ ବ୍ୟସ୍ତ କରନ୍ତୁ ନି.....ମୁଁ ଅତ୍ୟନ୍ତ କ୍ଲାନ୍ତ ହୋଇପଡ଼ିଛି ଆଜି । ଅନୁନୟ କରି କହିଲେ ମିସ୍‍ ଦାସ ।

 

ମୋତେ ଭୁଲାଇ ପାରିବେନି ମିସ୍‍ ଦାସ । ନିଜ ଉପରେ ଆସ୍ଥା ନ ଥିଲେ ସତ୍ୟଜିତ୍‍ ଦାସ କେବେ ହେଲେ ଜଣକୁ ସନ୍ଦେହ କରି ପ୍ରଶ୍ନ କରେନି । ଆପଣ ଯେତେ ମେକ୍‍ଅପ୍‍ ହେଲେ ମଧ୍ୟ ବାମପାର୍ଶ୍ୱରେ ଓଠ ତଳକୁ ବିଉଟି ସ୍ପଟ୍‍ଟା କେଉଁଆଡ଼େ ଉଭେଇ ଯାଇ ନଥିଲା । ଆପଣ ହସିଦେଲେ ବେଳେ ଦୁଇ ପାର୍ଶ୍ୱର ଗଣ୍ଡଦେଶରେ ପ୍ରାୟ ଏକ ପେନ୍‍ସିଲ୍‍ର ପରିଧି ବିଶିଷ୍ଟ ଯେଉଁ ସୂକ୍ଷ୍ମ ସୁନ୍ଦର ଗର୍ତ୍ତ ଦୁଇଟି ସୃଷ୍ଟି ହୁଏ—ତାକୁ ସୃଷ୍ଟିକର୍ତ୍ତା ଲିଭାଇ ଦେଇ ନ ଥିଲେ । ବାସ୍ତବିକ....ଆପଣଙ୍କୁ ଏ କାର୍ଯ୍ୟରେ ନିଯୁକ୍ତ କରି ଦସ୍ୟୁ ଏକ ଅମାର୍ଜନୀୟ ଭୁଲ କରି ବସିଛି । ଜଣେ ପ୍ରସିଦ୍ଧ ଫିଲ୍ମ ଷ୍ଟାର୍‍ ଓ ପ୍ଲେବ୍ୟାକ୍‍ ଆର୍ଟିଷ୍ଟଙ୍କର କଣ୍ଠସ୍ୱର ବାରି ଦେବାରେ ଅଧିକ କଷ୍ଟ କରିବାକୁ ହୁଏ ନି । ବିଶେଷତଃ ଆପଣଙ୍କ ଅଭିନୟ ପ୍ରାୟ ପ୍ରତ୍ୟେକ ଫିଲ୍ମ ମୁଁ ଆଟେଣ୍ଡ କରେ । ତା’ପରେ ହେଉଛି....ନୃତ୍ୟ ସମୟରେ ଆପଣଙ୍କ ଅଙ୍ଗଭଙ୍ଗୀ । ଆପଣ ତ ଜାଣନ୍ତି—ବିଶେଷତଃ ସେଥି ନିମିତ୍ତ ଆପଣ ଅଧିକାଂଶ ସ୍ଥାନରେ ପ୍ରଶଂସନୀୟା ହୋଇଉଠନ୍ତି । ବର୍ତ୍ତମାନ କ୍ଷେତ୍ରରେ ଆପଣଙ୍କ ଅବସ୍ଥା କ’ଣ ହେବ, ଆପଣ ଅନୁମାନ କରି ପାରୁଥିବେ । ଦୁଇଟି ରାସ୍ତା ଆପଣଙ୍କ ସମ୍ମୁଖରେ ପଡ଼ିଛି । ଗୋଟିଏ ହେଉଛି—କେହି ଜାଣିବେ ନି—ଆପଣ ଅପରାଧିର ପରିଚୟ ମୋ ନିକଟରେ କହିବେ ଏବଂ ନିର୍ଦ୍ଦୋଷ ଭଳି ଘରେ ବସିବେ । ଦ୍ୱିତୀୟଟି ହେଉଛି ପ୍ରଥମ ସର୍ତ୍ତରେ ରାଜି ନ ହେଲେ ହ୍ୟାଣ୍ଡକପ୍‍ ପଡ଼ି ଥାନାକୁ ଯିବେ ।

 

ଚମକି ଉଠିଲେ ମିସ୍‍ ଇଭା—ମୋ ବିରୁଦ୍ଧରେ ପ୍ରମାଣ !

 

ଯେତେବେଳେ ଆପଣଙ୍କ ଉପରେ ମୋର ଦୃଢ଼ ସନ୍ଦେହ, ସେତେବେଳେ ପ୍ରମାଣ ଯୋଗାଡ଼ କରିବାକୁ ଅନ୍ତତଃ ଏକ ସପ୍ତାହରୁ ବେଶୀ ଲାଗିବ ନାହିଁ । ଟିକିଏ ହସି ଦେଇ ସତ୍ୟଜିତ୍‍ ଚାହିଁଲେ ମିସ୍‍ ଇଭାଙ୍କୁ ।

 

ମିସ୍‍ ଦାସଙ୍କର ଦୁଇ ମୃଗନୟନରୁ ଝରି ପଡ଼ିଲା ଦୁଇ ବିନ୍ଦୁ ଲୁହ ।

 

ଅନୁତାପ କରି ଆଉ କିଛି ଲାଭ ନାହିଁ ମିସ୍‍ ଦାସ । ଯାହା ହେବାର ହୋଇଛି । ନିଜ ଜୀବନର ରକ୍ଷା ନିମିତ୍ତ ସମସ୍ତେ ତତ୍ପର ଥାନ୍ତି । ତେଣୁ ଆପଣ ଯାହା କରିଛନ୍ତି, ଗୋଟିଏ ପଏଣ୍ଟରୁ ଅନ୍ୟାୟ କରି ନାହାନ୍ତି । କିନ୍ତୁ କଥାଟା ପୋଲିସ୍‍କୁ ଟିକିଏ ଗୁପ୍ତରେ ଜଣାଇ ଦେଇଥିଲେ ମଧ୍ୟ ଚଳିଥାନ୍ତା । ଆଚ୍ଛା ହେଉ ... ଯାହା ଯାଇଛି ....ତାହା ଫେରିବନି । ବର୍ତ୍ତମାନ ଏକ ମାତ୍ର ଉପାୟ ହେଉଛି ଏ ଅପରାଧ ଗୁଡ଼ିକର ନାୟକ କିଏ ଆପଣ କହିବେ । ଆଉ ବିଶ୍ୱାସ ହେଉଛି ଏ ଅପରାଧ ଗୁଡ଼ିକର ନାୟକ କିଏ ଆପଣ କହିବେ । ଆଉ ବିଶ୍ୱାସ ରଖନ୍ତୁ—ମୁଁ ଅନ୍ୟ ପ୍ରମାଣ ସଂଗ୍ରହ କରି ତାକୁ ଆରେଷ୍ଟ କରିବି, ଆପଣଙ୍କ କଥା ମୋ ବ୍ୟତୀତ ଅନ୍ୟ କେହି ଜାଣିବେ ନି ।

 

କିନ୍ତୁ....ମୁଁ ଯାହା ଜାଣେ ସିନା ସେତିକି କହିବି ! ସ୍ୱରରୁ ଜଣା ଯାଉଥିଲା ସତେ ଯେପରି ଭାଙ୍ଗି ପଡ଼ିଛନ୍ତି ଇଭା ।

 

ହଉ...ସେତିକି କୁହନ୍ତୁ ।

 

ଆପଣ ବିଶ୍ୱାସ କରିବେ ତ ?

 

ମୋତେ ବିଶ୍ୱାସ କରିବାକୁ ପଡ଼ିବ....ଆପଣ କୁହନ୍ତୁ ।

 

ଆପଣଙ୍କ ସମ୍ମୁଖରେ ମୋତେ ଯେଉଁଦିନ ନୃତ୍ୟ କରିବାକୁ ହୋଇଥିଲା, ତା’ର ପୂର୍ବଦିନ ଦଳର ନାୟକମୋ ନିକଟକୁ ଆସିଥିଲା...ବହୁତ ରାତିରେ.. ପ୍ରାୟ ଦୁଇଟା ହେବ ।ମେ ବେଡ୍‍ରୁମ୍‍ ଝରକାର ରେଲିଂ ବଙ୍କା କରି ରୁମ୍‍ ମଧ୍ୟରେ ପ୍ରବେଶ କରି ମୋତେ ଉଠାଇଲା । ମୁଁ ଚିତ୍କାର କରିବା ପୂର୍ବରୁ ମୋ ମୁହଁଟାକୁ ଅତ୍ୟକ୍ତ ଶକ୍ତି ବ୍ୟୟକରି ଚାପି ଧରିଲା ଓ ଭୟ ନ କରିବାକୁ ନିର୍ଦ୍ଦେଶ ଦେଲା । ସମସ୍ତ ଶରୀର, ଏପରି କି ଚକ୍ଷୁ ବ୍ୟତୀତ ସମସ୍ତ ମୁଖମଣ୍ଡଳ ତା’ର ଆବୃତ୍ତ ହୋଇଥିଲା କଳା କନାରେ । ତା’ ପରେ ଅର୍ଥ ଲୋଭ ଦେଖାଇ ମୋତେ ତା’ର ପ୍ରସ୍ତାବ ଦେଲା । ମୁଁ ରାଜି ନ ହେବାରୁ ମୋତେ ରିଭଲ୍‍ବର୍‍ ଦେଖାଇଲା ଏବଂ କହିଲା ଯେ....ତା’ର କାର୍ଯ୍ୟଟି ନକଲେ ମୋତେ ଖୁନ୍‍ କରିବ ।

 

ଗୋଟାଏ ଦୀର୍ଘନିଶ୍ୱାସ ତ୍ୟାଗ କରି ପୁନର୍ବାର ଆରମ୍ଭ କଲେ ମିସ୍‍ ଇଭା—ମୁଁ ଅକ୍ଲେଶରେ ରାଜି ହେଲି । ସେହି ଦିନର ନିର୍ଦ୍ଦେଶନୁଯାୟୀ ଗୋଟାଏ ଆମ୍ୱାସାଡର କାର ଆସି ଠିକ୍‍ ସନ୍ଧ୍ୟା ସାତଟା ପନ୍ଦର ବେଳେ ପହଞ୍ଚିଲା । ମୁଁ ସେଥିରେ ବସିବା ପରେ କାରଟିର ଚତୁର୍ଦ୍ଦିଗରେ କଳା ପର୍ଦ୍ଦା ଦିଆଗଲା ଏବଂ କାର୍‍ଟି ଛୁଟି ଚାଲିଲା । କାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ମୋ ନିକଟରେ ବସିଥିବା ଜଣେ ଲୋକ ମୋର ଦୁଇ ଚକ୍ଷୁରେ ବାନ୍ଧି ଦେଇଥିଲା ଗୋଟାଏ କଳାକନାର ପଟି । ଫଳତଃ କେଉଁଠାରୁ ଯାଇଛି କି ଜାଣି ପାରିଲିନି । ଫେରିଲାବେଳେ ମଧ୍ୟ ସେହି ଅବସ୍ଥାରେ ଫେରିଲି । କଥା ଶେଷ ପୂର୍ବରୁ ଯେପରି ଜଣାଗଲା ସେ ଅତି ଭୟ ପାଇଛନ୍ତି ।

 

ତେବେ ? ଆପଣ ତାକୁ ଚିହ୍ନନ୍ତିନି ?

 

ନା ।

 

ଜାଣିଲେ କିପରି, ସେ ଦିନ ଯେ ଆପଣଙ୍କ ନିକଟକୁ ଆସିଥିଲା ସେ ଦଳପତି ବୋଲି ?

 

ସେ କହିଥିଲା ।

 

ଓ...ବୁଝିଲି... । ସତ୍ୟଜିତ୍‍ ଚାହିଁଲେ ସମ୍ମୁଖସ୍ଥ ଝରକାକୁ । ଗୋଟାଏ କଳାଛାୟା ଯେପରି ଅପସରି ଗଲା ।

 

କିଏ ? ଦୌଡ଼ିଗଲେ ସେ ଝରକା ନିକଟକୁ । କିନ୍ତୁ କାହାରିକୁ ଦେଖିବାକୁ ପାରିଲେନି ସେ ।

 

ମିସ୍‍ ଇଭା ଭୟ ପାଇ ଯାଇଥିଲେ ।

 

ଓ.....ଆପଣ ଭୟ କରୁଛନ୍ତି ? କିଛି ହେବନି ଆପଣଙ୍କର । ଆପଣ ତ କିଛି ଜାଣନ୍ତି ନି—ଯାହା ଦେଖୁଛି । ଫେରି ଚାହିଁ କହିଲେ ସତ୍ୟଜିତ୍‍ ।

 

ଏତେ ଭୟ ବିହ୍ୱଳତା ମଧ୍ୟରେ ବି ସତ୍ୟଜିତ୍‍ଙ୍କ ସନ୍ଧାନୀ ଚକ୍ଷୁ । ଦୁଇଟି ଇଭାଙ୍କର ମୁଖମଣ୍ଡଳରୁ ଖୋଜି ପାଇଥିଲେ ଆନନ୍ଦର ଦୀପ୍ତି ।

 

ତେବେ ମୁଁ ଚାଲିଲି ... ନମସ୍କାର ।

 

ନମସ୍କାର । କ୍ଷମା କରିବେ, ଭୁଲବସତଃ ଆପଣଙ୍କର ଆତିଥ୍ୟ କରି ପାରିଲି ନି । ଅନୁନୟ ଭଙ୍ଗୀରେ କହିଲେ ମିସ୍‍ ଇଭା ।

 

ମୁଁ ଜାଣେ ତ ଆପଣ ଆଜି ବିଚଳିତ ହୋଇ ପଡ଼ିଛନ୍ତି । ତେଣୁ କିଛି ଭାବିବାର ନାହିଁ ।

 

ସୋପାନଶ୍ରେଣୀର ଶେଷ ପର୍ଯ୍ୟନ୍ତ ଇଭା ଆସିଲେ ସତ୍ୟଜିତ୍‍ଙ୍କ ବଳାଇ ଦେବା ପାଇଁ । ତା’ପରେ ଫେରିଗଲେ ଉପରକୁ ।

 

ସତ୍ୟଜିତ୍‍ ପହଞ୍ଚିଲେ କିଶୋର ନିକଟରେ ।

 

କି ରେ ! କିଛି କମ୍‍ ତ କଥାବାର୍ତ୍ତା ହେଲୁନି—ମୁଁ ଯାହା ଅନୁମାନ କରୁଛି । ପରିହାସ କରି କହିଲେ କିଶୋର ।

 

ହଁ ଟିକିଏ ଭଲ ଲାଗିଲା ।

 

ଦେଖୁଛି—ୟା ଭିତରେ ଗୋଟାଏ ରସିକ ପାଲଟି ଗଲୁଣି ! ତା’ ନ ହେଲେ ଚୋର ପଛରେ ଗୋଡ଼େଇବାକୁ ସମୟ ମିଳନ୍ତାନି .....ଆସି ବିଡ଼ିଆ ପାଖରେ ହାଜର । ହସି ହସି କହିଲେ କିଶାୋର ।

 

ଆଚ୍ଛା କିଶୋର, ପ୍ରାୟ ଦେଢ଼ ବର୍ଷ ହେଲା ତୁ ତ ଏଠି ଅଛୁ । କହିଲୁ ମିସ୍‍ ଦାସଙ୍କର ଚରିତ୍ର କିପରି ? ଗମ୍ଭୀର ହୋଇ ପ୍ରଶ୍ନ କଲେ ସତ୍ୟଜିତ୍‍ ।

 

କାହିଁକି ? ଜାତକ ମିଳାଇଛୁ କି ରେ ?

 

ନାହିଁ ବେ । ଦରକାର ଅଛି । ମୁଁ ସନ୍ଦେହ କରିଛି ତାଙ୍କୁ ଗୋଟାଏ କେଶ୍‍ ନିମିତ୍ତ ।

 

କାହିଁକି ? ଆଉ କେହି ମିଳିଲେ ନି ନା କ’ଣ ? ତୁ ବାବୁ ଗଲୁ ଏଠାରୁ । କିଛି ସମୟ ଗଲେ ବାଲ୍ୟ ବନ୍ଧୁତ୍ୱକୁ ଭୁଲି ଯାଇ ତୁ ବୋଧ ହୁଏ ମୋତେ ସନ୍ଦେହ କରିବୁ । କଥା ନାହିଁ, ବାର୍ତ୍ତା ନାହିଁ, ଆସୁ ଆସୁ ସନ୍ଦେହ । କ’ଣ ନାହିଁ କ’ଣ କହିଥିବୁ ତାଙ୍କୁ, କାଲି ମୁଁ ଶୁଣିବି ଗାଳି । ମୁଁ କହିଲି ବୋଲି, ନଚେତ ଦେଖା ପାଇ ନଥାନ୍ତୁରେ ବାବୁ ।

 

ବାଜେ କଥା ରଖ । ତୁ’ତ ଜାଣୁ ଆଜି ନନ୍ଦକୁମାରଙ୍କୁ ହତ୍ୟା କରାଗଲା । ସେଠିକାର ସୁଟିଂରେ ଉପସ୍ଥିତ ଥିଲେ ମିସ୍‍ ଇଭା । ତେଣୁ ସେ ବିଷୟରେ କେତେଗୁଡ଼ିଏ ପ୍ରଶ୍ନ ପଚାରିବାକୁ ଆସିଥିଲି ।

 

ଓଃ ...ତେବେ ମୋ ଅନୁଭୂତିରୁ ମୁଁ କହୁଛି ଯେ, ଚରିତ୍ର ଖୁବ୍‍ ଭଲ, ଯାହା କି ଜଣେ ଚିତ୍ରାଭିନେତ୍ରୀ ଠାରୁ ଜନସାଧାରଣ ଆଶା କରନ୍ତି ନି । ତୁ’ ବି ମାର୍କ କରିଥିବୁ ।

 

ହୁଁ । ବେଶ୍‍ ସରଳ ଓ ଶାନ୍ତ ପ୍ରକୃତିର ଯୁବତୀଟିଏ, ଗର୍ବ ତ ଆଦୌ ନାହିଁ । ଆଉ ତ ବିଶେଷ କିଛି ଲକ୍ଷ୍ୟ କରି ପାରିଲିନି । ତେବେ, ତୋ କଥାରେ ମଧ୍ୟ ବିଶ୍ୱାସ ରଖିବା କଥା ।

 

ହଉ...ଯା...ହୁଏ ତ ମୁଁ କାଲି ତୋ ଆଡ଼େ ଯିବି ।

 

ଚୌକୀ ଛାଡ଼ିଲେ ସତ୍ୟଜିତ୍‍ । ଦକ୍ଷିଣ ହସ୍ତଟା ଉଠି ଯାଇ ଅଭିବାଦନ ଜଣାଇଲା...ଟା....ଟା....

 

ଟ....ଟ....ହସିଦେଲେ କିଶୋର ।

 

ସି ଦେଲେ ଅଙ୍ଗୁରବାଳା ।

 

ଆରେ ! ମିସ୍‍ ପରେଖ ଯେ ? ଆସନ୍ତୁ......ଆସନ୍ତୁ । ଡ୍ରଇଂରୁମ୍‍ ଆଡ଼େ ଅଗ୍ରସର ହେଲେ ସତ୍ୟଜିତ୍‍ । ମିସ୍‍ ଅଙ୍ଗୁରବାଳା ପରେଖ ତାଙ୍କର ଅନୁସରଣ କଲେ ।

 

ମୁଁ ବର୍ତ୍ତମାନ ଯାଇଥାନ୍ତି ଆପଣଙ୍କ ନିକଟକୁ.... ଆପଣ ଆସି ବହୁତ ଉପକାର କରିଛନ୍ତି । ଗୋଟାଏ ଚୌକୀ ଅଧିକାର କରି କହିଲେ ସତ୍ୟଜିତ୍‍ ।

 

ଖାଲି ଆସିନି, ଆପଣଙ୍କ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରି ଦେଇଛି....ସତ୍ୟଜିତ୍‍ଙ୍କ ସମ୍ମୁଖସ୍ଥ ଏକ ଚୌକୀ ଅଧିକାର କରିଥିଲେ ସେ ।

 

ଓ.....ତେବେ ଅଶେଷ ଧନ୍ୟବାଦ । କ’ଣ ହେଲା କୁହନ୍ତୁ ।

 

କିଛି ହୋଇନି । ବୃଥା ସନ୍ଦେହ । ସିଗାରେଟ୍‍ ଟା ଗୋଟାଏ ପିଓର୍‍ କ୍ୟାପଷ୍ଟାନ୍‍ ।

 

ହୁଁ । ଟିକିଏ ଚିନ୍ତିତ ହୋଇପଡ଼ିଲେ ସତ୍ୟଜିତ୍‍ । ତେବେ ? ସିଗାରେଟ୍‍ର ବ୍ୟବହାରରେ ମୃତ୍ୟୁ ହୋଇନି ନନ୍ଦକୁମାରଙ୍କର ! ନା । ତା’ ବା ହୁଅନ୍ତା କିପରି ? ତାକୁ ଯେ ଏସ୍‍:ପି. ଦେଇଥିଲେ ନନ୍ଦକୁମାରଙ୍କୁ ।

 

କେତେଟା ବାଜିଲାଣି ? ଅଙ୍ଗୁରବାଳାଙ୍କୁ ଚାହିଁଲେ ସତ୍ୟଜିତ୍‍ ।

 

ଦଶଟା ପଇଁତ୍ରିଶ । ନିଜ ୱାଚ୍‍କୁ ଚାହିଁ ଉତ୍ତର ଦେଲେ ମିସ୍‍ ପରେଖ । ଟେବୁଲ ଉପରେ ଥିବା ଫୋନ୍‍ର ରିସିଭର୍‍ଟା ଉଠାଇ ଧରିଲେ ସତ୍ୟଜିତ୍‍—

 

ଫୋର୍‍ ନଟ୍‍ ସେଭନ୍‍ ପ୍ଲିଜ୍‍—ହ୍ୟାଲୋ କିଏ କହୁଛନ୍ତି ?

 

ମୁଁ—ହିରୋ ନମ୍ୱର ଟା ।

 

ଓ—ସୁନୀଲ୍‍ ବାବୁ—ମୁଁ ସତ୍ୟଜିତ୍‍ କହୁଚି—ଆଚ୍ଛା—ପୋଷ୍ଟମାର୍ଟମ୍‍ ରିପୋର୍ଟ ଆସିଲାଣି ?

 

ଜରୁର୍‍—ଜରୁର୍‍ .. ଏସ୍‍.ପିଙ୍କ ନିର୍ଦ୍ଦେଶନୁଯାୟୀ କାଲି ରାତି ଆଠଟା ସୁଦ୍ଧା ଆସି ଯାଇଛି ।

 

ରିପୋର୍ଟଟା ଟିକିଏ କହିଲେ ? ଉଦ୍‍ବିଗ୍ନ ହୋଇ ପ୍ରଶ୍ନ କଲେ ସତ୍ୟଜିତ୍‍ ।

 

ଆଉ ଏମିତି ସେମିତି ନୁହେଁ—ପୁରାପୁରି ଏକଦମ୍‍—ଏକାବେଳକେ....ମାରାତ୍ମକ...ତୀବ୍ର....ମୃତ୍ୟୁଦାୟକ ବିଷକୁ ଇଞ୍ଜେକ୍‍ଟ କରାଯାଇଛି । ଶରୀରର କେଉଁ ଅଂଶରେ କରାଯାଇଛି, ଜଣାପଡ଼ିନି ।

 

ସ୍ତବ୍‍ଧ ହୋଇ ଛିଡ଼ା ହୋଇଗଲେ ସତ୍ୟଜିତ୍‍ । ବାକ୍ୟ ତାଙ୍କର ସ୍ପୁରିଲାନି । ବିଷ ଇଞ୍ଜେକ୍‍ଟ୍‍ କରାଯାଇଛି ! କିଏ କଲା ? କେତେବେଳେ କଲା ?

 

ଆଚ୍ଛା—ବିଶେଷ ଧନ୍ୟବାଦ୍‍ । ରିସିଭର ଯଥା ସ୍ଥାନରେ ରଖିଦେଲେ ସତ୍ୟଜିତ୍‍ ।

 

ବୁଝିଲେ ? ଆପଣଙ୍କୁ ମୋ ନିମିତ୍ତ ବହୁତ କିଛି କାର୍ଯ୍ୟ କରିବାକୁ ପଡ଼ିବ । ମିସ୍‍ ପରେଖ୍‍ଙ୍କ ଉଦ୍ଦେଶ୍ୟରେ କହିଲେ ସେ ।

 

ମୁଁ ପ୍ରସ୍ତୁତ । ଆପଣଙ୍କ ସହିତ କାର୍ଯ୍ୟକଲେ ମୁଁ ବହୁତ କିଛି ଶିଖି ପାରିବ ।

 

ବର୍ତ୍ତମାନ ଆପଣ ଯା’ନ୍ତୁ । ମୁଁ ଗାଧୋଇନି । ସେତକ ସାରି ଦେଲେ ଟିକିଏ ଥାନା ଆଡ଼େ ଯିବି—ଯେତେବେଳେ ମୋର ଆବଶ୍ୟକତା ପଡ଼ିବ, ମୁଁ ଆପଣଙ୍କୁ କହିବି ।

 

ଆଚ୍ଛା, ନମସ୍କାର । ଉଠିଲେ ଅଙ୍ଗୁରବାଳା ।

 

ନମସ୍କାର । ଗେଟ୍‍ ପର୍ଯ୍ୟନ୍ତ ବଳାଇ ଦେଇ ଆସିବାକୁ ଚୌକି ଛାଡ଼ିଲେ ସତ୍ୟଜିତ୍‍ ।

 

କ୍ରିଂ—କ୍ରିଂ—କ୍ରିଂ—

 

ଆପଣ କିଛି ମନେ କରିବେନି । କିଏ ରିଙ୍ଗ୍‍ କଲାଣି । ଫେରିବାକୁ ଇଚ୍ଛା କଲେ ସେ ।

 

ନା—ନା—ଆପଣ ଯାଇ ରିସିଭ୍‍ କରନ୍ତୁ । ଏଥିରେ ମନେ କରିବାର କ’ଣ ଅଛି ? ମୁଁ ଯାଉଛି ।

 

ସେତେବେଳକୁ ରିସିଭର୍‍ ଉଠାଉଥିଲେ ସତ୍ୟଜିତ୍‍ । ଅଙ୍ଗୁରବାଳାଙ୍କର ହାଇହିଲ୍‍ର ଶବ୍ଦ ଦୂରକୁ ଦୂରକୁ ମିଳାଇ ଯାଉଥିଲା ।

 

ହ୍ୟାଲୋ ! କିଏ କହୁଛନ୍ତି ?

 

ଆପଣ—ମିଷ୍ଟର ସତ୍ୟଜିତ୍‍ ଦାସ—ସି.ଆଇ.ଡି. ଇନ୍‍ସପେକ୍‍ଟର ?

 

ହଁ—ହଁ—କୁହନ୍ତୁ ଆପଣ ?

 

ମୁଁ ଉତ୍ପଳ ସାମନ୍ତରାୟ—ଡିଲକସ୍‍ ପ୍ରିଣ୍ଟିଂ ୱାର୍କସ୍‍ର ମ୍ୟାନେଜର କହୁଛି ।

 

କୁହନ୍ତୁ କ’ଣ ଆବଶ୍ୟକ ।

 

ବହୁତ ଜରୁରୀ କଥାବାର୍ତ୍ତା ଅଛି । ଆପଣ ରାତି ଆଠଟା ବେଳେ ଆସିବେ ମୋ ବାସଭବନକୁ । ଜାଣିଛନ୍ତି ତ ? ପ୍ରେସ୍‍ ନିକଟରେ ମୁଁ ରହୁଛି ।

 

କ’ଣ ଆବଶ୍ୟକ କହୁ ନାହାନ୍ତି ?

 

ନା........ଆପଣ ମୋ ନିକଟକୁ ଆସିଲେ ଜାଣିପାରିବେ । ବର୍ତ୍ତମାନ ଆସିଲେ ଟିକିଏ ଅସୁବିଧା ହେବ । ପ୍ରେସରେ ବର୍ତ୍ତମାନ ଲୋକ ଗହଳି ନା ? ....ଗୋପାନ କଥାବାର୍ତ୍ତା ...ନିମିତ୍ତ ଅସୁବିଧା ହେବ ...ମୁଁ ନିଜେ ଭୁଲ୍‍ କରି ନିଜକୁ ବିପଦ ଭିତରକୁ ଟାଣି ନେଇଛି । ଛାଡ଼ନ୍ତୁ ...ଆଉ ତ ଫେରି ଆସିବନି ? ନମସ୍କାର ।

 

ନମସ୍କାର । ରିସିଭର ରଖିଲେ ସତ୍ୟଜିତ୍‍ ।

 

...ମୁଁ ନିଜେ...ଭୁଲ୍‍ କରି ନିଜକୁ....ବିପଦ ଭିତରକୁ ଟାଣି ନେଇଛି...। ବିପଦଟା କଣ ? ସତ୍ୟଜିତ୍‍ଙ୍କ ଅନୁମାନ ନିଶ୍ଚୟ ସତ୍ୟ । ଜାଲ୍‍ ଟିକେଟ୍‍ ନିଶ୍ଚୟ ଛାପାଯାଇଛି ଡିଲକ୍‍ସ ପ୍ରିଣ୍ଟିଂ ୱାର୍କସରେ । ମ୍ୟାନେଜର ଉତ୍ପଳ ସାମନ୍ତରାୟଙ୍କ କଥାରୁ ଜଣାପଡ଼େ—ସେ ସେଥିପାଇଁ ଅନୁତପ୍ତ । ତେବେ ? ବର୍ତ୍ତମାନ ତାଙ୍କର ନିଜର ବିପଦଟା କ’ଣ ! ସେ ନିଶ୍ଚୟ କହି ପାରିବେ...ଅପରାଧି କିଏ । ତାକୁ ନିଶ୍ଚୟ ଚିହ୍ନନ୍ତି ସେ । ସତ୍ୟଜିତଙ୍କ ମସ୍ତିଷ୍କରେ ଖେଳୁଥିଲା ଚିନ୍ତାର ଜୁଆର ଭଟ୍ଟା । ମଟର୍‍ ସାଇକେଲ୍‍ଟା ତାଙ୍କର ଛୁଟି ଚାଲିଥିଲା ତେଲଙ୍ଗାବଜାର ରାସ୍ତାରେ । ହଠାତ୍‍ ସେ ବ୍ରେକ୍‍ ଦେଲେ ଗୋଟାଏ ଦ୍ୱିତଳ ପ୍ରାସାଦ ସମ୍ମୁଖରେ ।

 

ଚତୁର୍ଦ୍ଦିଗରେ କମ୍ପାଉଣ୍ଡ୍‍ ୱାଲ୍‍ । ଗେଟ୍‍ର ବାମପାର୍ଶ୍ୱରେ ନେମପ୍ଲେଟ୍‍—ଶ୍ରୀ ଉତ୍ପଳ ସାମନ୍ତରାୟ ବି.ଏ. ମ୍ୟାନେଜର୍‍, ଡିଲକ୍‍ସ ପ୍ରିଣ୍ଟିଂ ୱାକର୍ସ, କଟକ । ଦରୱାନଠାରୁ ବୁଝିଲେ—ଉତ୍ପଳ ସାମନ୍ତରାୟ ଅଛନ୍ତି । ଗେଟ୍‍ର ଦକ୍ଷିଣ ପାର୍ଶ୍ୱରେ ରଖାଯାଇଥିବା କ୍ରିମ୍‍ ରଙ୍ଗର ଆମ୍ୱାସଡର୍‍ କାର୍‍ ପ୍ରତି ଦୃଷ୍ଟି ପଡ଼ିଲା ତାଙ୍କର । ନମ୍ୱର—୧୩୩୫ । ଏତ ଭାଇସ୍‍ ଚାନସଲରଙ୍କର ! ବୋଧହୁଏ ତାଙ୍କର କିଛି କାର୍ଯ୍ୟ ଅଛି ମ୍ୟାନେଜରଙ୍କ ନିକଟରେ । ଭାବି ଭାବି ଅଗ୍ରସର ହେଲେ ସତ୍ୟଜିତ୍‍ । ପୋର୍ଟିକୋ ନିକଟରେ ପହଞ୍ଚି ଦେଖିଲେ—ଗୋଟାଏ ଅଷ୍ଟିନ୍‍ କାର୍‍ । ନମ୍ୱର—୧୧୮୭ । ଏଇଟା ତେବେ ମ୍ୟାନେଜରଙ୍କର ।

 

ପୋଟିକୋ ନିକଟରେ ଛିଡ଼ା ହୋଇ ଚତୁର୍ଦ୍ଦିଗକୁ ଚାହିଁଲେ । ଦ୍ୱିତଳରେ ଖେଳି ବୁଲୁଛି ବିଦ୍ୟୁତାଲୋକ । ଉନ୍ମୁକ୍ତ ଝରକା ଏବଂ ଦ୍ୱାରପଥ ଦେଇ ସେଥିରୁ ଚେନାଏ ଚେନାଏ ବାହାରକୁ ଚାଲି ଆସୁଛି । ଚତୁର୍ଦ୍ଦିଗ ନୀରବ, ନିସ୍ତବ୍‍ଧ । ୱାଚ୍‍କୁ ଚାହିଁଲେ ସେ । ଆଠଟା ଦଶ । ନିର୍ଦ୍ଧାରିତ ସମୟାନୁଯାୟୀ ଟିକିଏ ବିଳମ୍ୱ ହୋଇଗଲା ତାଙ୍କର । ତଳର ସମସ୍ତ ଦ୍ୱାର ବନ୍ଦ । କେବଳ ଝରକାଗୁଡ଼ିକ ଖୋଲା । ଦକ୍ଷିଣ ପାର୍ଶ୍ୱର ଗୋଟିଏ ରୁମ୍‍ ଖୋଲା ଅଛି । ଗୋଟିଏ ସମ୍ୱଲପୁରୀ ପର୍ଦ୍ଦା ଝୁଲୁଛି ଦ୍ୱାରଟିରେ ପର୍ଦ୍ଦାଫାଙ୍କ ଦେଇ ବିଦ୍ୟୁତାଲୋକ ପଡ଼ିଛି ବାରଣ୍ଡା ଉପରେ । ସେହିଠାରେ ଥାଇ ପାରନ୍ତି ମିଷ୍ଟର୍‍ ସାମନ୍ତରାୟ । ସତ୍ୟଜିତ୍‍ ସେହି ଆଡ଼କୁ ଅଗ୍ରସର ହେଲେ ।

 

ପର୍ଦ୍ଦାଫାଙ୍କ ଦେଇ ଅଳ୍ପଦୂରରୁ ସତ୍ୟଜିତ୍‍ ବେଶ୍‍ ଲକ୍ଷ୍ୟ କରି ପାରିଲେ କିଏ ଜଣେ ଚୌକୀରେ ବସି ସମ୍ମୁଖସ୍ଥ ଟେବଲ୍‍ ଉପରେ ଝୁଙ୍କି ପଡ଼ି ଶୋଇ ପଡ଼ିଛି । ଦ୍ୱାର ନିକଟରେ ପହଞ୍ଚିଲା ବେଳକୁ ହଠାତ୍‍ ଲିଭିଗଲା ରୁମ୍‍ଟିର ଲାଇଟ୍‍ଟା । ଅଟକିଗଲେ ସେ । ଦ୍ୱାର ବନ୍ଦ ହେଲାନି କିମ୍ୱା କେହି ଆସିଲେ ନି ବାହାରକୁ । ତେବେ ? ଘଟଣାଟା କ’ଣ ? ସେ ତ ଦୂରରୁ ପର୍ଦ୍ଦାର ଅଳ୍ପ ଫାଙ୍କ ବାଟେ ବେଶ୍‍ ଲକ୍ଷ୍ୟକରି ପାରିଛନ୍ତି ଯେ ଜଣେ କିଏ ଟେବଲ୍‍ ଉପରେ ହାତ ଦୁଇଟି ରଖି ଶୋଇ ରହିଥିଲା । ସତ୍ୟଜିତ୍‍ ଟେବଲ୍‍ ଉପରେ ଦେଖି ପାରିଛନ୍ତି ତା’ର ମସ୍ତକ । ତେବେ ଲାଇଟ ବନ୍ଦ କଲା କିଏ ? ଯଦି ମନେ କରାଯାଏ ସେହି ଲୋକଟି ସେହି ଲୋକଟି ଇତି ମଧ୍ୟରେ ଉଠି ଲାଇଟ୍‍ ବନ୍ଦ କରିଛି, ତେବେ ସେ ବାହାରକୁ ଆସିଥାନ୍ତ, ଆଉ ସେ ସେହିଠାରେ ପୁଣି ଶୋଇ ରହିଲା କାହିଁକି ? ଲାଇଟ୍‍ ବନ୍ଦ କରି ଭିତରକୁ ଚାଲିଗଲା ? ନା ଦୁଇଟି ମଧ୍ୟରୁ କେଉଁଟି ନୁହେଁ । ସେ ଯଦି ଲାଇଟ୍‍ ବନ୍ଦ କରିଥାନ୍ତା, କିମ୍ୱା ଦ୍ୱାର ବାଟେ ଭିତରକୁ ଯାଇଥାନ୍ତା, ତେବେ ଯିବା ଆସିବାର କିଛି ଶବ୍ଦ ନିଶ୍ଚୟ ହୋଇଥାନ୍ତା । ଆଉ ଅନ୍ୟ କିଏ ଲାଇଟ ବନ୍ଦ କରିଦେଲା ? ନା କରେଣ୍ଟ ଫେଲ କଲା ? ଫେରି ଚାହିଁଲେ ସେ । ଅନ୍ୟ ରୁମ୍‍ ଗୁଡ଼ିକରେ ଲାଇଟ ତ ଜଳୁଛି ! ଝରକା ବାଟେ ସ୍ପଷ୍ଟ ଅନୁମାନ କରି ହେଉଛି ।

 

ଠିକ୍‍ ସେହି ମୁହୂର୍ତ୍ତରେ ପଶ୍ଚାଦ୍‍ଭାଗରୁ କାହାର ଏକ ପ୍ରଚଣ୍ଡ ଧକ୍‍କାରେ ଓଲଟିପଡ଼ି ଭୂତଳଶାୟୀ ହେଲେ ସତ୍ୟଜିତ୍‍ । ମୁଣ୍ଡଟା ତାଙ୍କର ଚଟାଣ ଦେହରେ ବାଡ଼େଇ ହୋଇଗଲା । ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ ସେ ତଥାପି ମୁଣ୍ଡ ଟେକି ଚାହିଁଲେ ସମ୍ମୁଖକୁ । ଜଣେ କେହି ସେହି ରୁମ୍‍ରୁ ବାହାରି ଦୌଡ଼ି ଚାଲିଯାଉଛି ଗେଟ୍‍ ଆଡ଼କୁ । ସଙ୍ଗେ ସଙ୍ଗେ ସଙ୍ଗେ ସେ ଉଠି ପଡ଼ି ପୋର୍ଟିକୋ ନିକଟକୁ ଦୌଡ଼ିଲେ ଏବଂ ଚିତ୍‍କାର କଲେ—ଦରୱାନ୍‍.....ପକଡୋ..ପକଡୋ....ଇନ୍‍ କୋ....ଚୋର ଭାଗ୍‍ ଯାତା ହୈ । କିନ୍ତୁ ଦରୱାନ୍‍ ଲୋକଟିକୁ ଆୟତ କରିବା ପୂର୍ବରୁ ନିଜ ଓଠ ତଳେ ପାଇଲା ଏକ ଶକ୍ତ ମୁଖି ଏବଂ ସଙ୍ଗେ ସଙ୍ଗେ ଚିତ୍କାର କରି ଓଲଟ ପଡ଼ିଲା ତଳେ । ଲୋକଟି ଗେଟ୍‍ ଅତିକ୍ରମ କରିଗଲା । ପର ମୁହୂର୍ତ୍ତରେ ସତ୍ୟଜିତ୍‍ଙ୍କ କାନରେ ବାଜିଲା ଏକ କାର୍‍ର ଷ୍ଟାଟିଂ ଶବ୍ଦ । ଘଟଣାଟା ଅନୁମାନ କରିନେଲେ ସେ । ସଙ୍ଗେ ସଙ୍ଗେ ପୋର୍ଟିକୋକୁ ଫେରିଆସି ମ୍ୟାନେଜରଙ୍କ କାରରେ ଷ୍ଟାର୍ଟ ଦେଲେ ସତ୍ୟଜିତ୍‍ ।

 

କେତୋଟି ମୁହୂର୍ତ୍ତ ପରେ କାଠଯୋଡ଼ୀ କୂଳର ପିଚ୍‍ ରାସ୍ତା ଉପରେ ଅତି ଦ୍ରୁତ ଗତିରେ ଆଗ ପଛ ହୋଇ ଛୁଟି ଚାଲିଲା ଦୁଇଟି କାର୍‍ ।

 

ଆମ୍ୱାସାଡର କାର୍‍ଟି ଅସମ୍ଭବ ରୂପେ ବଢ଼ାଇ ଚାଲିଛି ତା’ର ବେଶ । ଆରୋହୀ ମାତ୍ର ଜଣେ । କ୍ଷଣ କ୍ଷଣ ଚାହୁଁଛି ସେ ପଶ୍ଚାଦଭାଗକୁ । କିଏ ଅନୁସରଣ କରୁଛି କି ନାହିଁ–ଜାଣିବା ତାର ଉଦ୍ଦେଶ୍ୟ । ସତ୍ୟଜିତ୍‍ ସମ୍ମୁଖସ୍ଥ କାରଟି ଉପରେ ଦୃଷ୍ଟି ରଖି ନିଜ କାର୍‍ର ବେଗ ବଢ଼ାଉଛନ୍ତି ପ୍ରତି ମୁହୂର୍ତ୍ତରେ । ତଥାପି ସେ ରହି ଯାଉଛନ୍ତି ତା’ଠାରୁ ଯଥେଷ୍ଟ ଦୂରରେ ।

 

କିଛି ସମୟ ପରେ ଦୋଳମୁଣ୍ଡାଇକୁ ପଡ଼ିଥିବା ପିଚ୍‍ରାସ୍ତାରେ ଧାବିତ ହେବାକୁ ଲାଗିଲା କାର୍‍ ଦ୍ୱୟ । କିଛି ଦୂର ଅତିକ୍ରମ କରି ପ୍ରଥମ କାର୍‍ଟି ଦୋଳମୁଣ୍ଡାଇ ଛକଠାରେ ଏବଂ ଟର୍ଣ୍ଣ ନେଲା ଏବଂ ଛୁଟି ଚାଲିଲା ଛତ୍ରାବଜାରକୁ ପଡ଼ିଥିବା ରାସ୍ତାରେ । ସତ୍ୟଜିତ୍‍ ମଧ୍ୟ ଅନୁସରଣ କଲେ ତା’ର । କିଛି ସମୟ ମହାବେଗରେ ଗତି କରିବା ପରେ ଛତ୍ରାବଜାରଠାରେ ଜନଗହଳି ହେତୁ ପ୍ରଥମ କାର୍‍ଟିର ବେଶ୍‍ ଟିକିଏ ହ୍ରାସ ପାଇଲା । ଇତି ମଧ୍ୟରେ ସତ୍ୟଜିତ୍‍ ନିଜ କାର୍‍ର ଆହୁରି ବେଗ ବଢ଼ାଇ ନିକଟତର ହେବାକୁ ଲାଗିଲେ ତା’ର । ହଠାତ୍‍ ଛତ୍ରାବଜାରର ତାଳଦଣ୍ଡା କେନାଲ ପୋଲ ଉପରେ ପ୍ରଥମ କାର୍‍ଟି ପୁନର୍ବାର ବଢ଼ାଇଦେଲା ତା’ର ବେଗ ଏବଂ ଟର୍ଣ୍ଣ ନେଲା ମାଲଗୋଦାମ ଆଡ଼କୁ ପଡ଼ିଥିବା ରାସ୍ତାକୁ । ଦୁର୍ଭାଗ୍ୟବସତଃ ସେହି ମୁହୂର୍ତ୍ତରେ ଛତ୍ରାବଜାର ଆଡ଼କୁ ଆସୁଥିବା ଗୋଟାଏ ବେଗବାନ ଟ୍ରକର ସମ୍ମୁଖସ୍ଥ ହେଲା ସେ ସେତେବେଳେ ଆମ୍ୱାସାଡର୍‍ ବେଗ ଏତେ ବେଶୀ ଥିଲା ଯେ ବ୍ରେକ୍‍ ଦେବା ଅସମ୍ଭବ । ତେଣୁ ଚାଳକ ନିଜର ରକ୍ଷା ନିମିତ୍ତ ହଠାତ୍‍ ଷ୍ଟିୟରିଂ ମୋଡ଼ିଦେଲା ବାମପାର୍ଶ୍ୱକୁ । ଜନ୍ତୁ ଯଥା ସମୟରେ ପୁଣି ଟର୍ନ ନେବା ପୂର୍ବରୁ କାର୍‍ଟିର ପ୍ରଚଣ୍ଡ ଧକ୍‍କା ହେଲା ରାସ୍ତା ପାର୍ଶ୍ୱରେ ଥିବା ଗୋଟାଏ ଲୌହ ଇଲେକ୍‍ଟିକ୍‍ ଲାଇଟ୍‍ ପୋଷ୍ଟ ସହିତ ସଙ୍ଗେ ସଙ୍ଗେ ଗୋଟାଏ ଅବ୍ୟକ୍ତ ଚିତ୍‍କାର କଲା ସେ ।

 

ସତ୍ୟଜିତ୍‍ଙ୍କ ହୃଦୟରେ ଖେଳିଗଲା ଗୋଟାଏ ଚମକ । କି ଭୀଷଣ ପରିସ୍ଥିତି ! ଏପରି ଆକସ୍ମିକ ଦୁର୍ଘଟଣା ବୋଧହୁଏ ସେ ପ୍ରଥମ ଥର ପାଇଁ ସ୍ୱଚକ୍ଷୁରେ ଦେଖୁଛନ୍ତି । ସଙ୍ଗେ ସଙ୍ଗେ ନିଜର କାର୍‍ଟି ରାସ୍ତାର ପାର୍ଶ୍ୱଭାଗକୁ ଆଣ ବ୍ରେକ୍‍ ଦେଲେ ସେ, ଏବଂ ଚଞ୍ଚଳ ପଦକ୍ଷେପରେ ପହଞ୍ଚିଲେ ଘଟଣାସ୍ଥଳରେ । ଇସ୍‍ ! କାର୍‍ଟିର ଅଗ୍ରଭାଗ ଏକାବେଳେ ଚେପା ହୋଇ ଯାଇ ଭିତରକୁ ପଶିଯାଇଛି । ଚାଳକ ? ଚାଳକର ସିଟ୍‍ ଆଡ଼କୁ ଚାହିଁଲେ ସତ୍ୟଜିତ୍‍ । ଷ୍ଟିୟରିଂ ଉପରେ ଢଳି ପଡ଼ିଛି ସେ । ଚତୁଃପାର୍ଶ୍ୱକୁ ଚାହିଁଲେ ସତ୍ୟଜିତ୍‍ । ଦର୍ଶକଙ୍କର ସଂଖ୍ୟା କ୍ଷଣକୁ କ୍ଷଣ ବୃଦ୍ଧି ପାଇବାରେ ଲାଗିଛି । ପାଟି ତୁଣ୍ଡ କିଛି କମ୍‍ ନୁହେଁ । କ’ଣ ହେଲା ? କ’ଣ ହେଲା ?

 

ଚାଳକ ନିକଟକୁ ଯାଇ ପରୀକ୍ଷା କଲେ ତାଙ୍କୁ ସତ୍ୟଜିତ୍‍ ! ନା, ଯମପୁରୀକୁ ଚାଲିଯାଇଛି ତା’ର ଆତ୍ମା । ସତ୍ୟଜିତ୍‍ ଦୌଡ଼ିଲେ ରାସ୍ତାର ଦକ୍ଷିଣପାର୍ଶ୍ୱସ୍ଥ ଏକ ପ୍ରାସାଦ ପଛକୁ ପୋଲିସଷ୍ଟେସନ୍‍କୁ ଫୋନ କରିବା ନିମିତ୍ତ । ଫୋନ୍‍ କରି ଫେରି ଆସିଲେ ସେ ।

 

ଦଶ ମିନିଟ୍‍ ମଧ୍ୟରେ ପହଞ୍ଚିଲା ଗୋଟାଏ ପୋଲିସ୍‍ ଜିପ୍‍ । ଓହ୍ଲାଇପଡ଼ିଲେ ନୀହାରରଞ୍ଜନ, ସୁନୀଲ ଚାଟାର୍ଜି ଏବଂ କେତେ ଜଣ କନେଷ୍ଟବଲ୍‍ । ଭିଡ଼ ଠେଲି ଭଗ୍ନ ‘ଆମ୍ୱାସାଡର୍‍ ଟିର ନିକଟରେ ପହଞ୍ଚିଲେ ସେମାନେ ।

 

ସାର୍‍, ନିକଲ ଗୟି । ଚାଳକ ପ୍ରତି ଦୃଷ୍ଟି ନିକ୍ଷେପ କରି କହିଲେ ସୁନୀଲ୍‍ ।

 

କ’ଣ ନିକଲ୍‍ ଗୟି ? ପ୍ରଶ୍ନ କଲେ ନୀହାର ।

 

ହାଓ୍ୱା, ହାୱା । ନିକଲ ଗୟି ....ବେଟା ଏକାବେଳକେ ଜବତ୍‍ ।

 

ହଉ, ତୁମ ମନ୍ତବ୍ୟ ଟିକିଏ ବର୍ତ୍ତମାନ ଥାଉ । ତାର ନିକଟରୁ ଆଗେଇ ଯାଇ କହିଲେ ନୀହାର ରଞ୍ଜନ ।

 

ସତ୍ୟଜିତ୍‍ ଅପେକ୍ଷା କରିଥିଲେ ସେମାନଙ୍କୁ ।

 

ମୋର ଆଉ କିଛି କାର୍ଯ୍ୟ ଏଠାରେ ନାହିଁ ମୁଁ ଖାଲି ସର୍ଚ୍ଚ କରିବି ମୃତ ହିମୁକୁ—କହିଲେ ସତ୍ୟଜିତ୍‍ ।

 

ହିମୁ ! ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ ନୀହାର ।

 

ଦେଖୁ ନାହାଁନ୍ତି ? ଆପଣଙ୍କର ପ୍ରସିଦ୍ଧ ଡକାୟତ ହିମୁ ଏକାବେଳକେ ଘଟଣାସ୍ଥଳରେ ମୃତ । ବୋଧହୁଏ ଡାହାଣ ହାତ ଥିଲା ଦଳପତିର । ଗୋଟାଏ କିଛି ଗୁରୁତର କାଣ୍ଡ ଘଟାଇ ଚାଲିଆସିଛି ଡିଲକ୍‍ସ୍‍ ପ୍ରିଣ୍ଟିଂ ୱାରର୍କସ୍‍ର ମ୍ୟାନେଜରଙ୍କ ବାସଭବନରୁ । ମୁଁ ସୁନୀଲବାବୁ ଆଉ କେତେକ କନଷ୍ଟେବଲ୍‍ ନେଇଯାଇଛି ସେଠାକୁ । ଆପଣ ଏଠିକାର କାର୍ଯ୍ୟ ସମାପନ କରିବେ ।

 

ହଉ । ସମର୍ଥନ କଲେ ନୀହାର ।

 

ସତ୍ୟଜିତ୍‍ ଖୋଜିବାକୁ ଲାଗିଲେ ହିମୁର ପ୍ୟାଣ୍ଟ୍‍ ପକେଟ୍‍ । ପିନ୍ଧିଥିଲା ଗୋଟାଏ କଳା ହାଫ ସ୍ପୋଟିଂ ସାର୍ଟ ପ୍ୟାଣ୍ଟର ବାମ ପକେଟ୍‍ ମଧ୍ୟରୁ କେତେଗୁଡ଼ିଏ ସାଧାରଣ ରୁମାଲ ଓ ଗୋଟିଏ ଶିଶି ପାଇଲେ ସେ । ଶିଶିର ଠିପି ଖୋଲି ନାକଠାରୁ କିଛି ଦୂରରେ ରଖି ଆଘ୍ରାଣ କରିବାକୁ ଚେଷ୍ଟା କଲେ ସତ୍ୟଜିତ୍‍ ।

 

ହଁ ତେବେ କ୍ଲୋରୋଫରମ୍‍ । ଅସ୍ପଷ୍ଟ ଭାବେ କହୁ କହୁ ସେ ଗୁଡ଼ିକୁ ସେ ଦେଲେ ନୀହାରଙ୍କ ହାତକୁ ।

 

ତା’ପରେ ଦକ୍ଷିଣ ପାର୍ଶ୍ୱର ପକେଟରୁ ପାଇଲେ ଏକ ରକ୍ତାକ୍ତ ଛୁରୀ ଏବଂ ଗୋଟାଏ ଗୋଲାପୀ ଏନ୍‍ଭଲପ୍‍ । ଅନୁମାନ ହୁଏ ଛୁରୀଟି ସହିତ ରହି ରକ୍ତ ଲାଗିଯାଇଛି ଏନ୍‍ଭଲପରେ ।

 

ଟିକିଏ ଟର୍ଚ୍ଚ ମାରିବେଣ୍ଟି ନୀହାରଙ୍କ ଉଦ୍ଦେଶ୍ୟରେ କହିଲେ ସତ୍ୟଜିତ୍‍ ।

 

ନିଜ ପକେଟରୁ ଗୋଟାଏ ଟର୍ଚ୍ଚ ବାହାର କରି ଆଲୋକିତ କଲେ ନୀହାର ଏବଂ ସେହି ଆଲୋକରେ ଖୋଲା ଏନଭଲପ୍‍ ମଧ୍ୟରୁ ଗୋଟାଏ ଲାଲ ରଙ୍ଗର ଚିଠି ବାହାର କରି ନୀରବରେ ପଢ଼ିଲେ ସତ୍ୟଜିତ୍‍—

 

ପ୍ରିୟ ଉତ୍ପଳ ବାବୁ,

 

ନମସ୍କାର । ବିଶ୍ୱସ୍ତସୂତ୍ରରୁ ଖବର ପାଇଲି ଯେ, ଆପଣଙ୍କୁ ସତ୍ୟଜିତ୍‍ ଦାସ ସନ୍ଦେହ କରିଛି ଜାଲ୍‍ ସିନେମା ଟିକେଟ ଯୋଗୁ । ସୁତରାଂ ବର୍ତ୍ତମାନ କ୍ଷେତ୍ରରେ ଆପଣ ମୋତେ ଯଥେଷ୍ଟ ସାହାଯ୍ୟ କରିପାରିବେ । ସାହାଯ୍ୟଟା ହେଉଛି—ମୋ ବଦଳରେ ଆପଣ ଆରେଷ୍ଟ ହେବେ । ମୁଁ ରହିଯିବି ପୋଲିସ୍‍ ଦୃଷ୍ଟିର ଅନ୍ତରାଳରେ । ସେ ବ୍ୟବସ୍ଥା ମୁଁ କରାଇବି ଏବଂ ଏଥି ନିମିତ୍ତ ଏକଲକ୍ଷ ଟଙ୍କା ଦେବାକୁ ମୁଁ ପ୍ରସ୍ତୁତ ଅଛି । ଆପଣଙ୍କୁ କୋର୍ଟରୁ ନିର୍ଦ୍ଦୋଷ ରୂପେ ଖଲାସ କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଉଛି ଏବଂ ଆପଣ ଯେ ନିର୍ଦ୍ଦୋଷ ରୂପେ ଖଲାସ ପାଇବେ—ଏ ବିଶ୍ୱାସ ମୋର ଶତକଡ଼ା ଅଶି ଭାଗ ରହିଛି । ବର୍ତ୍ତମାନ ମୋତେ ଆରେଷ୍ଟ କରିବା ନିମିତ୍ତ ସମସ୍ତେ ବ୍ୟଗ୍ର ହୋଇ ଉଠିଛନ୍ତି । ଏହା ଫଳରେ ଏଇ ବ୍ୟଗ୍ରତା ବହୁଦିନ ପାଇଁ ଚପିଯିବ ।

 

ସାବଧାନ ! ଏ ବିଷୟ ଯେପରି ପୋଲିସ ନ ଜାଣେ । ଜଣାଇବାକୁ ଚେଷ୍ଟା କଲେ କିମ୍ୱା ମୋ କଥାରେ ନାରାଜ ହେଲେ ମୃତ୍ୟୁ ଅନିବାର୍ଯ୍ୟ । ବନ୍ଦେଗୀ ।

 

ଆପଣଙ୍କର—

 

ଦେଖିଲେ ? ଆଜି ଯଦି ଏ ଦୁର୍ଘଟଣା ଘଟି ନଥାନ୍ତା, ତେବେ ଉତ୍ପଳ ସାମନ୍ତରାୟଙ୍କର ହତ୍ୟାର କାରଣ ଜାଣିବାକୁ ନିଶ୍ଚୟ ବହୁ ବିଳମ୍ୱ ଘଟିଥା’ନ୍ତା ମିଷ୍ଟର ସାମନ୍ତରାୟଙ୍କୁ ହିମୁ ମର୍ଡର କରିଛି ନିଶ୍ଚୟ । ଚିଠିଟି ନୀହାରଙ୍କ ହସ୍ତଙ୍କୁ ବଢ଼ାଇ ଦେଉ ଦେଉ କହିଲେ ସତ୍ୟଜିତ୍‍ ।

 

ଏ ଛୁରୀଟି ମଧ୍ୟ ଯତ୍ନସହକାରେ ରଖିଥାନ୍ତୁ । ଯେତେ ଦୂର ସମ୍ଭବ ଏହାରି ସାହାଯ୍ୟରେ ପ୍ରାଣ ହରାଇଛନ୍ତି ମିଷ୍ଟର ସାମନ୍ତରାୟ । ଛୁରୀଟି ଉପରେ ଗୋଟାଏ ରୁମାଲ ଆବୃତ୍ତ କରି ସତ୍ୟଜିତ୍‍ ଦେଲେ ନୀହାରଙ୍କୁ ।

 

ତା’ପରେ ତେଲଙ୍ଗାବଜାର ଅଭିମୁଖେ ଛୁଟି ଚାଲିଲା ଗୋଟାଏ ଅଷ୍ଟିନ୍‍ କାର୍‍—୧୧୮୭ ।

 

ଗୋଟାଏ ସୁସଜ୍ଜିତ ଟେବୁଲ୍‍ । ତା’ପରେ ଗୋଟାଏ ଟେଲିଫୋନ୍‍ । ଟେବୁଲ ଉପରେ କେତେଗୁଡ଼ିଏ ସାଧାରଣ ଚିଠିତ ଓ ଏନ୍‍ଭଲପ ଖେଳାଖେଳି ଅବସ୍ଥାରେ ପଡ଼ିଛି । ଗୋଟାଏ ‘ଅମୃତ ବଜାର ପତ୍ରିକା’ । ଦୁଇଟି ପେପର ୱେଟ୍‍ । ଗୋଟାଏ ‘ସିମଲା’ ସିଗାରେଟ ପ୍ୟାକେଟ । ଟେବଲ ଚତୁଃପାର୍ଶ୍ୱରେ ଚାରୋଟି ଚୌକୀ । ପଡ଼ିଥିବା ଗୋଟାଏ ଚୌକୀ । ତା’ମଧ୍ୟରୁ ଦ୍ୱାରର ବିପରୀତ ପାର୍ଶ୍ୱକୁ ପଡ଼ିଥିବା ଗୋଟାଏ ଚୌକୀ ଅଧିକାର କରିଛନ୍ତି ମିଷ୍ଟର ଉତ୍ପଳ ସାମନ୍ତରାୟ । ଦୁଇଟିଯାକ ହସ୍ତ ଟେବଲ୍‍ ଉପରେ ପକାଇ ଦେଇ ଦକ୍ଷିଣପାର୍ଶ୍ୱର ଗାଲକୁ ଟେବ୍‍ଲ ଉପରେ ରଖି ଢଳି ପଡ଼ିଛନ୍ତି ସେ । ତାଙ୍କର ଦକ୍ଷିଣ ପାର୍ଶ୍ୱକୁ ଗୋଟାଏ ବୁକ୍‍ସେଲ୍‍ଫ । ହିନ୍ଦୀ, ବଙ୍ଗଳା, ଓଡ଼ିଆ, ଏବଂ ଇଂଲିଶ ଭାଷାର ଅନେକଗୁଡ଼ିଏ ଗଳ୍ପ ପୁସ୍ତକ ସଜ୍ଜିତ ହୋଇ ରହିଛି ।

 

ସତ୍ୟଜିତ୍‍ ମିଷ୍ଟର ସାମନ୍ତରାୟଙ୍କୁ ଆଉଜାଇ ଦେଲେ ଚୌକୀ ଉପରେ ଇସ୍‍ ! ତାଙ୍କ ବକ୍ଷରୁ କେଇ ଧାର ରକ୍ତ ବୋହି ଯାଇ ପିନ୍ଧିଥିବା ହାୱାଇ ସାର୍ଟଟାକୁ ଭିଜାଇ ଦେଇଛି । ପ୍ରାୟ ଦେଢ଼ ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଗୋଟାଏ ଲାଲ ଦାଗ ରହିଛି ତାଙ୍କର ବକ୍ଷ ଦେଶରେ । ସେହିଠାରୁ ଝରିଯାଇଛି ଧାର ଧାର ରକ୍ତ । ମିଷ୍ଟର ସାମନ୍ତରାୟଙ୍କ ମୁହଁ ନିକଟକୁ ନିଜ ମୁହଁ ନେଲେ ସତ୍ୟଜିତ୍‍ ।

 

ହୁଁ । ପ୍ରଥମେ କ୍ଲୋରୋଫରମ୍‍ ଦିଆଯାଇଛି । ତା’ପରେ ହତ୍ୟା...ଅସ୍ପଷ୍ଟ ସ୍ୱରରେ କହିଲେ ସେ ।

 

ତା’ପରେ ଘରଟାଯାକ ପରୀକ୍ଷା କଲେ ସେ ବୃଥା ହେଲା ତାଙ୍କର ସମସ୍ତ ଚେଷ୍ଟା । କିଛି ପାଇଲେ ନି ।

 

ଦେଖିଲେ ? ଦୁର୍ଘଟଣାଟା ନ ଘଟିଥିଲେ ଆମେ କ’ଣ ଜାଣିପାରିଥାନ୍ତେ ? ଅଙ୍ଗୁଳି ଦାଗ ଲୁଚାଇବା ପାଇଁ ଛୁରୀଟା ମଧ୍ୟ ନେଇ ଯାଇଥିଲା । ମିଷ୍ଟର ସାମନ୍ତରାୟଙ୍କ ନିକଟକୁ ପୂର୍ବରୁ ଆସିଥିବା ଚିଠିଟି ମଧ୍ୟ ହସ୍ତଗତ କରିଥିଲା । ସୁନୀଲଙ୍କ ଉଦ୍ଦେଶ୍ୟରେ କହିଲେ ସତ୍ୟଜିତ୍‍ ।

 

ଖୋଦା ଯବ୍‍ ଦେତା....ଛପର ଫାଡକେ ଦେତା...ତେବେ ଆଉ ଟିକିଏ ବେଶୀ ଫାଡ଼ି ଦେଇଥିଲେ ଆମେ ଦଳପତିକୁ ଆରେଷ୍ଟ କରି ପାରିଥାନ୍ତେ । ଟିକିଏ ଅପେକ୍ଷା କରିବାକୁ ପଡ଼ିବ । କ୍ରମେ କ୍ରମେ ଫାଡ଼ୁଛନ୍ତି । କହିଲେ ସୁନୀଲ ଚଟାର୍ଜି ।

 

ଚାକର ପ୍ରଭୃତିଙ୍କ କଥାରୁ ଜଣାପଡ଼େ ମିଷ୍ଟର ସାମନ୍ତରାୟଙ୍କ ସ୍ତ୍ରୀ ସହିତ ଝିଅ ଯାଇଛନ୍ତି ଅଜା ଘରକୁ । ଫେରୁଥିବେ । ପୁଅ ଯାଇଛନ୍ତି ସିନେମା ଦେଖିବାକୁ....ନଚେତ ଅବସ୍ଥାଟା ଟିକିଏ ସମ୍ଭାଳିବା କଷ୍ଟକର ହୁଅନ୍ତା । ଅସ୍ପଷ୍ଟ ସ୍ୱରରେ କହୁଥିଲେ ସତ୍ୟଜିତ୍‍ ।

 

ଆଚ୍ଛା, ବର୍ତ୍ତମାନ କହିବେ କି କ୍ଲୋରୋଫର୍ମ କାହିଁକି ପ୍ରଥମେ ବ୍ୟବହାର କରାଗଲା ? ଟିକିଏ ନୀରବ ରହି ପ୍ରଶ୍ନ କଲେ ସୁନୀଲ୍‍ ।

 

ଏତିକି ଜାଣି ପାରିଲେନି ? ଜ୍ଞାନ ଥିବା ଲୋକ ହତ୍ୟା ସମୟରେ ଯନ୍ତ୍ରଣାରେ ଚିତ୍‍କାର କରେ ।

 

ଓ.....ବୁଝିଲି ।

 

ବାହାରେ ଶୁଣାଯାଉଥିଲା ଜନ କୋଳାହଳ ।

 

କୋଳାହଳ ଅନେକାଂଶରେ ହ୍ରାସ ପାଇଛି ମହାନଦୀ କୂଳରୁ । ସତ୍ୟଜିତ୍‍ ଗୋଟାଏ ସିମେଣ୍ଟ ବେଞ୍ଚ ଉପରେ ବସି ଚାହିଁଛନ୍ତି ଦିଗ୍‍ବଳୟରେ ଦିଶୁଥିବା ଅସ୍ପଷ୍ଟ ପର୍ବତମାଳାକୁ । କେଶରାଶି ତାଙ୍କର ବିକ୍ଷିପ୍ତ ହୋଇ ସନ୍ଧ୍ୟା କାଳୀନ ସମୀରଣ ସହିତ ମିଶି ବିଚରଣ କରିବାକୁ ଚେଷ୍ଟା କରୁଛି ସତ୍ୟଜିତ ବିଶ୍ଲେଷଣ କରି ଚାଲିଛନ୍ତି ବିଗତ ଦିନଗୁଡ଼ିକର ଘଟଣାବଳୀ ।

 

ନନ୍ଦକୁମାର ମହାନ୍ତିଙ୍କ ତୀବ୍ର ବିଷ ଇଞ୍ଚେକ୍‍ଟ କରାଗଲା କେତେବେଳେ ? କିଏ ବା କଲା ? ସେଦିନ ମିସ୍‍ ଇଭାଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ଝରକା ବାଟେ ଲକ୍ଷ୍ୟ କରୁଥିଲା କିଏ ? ଇଭା କ’ଣ ପ୍ରକୃତରେ ଚିହ୍ନନ୍ତିନି ଦଳପତିକୁ । ନା ସେ ନିଶ୍ଚୟ ମିଥ୍ୟା କହିଛନ୍ତି କେବଳ ତା’ର ଭୟରେ ? ଆଜି ସେ ଯିବେ ମିସ୍‍ ଦାସ ନିକଟକୁ ! ହିମୁକୁ ଭାଇସ ଚାନ୍‍ସଲ୍‍ରଙ୍କ କାର୍‍ ନମ୍ବର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା କାହିଁକି ? ସେ କାରଟା ତ ତାଙ୍କର ନୁହେଁ ! ‘ବ୍ଲୁ ବାର୍ଡ’ ହୋଟେଲ ମ୍ୟାନେଜରଙ୍କର । ରାତି ଦଶଟାବେଳେ ସେ ଥାନାକୁ ଫୋନ୍‍ କଲେ ତାଙ୍କ କାର୍‍ ମିଳୁନି ବୋଲି । ବ୍ଲୁ ବାର୍ଡକୁ ମ୍ୟାନେଜର କ’ଣ ଏହା ସହିତ ସମ୍ପୃକ୍ତ । ପୋଲିସ୍‍ ଚକ୍ଷୁରୁ ନିଜକୁ ରକ୍ଷା କରିବା ନିମିତ୍ତ ସେ କ’ଣ ତାଙ୍କ କାର ଚୋରିଯାଇଛି ବୋଲି ମିଥ୍ୟା ସମ୍ୱାଦ ଦେଇଛନ୍ତି । ସେଦିନ ରାତିରେ ସେ ପ୍ରତାରିତ ହୋଇ ଦସ୍ୟୁ ଛୁରା ଯେଉଁ ପ୍ଲାଇମାଉଥ୍‍ଟାରେ ନିଆଯାଇଥିଲେ...ତାର ନମ୍ୱର ୧୫୨୨! ଚିଫ ସେକ୍ରେଟାରୀଙ୍କ କାର ନମ୍ୱର । କାହିଁକି ଏ ଜାଲ ନମ୍ୱର !!!

 

ଏ ମନ ଖୋଜୁଥାଏ, କାଳେ ପ୍ରାପତ ହୁଏ ତାହା—ପଶ୍ଚାଦ୍‍ଭାଗରୁ କାହାର କଣ୍ଠସ୍ୱର ଶୁଣି ମୁହିଁ ବୁଲାଇ ଚାହିଁଲେ ସତ୍ୟଜିତ୍‍ ।

 

ଆରେ ! ସୁନୀଲ ବାବୁ ?

 

ହେଇ—ଆସିଲେଣି । ଆଉ ବିଳମ୍ୱ କାହିଁକି ? ଅଦୂରରେ ଗୋଟାଏ ଗଛତଳେ କେତୋଟି ମୁହୂର୍ତ୍ତ ପୂର୍ବରୁ ବ୍ରେକ୍‍ ଦେଇଥିଲା ଗୋଟାଏ ପ୍ଲାଇମାଉଥ୍‍ । ତା’ ମଧ୍ୟରୁ ଓହ୍ଲାଇ ଯାଉଥିଲା ଗୀତା । ସେଇ ଆଡ଼କୁ ସଙ୍କେତ ଦେଇ କହିଲେ ସୁନୀଲ ଚାଟାର୍ଜି ।

 

ଓ ....ଗୀତା ଆସିଛି ? ହସି ଦେଲେ ସତ୍ୟଜିତ୍‍ ।

 

ଖାଲି ଆସିନି ....ଆପଣଙ୍କୁ ଭେଟିବି ବୋଲି ଆଶା ରଖିଛି...ଆପଣ ନ ଗଲେ ବୋଧହୁଏ ବିରହ ଜର୍ଜ୍ଜରିତା ହୋଇ ଆତ୍ମହତ୍ୟା କରିବ ଆଜି । ଯା’ନ୍ତୁ ନା ? ମୋର କାର୍ଯ୍ୟ ହେଲା ଆପଣଙ୍କର ମଟର ବାଇକ୍‍ ଜଗିବା ! ହସି ହସି କହିଲେ ସୁନୀଲ୍‍ ।

 

Unknown

ଆପଣ କାହିଁକି ଏ ଦିଗରେ ଭାରି ସାହାଯ୍ୟ କରୁଛନ୍ତି ? ରହସ୍ୟଭରା ଚାହାଣୀରେ ସତ୍ୟଜିତ୍‍ ଚାହିଁଲେ ସୁନୀଲ ଚାଟାର୍ଜିଙ୍କୁ ।

 

ଓ..ଆପଣଙ୍କ ଏମିତି ସାହାଯ୍ୟ କରିଥିଲେ, ମୋ କାର୍ଯ୍ୟରେ ଖୋଦା ମେହେର୍‍ବାନୀ ଦେଖାଇବେ । ହେଁ ...ହେଁ...

 

ହୁଁ—ଉ ? ଟିକିଏ ଜୋର୍‍ ଦେଇ ହସିଦେଲେ ସତ୍ୟଜିତ୍‍ । ଆପଣ ମିଛ କହିଲେ । କହିଲେ ସତ୍ୟଜିତ୍‍ ।

 

ନା, ସମ୍ପୂର୍ଣ୍ଣ ମିଛ କହିନି । ଆଉ ଗୋଟିଏ ସତ୍ କଥା ଛାଡ଼ି ଯାଇଛି । ସେଇଟା ହେଉଛି—ଆପଣଙ୍କ ମଟରବାଇକ୍‍ଟା ଅଧଘଣ୍ଟା ପାଇଁ ନେବି । ଠିକ୍‍ ସମୟରେ ଏଠାରେ ଉପସ୍ଥିତ ଥିବି ।

 

ଆବଶ୍ୟକ ନାହିଁ । ଘରେ ନେଇ ପହଞ୍ଚାଇ ଦେବେ । ମୁଁ ଯାଇ ପାରିବି । ଦେଖୁ ନାହାନ୍ତି ? ପ୍ଲାଇମାଉଥ ଆସିଲାଣି । ହସି ଦେଲେ ସତ୍ୟଜିତ୍‍ । ଭଲ ହେଲା । ଏଥର ଆପଣ ଯା’ନ୍ତୁ ନା ? ଗୀତା ଭଳି ସୁପର୍‍ କ୍ୱାଲିଟି ଜିନିଷ କିଏ ଛାଡ଼େ ?

 

ତେବେ ଆପଣଙ୍କ ଅନୁରୋଧରେ ଯାଉଛି । ହସି ହସି ସିମେଣ୍ଟ ବେଞ୍ଚରୁ ଉଠିଲେ ସତ୍ୟଜିତ୍‍ ।

 

ବେଶ୍‍, ବର୍ତ୍ତମାନ ଯାଇପାରନ୍ତି । କିନ୍ତୁ, ପ୍ରେମରାଜ୍ୟର ପ୍ରତ୍ୟେକ କାର୍ଯ୍ୟରେ ମୋର ଅନୁରୋଧଟା ଯେପରି ଆବଶ୍ୟକ ନ ହୁଏ ।

 

ଡୋଣ୍ଟ ବି ସୋ ସିଲି ମିଷ୍ଟର ଚାଟାର୍ଜି । ଆପଣ ବେଳେ ବେଳେ ଭଦ୍ରତାର ସୀମା ଲଙ୍ଘନ କରୁଛନ୍ତି । ହସି ଦେଲେ ସତ୍ୟଜିତ୍‍ ।

 

ବନ୍ଧୁତା ଥିଲେ ସେମିତି ହୁଏ । ତେବେ ଏହାର ମୀମାଂସା ପାଇଁ ସୀମା କମିଶନର୍‍ ନିଯୁକ୍ତ କରି ପାରନ୍ତି । ହସି ଦେଇ ମଟର୍‍ ବାଇକରେ ଷ୍ଟାର୍ଟ ଦେଲେ ସୁନୀଲ ।

 

ସତ୍ୟଜିତ୍‍ ଚାଲିବାକୁ ଲାଗିଲେ ତୁଳସୀପୁର ଆଡ଼କୁ ପଡ଼ିଥିବା ପିଚ୍‍ ରାସ୍ତାରେ । ଗୀତା ସେତେବେଳକୁ ଯାଇ ନଥିଲା ବେଶୀ ଦୂର । ସତ୍ୟଜିତ୍‍ ଟିକିଏ ବଢ଼ାଇ ଦେଲେ ନିଜର ବେଗ । କେତୋଟି ମିନିଟ୍‍ ପରେ ସେ ପହଞ୍ଚିଲେ ଗୀତା ନିକଟରେ ।

 

ଓ.....ଆପଣ ? ପଶ୍ଚାଦଭାଗକୁ ଚାହିଁ ଟିକିଏ ଗମ୍ଭୀର ହୋଇପଡ଼ିଲା ଗୀତା ।

 

କାହିଁକି ? ଚିହ୍ନି ପାରୁନ ?

 

ହଁ.....ବେଶ୍‍ ଚିହ୍ନି ପାରୁଛି । ମୋର ଗୋଟାଏ ପ୍ରଶ୍ନର ଉତ୍ତର ଦେବେ କି ? ଗୋଟାଏ ବକ୍ର କଟାକ୍ଷପାତ କଲା ଗୀତା ।

 

ନିଶ୍ଚୟ ଦେବି । ଯଦି ଉତ୍ତରଯୋଗ୍ୟ ହୋଇଥାଏ ।

 

ତେବେ କୁହନ୍ତୁ ....ଆପଣ ସର୍ବଦା ଯେ କୌଣସି ଲୋକକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି କାହିଁକି ? ଆପଣ କ’ଣ ଭାବିଛନ୍ତି ସେଦିନ ଆତ୍ମହତ୍ୟ କରିବାକୁ ଚେଷ୍ଟା କରୁଥିଲି ବୋଲି ଆଜି ବି କରିବି ? ସ୍ୱରରେ ଭରି ରହିଥିଲା ଅଭିମାନ ।

 

ମୁଁ ତୁମକୁ କେବେ ସନ୍ଦେହ କରୁନି ଗୀତା । ମୁଁ ଜାଣେ—ତୁମେ ମୋ ଉପରେ ଆସ୍ଥା ରଖି ପାରିଛ । ସେହିଥିରେ ହିଁ ମୋର ଆନନ୍ଦ । ବିଶେଷତଃ ଯେ ଯାହାକୁ ପ୍ରକୃତରେ ଭଲପାଏ, ସେ ତାକୁ କୌଣସି କାର୍ଯ୍ୟରେ ସନ୍ଦେହ କରିବାକୁ ଅବକାଶ ପାଏନା ।

 

ଟିକିଏ ହସି ଦେଇ ନତମୁଖା ହେଲା ଗୀତା । ଉଭେଇଗଲା ତା’ର ଅଭିମାନ ।

 

ହୁଁ । ତେବେ ବର୍ତ୍ତମାନ ଏଭଳି ଭାବେ ମୋର ପଛେ ପଛେ ଆସିବାର ଅଭିପ୍ରାୟ ? ହସି ଦେଇ ପ୍ରଶ୍ନ କଲା ଗୀତା ।

 

ବର୍ତ୍ତମାନ କୁହ—ଏଭଳି ଭାବେ ମୋର ଆଗେ ଆଗେ ଯିବାର ଅଭିପ୍ରାୟ ? ଦୁଷ୍ଟାମୀର ହସ ଲାଗି ରହିଥିଲା ସତ୍ୟଜିତ୍‍ଙ୍କର ଓଷ୍ଠରେ ।

 

ଟିକିଏ ହସିଦେଇ ନୀରବ ରହିଲା ଗୀତା । ସେତେବେଳକୁ ତା’ର ପାର୍ଶ୍ୱଭାଗକୁ ଚାଲି ଆସିଥିଲେ ସତ୍ୟଜିତ୍‍ ।

 

ହୁଁ । ବର୍ତ୍ତମାନ କେଉଁଆଡ଼େ ଯାଉଛ କହିଲ ? ସାଧାରଣ ଭାବେ ପ୍ରଶ୍ନକଲେ ସତ୍ୟଜିତ୍‍ ।

 

ନର୍କକୁ । ସତ୍ୟଜିତ୍‍ଙ୍କ ଚାହିଁଲା ଗୀତା ।

 

ଏଁ ! ପୂର୍ବରୁ ଯଦି ଜାଣିଥାନ୍ତି—ତୁମ ଭଳି ସୁନ୍ଦରୀମାନଙ୍କର ପାଦନର୍କରେ ପଡ଼େ, ତେବେ କେଉଁଦିନ ଠାରୁ ସେଠାକୁ ଟିକେଟ କାଟି ସାରନ୍ତଣି । ଦେଖୁଛି—ବର୍ତ୍ତମାନ ତୁମ ସହିତ ଯିବାକୁ ହେବ ।

 

ବେହିଆ । ଲଜ୍ଜିତ ହୋଇ ଗୀତା ନତମୁଖା ହେଲା ।

 

ତେବେ ବର୍ତ୍ତମାନ କୁହ— ‘ହେଇଟି’ ଆଉ ‘ମାନିଲା’ କିଏ ?

 

ଯଥାକ୍ରମେ ସୁନୀଲ ଚାଟାର୍ଜି ଆଉ ନୀହାର୍‍ ରଞ୍ଜନ ପରିଜା ।

 

ଦେଖୁଛି—ଏଇ କେଇ ଦିନ ଭିତରେ ଗୋଟାଏ ନୂଆ ପ୍ରକାରର ଭୂଗୋଳ ବହି ଲେଖିବାକୁ ସକ୍ଷମ ହୋଇ ପଡ଼ିଲଣି ତୁମେ ? ହସି ଦେଲେ ସତ୍ୟଜିତ୍‍ ।

 

କଥା କହି ହୃଦୟ ବେଶ୍‍ କିଣି ଜାଣନ୍ତି । କହିଲେ—ତିନି ଚାରି ଦିନ ହେବ ଏଆଡ଼େ ଆସୁ ନଥିଲେ କାହିଁକି? ଯଦି ୟା ଭିତରେ ମୁଁ ଆତ୍ମହତ୍ୟା କରିଥାନ୍ତି ?

 

ଓ....ତେବେ ପ୍ରତୀକ୍ଷା ହୋଇଥିଲା ? ନ ଆସି ଭୁଲ କରିଛି । କ୍ଷମା ଦେବ । କିପରି ବା ଆସିଥାନ୍ତି ? ସହରର ଅବସ୍ଥା ଓ ଆମର ଦୁର୍ନାମ ତ ସମ୍ବାଦ ପତ୍ରରୁ ପଢ଼ୁଥିବ ।

 

ନୀରବ ରହିଲା ଗୀତା ।

 

ସେତେବେଳେକୁ ପିଚ୍‍ ରାସ୍ତା ତ୍ୟାଗ କରି ସେମାନେ ଓହ୍ଲାଇ ଯାଇଥିଲେ ମହାନଦୀର ବାଲୁକା ପ୍ରାନ୍ତର ମଧ୍ୟକୁ । କିଛି ଦୂର ଯାଇ ସାଥି ହୋଇ ବସିଲେ ସେମାନେ ।

 

ଆକାଶରେ ଚନ୍ଦ୍ର । ସତ୍ୟଜିତ୍‍ ଆଉ ଗୀତାଙ୍କ ଦେହରେ ଶୀତଳ ଚନ୍ଦ୍ର କିରଣ ବିଚ୍ଛୁରିତ ହୋଇପଡ଼ିଛି । ବାଲୁକାଶଯ୍ୟା ମଧ୍ୟ ବେଶ୍‍ ନରମ ଲାଗୁଛି ସେମାନଙ୍କୁ । ସତ୍ୟଜିତ୍‍ ମେଞ୍ଚାଏ ମେଞ୍ଚାଏ ବାଲି ମୁଠାଇ ଧରି ପୁଣି ଛାଡ଼ି ଦେଉଛନ୍ତି ତଳକୁ । ଗୀତା ତଳକୁ ମୁହଁ ପୋତି ତାର ଲାକ୍ଷାରଞ୍ଜିତ ଅଙ୍ଗୁଳି ସାହାଯ୍ୟରେ ଗାର କାଟିବାରେ ଗଛ ବାଲିରେ । ପୁଣି କେତେବେଳେ ଚାହିଁ ରହିଛି ସେ ସତ୍ୟଜିତ୍‍ଙ୍କ ମୁହଁକୁ । ନଦୀ ଆରପାରିରୁ ଭାସି ଆସୁଛି ଚକ୍ରବାକୀର କରୁଣ ସ୍ୱନ । ସତ୍ୟଜିତ୍‍ ଆରମ୍ଭ କଲେ—

 

ଗୀତା :

 

ଉଁ ?

 

ଚକ୍ରବାକ ଚକ୍ରବାକୀ ଭଳି ଆମେ କାହାଠାରୁ ଅଭିଶାପ ପାଇବା ନାହିଁ ତ ?

 

ଗୀତା ନୀରବ । ଗୀତାକୁ ଚାହିଁଲେ ସତ୍ୟଜିତ୍‍ ।

 

ତଥାପି ସେ ନୀରବ । ତଳକୁ ତା’ର ମୁହଁ । ହଲାଇ ଦେଲେ ତାକୁ ସତ୍ୟଜିତ୍‍—

 

କହିବନି ?

 

ବୋଧହୁଏ...ନୁହେଁ...ଭାଗ୍ୟ ଆମ ପ୍ରତି ଏତେ ନିଷ୍ଠୁର...ହେବ କାହିଁକି ? ରହି ରହି ନତମୁଖା ହୋଇ ନିମ୍ନ ସ୍ୱରରେ କହିଲା ଗୀତା ।

 

ତଥାପି ତୁମ କଥା ଭାବିଲାବେଳକୁ ମୁଁ ଶୀହରି ଉଠେ ଗୀତା । ‘ତୁମେ’ ସମ୍ୱୋଧନ କର ମୁଁ ତୁମକୁ ଯେତେ ନିକଟକୁ ଆଣିବା ପାଇଁ ଚେଷ୍ଟା କରେ, ‘ଆପଣ’ ବୋଲି ସମ୍ମୋଧନ କରି ମୋତେ ସେତେ ଦୂରକୁ ଠେଲି ଦିଅ ।

 

ଆପଣ ମୋତେ ଏବେ ସୁଦ୍ଧା ସନ୍ଦେହ କରନ୍ତି ? ହଁ.....ପ୍ରସିଦ୍ଧ ଡିଟେକ୍‍ଟିଭ୍‍ ମାନେ ଅତି ଆପଣାର ଲୋକଙ୍କ ସନ୍ଦେହ ମଧ୍ୟ କରିବାକୁ କୁଣ୍ଠାବୋଧ କରନ୍ତି ନି । ଆପଣ କାହିଁକି ସେଥିରୁ ...ବାଦ ଯା’ନ୍ତେ ? ଅଭିମାନ ଭରା କଣ୍ଠରେ କହିଲା ଗୀତା ।

 

ପୁଣି ସେଇ ‘ଆପଣ’ ରୁହ ‘ତୁମେ’ କୁହ ? ଗୀତାର ମୁହଁକୁ ଦୁଇ ହସ୍ତରେ ଟେକିଦେଲେ ସତ୍ୟଜିତ୍‍ ।

 

‘ତୁମେ’ ! ଦରହସା ହୋଇ କହିଲା ଗୀତା ।

 

ସତ୍ୟଜିତ୍‍ ନିଜ କୋଳକୁ ଆଉଜାଇ ଆଣିଲେ ତାକୁ । ସତ୍ୟଜିତ୍‍ଙ୍କ କୋଳରେ ମସ୍ତକ ରଖି ବାଲି ଉପରେ ଦୁଇ ଗୋଡ଼କୁ ଲମ୍ୱାଇଦେଲା ଗୀତା । ସତ୍ୟଜିତ୍‍ ଦକ୍ଷିଣ ହସ୍ତରେ ସାଉଁଳିବାକୁ ଲାଗିଲେ ତାର ଚୂର୍ଣ୍ଣ କୁନ୍ତଳଗୁଡ଼ିକୁ ତାଙ୍କର ବାମ ହସ୍ତକୁ ନିଜର ବାମ ହସ୍ତରେ ଧରି ଗୀତା ଚାହିଁଥିଲା ।

 

ଗୀତା ! ନୀରବତା ଭଙ୍ଗ କରି ଡାକିଲେ ସତ୍ୟଜିତ୍‍ ।

 

ଉଁ ? ଦେଖୁଛ ? ଚନ୍ଦ୍ର କେତେ ସୁନ୍ଦର ।

 

ତୁମଠାରୁ କମ୍‍ । ସତ୍ୟଜିତ୍‍ଙ୍କ ମୁହଁକୁ ଚାହିଁଲା ଗୀତା ।

 

ହସି ଦେଲେ ସତ୍ୟଜିତ୍‍ । ହସି ଦେଲା ଗୀତା ।

 

ଉଁ ?

 

ବାସ୍ତବିକ୍‍, ତୁମେ କେଡ଼େ ସୁନ୍ଦରୀ ! ଓଠ ତାର ଧରି କହିଲେ ସତ୍ୟଜିତ୍‍ ।

 

ଆଖି ବୁଜିଲା ଗୀତା । ଦୁଇ ହସ୍ତରେ ସତ୍ୟଜିତ୍‍ ତୋଳି ଆଣିଲେ ତାର ମୁହଁକୁ । ନିଜ ଚିବୁକ୍‍ ସହିତ ଲଗାଇ ଦେଲେ ତାର ଚିବୁକକୁ । ସତେ ଯେପରି ଆଜି ସେ ପିଇ ଯାଉଛନ୍ତି ଗୀତାର ସୌନ୍ଦର୍ଯ୍ୟକୁ ।

 

ପୁଣି ଗୀତାର ମସ୍ତକକୁ ନିଜ କୋଳରେ ଅତି ଧୀରେ ସ୍ଥାପନ କଲେ । ସତେ ଯେପରି ପୃଥିବୀର ଯେ କୌଣସି ମୂଲ୍ୟବାନ ବସ୍ତୁ ଅପେକ୍ଷା ଗୀତାର ମସ୍ତକ ଆହୁରି ମୂଲ୍ୟବାନ୍‍ ।

 

ସେହିପରି ପଡ଼ିରହିଲା ଗୀତା ।

 

ଗୀତା....ଆଉ କେବେ ହେଲେ ସନ୍ଧ୍ୟାବେଳେ ଏକାକୀ ଏ ଆଡ଼େ ଆସିବନି ..ଆଜି ଏଠାରୁ ଫେରିଲା ବେଳେ ମୋ ଘରକୁ ସାଥି ହୋଇ ଯିବା । ମୋର କ’ଣ ସନ୍ଦେହ ହୁଏ ଜାଣ ? ସତ୍ୟଜିତ୍‍ କହିଲେ ନିମ୍ନସ୍ତରରେ । କ’ଣ ?

 

ତୁମ ଉପରେ ବି କେତେବେଳେ ବିପଦ-ପର୍ବତ ଭୁଷୁଡ଼ି ଯାଇପାରେ । ଅନ୍ତତଃ ମୋ ଘରଟା ଦେଖିବା ନିତାନ୍ତ ଆବଶ୍ୟକ ତୁମର । କ’ଣ ଯିବ ନା ? ଅତି ଧୀରେ ସତ୍ୟଜିତ୍‍ ଗୀତାର ଓଠକୁ ଟିକିଏ ହଲାଇ ଦେଲେ ।

 

ଗୀତା ନୀରବ ।

 

କହୁନ କାହିଁକି ? ଯିବନି ?

 

ଯିବି । ଗୀତା ଚାହିଁଥିଲା ନିର୍ମଳ ଆକାଶକୁ ।

 

କାଶରେ ଚନ୍ଦ୍ର ଉପରକୁ ଉଠି ଯାଇଛି ବହୁତ ଉପରକୁ । କେତେବେଳେ କେମିତି କଳା କଳା ବାଦଲ ସବୁ ଚାଲିଯାଉଛନ୍ତି ତା’ଉପର ଦେଇ । ନିସ୍ତବ୍‍ଧ ପୃଥିବୀ ଉପରେ ପଡ଼ି ଯାଇଛି ତାର ଛଇ । ଏମିତି କେତେ ଛାଇ ପଡ଼ି ପୁନର୍ବାର ଶୀତଳ ଜ୍ୟୋସ୍ନାର ଆବିର୍ଭାବ ହେଉଛି, ତା’ର ହିସାବ ରଖି ପାରୁନାହାନ୍ତି କେହି । ସମସ୍ତେ ସୁପ୍ତ ।

 

କେବଳ ଜାଗ୍ରତ ରହିଛି ଜଣେ । ସେ ଗୋଟାଏ ଛାୟା ମୂର୍ତ୍ତି । ଚତୁର୍ଦ୍ଦିଗକୁ ସତର୍କ ଦୃଷ୍ଟିପାତ କରି ଆଗେଇ ଚାଲିଛି ସେ ରାସ୍ତା ଉପରେ । ସମସ୍ତ ଶରୀର ତାର କଳା ପୋଷାକରେ ଆବୃତ । ମସ୍ତକରେ ଗୋଟାଏ କଳା ଫେଲ୍‍ଟ୍‍ କ୍ୟାପ୍‍ । ଚକ୍ଷୁ ଦୁଇଟିର କିଛିତଳକୁ ସେ ବାନ୍ଧି ଦେଇଛି ଗୋଟାଏ ରୁମାଲ ।

 

ମକରବା ଖ୍ରୀଷ୍ଟିୟାନ ସାହିର ଗୋଟାଏ ଦ୍ୱିତଳ ପ୍ରାସାଦର ପଶ୍ଚାଦଭାଗରେ ପହଞ୍ଚିଲା ସେ । କମ୍ପାଉଣ୍ଡ ୱାଲ୍‍ ନିକଟରେ ରହି ଯାଇ ଟର୍ଚ୍ଚ ଆଲୋକ ନିକ୍ଷେପ କଲା ସେ । ବାଃ ! ବିଶେଷ କିଛି ଅସୁବିଧା ହେବନି । ତା’ପରେ ଚତୁର୍ଦ୍ଦିଗରେ ପଡ଼ିଲା ତାର ସତର୍କ ଦୃଷ୍ଟି । ପରମୁହୂର୍ତ୍ତରେ ସାବଧାନତା ଅବଲମ୍ୱନ କରି ଲମ୍ଫ ଦେଲା ସେ । କିଛି ସମୟ ପରେ ପ୍ରାସାଦ ନିକଟରେ ସେ ପହଞ୍ଚିଲା । ଉପରକୁ ସେ ଯିବ କିପରି ! ପୁନର୍ବାର ଟର୍ଚ୍ଚ ଆଲୋକ ନିକ୍ଷେପ କଲା ସେ । ଗୋଟାଏ ପାଣି ପାଇପ୍‍ ଯାଇଛି ପ୍ରାସାଦର ଉପରିଭାଗରେ ଥିବା ପ୍ରାଇଭେଟ ଟ୍ୟାଙ୍କକୁ । ତାରି ଅବଲମ୍ୱନରେ ସେ ଚଢ଼ିବାକୁ ଲାଗିଲା କେତୋଟି ମିନିଟ୍‍ । ତା’ପରେ ସେ ପହଞ୍ଚିଲା ଦ୍ୱିତଳକୁ ଛାତ ଉପରେ । ତା’ପରେ ପକେଟ ମଧ୍ୟରୁ ବାହାର କଲା ଗୋଟାଏ ଶକ୍ତ ଦଉଡ଼ି । ତାକୁ ଶକ୍ତ ଭାବେ ବାନ୍ଧି ଦେଲା ଟ୍ୟାଙ୍କର ପାଇପ୍‍ ଦେହରେ ଏବଂ ଅନ୍ୟ ପ୍ରାନ୍ତଟି ନିଃବ୍ଦରେ ଧୀରେ ଧୀରେ ନିକ୍ଷେପ କଲା କୋଡରକୁ । ତା’ପରେ ତାହାରି ସାହାଯ୍ୟରେ ଓହ୍ଲାଇବାକୁ ଲାଗିଲା ସେ ଦ୍ୱିତଳର ଚଟାଣକୁ । ପହଞ୍ଚି ଯାଇ ଗୋଟିଏ ତୃପ୍ତିର ନିଃଶ୍ୱାସ ମାରିଲା ସେ ।

 

ଦ୍ୱିତଳର ଗୋଟାଏ ରୁମ୍‍ ସମ୍ମୁଖରେ ନିଃଶବ୍ଦରେ ପହଞ୍ଚିଲା ସେ ଛାୟା ମୂର୍ତ୍ତି । କିଛିକ୍ଷଣ ଅପେକ୍ଷା କରି ଦ୍ୱାରରେ କ୍ରମାଗତ ମୃଦୁ କରାଘାତ କଲା ସେ । କିଛି ସମୟ ପରେ ରୁମ୍‍ ମଧ୍ୟରେ ବିଦ୍ୟୁତା ଲୋକ ଖେଳିଯିବାର ଜ୍ଞାନୁମାନ କଲା ଝରକା ପଥ ଦେଇ । ତା’ପରେ ଭିତରୁ ଶୁଭାଗଲା ପଦ ଶବ୍ଦ । ଦ୍ୱାର ଆଡ଼କୁ ସ୍ପଷ୍ଟତର ହୋଇ ଆସୁଥିଲା ସେ ଶବ୍ଦ । ତା’ପରେ ନିଃଶବ୍ଦରେ ଉନ୍ମୁକ୍ତ ହେଲା ଦ୍ୱାର ।

 

କଳା ଛାୟାମୂର୍ତ୍ତି ସମ୍ମୁଖରେ ବର୍ତ୍ତମାନ ଛିଡ଼ା ହୋଇଛନ୍ତି ଚିତ୍ରତାରକା ଇଭା ଦାସ । ଭୟରେ ଚିତ୍କାର କରିବାକୁ ଉପକ୍ରମ କରୁଥିଲେ ସେ । କିନ୍ତୁ ସଙ୍ଗେ ସଙ୍ଗେ ଛାୟାମୂର୍ତ୍ତି ତାର ଦକ୍ଷିଣ ହସ୍ତ ସାହାଯ୍ୟରେ ଚାପି ଧରିଲା ତାଙ୍କର ପାଟିକୁ ।

 

ମୁଁ ତୁମର କୌଣସି ଅନିଷ୍ଟ କରିବାକୁ ଆସିନି । ଚିତ୍କାର କରି ଅନ୍ୟକୁ ଜଣାଇବାର ଉପକ୍ରମ କଲେ ମୃତ୍ୟୁ ସୁନିଶ୍ଚିତ । ଅତି ନିମ୍ନ ଅଥଚ କର୍କଶ ସ୍ୱରରେ କହିଲା ଛାୟା ମୂର୍ତ୍ତି ।

 

ମିସ୍‍ ଇଭା ଭୟବିହ୍ୱଳିତ ହୋଇ ଖାଲି ଚାହିଁ ରହିଥିଲେ ଲୋକଟାର ଚକ୍ଷୁ ଦୁଇଟିକୁ ।

 

ଏଥର ଭିତରକୁ ଆସ ... କହୁଛି । ଛାୟା ମୂର୍ତ୍ତିଟା ଟାଣି ନେଇଗଲା ମିସ୍‍ଙ୍କ ରୁମ୍‍ ମଧ୍ୟକୁ ।

 

ଶୀଘ୍ର ....କୁହ... କ’ଣ କହିବାର ଅଛି । ତୁମର ଉପସ୍ଥିତ ମୁଁ ଆଦୌ ପସନ୍ଦ କରେନା । ନିଜ ବେଡ୍‍ ଉପରେ ବସି ଘୃଣିତ ଦୃଷ୍ଟିରେ ମିସ୍‍ ଇଭା ଚାହିଁ ରହିଲେ ଲୋକଟା ଆଡ଼କୁ ।

 

ସାବଧାନ । ନିମ୍ନସ୍ତରରେ କଥାବାର୍ତ୍ତା କର ନଚେତ୍‍ ... । ଗୋଟାଏ ରିଭଲଭର ପକେଟ୍‍ ମଧ୍ୟରୁ ବାହାର କରି ଇଭାଙ୍କର ବକ୍ଷଦେଶକୁ ଲକ୍ଷ କଲା ସେ ।

 

ଭୟ ପାଇଗଲେ ମିସ୍‍ ଇଭା ।

 

ଭୟ..ନାହିଁ—ପ୍ରସାଦଟା ଯେତେ ବଡ଼ ଦେଖୁଛ....ସେ ଅନୁଯାୟୀ ବାସିନ୍ଦାଙ୍କ ସଂଖ୍ୟା....ଖୁବ୍‍ କମ୍ ...ବିଶେଷତଃ ମା ଏବଂ ଭାଇ .... ଯାଇଛନ୍ତି ...ଦାର୍ଜିଲିଂ ଭ୍ରମଣ ଉଦ୍ଦେଶ୍ୟରେ । ଥରି ଥରି କହିଲେ ଇଭା ।

 

ହୁଁ ....ସମୟ ଖୁବ୍‍ କମ୍‍...ବର୍ତ୍ତମାନ ତୁମର କାର୍ଯ୍ୟାବଳୀ ଶୁଣି ନିଅ ।

 

ମୁଁ ବର୍ତ୍ତମାନ......ତୁମର ..କୌଣସି କାର୍ଯ୍ୟ କରିବାକୁ ବାଧ୍ୟ ନୁହେଁ ମନେ ଅଛି ? ସେ ଦିନ କେବଳ ସେଇ ନୃତ୍ୟଟି କରିବାକୁ ମୁଁ ବାଧ୍ୟ ହୋଇ ରାଜି ହୋଇଥିଲି ଆଉ ତୁମେ ମଧ୍ୟ ମୋତେ ନୃତ୍ୟ ପରେ ପାଞ୍ଚହଜାର ଟଙ୍କା ଦେବାରୁ ମୁଁ ନେଇ ନଥିଲି—କହିଥିଲି—ଆଉ ତୁମର କୌଣସି କାର୍ଯ୍ୟ କରିବି ନାହିଁ । କେବଳ ଏଇ ସର୍ତ୍ତରେ ମୁଁ ନୃତ୍ୟ କରିଛି । ପାରିଶ୍ରମିକ ମୋର ସେହି ସର୍ତ୍ତ । ତାପରେ ତୁମେ କିଛି କହି ନଥିବ । ଜୀବନର ଭୟ ଦେଖାଇ ସେଦିନ ମୋତେ ନେଇ ବେଶ୍ୟା ଭଳି ନଚାଇଲ ଅନ୍ୟ ସମ୍ମୁଖରେ । ଅବଶ୍ୟ ମୁଁ ମାନୁଛି ....ମୁଁ ଅଭିନୟ...କରେ ତଥାପି...ଏ....ଅଭିନୟ ଆଉ ସେ ଅଭିନୟ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ସେଦିନ ମୋରି ନୃତ୍ୟ ବିଶେଷ କ’ଣ ଆବଶ୍ୟକ ଥିଲା ? ଅନ୍ୟ କେହି ନୃତ୍ୟ କରିଥିଲେ ବି ଚଳିଥାନ୍ତା । ତୁମେ ବୁଦ୍ଧିମାନ ହୋଇ ଗୋଟାଏ ନିପଟ ବେକାଙ୍କ ଭଳି କାର୍ଯ୍ୟ କରୁଛ । ବିଶେଷତଃ ...ସତ୍ୟଜିତ୍‍ ଦାସକୁ ମେକ୍‍ଅପ୍‍ ଦ୍ୱାରା ପ୍ରତାରଣା .....କରାଇବାର ପରିକଳ୍ପନା ଗୋଟାଏ ପାଗଳର ଚିନ୍ତାଠାରୁ ଆହୁରି ବୁଦ୍ଧିହୀନ । ବର୍ତ୍ତମାନ ସ୍ୱଷ୍ଟଭାବେ ବୁଝି ପାରୁଛି ....ମୋତେ କ୍ରମେ କ୍ରମେ ତୁମେ ନିଜର କରଗତ କରିବାର ପ୍ରଥମ ସୋପାନ ଥିଲା ସେଇ ଦିନର ନାଚଟା । ଆହୁରି ନିନ୍ଦନୀୟ, ଘୃଣ୍ୟ ବର୍ବରୋଚିତ କାର୍ଯ୍ୟ ମୋଦ୍ୱାରା ସମାପନ କରାଇବାର ଦୁଶ୍ଚିନ୍ତା ଲୁଚି ରହିଥିଲା ତା’ର ପଶ୍ଚାତ୍‍ଭାଗରେ । ବର୍ତ୍ତମାନ ତୁମେ ଯେଉଁ କାର୍ଯ୍ୟପାଇଁ ଆସିଥାଅ....ନା....କାହିଁକି ଶୁଣି ନିଅ—ଆଉ ଜୀବନର ଭୟ ଦେଖାଇ ମୋ ଦ୍ୱାରା କୌଣସି କାର୍ଯ୍ୟ କରାଇବା ପରି....କଳ୍ପନାଟା କାର୍ଯ୍ୟକାରୀ ହୋଇ ପାରିବନି । ମୁଁ ଯେଉଁ ..ଭୁଲ କରିଛି.... ତାହା....ମୋ....ଜୀବନରେ ପ୍ରଥମ ଏବଂ ଶେଷ...ଏହା ମୋର ଦୃଢ଼ ସଂକଳ୍ପ । ଉତ୍ତେଜିତ ହୋଇ ନିଜ ସ୍ୱରରେ କହି ଚାଲିଲେ ଇଭା । ଟିକିଏ ଦମ୍‍ ନେଲେ ସେ ।

 

ନରମୂର୍ତ୍ତିଟା ଅତି ମନୋଯୋଗ ଦେଇ ଶୁଣି ଚାଲିଥିଲା ମିସ୍‍ ଇଭାଙ୍କ କଥାଗୁଡ଼ାକ ଏବଂ ତୀକ୍ଷଣ ଦୃଷ୍ଟି ନିକ୍ଷେପକରି ବିଶ୍ଲେଷଣ କରୁଥିଲେ ତାଙ୍କୁ ।

 

ଠିକ୍‍ ସେହି ମୁହୂର୍ତ୍ତରେ ତଳ ମହଲାର ପ୍ରଧାନ ଦ୍ୱାରରେ କାହାର କ୍ରମାଗତ ଧୀର କରାଘାତ ଶୁଣାଗଲା । ସେହି ଘରେ ଶୟନ କରିଥିବା ଦୁଇ ଜଣ ପରିଚାରିକା ଆସି ଦ୍ୱାର ଉନ୍ମୁକ୍ତ କଲେ । ସମ୍ମୁଖରେ ଦେଖିବାକୁ ପାଇଲେ ଦୁଇଟି କଳା ଛାୟାମୂର୍ତ୍ତି । ଭୟ ପାଇ ଚିତ୍କାର କରିବା ପୂର୍ବରୁ ଦୂଇଟି ସବଳ ହସ୍ତ ପ୍ରତ୍ୟେକଙ୍କୁ ଆୟତ କରି ସେମାନଙ୍କର ପାଟିକୁ ଚାପି ଧରିଥିଲେ । କେତୋଟି ମୁହୂର୍ତ୍ତ । ତା’ପରେ ପରିଚାରିକା ଦୁଇଟିଙ୍କର ମାଡ଼ରେ ଚାପି ହୋଇଗଲା ଦୁଇଟି କଳା ରୁମାଲ । ତୀବ୍ର କ୍ଲୋରୋଫରମ୍‍ ଗନ୍ଧରେ ଲୋପ ପାଇଲା ସେମାନଙ୍କର । ତା’ପରେ କଳାମୂର୍ତ୍ତି ଦୁଇଜଣଙ୍କ ସଂଜ୍ଞା ଲୋପ ପାଇଲା ସେମାନଙ୍କର । ତା’ପରେ କଳାମୂର୍ତ୍ତି ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରବେଶକଲା ପ୍ରାସାଦ ମଧ୍ୟକୁ । ଅନ୍ୟ ଜଣେ ଫେରିଗଲା ଗେଟ୍‍ ଆଡ଼କୁ । ଏ କଥା ଜାଣି ପାରିଲେ ନି କେହି ।

 

ନୀରବତା ଭଙ୍ଗ କରି ପୁଣି ଆରମ୍ଭ କଲା ଦ୍ୱିତଳରେ ପୂର୍ବରୁ ଉପସ୍ଥିତ ଥିବା ନରମୂର୍ତ୍ତିଟା—ବର୍ତ୍ତମାନ ଜାଣି ପାରୁଛି ଅବସ୍ଥାଟା କ’ଣ ହେବ ? ସତ୍ୟଜିତ୍‍ ତୁମକୁ ସନ୍ଦେହ କରିଛି ।

 

ମିସ୍‍ ଇଭା ନୀରବ ।

 

ତେଣୁ, କିପରି ତୁମ କଣ୍ଟା ଏବଂ ମୋ କଣ୍ଟା ଏକାବେଳକେ ଯିବ—ଏଇ ଉଦ୍ଦେଶ୍ୟ ନେଇ ମୁଁ ଆସିଥିବି ଲୋକଟା ଚାହିଁଲା ମିସ୍‍ ଇଭାଙ୍କୁ ।

 

ତା’ମାନେ ! ଆଶ୍ଚର୍ଯ୍ୟ ଅଥଚ ଭୟାର୍ତ୍ତ ନୟନରେ ଚାହିଁଲା ଇଭା । ତୁମକୁ ଯେତେବେଳେ ସେ ସନ୍ଦେହ କରିଛି, ପୁଣି ତମ ନିକଟକୁ ଆସିବ ନିଶ୍ଚୟ । ସେତେବେଳେ ତୁମେ ତାକୁ ଅତିଥି ରୂପେ ସତ୍କାର କଲାବେଳେ ପୋଟାସିୟମ୍‍ ସାୟନାଇଡ ଦେବ ଚା’ ସହିତ ମିଳାଇ । ତା’ପରେ ହେଲା ମୋର କାର୍ଯ୍ୟ । ସତ୍ୟଜିତ୍‍ ଦାସର ପତ୍ତା ଦୁନିଆର କୌଣସି ପ୍ରାଣୀ ପାଇ ପାରିବ ନାହିଁ । ବେଶ, ଏଇ ହେଲା ତୁମର ଶେଷ କାର୍ଯ୍ୟ । ନିଅ, ପକେଟ୍‍ ମଧ୍ୟରୁ ଗୋଟାଏ କାଗଜ ପୁଡ଼ିଆ ବାହାର କରି ମିସ୍‍ ଇଭାଙ୍କ ଆଡ଼କୁ ବଢ଼ାଇଲା ସେ ।

 

ମିସ୍‍ ଇଭା ଭୟରେ ଘୁଞ୍ଚିଗଲେ ବସିଥିବା ଖଟର ଅନ୍ୟ ପ୍ରାନ୍ତକୁ ଏବଂ ଆଉଜି ପଡ଼ିଲେ ପଶ୍ଚାଦ୍‍ଭାଗରେ ଥିବା କାନ୍ଥ ଦେହକୁ । ନରମୂର୍ତ୍ତିଟି ସମ୍ମୁଖସ୍ଥ ଚୌକୀରୁ ଉଠିଯାଇ ପୁଡ଼ିଆଟି ସହିତ ନିଜର ଦକ୍ଷିଣ ହସ୍ତ ବଢ଼ାଇଦେଲା ସେଇ ଆଡ଼କୁ । ନିଅ ।

 

ନା—ନା—ହୋଇ ପାରିବନି । ମୁଁ ପଛେ ସତ୍ୟଜିତ୍‍ ଦାସ ଦ୍ୱାରା ଜେଲ୍‍ ଯାଏ ସେ କାର୍ଯ୍ୟ କରି ପାରବନି । ଦେହସାରା ଝାଲରେ ଓଦା ହୋଇ ଯାଇଥିଲା ମିସ୍‍ ଇଭାଙ୍କର ।

 

କରିବାକୁ ପଡ଼ିବ ।

 

ନା । ମୁଁ ତମ ନିର୍ଦ୍ଦେଶରେ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରେନା ମୁଁ ମଣିଷ । ପଶୁ ନୁହେଁ ଯେ ଅନ୍ୟ କଥାର ବଶବର୍ତ୍ତୀ ହେବି । ମୋର ବିବେକ ବିରୁଦ୍ଧରେ ମୁଁ କୌଣସି କାର୍ଯ୍ୟ କରିବି ନାହିଁ ।

 

ତେବେ ... ଜାଣିଛ ....ବର୍ତ୍ତମାନ ତୁମର ଅବସ୍ଥା କ’ଣ ହେବ ? ତୁମେ ତ ମୋତେ ଚିହ୍ନିଚ ।

 

ହଁ...ହଁ...ଜାଣେ । ତୁମର ପରିଚୟ ମୋତେ ସେଦିନ କୁକାର୍ଯ୍ୟ କରିବାକୁ ଅଭୟ ଦେଲା । କିନ୍ତୁ ଆଉ ନୁହେଁ, ମୃତ୍ୟୁ ଦିନେ ଆସେ । ଏ କଥା ବର୍ତ୍ତମାନ ମୁଁ ହୃଦୟଙ୍ଗମ କରି ପାରୁଛି । ବିବେକ ବିରୁଦ୍ଧରେ କାର୍ଯ୍ୟକରି ସବୁଦିନେ ମରୁଥିବି....କାହିଁକି ? ସତ୍ୟଜିତ୍‍ ଦାସଙ୍କୁ କହିବି ବୋଲି ଭାବିଥିଲି ...କିନ୍ତୁ...

 

କିନ୍ତୁ ସମ୍ୱରଣ କରି ପାରିଲେ ନାହିଁ ଜୀବନର ଲୋଭ—ଏଇ ତ ମୃଦୁ ସ୍ୱରରେ ହସି ଉଠିଲା ନର ମୂର୍ତ୍ତି । କଣ୍ଠ ସ୍ୱର ତାର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା ।

 

ଚମକି ଉଠିଲେ ମିସ୍‍ ଇଭା ।

 

ଆରେ ! ମିଷ୍ଟର ଦାସ ? ଆଶ୍ଚର୍ଯ୍ୟ ହୋଇ ନରମୂର୍ତ୍ତିକୁ ଚାହିଁଲେ ସେ ।

 

ଏତେ ନିପୁଣ ଆପଣ ...ସ୍ୱର ଅନୁକରଣ କରିବା ଏବଂ ବଦଳାଇବାରେ ! ସେ ...ଦିନ.. ରାତିରେ... ଥରେ ମାତ୍ର ...ତା’ସହିତ ଆପଣଙ୍କର କଥାବାର୍ତ୍ତା ...! ପାଟିରୁ ବାହାରି ପଡ଼ିଲା ଇଭାଙ୍କର ।

 

କ୍ଷମା ଦେବେ । ଗୋପନ ସତ୍ୟକୁ ଜାଣିବା ହେଲା ମୋର କାର୍ଯ୍ୟ । ତେଣୁ ଆଜି ଏତେ ରାତିରେ ମୁଁ ନିଜେ କଷ୍ଟ ସହିଲି, ଆଉ ତା’ ସହିତ ଆପଣ ମଧ୍ୟ । ପଅରଦିନ ମୁଁ ଜାଣିଥିଲି, ଆପଣ ମିଥ୍ୟା କହିଛନ୍ତି ।

 

ବାକ୍ୟ ସ୍ଫୁରୁ ନଥିଲା ମିସ୍‍ ଇଭାଙ୍କର । ମସ୍ତକରୁ ଫେଲ୍‍ଟ୍‍ କ୍ୟାପ୍‍ ଏବଂ ମୁହଁରୁ କଳା ରୁମାଲଟା ବାହାର କରି ପକାଇ ପଶ୍ଚାଦ୍‍ଭାଗରେ ଥିବା ଟେବୁଲ ଉପରେ ରଖିଲେ ସତ୍ୟଜିତ୍ ।

 

ହୁଁ । ବର୍ତ୍ତମାନ ତ ଆଉ କହି ପାରିବେନି ଯେ ଆପଣ ଦଳପତିକୁ ଚିହ୍ନନ୍ତି ନି ବୋଲି ? ସତ୍ୟଜିତ୍‍ ଚାହିଁଲେ ଇଭାଙ୍କୁ ।

 

ନା । ବର୍ତ୍ତମାନ...ଆଉ....କହି ପାରିବିନି । ପଅରି ଦିନ ମୁଁ ମିଥ୍ୟା କହିଥିବା ହେତୁ ଆପଣ ଯିବାପରେ ଅନୁତାପ କରିଥିଲି । ଗୋଟାଏ ଦୀର୍ଘଶ୍ୱାସ ବାହାରି ଆସିଲା ଇଭାଙ୍କର । ଟିକିଏ ନୀରବ ରହି ନିଜର ଶଯ୍ୟାକୁ ଚାହିଁ ସେ ରହି ରହି କହିଲେ.....ସତ କହୁଚି ମିଷ୍ଟର ଦାସ...ଆପଣ...ଉଚ୍ଚ...ଶିକ୍ଷିତ—ଶକ୍ତିବାନ ସାହସୀ ...କୌଶଳୀ...କଳାକୁଶଳୀ...ଆପଣଙ୍କ ଚାଳିଚଳନ ଏବଂ ବ୍ୟବହାର ମୋତେ ...ଆକୃଷ୍ଟ କରିଛି ...ପ୍ରଥମ ...ଦର୍ଶନରୁ । ସେହି ଦିନଠାରୁ ଗୋଟାଏ...କିପରି ...ଦୁର୍ବଳତା ...ଆସି ...ଯାଇଛି ...ଆପଣଙ୍କ ...ପ୍ରତି...। ପଅରି ଦିନ...ଯେ...କେହି ହେଉ ନା କାହିଁକି...ମୁଁ ତାକୁ...ଦେଖା ଦେଇ ନଥାନ୍ତି... ମୋର ବିଶ୍ରାମ ଆବଶ୍ୟକ ଥିଲା । କିନ୍ତୁ.. ଆପଣଙ୍କୁ ମୋ ସମ୍ମୁଖରେ ଟିକିଏ...ଦେଖିବା ଅଭିଳାଷରେ ଡକାଇ ପଠାଇଥିଲି ଉପରକୁ । ସେଇ ଦୁର୍ବଳତା ହିଁ...ଆଜି ...ଅନେକାଂଶରେ ...ସାହାଯ୍ୟ କରୁଛି ‘ଦଳପତି କିଏ’ କହିବାକୁ । ସ୍ୱର ତାଙ୍କର ବାଷ୍ଫାକୁଳ ହୋଇ ପଡ଼ିଥିଲା ।

 

ଅପ୍ରତିଭ ହୋଇ ପଡ଼ିଥିଲେ ସତ୍ୟଜିତ୍‍ ।

 

ମୁହଁ ଉଠାଇ କ’ଣ କହିବାକୁ ଚାହିଁଲେ ଇଭା । କିନ୍ତୁ ଲଜ୍ଜାରେ ପୁଣି ନତମୁଖା ହେଲେ ।

 

ଆପଣ...କିଛି...ଭାବିବେ ନି ...ମୁଁ...ସତ...କଥା...କହିବାକୁ ଯାଇ... । ପାଟିରୁ ଇଭାଙ୍କର ଆଉ କଥା ବାହାରି ପାରିଲା ନି । ଛେପ ଢୋକିଲେ ସେ ।

 

ନା...ନା ମୁଁ କିଛି ଭାବିବିନି ଏଥିରେ ଭାବିବାର କ’ଣ ଅଛି ? ନିଜର ମନର କଥା ଯେଉଁଟା କି ଅନ୍ୟର ଜାଣିବା ଆବଶ୍ୟକ, ସେଇଟାକୁ ଲଜ୍ଜା କିମ୍ୱା ଅନ୍ୟ କାରଣ ହେତୁ ତା’ଠାରୁ ଲୁଚାଇ ରଖିବା ଦ୍ୱାରା ମନୁଷ୍ୟକୁ ବହୁ ସମୟ ସେହି ବିଷୟରେ ଚିନ୍ତା କରିବାକୁ ପଡ଼େ । ଆଉ ସେହି ଚିନ୍ତା ତା’ର ଶରୀର ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ—ଯାହା କି କ୍ଷତିଦାୟକ ।

 

ଟିକିଏ ନୀରବ ରହି ପୁଣି କହିଲେ ସତ୍ୟଜିତ୍‍—ତା’ପରେ ମଧ୍ୟ ଆପଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଜାଗ୍ରତ ନାହାନ୍ତି—କିଛିଟା ତନ୍ଦ୍ରାଛନ୍ନ ଅଛନ୍ତି, —ସେଥିପାଇଁ ଗୋଟାଏ ଗୋଟାଏ ସତକଥା ବାହାରି ପଡ଼ିବା ସ୍ୱାଭାବିକ ।

 

ରାଜତ୍ୱ କଲା ଅଖଣ୍ଡ ନୀରବତା ।

 

ହୁଁ ...ସମୟ..ବହୁତ ହେଲାଣି, ଆପଣ କୁହନ୍ତୁ ଦଳପତିର...ନାମ ..। ତଳକୁ ଚାହିଁ କହିଲେ ସତ୍ୟଜିତ୍‍ ।

 

କହିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ ଅନୁରୋଧ କରିବି ମିଷ୍ଟର ଦାସ...ମୁଁ ଆଶାକରେ ମୋର ମୃତ୍ୟୁ ପୂର୍ବରୁ ଆପଣ ରକ୍ଷା କରିବେ ସେ...ଅନୁରୋଧ...। ଅନୁନୟ କରି ନତମୁଖା ହୋଇ କହିଲେ ଇଭା ।

 

ମୃତ୍ୟୁ ପୂର୍ବରୁ ! ଆଶ୍ଚର୍ଯ୍ୟ ହେଲେ ସତ୍ୟଜିତ୍‍ ।

 

ହଁ... ମୁଁ ଜାଣେ, ଆପଣଙ୍କୁ ନାମ କହିବା ପରେ ମୋର ମୃତ୍ୟୁ ସୁନିଶ୍ଚିତ । ସତ୍ୟଜିତ୍‍ଙ୍କୁ ଚାହିଁଲେ ଇଭା । ପ୍ରତି ପଲ୍ଲକ ତାଙ୍କର ହୋଇ ଉଠୁଥିଲା ଆକୁଳ ।

 

ନା...ନା....ବୃଥା ଆଶଙ୍କା । ତା ପୂର୍ବରୁ ସେ ଥିବ ହାଜତରେ ଦୃଢ଼ ସ୍ୱରରେ କହିଲେ ସତ୍ୟଜିତ୍‍ ।

 

ମୋର ....ବିଶ୍ୱାସ ...ହେଉନି.....ମିଷ୍ଟର...ଦାସ....ଆଜି....କାହିଁକି ମୋତେ...କେମିତି ଲାଗୁଛି...ସତେ ଯେପରି....ମୃତ୍ୟୁ...ବରଣ—କରିବି—ଅଳ୍ପ ସମୟ ମଧ୍ୟରେ ।

 

ଆପଣଙ୍କ ମନର ଭ୍ରମ ସେ—ତେବେ କୁହନ୍ତୁ ମୋତେ କ’ଣ କରିବାକୁ ପଡ଼ିବ ।

 

ବିଶେଷ କିଛି ନୁହେଁ, ଥରେ ମାତ୍ର ମୋତେ ‘ତୁମେ’ ବୋଲି ସମ୍ବୋଧନ କରିବେ ଆପଣ, ଆଉ ମୁଁ ଆପଣଙ୍କୁ ବର୍ତ୍ତମାନ ପ୍ରେମର ଅଭିନୟ କରିବାଟା ନିଶ୍ଚୟ ବୁଦ୍ଧିମାନର କାର୍ଯ୍ୟ ହେବ ।

 

ଭାବୁଥିଲେ ସତ୍ୟଜିତ୍‍ ।

 

ମୋତେ ଭଲପାଇ ତୁମେ ଭୁଲ୍‍ କରିଛ ଇଭା ! ତୁମେ ଜାଣ ନାହିଁ ମୋର ହୃଦୟ ଏହା ପୂର୍ବରୁ କିଣି ନେଇଛି ଆଉ ଜଣେ । କହୁ କହୁ ଇଭାଙ୍କ ଦକ୍ଷିଣ ହସ୍ତଟା ଧରି ଆଉଁସିବାରେ ଲାଗିଲେ ସତ୍ୟଜିତ୍‍ । ଅତି ଉଦ୍‍ବିଗ୍ନ ହୋଇ ଇଭା ପ୍ରସାରିତ କରି ଦେଇଥିଲେ ତାଙ୍କର ହସ୍ତଟା । ଯେପରି ତାଙ୍କ ହସ୍ତର ଆଜି ଆଶ୍ରୟ ଆବଶ୍ୟକ । ବାମ ପାର୍ଶ୍ୱକୁ ବୁଲାଇ ଦେଇଥିଲେ ସେ ମୁହଁଟାକୁ । ଆଉ ମୁଦ୍ରିତ ଚକ୍ଷୁରୁ ତାଙ୍କର ଝରି ପଡ଼ିଥିଲା କେତେ ବିନ୍ଦୁ ଅଶ୍ରୁ ।

 

ଏଥର...ତୁମର ...ହୃଦୟ ଯେ...ନେଇଥାଉ ନା କାହିଁକି...ମୁଁ ସୁଖରେ ମରି ପାରିବି...। କଇଁ କଇଁ ହୋଇ କହିଲେ ଇଭା ।

 

ବଡ଼ ଦୁର୍ବଳ ହୃଦୟା ତୁମେ ଇଭା । ଏତେ ଭୟ ତୁମର ତାକୁ ! ଇଭାଙ୍କର ହସ୍ତଟାକୁ ନିଜର ଗଣ୍ଡଦେଶରେ ଲଗାଇ କହିଲେ ସତ୍ୟଜିତ୍‍ । ସ୍ୱରରେ ତାଙ୍କର ଥିଲା କାରୁଣ୍ୟର ବେଦନା ।

 

ଏଥର କ’ଣ ପ୍ରଶ୍ନ କରିବେ—କରନ୍ତୁ । ସେହିପରି କଇଁ କଇଁ ହୋଇ କହିଲେ ଇଭା ।

 

ଦଳପତି କିଏ ? ସତ୍ୟଜିତ୍‍ଙ୍କର ସ୍ୱର ଯେପରି ବସି ଯାଇଥିଲା ।

 

ଦଳପତି ?

 

ହଁ......ଦଳପତି ...କୁହ....କୁହ...ପ୍ରଳଙ୍କଙ୍କାରୀ ରକ୍ତତାଣ୍ଡବର ପରସମାପ୍ତି ଘଟୁ । ଯେଉଁ ଅଭିନୟର ନାୟକ ନରରକ୍ତ ଦ୍ୱାରା ସେ ହସ୍ତ ଧୌତ କରୁଛି ଅଭିନୟର ଯବନିକାପାତ ହେଉ... । କୁହ...ଇଭା ?

 

ତେବେ ଶୁଣ...ଦଳପତି ହେଉଛନ୍ତି ...ତୁମର ...ମିଷ୍ଟର ଏ ...ଗୁଡ଼ୁମ୍‍ ।

 

ଆଃ....

 

ଅଭିନେତ୍ରୀ ଇଭା ଗୋଟିଏ ଯନ୍ତ୍ରଣାଦାୟକ ଚିକ୍ତାର କରି ଲୋଟି ପଡ଼ିଲେ । ଅସମାପ୍ତ ରହିଗଲା ତାଙ୍କର କଥା । ହସ୍ତଟା ତାଙ୍କର ଚାପି ଧରିଲା ନିଜର ବକ୍ଷଦେଶକୁ ।

 

ବେଇମାନ୍‍ ! ପଶ୍ଚାଦଭାଗରୁ ଶୁଣାଗଲା କାହାର କର୍କଶ ସ୍ୱର ।

 

ପଶ୍ଚାଦଭାଗକୁ ଚାହିଁଲେ ସତ୍ୟଜିତ୍ । ଗୋଟାଏ କଳା ପୋଷାକଧାରୀ ନରମୂର୍ତ୍ତି ତାଙ୍କରି ଆଡ଼କୁ ରିଭଲ୍‍ଭର୍‍ ଲକ୍ଷ୍ୟ କରି ଛିଡ଼ା ହୋଇଛି ।

 

ହ୍ୟାଣ୍ଡସ୍‍ ଅପ୍‍ । କର୍କଶ ସ୍ୱରରେ କହିଲା ନରମୂର୍ତ୍ତି ।

 

ତାର ସମ୍ମୁଖସ୍ଥ ହୋଇ ସତ୍ୟଜିତ୍‍ ଉର୍ଦ୍ଧ୍ୱ ବାହୁ ହେଲେ ।

 

ଏଥର ମୃତ୍ୟୁ ବରଣ କରିବାକୁ ପ୍ରସ୍ତୁତ ହୁଅନ୍ତୁ ମିଷ୍ଟର ଦାସ ଏକ୍‍—ଦୋ—

 

ହଠାତ୍‍ ଏକ ଶକ୍ତ ପଦାଘାତ କଲେ ତାର ହସକୁ । ଛିଟିକି ପଡ଼ିଲା ରିଭଲଭରଟା । ସଙ୍ଗେ ସଙ୍ଗେ ଏକ ଶକ୍ତ ମୁଖି ଦେଲେ ସେ ତାର ଓଠ ତଳେ । ଯନ୍ତ୍ରଣାରେ କିଛି ଦୂର ପଛକୁ ହଟି ଆସିଲା ନରମୂର୍ତ୍ତି ଏବଂ ପର ମୁହୂର୍ତ୍ତରେ ସତ୍ୟଜିତ୍‍ଙ୍କ ଅତ୍ୟଧିକ ଶକ୍ତି ବ୍ୟୟ କରି ମାରିଲା ଏକ ଶକ୍ତ ମୁଖି । ସେଇଥିରେ ଓଲଟି ପଡ଼ିଲେ ସତ୍ୟଜିତ୍‍ । ଦୌଡ଼ି ପଳାଇଲା ନରମୂର୍ତ୍ତିଟା ।

 

ଷ୍ଟପ୍‍ ଦେୟାର...ସଙ୍ଗେ ସଙ୍ଗେ ଉଠି ଆସି ତା’ର ପଛେ ପଛେ ଦୌଡ଼ିଲେ ସତ୍ୟଜିତ୍‍ ।

 

ସେତେବେଳକୁ ସୋପାନଶ୍ରେଣୀ ନିକଟରେ ପହଞ୍ଚି ସାରିଥିଲା ନରମୂର୍ତ୍ତି, କିନ୍ତୁ ପରମୁହୂର୍ତ୍ତରେ ବୁଝି ପାରିଲା ନିଜର ଭୁଲ । ଯେଉଁ ସୋପାନଶ୍ରେଣୀ ଦେଇ ସେ ଆସିଛି, ଏ ସେ ସୋପାନଶ୍ରେଣୀ ନୁହେଁ । ଅବଶ୍ୟ ନିର୍ଗତର ପଥ ଅଛି ନିମ୍ନଦେଶରେ । କିନ୍ତୁ ଦ୍ୱାର ବନ୍ଦ ଥିବ ନିଶ୍ଚୟ । ଉନ୍ମୁକ୍ତ କରି ପଳାୟନ କରିବା ପୂର୍ବରୁ ତାକୁ ଆୟତ୍ତ କରିନେଲେ ସତ୍ୟଜିତ୍‍ ଦାସ । ଗୋଟାଏ ବୁଦ୍ଧି ଦେଖାଗଲା ତାକୁ । ସୋପାନଶ୍ରେଣୀର ପ୍ରାରମ୍ଭରୁ ଥିବା ଖୋଲା ଦ୍ୱାରର ପାର୍ଶ୍ୱଭାଗରେ ସେ ଗୋପନ କଲା ନିଜକୁ । ତା’ର ପର ମୁହୂର୍ତ୍ତରେ ସୋପାନ ଶ୍ରେଣୀ ନିକଟରେ ପହଞ୍ଚିଲେ ସତ୍ୟଜିତ୍‍ । ଅନୁମାନ କରିନେଲେ—ନିଶ୍ଚୟ ବଦ୍‍ମାସ୍‍ଟା ନିମ୍ନଭାଗକୁ ଓହ୍ଲାଇ ଯାଇଛି ଏହି ପଥ ଦେଇ । ଅତି ଦ୍ରୁତ ପଦକ୍ଷେପରେ ଓହ୍ଲାଇ ଯିବାକୁ ଲାଗିଲେ ସେ । କିନ୍ତୁ ସେହି ମୁହୂର୍ତ୍ତରେ ତାଙ୍କ ପାଦ ଦୁଇଟିର ମଧ୍ୟଭାଗରେ ନିଜର ଦକ୍ଷିଣ ପାଦଟାକୁ ଛନ୍ଦି ଦେଲା ପାର୍ଶ୍ୱରେ ଲୁକ୍‍କାୟିତ ଥିବା ନରମୂର୍ତ୍ତି । ସଙ୍ଗେ ସଙ୍ଗେ ସେ ପଡ଼ିଗଲେ ଏବଂ ସୋପାନ ଶ୍ରେଣୀ ଦେଇ ଗଡ଼ିଯିବାକୁ ଲାଗିଲେ ତଳକୁ ।

 

ନରମୂର୍ତ୍ତିଟା ଅନ୍ୟପଥ ଦେଇ ଯିବାକୁ ଦୌଡ଼ିଲା ଅପରପାର୍ଶ୍ୱର ସୋପାନଶ୍ରେଣୀ ନିକଟକୁ । କିନ୍ତୁ ତା’ ପୂର୍ବରୁ ଦେଖିବାକୁ ପାଇଲା ଗୋଟାଏ ଲୋକ ତାକୁ ଆୟତ୍ତ କରିବା ନିମିତ୍ତ ସମ୍ମୁଖରୁ ଦୌଡ଼ୁଛି । ସଙ୍ଗେ ସଙ୍ଗେ ସେ ତାର ନାଶାଗ୍ରକୁ ଦେଲା ଏକ ଶକ୍ତ ମୁଖି । ଏକ ଚିତ୍କାର କରି ଲୋକଟା ସଂଜ୍ଞାହୀନ ଅବସ୍ଥାରେ ଲୋଟି ପଡ଼ିଲା ତଳେ । ଏଥର ନିର୍ବିଘ୍ନରେ ଛାୟାମୂର୍ତ୍ତି ପହଞ୍ଚିଲା ସୋପାନଶ୍ରେଣୀ ନିକଟରେ । କିନ୍ତୁ ଦେଖିବାକୁ ପାଇଲା । ଜଣେ କିଏ ଦ୍ରୁତ ପଦକ୍ଷେପରେ ସୋପାନଶ୍ରେଣୀ ହୋଇ ଆଗେଇ ଆସୁଛି ତା’ରି ଆଡ଼କୁ ସଙ୍ଗେ ସଙ୍ଗେ ଛାୟାମୂର୍ତ୍ତିଟା ପଦାଘାତ କଲା ତା’ର ପେଟକୁ । ଏକ ଯନ୍ତ୍ରଣାଦାୟକ ଚିତ୍କାର କରି ଓଲଟି ପଡ଼ି ଲୋକଟା ଗଡ଼ିଗଲା ତଳକୁ । ଏଥର ସୋପାନଶ୍ରେଣୀ ଦେଇ ନରମୂର୍ତ୍ତି ଦୌଡ଼ିଲା ତଳକୁ ।

 

କପାଳର ବାମପାର୍ଶ୍ୱ ଫୁଲିଯାଇଛି ଏବଂ ରକ୍ତ ବାହାରୁଛି ଧାର ଧାର ହୋଇ । ତଳ ଓଠରେ ଗୋଟାଏ ଦାନ୍ତ ଗଳି ଯାଇ ସେଥିରୁ ମଧ୍ୟ ବାହାରୁଛି ରକ୍ତ । ସେଇ ଆହତ ଅବସ୍ଥାରେ ସତ୍ୟଜିତ୍‍ ଉଠି ଆସିଥିଲେ । ତଳକୁ ଆସି ଦେଖିଲେ ଗୋଟାଏ କଳାରଙ୍ଗର କାର ଗେଟ୍‍ ଛାଡ଼ି ଚାଲିଯାଉଛି । ବ୍ୟାକ୍‍ ଲାଇଟ୍‍ ନାହିଁ । ଦରୱାନ୍‍ ଗେଟ୍‍ ନିକଟରେ ପଡ଼ିଛି ସଂଜ୍ଞାହୀନ ହୋଇ । କେତେଗୁଡ଼ିଏ ଲୋକ ପାଟି କରୁଛନ୍ତି ରୁଣ୍ଡ ହୋଇ—ପଳାଇଲା ...ପଳାଇଲା ଉପରକୁ ଉଠି ଆସିଲେ ସତ୍ୟଜିତ୍‍ । ମିସ୍‍ ଇଭାଙ୍କର ବେଡ଼୍‍ରୁମ୍‍ ମଧ୍ୟରେ ପ୍ରବେଶ କରି ଟେବୁଲ୍‍ ଉପରୁ ଫୋନ୍‍ଟା ଉଠାଇଲେ—

 

ଫୋର୍‍ ନଟ୍‍ ସେଭ୍‍ନ ପ୍ଲିଜ୍‍

 

ମିଷ୍ଟର ପରିଜା...ଶୀଘ୍ର ଆସନ୍ତୁ...ଫିଲ୍ମ ଫ୍ୟାର ଇଭା ଦାସ ଖୁନ୍‍ ହୋଇଛନ୍ତି ...

 

ଆଗେଇ ଆସୁଥିଲେ ଗୋଟିଏ ଚକୋଲେଟ୍‍ ଆମ୍ୱାସେଡର କାର୍‍ ଜର୍ଜ ସାହେବଙ୍କ ବାସଭବନରୁ । ଠିକ୍‍ ସେହିଆଡ଼କୁ ଆଗେଇ ଯାଉଥିଲେ ତିନିଜଣ ସନ୍ନ୍ୟାସୀ । ମସ୍ତକରେ ସେମାନଙ୍କର କଟା । ମୁଖରେ ଦୀର୍ଘ ଶୁଶ୍ରୁ, ପ୍ରତ୍ୟେକଙ୍କ ହସ୍ତରେ ଝୁଲୁଛି ଗୋଟିଏ ଗୋଟିଏ ଥାଳ ଏବଂ ଦୀର୍ଘ ମୁନା । ଅନ୍ୟହସ୍ତରେ କମଣ୍ଡଳୁ । ପ୍ରତ୍ୟେକେ ପିନ୍ଧିଛନ୍ତି ଗେରୁଆ ବର୍ଣ୍ଣର ବସ୍ତ୍ର । ପ୍ରତ୍ୟେକଙ୍କ କଣ୍ଠରେ ଭଜନ—ଜୟ ହରି ରାମ ଜୟ—ଜୟ ସୀତା ରାମ । ଭଜନ ସହିତ ପ୍ରତ୍ୟେକ ନିଜ ନିଜ ମୁହଁରେ ଦେଉଛନ୍ତି ତାଳ ।

 

ଗେଟ୍‍ ଅତିକ୍ରମ କରି ସେମାନେ ଆଗେଇ ଚାଲିଲେ ପ୍ରାସାଦ ନିକଟକୁ ଭିକ୍ଷା ଉଦ୍ଦେଶ୍ୟରେ । ପାର୍ଶ୍ୱଭାଗରେ ତାଙ୍କର ଅତିକ୍ରମ କରିଗଲା କାର୍‍ଟା । କେତୋଟି ମିନିଟ୍‍ ପରେ ସେମାନେ ପ୍ରତ୍ୟାବର୍ତ୍ତନ କଲେ ଭିକ୍ଷା ନେଇ । ଗେଟ୍‍ ଅତିକ୍ରମ କରିବାର ବହୁଦୂରରେ ବନ୍ଦହେଲା ସେମାନଙ୍କର ଭଜନ ।

 

ମଧ୍ୟଭାଗର ସନ୍ନ୍ୟାସୀ ଦକ୍ଷିଣପାର୍ଶ୍ୱସ୍ଥ ସନ୍ନ୍ୟାସୀଙ୍କୁ ଚାହିଁ ପ୍ରଶ୍ନ କଲେ—ଚୈତନ୍ୟ, ଯେ ଡ୍ରାଇଭିଂ କରୁଥିଲା ସେଇ ତ ?

 

ପୁନର୍ବାର ମୁହଁ ଅନ୍ୟ ପାର୍ଶ୍ୱକୁ ବୁଲିଗଲା ପ୍ରଶ୍ନ କରିଥିବା ସନ୍ନ୍ୟାସୀଙ୍କର— ଝୁମର, ତୁମେ ଚିହ୍ନି ପାରିଲ ?

 

ଆଜ୍ଞା—ସେଇ ଆଜ୍ଞା—ମୋର ଠିକ୍‍ ମନେ ଅଛି । ପେଟି ଗୁଡ଼ାକ ଘୋଡ଼ା ଗାଡ଼ିରେ ନଦା ହେବାପରେ—ମୋତେ ମୋ ପାଉଣା ଦେଇ କୁଆଡ଼େ ଚମ୍ପଟ ଦେଲା ଆଜ୍ଞା ।

 

ହୁଁ । ସକାଳୁ ତେବେ ଗୋଟାଏ ବିଶେଷ ଆବଶ୍ୟକୀୟ କାର୍ଯ୍ୟ ଶେଷ ହୋଇଗଲା । କିନ୍ତୁ ଜଜ୍‍ ସାହେବଙ୍କ ଡ୍ରାଇଭର ସହିତ ଦଳପତିର ସମ୍ପର୍କ କ’ଣ ! ଜଜ୍‍ ସାହେବ୍‍ ? ସେ ଦଳପତି ନୁହଁନ୍ତି ତ ? ଚିତ୍ରତାରକା ଇଭା କହିଥିଲେ—ଦଳପତି ହେଉଛନ୍ତି—ତୁମର ମିଷ୍ଟର ଏ । ସେତିକି । ଅସମାପ୍ତ ରହିଗଲା ତାଙ୍କର ଉକ୍ତି । ତେବେ ? ‘ତୁମର’—ମାନେ— ନିଶ୍ଚୟ ମୋର ପରିଚିତ ବ୍ୟକ୍ତି ସେ...ଆଉ—ତା’ର ନାମ ଉଚ୍ଚାରଣ କଲାବେଳକୁ ଆଦ୍ୟ ଅକ୍ଷର ‘ଏ’ ପଡ଼ିବ । ନାମଟା କହିବା ପୂର୍ବରୁ ‘ମିଷ୍ଟର’ ଯେତେବେଳେ ସେ କହିଛନ୍ତି—ନିଶ୍ଚୟ ଇଂଲିଶ୍‍ ଷ୍ଟାଇଲରେ କହୁଥିଲେ ସେ ନାମ....। ତେବେ ? ମନେ କରାଯାଉ ନୀହାରରଞ୍ଜନ ପରିଜା । ତେବେ ଏନ୍‍. ଆର୍. ପରିଜା । ଠିକ୍‍ ତ ? ଏନ୍‍ କହିଲା ବେଳକୁ ‘ଏ’ର ଉଚ୍ଚାରଣ ପ୍ରଥମେ ହେଉଛି । କିନ୍ତୁ ନୀହାର ଯେ ସମ୍ପୂର୍ଣ୍ଣରୂପେ ସନ୍ଦେହର ବାହାରେ । ମନେ କରାଯାଉ ‘ସୁନୀଲ’ । ତେବେ ସେ ଉଚ୍ଚାରଣ କଲାବେଳକୁ ଏ ପଡ଼ିବ ପ୍ରଥମେ । ନା, ସୁନୀଲ ମଧ୍ୟ ସନ୍ଦେହ ଭୁକ୍ତ ନୁହେଁ । ଜଜ୍ ସାହେବ ମିଷ୍ଟର ସୁନ୍ଦରମ ? ତେବେ ଆଦ୍ୟ ଅକ୍ଷର ହେଲା ‘ଏସ୍‍’ । ଉଚ୍ଚାରଣର ପ୍ରଥମେ ପଡ଼ିବ ‘ଏ’ । ଏସ୍‍.ପି. ହିମାଂଶୁ ମୋହନ ମିଶ୍ର ? ଏର୍‍. ଏମ୍‍ ମିଶ୍ର । ଏହାର ମଧ୍ୟ ଆଦ୍ୟ ଉଚ୍ଚାରଣ ‘ଏ’ । ‘ବ୍ଲୁ ବାର୍ଡ଼’ ହୋଟେଲର ମ୍ୟାନେଜର ଅପରାଜିତ ରାୟ ? ଏସ୍‍.ପି ମହାନ୍ତି । ଏହାର ମଧ୍ୟ ଆଦ୍ୟ ଉଚ୍ଚାରଣ ଏ । ତେବେ ? କାହାକୁ ସେ ଅପରାଧି ବୋଲି ସନ୍ଦେହ କରିବେ ? ଏତେଗୁଡ଼ାକ ନାମର ଆଦ୍ୟରୁ ତ ‘ଏ’ ଉଚ୍ଚାରଣ ହେଉଛି । ଡ୍ରଇଂ ରୁମରେ ବସିଥିଲେ ସତ୍ୟଜିତ୍‍ । ଟେବୁଲ୍‍ ଉପରେ ରହିଥିଲା ତାଙ୍କର ବାମହସ୍ତଟା ଆଉ ଆଶ୍ରା ଦେଇଥିଲେ ଭାରାକ୍ରାନ୍ତ ମସ୍ତକକୁ ତାଙ୍କର ।

 

କିଛି ସମୟ ପରେ ମୁଖ ତାଙ୍କର ଦିଶିଲା ଉଜ୍ଜ୍ୱଳ । ସଙ୍ଗେ ସଙ୍ଗେ ଡ୍ରେସିଂ ହୋଇ ମିଶନ୍‍ ରୋଡ଼ ଆଡ଼େ ଉଲ୍‍କାବେଗରେ ସେ ଛୁଟି ଚାଲିଲେ ମଟର ସାଇକେଲ ସାହାଯ୍ୟରେ । ଗୋଟାଏ ଏକତଳ ପ୍ରାସାଦ ସମ୍ମୁଖରେ ସେ ବ୍ରେକ୍‍ ଦେଲେ । ନେମ୍‍ ପ୍ଲେଟ୍‍ ପ୍ରତି ପଡ଼ିଲା ତାଙ୍କର ଦୃଷ୍ଟି–ମିସ୍‍ ଅଙ୍ଗୁରବାଳା ପରେଖ୍‍ । ଇନ୍‍ । ଦ୍ୱାର ନିକଟକୁ ଯାଇ କଲିଂବେଲରେ ଚାପଦେଲେ ସେ ।

 

ପାଞ୍ଚଟା ବାଜିବାକୁ ଆଉ ଅଳ୍ପ କେତୋଟି ମିନିଟ । ମିଷ୍ଟର ସୁନ୍ଦରମ୍‍ ବସିଥିଲେ ତାଙ୍କ ଡ୍ରଇଂରୁମରେ । କରତାଳିର ସମନ୍ୱୟରେ ହାରମୋନିୟମ ଏବଂ ଢୋଲକି ଶବ୍ଦର ଅପୂର୍ବ ଝଙ୍କାର ଭାସି ଆସିଲା ବାହାରଆଡ଼ୁ । ବାରଣ୍ଡାକୁ ଚାଲି ଆସିଲେ ସେ । କ୍ରମେ କ୍ରମେ ତାଙ୍କର କନ୍ୟାଦ୍ୱୟ ମଧ୍ୟ ଆସିଲେ ବାରଣ୍ଡାକୁ । ଦେଖିଲେ—ବାରଣ୍ଡା ତଳେ ଏକ ପେଶାଦାର ଅନୁନ୍ନତ ନୃତ୍ୟ ଏବଂ ସଙ୍ଗୀତ ଶିଳ୍ପୀଦଳ ଛିଡ଼ା ହୋଇଛନ୍ତି । ସଂଖ୍ୟା ତାଙ୍କର ମୋଟେ ଚାରି । ତନ୍ନଧ୍ୟରୁ ଜଣେ ସୁସଜ୍ଜିତ, ସୁନ୍ଦରୀ ତରୁଣୀ ଆଉ ଜଣେ ସୁସଜ୍ଜିତ ଯୁବକ । ଦୁଇଜଣ ମିଳି କରତାଳି ଦେଉଛନ୍ତି, ଅନ୍ୟ ଦୁଇଜଣଙ୍କର ହାରମୋନିୟମ୍‍ ଏବଂ ଢୋଲକି ଶବ୍ଦ ସହିତ ତାଳ ଦେଇ । ହାରମୋନିୟମ୍ ବାୟକ ଜଣକ ପୌଢ଼ ବୋଲି ସ୍ପଷ୍ଟ ଅନୁମାନ କରି ହୁଏ । ମୁଖରେ ତାର ଶ୍ମଶ୍ରୁ । ସ୍ଥାନେ ସ୍ଥାନେ ତାହା ପରିପକ୍ୱ । ଢୋଲକି ବାୟକ ଜଣକ ମଧ୍ୟ ପୌଢ଼ । ନାକ ତଳେ ତାର ହଳେ ଲମ୍ୱା ନିଶ । ମସ୍ତକ କେଶ ବିହୀନ । ଦୁଇଜଣଯାକ ପନ୍ଧିଛନ୍ତି ମଇଳା ଟ୍ରାଉଜର୍‍ ଆଉ ପଞ୍ଜାବୀ ।

 

ଗୋଟିଏ ମିନିଟ୍‍ ଅତିକ୍ରମ କରିଗଲା । ତା’ପରେ ତରୁଣୀ ଜଣକ ଯୁବକଟି ଆଡ଼କୁ ଆଙ୍ଗୁଳି ଦ୍ୱାରା ସଙ୍କେତଦେଇ ତା’ର ନୃତ୍ୟ ଆରମ୍ଭ କଲା ଏବଂ ପରି ମୁହୂର୍ତ୍ତରେ ତା’ରେ ସୁମଧୁର ସ୍ୱରରୁ ଶୁଣିବାକୁ ମିଳିଲା ଗୋଟିଏ ଗୀତ—

 

ଆସ ଆସ ପ୍ରିୟ ଗୋ, ଡାକେ ହୃଦୟ,

ତୁମ ପାଇଁ ସଜ୍ଜା ଗୋ ମୋର ନିଳୟ,

କୁସୁମ ପଥେ ହୋଇ ତୁମ ସାଥି

ଯିବି ବୋଲି ମୁଁ ତ ଡାକଇ ନିତି,

କିପାଇଁ ନଶୁଣ ମୋ ପ୍ରିୟ ।

ମୋ ପ୍ରିୟ ଗୋ ପ୍ରିୟ ।

ଚାନ୍ଦିନୀ ରାତି ଆଉ ମଳୟ ବହେ,

ତିଳ ତିଳ ତା’ସାଥେ ମୋ ହୃଦୟ ଦହେ,

ନୁହେଁ ବନ ବୃଥା,

ଏ ଯେ ମନ କଥା;

ମନ କଥା ସିନା ମୋର ମନ ଜାଣେ ।

ଶୁଣ ଶୁଣ ପ୍ରିୟ ବାରେ ଦେଇ କାନ

ମନବୀଣାର କେତେ ଯେ ବେସୁର୍‍ ତାନ,

ଆସ ଆସ ସାଥି,

ବାରେ ଡାକ ‘‘ସଖି’’

ତୁମ ବିନା ଜୀବନ ମୋ ଛନ୍ଦହୀନ....

 

ଶେଷ ହେଲା ଗୀତଟି । ଏଭଳି ମଧୁର ସ୍ୱର ଯୋଜନା, ତରୁଣୀଟିର କଣ୍ଠସ୍ୱର ଏବଂ ନୃତ୍ୟ ସମୟରେ ଅପୂର୍ବ ଅଙ୍ଗଭଙ୍ଗୀ ମୁଗ୍‍ଧ କରିଥିଲା ମିଷ୍ଟର ସୁନ୍ଦରମ୍‍ଙ୍କୁ । ସଙ୍ଗେ ସଙ୍ଗେ କୋର୍ଟପକେଟରୁ ଗୋଟାଏ ଦୁଇଟଙ୍କିଆ ନୋଟ ବାହାର କରି ବଢ଼ାଇ ଦେଲେ ସେ ତରୁଣୀଟିର ପ୍ରସାରିତ ହସ୍ତକୁ ।

 

ଗୋଟାଏ ସାର୍ଟିଫିକେଟ ଦିଅନ୍ତୁ । ଦୁଇଟଙ୍କିଆ ନୋଟ୍‍ଟି ନେଇ ନତମୁଖା ହୋଇ ଅନୁରୋଧ କଲା ସେ ।

 

ସାର୍ଟିଫିକେଟ—କିପରି—ମା’ ? ହସିଦେଇ ପ୍ରଶ୍ନକଲେ ମିଷ୍ଟର୍‍ ସୁନ୍ଦରମ୍‍ ।

 

ଭଲ—ନାଚେ—ବୋଲି—ଲଜ୍ଜାକରି ରହି ରହି କହିଲା ତରୁଣୀଟି !

 

ଓ......ହେଉ ତେବେ । ନିଜ କନ୍ୟାକୁ ସେ କାଗଜ ଆଣିବାକୁ ଭିତରକୁ ପଠାଇବାର ଉପକ୍ରମ କରୁଥିଲେ ।

 

କାଗଜ—ଅଛି—ଆଜ୍ଞା ! ହାରମୋନିୟମ୍‍ଟି କାନ୍ଧରେ ପକାଇ ଆଗେଇ ଆସିଲା ଶ୍ମଶ୍ରୁଧାରୀ । ତା’ପରେ ଗୋଟାଏ ଗୀତ ଖାତା ବଢ଼ାଇଦେଲା ମିଷ୍ଟର ସୁନ୍ଦରମ୍‍ଙ୍କ ହସ୍ତକୁ ସେଇଥିରେ ଗୋଟାଏ ଅଲେଖା କାଗଜ ଯତ୍ନର ସହିତ ଥିଲା । ତାକୁ ବାହାର କରି ଜଜ୍‍ସାହେବ ଲେଖିଦେଲେ—ଗୋଟାଏ ସାର୍ଟିଫିକେଟ ଏବଂ ସେହିପରି କାଗଜଟିକୁ ଖାତା ମଧ୍ୟରେ ରଖିଦେଇ ଖାତାଟି ଫିଟା ଥିବା ଅବସ୍ଥାରେ ବଢ଼ାଇ ଦେଲେ ଜଜ୍‍ ସାହେବ । ଶ୍ମଶ୍ରୁଧାରୀ ପୌଢ଼ଟି ଯତ୍ନର ସହିତ ଖାତାଟି ବନ୍ଦକରି ହାରମୋନିୟମ୍‍ ରିଡ଼ ଉପରେ ରଖିଲା । ତା’ପରେ ଚାରିଜଣଯାକ ଆନନ୍ଦିତ ହୋଇ ମିଷ୍ଟର ସୁନ୍ଦରମଙ୍କୁ ପ୍ରଣାମ କରି ଆଗେଇ ଆସିଲେ ଗେଟ ଆଡ଼େ । ଗେଟ୍‍ ଅତିକ୍ରମ କରି ପୁଣି ଚାଲିଲେ ସେମାନେ ପିଚ୍‍ ରାସ୍ତା ଉପରେ ।

 

ଛାତି ହାଡ଼ ଦୁଇଟି ଭାଙ୍ଗିଯାଇଛି । ପ୍ରଚଣ୍ଡ ଧକ୍‍କା ବାଜି ହୃଦଯନ୍ତ୍ର କ୍ରିୟା ବନ୍ଦ ହୋଇଯାଇଛି ।

 

ହିମୁର ପୋଷ୍ଟମର୍ଟମ ରିପୋର୍ଟଟା ରଖିଦେଇ ସତ୍ୟଜିତ୍‍ ପଢ଼ିଲେ ଆଉ ଗୋଟାଏ ରିପୋର୍ଟ । ସେଇଟା ଉତ୍ପଳ ସାମନ୍ତରାୟଙ୍କର । ଦେଢ଼ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଗୋଟାଏ ତୀକ୍ଷଣ ଛୁରୀ ବକ୍ଷ ମଝିକୁ ତିନିଇଞ୍ଚ ଭେଦକଲେ ଯାହା ହେବାର କଥା ।

 

ତା’ପରେ ତାଙ୍କ ଆଡ୍ରେସ୍‍ କରାଯାଇଥିବା ଗୋଲାପୀ ଲଫାଫା ଖୋଲିଲେ ସତ୍ୟଜିତ୍‍ । ବାହାରକଲେ ଗୋଟାଏ ଲାଲ୍‍ କାଗଜ । ସେଥିରେ ଲେଖାଥିଲା—

 

ପ୍ରିୟ ସତ୍ୟଜିତ୍‍ ବାବୁ,

 

ନମସ୍କାର ! ଭାବିବେନି ମୁଁ ଏତେ ବୋକା ବୋଲି । ମୋର ଯେ ପରିଚୟ ପାଇଥାଏ—ତା’ ପଛରେ ମୋର ଅନୁଚର ଥା’ନ୍ତି ତା’ର ଅଜ୍ଞାତସାରରେ । ଆପଣ ଇଭା କଥାରେ ସେ ଦିନ ବିଶ୍ୱାସ କରି ନଥିବେ ବୋଲି ମୁଁ ଭଲରୂପେ ଜାଣିଥିଲି । ଆଉ ଏହା ମଧ୍ୟ ଅନୁମାନ କରି ପାରିଥିଲି ଯେ ଆପଣ ନିକଟ ଭବିଷ୍ୟତରେ ପୁଣି ତା’ନିକଟରେ ପହଞ୍ଚିବେ । ଇଭାକୁ ମୁଁ ସ୍ୱହସ୍ତରେ ହତ୍ୟା କରିଛି । ଭାଗ୍ୟ ଭଲଥିଲା ଆପଣଙ୍କର—ବଞ୍ଚିଗଲେ । ଆପଣ ଅତ୍ୟନ୍ତ ଉତ୍ସାହିତ ମୋ ହସ୍ତରୁ ଛିଟିକି ପଡ଼ିଥିବା ରିଭଲଭର୍‍ଟା ପାଇ । କିନ୍ତୁ କିଛି ମିଳିବନି ସେଥିରୁ । ହସ୍ତରେ ମୋର ପିନ୍ଧିଥିଲି ଦାସ୍ତାନା ।

 

ହିମୁଟା ଟିକିଏ ବୋକାମୀ କଲା । ସମସ୍ତ ପ୍ରମାଣ ନିଶ୍ଚିହ୍ନ କରିଦେବା ନିମିତ୍ତ ସେ ବହୁ ସମୟ ପର୍ଯ୍ୟନ୍ତ ଖୋଜି ବସିଲା ମୋ ଦ୍ୱାରା ଉତ୍ପଳ ନିକଟକୁ ପ୍ରେରିତ ଚିଠିଟାକୁ । ଫଳରେ ପଡ଼ିଲା ଆପଣଙ୍କ ହାବୁଡ଼ରେ । ଚିଠିଟି ନନେଇ ଚାଲି ଆସିଥିଲେ ମଧ୍ୟ ଆମର କିଛି କ୍ଷତି ହୋଇ ନଥାନ୍ତା ।

 

ଯାହାହେଉ, ଆପଣଙ୍କୁ ମୁଁ ଏକମାସ ସମୟ ଦେଇଥିଲି । କିନ୍ତୁ ଦୁଃଖ ଲାଗେ, ମୋତେ ବର୍ତ୍ତମାନ ସେ ସମୟକୁ ହ୍ରାସ କରିବାକୁ ପଡ଼ୁଛି । ଆଜିଠାରୁ ଚାରିଦିନ ସମୟ ଦେଲି ଆପଣଙ୍କୁ । ପଞ୍ଚମ ଦିନ ମୁଁ ଜାଣିପାରିବି ଆପଣଙ୍କର ଶେଷ ନିଷ୍ପତ୍ତି—ଆପଣ ମୋ ଅନୁସନ୍ଧାନରୁ କ୍ଷାନ୍ତ ଦେବେ କି ନାହିଁ ? ଯଦି କ୍ଷାନ୍ତ ନ ହେବେ, ତେବେ ପଞ୍ଚମ ଦିନ ମୁଁ ଆପଣଙ୍କୁ ସ୍ୱହସ୍ତରେ ହତ୍ୟା କରିବି । ସାବଧାନ । ବନ୍ଦେଗୀ !

 

ଚିଠିଟି ରଖି ଦେଇ ଲଫାଫା ପ୍ରତି ଚାତକ ଦୃଷ୍ଟିଦେଲେ ସତ୍ୟଜିତ୍‍ । ଲୋକାଲ୍‍ ଡେଲିଭରୀ ।

 

ହୁଁ । ଟିକିଏ ହସିଦେଲେ ସତ୍ୟଜିତ୍‍ ।

 

ଆପଣ ସେଦିନ ମୋ ଦ୍ୱାରରେ ଯେଉଁ ନାଚ ତମସା ଜମେଇଦେଲେ, ମୁଁ ଆଶ୍ଚର୍ଯ୍ୟ ହେଲି । ମୋ ମା’ ଭଉଣୀ ଭାରି ପସନ୍ଦ କଲେ—କହିଲେ ସୁନୀଲ ଚାଟାର୍ଜି ।

 

ଚୁପ୍‍, ଚୁପ୍‍ କରନ୍ତୁ । କାନ୍ଥ ବାଡ଼ର ବି କାନ ଅଛି—ନିମ୍ନସ୍ୱରରେ କହିଲେ ସତ୍ୟଜିତ୍‍ ।

 

କ୍ଷମା କରିବେ, ଭୁଲ ହୋଇଗଲା ।

 

କାଲି ବୋଧହୁଏ ଆସିଯିବ—ହସିଦେଲେ ପୁଣି ସତ୍ୟଜିତ୍‍ । ଦୃଷ୍ଟି ପଡ଼ିଥିଲା ତାଙ୍କର ଥାନା କାନ୍ଥ ପ୍ରତି । ଝୁଲୁଥିଲା ଗୋଟାଏ କ୍ୟାଲେଣ୍ଡର୍‍ ।

 

କ୍ୟାଲେଣ୍ଡରରୁ ଇତି ମଧ୍ୟରେ ଚିରା ସରିଛି ଗୋଟାଏ କାଗଜ ।

 

ସନ୍ଧ୍ୟା ହେଲାଣି କେତେବେଳୁ । ନିଜର ଡ୍ରଇଂରୁମରେ ବସି ସତ୍ୟଜିତ୍‍ ଦେଖୁଥିଲେ ପାଞ୍ଚଟି ରିପୋର୍ଟ । ଫିଙ୍ଗର ପ୍ରିଣ୍ଟ୍‍ ବିଶେଷଜ୍ଞ ନିକଟରୁ ଆସିଛି ସେ ପାଞ୍ଚଟି । ଗୋଟିକ ପରେ ଗୋଟିଏ ଦେଖିଗଲେ ସେ । ଶେଷ ରିପୋର୍ଟ ଦେଖିବା ସମୟରେ ଚକ୍ଷୁରେ ତାଙ୍କର ଫୁଟି ଉଠିଲା ଉଜ୍ଜ୍ୱଳତା । ମୁଖରେ ଆପେ ଆପେ ଆଙ୍କି ହୋଇଗଲା ଗୋଟିଏ ହାସ୍ୟରେଖା । ପୁନର୍ବାର ନୀରବରେ ଆପେ ଆପେ ଆଙ୍କି ହୋଇଗଲା ଗୋଟିଏ ହାସ୍ୟରେଖା । ପୁନର୍ବାର ନୀରବରେ ପଢ଼ିଲେ ସେ—

 

....ମାଡ୍ରାସର ବିଖ୍ୟାତ ଦସ୍ୟୁ ଟି.ଭି ଶିବରାଓର ଅଙ୍ଗୁଳି ଛାପା ସହିତ ସମ୍ପୂର୍ଣ୍ଣ ଭାବେ ମିଳିଯାଉଛି ।

 

ଛ’ମାସ ପୂର୍ବରୁ ଟି.ଭି. ଶିବରାଓ ଜେଲରୁ ଖସି କେଉଁଠି ଆତ୍ମଗୋପନ କରିଛି, ତାର ପତ୍ତା ମିଳୁନି । ଭାରତର ପ୍ରାୟ ପ୍ରତ୍ୟେକ ଭାଷା ସେ ବୁଝିପାରେ । ତେଲୁଗୁ ତାର ମାତୃଭାଷା ହେଲେ ମଧ୍ୟ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ଉର୍ଦ୍ଦୁ, ତାମିଲ, ଆସାମୀ ଓ ଗୁଜୁରାଟୀ ଭାଷା କହିବାରେ ଓ ଲେଖିବାରେ ସେ ଅତି ପାରଙ୍ଗମ । ଅଦ୍ଭୁତଭାବେ ସେ ଛଦ୍ମବେଶ ଧାରଣ କରିପାରେ ଏପରି କି ବେଳେ ବେଳେ ଅନ୍ୟର ଚାଲିଚଳନ, ବ୍ୟବହାର ପ୍ରଭୃତି ଅନୁକରଣ କରି ସେ ତା’ରି ଛଦ୍ମବେଶ ଧାରଣ କରିନିଏ—ଜଣା ପଡ଼େନାହିଁ । କଣ୍ଠସ୍ୱର ବଦଳାଇବା ଏବଂ ଅନୁକରଣ କରିବାରେ ସେ ଧୁରନ୍ଦର ।

 

ରିପୋର୍ଟର ପଢ଼ି ସାରିବାର ଠିକ୍‍ ପରମୂହୁର୍ତ୍ତରେ ସେ ଶୁଣିବାକୁ ପାଇଲେ—କାହାର ଚଞ୍ଚଳ ପଦକ୍ଷେପର ଶବ୍ଦ । ତାହା ସ୍ପଷ୍ଟତର ହୋଇ ଆସୁଥିଲା ଡ୍ରଇଂରୁମ୍‍ ଆଡ଼କୁ । ସଙ୍ଗେ ସଙ୍ଗେ ରିପୋର୍ଟଗୁଡ଼ାକୁ ଟେବୁଲ ଡ୍ରୟର ମଧ୍ୟରେ ରଖିଦେଇ ଚାବି ପକାଇଦେଲେ ସେ । ତା’ପରେ ଚାହିଁଲେ ଡ୍ରଇଂରୁମ୍‍ର ଖୋଲା ଦ୍ୱାରଆଡ଼କୁ ।

 

ଗୋଟାଏ ନାରୀମୂର୍ତ୍ତି ଧାଇଁ ଆସୁଛି ଡ୍ରଇଂରୁମ୍‍ ଆଡ଼କୁ—ଯେପରି ସେ ଅତି ଭୟ ପାଇଯାଇଛି । ଡ୍ରଇଂରୁମ୍‍ର ଦ୍ୱାରରେ ପହଞ୍ଚି ସେ ଗୋଟାଏ ଭୟାଳୁ ଚିତ୍କାର କରି ଉଠିଲା । ସତ୍ୟଜିତ୍‍ ପାଟିକରି କହି ଉଠିଲା—ଗୀତା !

 

ସେତେବେଳେ ବାହାରକୁ ଆସିବାର ଉପକ୍ରମ କରୁଥିଲେ ସେ । କିନ୍ତୁ ଯାଇ ପାରିଲେନି । ଠିକ୍‍ ଦ୍ୱାର ନିକଟରେ ତାଙ୍କୁ କୁଣ୍ଢାଇ ପକାଇ ତ୍ରିସ୍ତା ହରିଣୀ ଭଳି ଫେରି ଚାହିଁଲା ପଛକୁ ।

 

ଗୀତା ! କ’ଣ ହୋଇଛି ତୁମର ?

 

ସତ୍ୟଜିତ୍‍ ତାଙ୍କ ପ୍ରଶ୍ନର ଉତ୍ତର ପାଇବା ପୂର୍ବରୁ ଶୁଣାଗଲା ରିଭଲ୍‍ଭର୍‍ର ଗର୍ଜନ—ଗୁଡ଼ୁମ୍‍—ଗୁଡ଼ୁମ୍‍—ଗୁଡ଼ୁମ ।

 

ଗୋଟାଏ ଚିତ୍କାର କରି ତଳେ ଲୋଟି ପଡ଼ିଲା ଗୀତା । ସଙ୍ଗେ ସଙ୍ଗେ ଗୀତା ନିକଟରେ ବୋକାଙ୍କ ଭଳି ବସି ପଡ଼ିଲେ ସତ୍ୟଜିତ୍‍ ।

 

ଗୋଟାଏ ମନୁଷ୍ୟର ଚଞ୍ଚଳ ପଦକ୍ଷେପର ଶବ୍ଦ ଅସ୍ପଷ୍ଟତର ହୋଇ ଯାଉଥିଲା ।

 

ସି: ଆଇ: ଡି: ଇନ୍‍ସପେକ୍‍ଟର୍‍

 

ସତ୍ୟଜିତ୍‍ ଦାସ ଫେରାର

 

ତାଙ୍କର ଜୀବନ୍ତ କିମ୍ୱା ମୃତ ଶରୀର ପାଇଁ

 

ସରକାରଙ୍କ ତରଫରୁ ପାଞ୍ଚ ହଜାର ଟଙ୍କା

 

ପୁରଷ୍କାର ଘୋଷଣା

 

ଏସ୍‍.ପି. ଶ୍ରୀ ହିମାଂଶୁମୋହନ ମିଶ୍ରଙ୍କର ଏକମାତ୍ର ସନ୍ତାନ ଶ୍ରୀମତୀ ଗୀତା ମିଶ୍ରଙ୍କର ମୃତ ଦେହ ସତ୍ୟଜିତ୍‍ ଦାସଙ୍କ ଘରୁ ପୋଲିସ ପାଇଛିନ୍ତି ।

 

ଏହା ପୂର୍ବରୁ ସହରରେ ଘଟିଥିବା ସମସ୍ତ ଦୁଃସାହସିକ କାର୍ଯ୍ୟର ମୂଳରେ ସତ୍ୟଜିତ୍‍ ଦାସଙ୍କ ହାତ ଅଛି ବୋଲି ପୋଲିସର ଦୃଢ଼ ସନ୍ଦେହ ।

 

(ନିଜ ପ୍ରତିନିଧିଙ୍କ ଠାରୁ)

 

କାଲି ରାତି ପ୍ରାୟ ବାରଟାବେଳେ ଏସ୍‍.ପି. ଶ୍ରୀ ହିମାଂଶୁମୋହନ ମିଶ୍ରଙ୍କର ଏକମାତ୍ର କନ୍ୟା ଶ୍ରୀମତୀ ଗୀତା ମିଶ୍ରଙ୍କର ମୃତ ଦେହ ସି.ଆଇ.ଡ଼ି. ଇନ୍‍ସପେକ୍‍ଟର ସତ୍ୟଜିତ୍‍ ଦାସଙ୍କର ବାସଭବନରୁ ପୋଲିସ ଉଦ୍ଧାର କରିଛନ୍ତି । ସମ୍ୱାଦରୁ ପ୍ରକାଶ ଯେ କାଲି ରାତିରେ ଏସ୍‍.ପି ତାଙ୍କର କନ୍ୟାଙ୍କୁ ଘରେ ନପାଇ ବହୁ ସମୟ ପର୍ଯ୍ୟନ୍ତ ଏଣେ ତେଣେ ଖୋଜିବାପରେ ରାତି ବାରଟାବେଳେ ଏସ୍‍. ପି.ଙ୍କୁ ସତ୍ୟଜିତ୍‍ ଦାସ ଫୋନ୍‍ କରିଥିଲେ ଯେ ତାଙ୍କ କନ୍ୟାଙ୍କୁ ହତ୍ୟା କରାଯାଇଛି ଏବଂ ମୃତଦେହ ତାଙ୍କ ଘରେ ପଡ଼ିଛି । ଏସ୍‍. ପି. ଓ ପୋଲିସ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କେବଳ ଗୀତାଙ୍କର ରକ୍ତାକ୍ତ ମୃତ ଦେହଟି ଏବଂ ଗେଟ୍‍ ନିକଟରୁ ଗୀତାଙ୍କର ପ୍ଲାଇମାଉଥ୍‍ କାର୍‍ଟି ପାଇଥିଲେ । ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ଜଣାପଡ଼େ ଯେ ଗୀତାଙ୍କର ବାମପାର୍ଶ୍ୱର କଙ୍କାଳରେ ଗୋଟାଏ ଏବଂ ପିଠିରେ ଗୋଟାଏ–ଏହିପରି ଦୁଇଟି ଗୁଳି ବାଜିଛି ଏବଂ ସେହି କାରଣରୁ ସେ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ କାଲି ରାତିରୁ ସତ୍ୟଜିତ୍‍ ଦାସଙ୍କର କୌଣସି ସନ୍ଧାନ ମିଳୁନାହିଁ ତାଙ୍କର ବାସଭବନ ପୋଲିସ ସର୍ଚ୍ଚ କରି କୌଣସି ତଥ୍ୟ ଆବିଷ୍କାର କରି ପାରିନାହାନ୍ତି ।

 

ସହରରେ ଏହା ପୂର୍ବରୁ ଘଟିଥିବା ଭୟାବହ ଅପ୍ରୀତିକର ଘଟଣା, ତଥା:—ଏସ୍‍. ପି.ଙ୍କ ସହଧର୍ମିଣୀ ଶ୍ରୀମତି ପ୍ରଣତୀ ମିଶ୍ରଙ୍କର ହରଣଚାଳ କନଷ୍ଟେବଲ୍‍ ମୋହନ ବାରିକର ନୃଶଂସ ହତ୍ୟା, ବିଖ୍ୟାତ ପ୍ରଯୋଜକ ଶ୍ରୀ ନନ୍ଦକୁମାର ମହାନ୍ତି ଏବଂ ପ୍ରଖ୍ୟାତ ଚିତ୍ରାଭିନେତ୍ରୀ ଓ ପଟ୍ଟଗାୟିକା ମିସ୍‍ ଇଭା ଏବଂ ‘ଡିଲକ୍‍ସ ପ୍ରିଣ୍ଟିଂ ଓ୍ୱାର୍କସ’ର ମ୍ୟାନେଜର ଶ୍ରୀ ଉତ୍ପଳ ସାମନ୍ତରାୟଙ୍କ ହତ୍ୟା ଓ ଶ୍ରୀ ନନ୍ଦକୁମାର ମହାନ୍ତିଙ୍କର ବାସଭବନ ଏବଂ ‘ସ୍ୱପ୍ନପୁରୀ’ ସିନେମା ହଲ୍‍ରୁ ଲୁଟ୍‍ତରାଜ ପ୍ରଭୃତିର ମୂଳରେ ସତ୍ୟଜିତ୍‍ ଦାସଙ୍କ ହାତ ଅଛି ବୋଲି ପୋଲିସ ଦୃଢ଼ ସନ୍ଦେହ କରନ୍ତି ।

 

ଏଣୁ ସରକାର ଘୋଷଣା କରିଛନ୍ତି—ସତ୍ୟଜିତ୍‍ ଦାସଙ୍କ ଜୀବନ୍ତ କିମ୍ୱା ମୃତ ଅବସ୍ଥାରେ ଯେ ପୋଲିସ୍‍ ହସ୍ତରେ ସମର୍ପଣ କରି ପାରିବେ, ତାଙ୍କୁ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦିଆଯିବ ।

 

ସମ୍ୱାଦଟି ପଢ଼ୁଥିଲେ ନୀହାରରଞ୍ଜନ । ପାର୍ଶ୍ୱଭାଗସ୍ଥ ଏକ ଫଟୋ ଉପରେ ପଡ଼ିଲା ତାଙ୍କର ଦୃଷ୍ଟି । ଫଟୋଟିର ନିମ୍ନଭାଗରେ ଲେଖାଯାଇଥିଲେ ଫେରାର୍‍ ସତ୍ୟଜିତ୍‍ ଦାସ ।

 

ହୁଁ । ତେବେ ଫଟୋରେ ବି ପ୍ରକାଶ ପାଇଛି । ଅସ୍ପଷ୍ଟ ଶବ୍ଦଗୁଡ଼ିକ ବାହାରି ପଡ଼ିଲା ତାଙ୍କର ପାଟିରୁ—ଯେପରି ଅତି ଦୁଃଖ ପାଇଛନ୍ତି ସେ ।

 

ପ୍ରବେଶ କଲେ ସୁନୀଲ ଚାଟାର୍ଜି ।

 

ସାର୍‍ ! ଏସ୍‍. ପି. ଆସିଥିଲେ ? ପ୍ରଶ୍ନ କଲେ ସୁନୀଲ୍‍

 

ହୁଁ ।

 

କେତେବେଳେ ? ଗୋଟାଏ ଚୌକୀ ଅଧିକାର କରୁ କରୁ ପୁନର୍ବାର ପ୍ରଶ୍ନ କଲେ ସୁନୀଲ୍‍ ।

 

ଏଇ ପ୍ରାୟ ସନ୍ଧ୍ୟାବେଳେ । ସାଧାରଣ ଭାବେ ଉତ୍ତରଦେଲେ ନୀହାର ।

 

କ’ଣ କହୁଥିଲେ ବୋଧହୁଏ ?

 

ହଁ—ନ କହି ଆଉ ଛାଡ଼ୁଛନ୍ତି ? ଖାଲି ସେଇ ପ୍ରଶ୍ନ—‘ପାଇଲେ !’ — ‘ପାଇଲେ ?’ ଆଉ ଯେତେକ ଗାଳି ।

 

ସାର୍‍, ଏଥର ଆସିଲେ ଦୁଇଟା ଜିନିଷ ମାଗିବେ ତାଙ୍କୁ ।

 

କ’ଣ ? ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ନୀହାର ।

 

କିଛି ନୁହେଁ, ଗୋଟାଏ ଝାଡ଼ୁ ଆଉ ବାଲ୍‍ଟିଏ ପାଣି ।

 

କାହିଁକି ?

 

ଓଃ—ଏଇତକ ବୁଝିପାରୁ ନାହାନ୍ତି ? ମୁଁ ଦେଖୁଛି ଏସ୍‍. ପି. ସତ୍ୟଜିତ୍‍ ଦାସକୁ ଗୋଟାଏ ଦଶପଇସି ବୋଲି ଠଉରେଇଛନ୍ତି । ଦଶପଇସି ଗୋଟାଏ ଧୂଳିଆ ସ୍ଥାନରେ ହଜିଗଲେ ଯେପରି ସେଠାରେ ଟିକିଏ ପାଣି ଛିଞ୍ଚିଦେଇ ଉପରୁ ଓଳାଇ ଦେଲେ ମିଳିଯାଏ—

 

ଓ—ତୁମକୁ ଥଟ୍ଟା ଲାଗିଛି—ନା ?

 

ନୀରବ ରହିଲେ ସୁନୀଲ୍‍ ।

 

ମୋ ସନ୍ଦେହ କ’ଣ ଜାଣ ସୁନୀଲ୍‍ ? କହିଲେ ନୀହାର ।

 

ସୁନୀଲ ପ୍ରଶ୍ନବାଚୀ ନୟନରେ ଚାହିଁ ରହିଲେ ତାଙ୍କୁ ।

 

ସତ୍ୟଜିତ୍‍ ଦାସ କେବେ ହତ୍ୟା କରିନି ଗୀତାକୁ । ଆତ୍ମଗୋପନ କରିଛି ଅନ୍ୟ କିଛି ଉଦ୍ଦେଶ୍ୟ ନେଇ । କିନ୍ତୁ ବର୍ତ୍ତମାନ ତାକୁ ଦେଖିଲେ ଆମର ଆରେଷ୍ଟ କରିବା ବ୍ୟତୀତ ଅନ୍ୟ ଉପାୟ କିଛି ନାହିଁ । ଏସ୍‍. ପି. ମଧ୍ୟ ତା’ ବିରୁଦ୍ଧରେ ଲାଗି ପଡ଼ିଛନ୍ତି । ଅତି ଆପଣାର ଦୁଇଜଣ ଲୋକଙ୍କୁ ହରାଇବା ପରେ ବଡ଼ ବିବ୍ରତ ହୋଇ କାହାକୁ ସେ ବିଶ୍ୱାସ କରି ପାରୁନାହାନ୍ତି ।

 

ସୁନୀଲ ନୀରବ ।

 

ନୀହାରରଞ୍ଜନ ଉଠି ଚାଲିଲେ କଣ୍ଟ୍ରୋଲ୍‍ ରୁମ୍‍ ଆଡ଼କୁ । ତାଙ୍କର ବୁଟ୍‍ର ଶବ୍ଦ କ୍ରମେ କ୍ରମେ ଅସ୍ପଷ୍ଟ ହୋଇ ଯାଉଥିଲା–ମଚ୍‍–ମଚ୍‍–ମଚ୍‍–ମଚ୍‍

 

କର୍ତ୍ତବ୍ୟ ତାଡ଼ନାରେ ବାହାରିଗଲେ କର୍ମବୀର । ଅସ୍ପଷ୍ଟ ସ୍ୱରରେ ବହାରି ପଡ଼ିଲା ସୁନୀଲଙ୍କର ପାଟିରୁ । ମୁଖଟା ଦିଶୁଥିଲେ ବିକୃତ—ଯେପରି ଖତେଇ ହେଉଛନ୍ତି ।

 

ତା’ପରେ ଓ୍ୱାଚ୍‍କୁ ଚାହିଁଲେ ସେ । ଆଠଟା ବାଜିଛି । କଣ୍ଟ୍ରୋଲରୁମ୍‍ ଆଡ଼କୁ ସେ ମଧ୍ୟ ଅଗ୍ରସରହେଲେ ଧୀର ପଦକ୍ଷେପରେ ।

 

ଧୀର ପଦକ୍ଷେପରେ ଆଗେଇ ଚାଲିଥିଲେ ଗୋଟାଏ କଳା ଛାୟାମୂର୍ତ୍ତି । ଚତୁର୍ଦ୍ଦିଗରେ ତା’ର ସତର୍କ ଦୃଷ୍ଟି । ନିସ୍ତବ୍‍ଧ ପୃଥିବୀ-ପୃଷ୍ଠରେ ମଧ୍ୟ ଜଣାଯାଉ ନଥିଲା ତା’ର ପଦକ୍ଷେପର ଶବ୍ଦ । କେଉଁଠି ଟିକିଏ ଶବ୍ଦ ହେଲେ ଫେରି ଚାହୁଁଥିଲା ସେ । ନା, କେହି ଆସୁନାହାନ୍ତି ତା’ର ଅନୁସରଣ କରି ।

 

କିଛି ସମୟ ପରେ ସେ ପ୍ରଧାନ ରାସ୍ତା ତ୍ୟାଗକରି ପ୍ରବେଶ କଲା ଜାଚକ୍‍ଲେନ୍‍ ମଧ୍ୟରେ । କିଛି ବାଟ ଆସି ପହଞ୍ଚିଲା ଗୋଟାଏ ଦ୍ୱିତଳ ପ୍ରାସାଦ ପାଖରେ । ଅତିକ୍ରମ କରି ଆସିଥିବା ଏକତଳ ପ୍ରାସାଦଟି ପ୍ରତି ଲକ୍ଷ୍ୟ କଲା ସେ । ବାଃ ! ଚମତ୍କାର ହୋଇଛି । ଦୁଇ ପ୍ରାସାଦ ମଧ୍ୟରେ ପ୍ରାୟ ଦେଢ଼ଫୁଟ ପ୍ରସ୍ଥ ବିଶିଷ୍ଟ ଗୋଟାଏ ଗଳି । ସେହି ଗଳିର ଅନ୍ଧକାର ମଧ୍ୟରେ ଆତ୍ମଗୋପନ କଲା ସେ ।

 

କେତୋଟି ମିନିଟ୍‍ । ତା’ପରେ ଦ୍ୱିତଳ ପ୍ରାସାଦ ଆଡ଼ୁ ସେ ଶୁଣି ପାରିଲା ଗୋଟିଏ କାର୍‍ର ଷ୍ଟାର୍ଟିଂ ଶବ୍ଦ । ତା’ପରେ ଗୋଟାଏ ‘ଆମ୍ୱାସାଡର’ କାର ଅତି ମନ୍ଥର ଗତିରେ ସେହି ଗଳିକୁ ଅତିକ୍ରମ କଲା । ଅଠରଶହ ଏକାନବେ । ଛାୟାମୂର୍ତ୍ତି ସଙ୍ଗେ ସଙ୍ଗେ ବାହାରିଆସିଲା ଗାଳି ମଧ୍ୟରୁ । ଅତି ସତର୍କତାର ସହିତ ସେ ପେଟେଇ ପଡ଼ିଲା କାର୍‍ର ପଶ୍ଚାଦ ଭାଗରେ । କାଚବାଟେ ଭିତରକୁ ଚାହିଁଲା ସେ । ଦୁଇଜଣ ବସିଛନ୍ତି ଫ୍ରଣ୍ଟ ସିଟରେ । ସମସ୍ତ ଶରୀର ତାଙ୍କର କଳା ପୋଷାକ ଦ୍ୱାରା ଆବୃତ । ତନ୍ମଧ୍ୟରୁ ଜଣେ କରୁଛି ଡ୍ରାଇଭିଂ ।

 

ଟିକିଏ ବିଳମ୍ୱ ହୋଇଗଲା । ଚିନ୍ତା କରୁଥିଲା କାର୍‍ର ପଶ୍ଚାଦଭାଗରେ ଥିବା ଛାୟାମୂର୍ତ୍ତି ।

 

ଠିକ୍‍ ଜାଚକ ଲେନ୍‍ ଅତିକ୍ରମ କରିବାପରେ କାର୍‍ଟି ଉଲ୍‍କା ବେଗରେ ଛୁଟି ଚାଲିଲା ବକ୍‍ସି ବଜାର, କଟକଚଣ୍ଡୀ, ମହମ୍ମଦିଆ ବଜାର, ଚାନ୍ଦିନୀଚୌକ । ତା’ପରେ ଅନାଥାଶ୍ରମ ଅତିକ୍ରମ କରି କିଛି ବାଟ ଯାଇ ତା’ପରେ ଗୋଟାଏ ଗଛତଳେ ବ୍ରେକ୍‍ ଦେଲା । ଅତି ସତର୍କତାର ସହିତ ଛାୟାମୂର୍ତ୍ତି କାର୍‍ଟିର ପଶ୍ଚାଦଭାଗରୁ ଓହ୍ଲାଇଗଲା ଗଛ ଉହାଡ଼କୁ । ପ୍ରତି ମୁହୂର୍ତ୍ତରେ କାର୍‍ରୁ ଖସି ପଡ଼ିବାର ଆଶଙ୍କା କରୁଥିଲା ସେ ।

 

କାର୍‍ରୁ ଓହ୍ଲାଇ ଆସିଲେ ଦୁଇଟି ଛାୟାମୂର୍ତ୍ତି । ତା’ପରେ ଚତୁର୍ଦ୍ଦିଗରେ ବୁଲି ଆସିଲା ତାଙ୍କର ସତର୍କ ଦୃଷ୍ଟି । ସେମାନେ ଯିବାକୁ ଲାଗିଲେ ସମ୍ମୁଖସ୍ଥ ଦ୍ୱିତଳ ପ୍ରାସାଦ ଆଡ଼କୁ । ଗେଟ୍‍ ଅତିକ୍ରମ କରି ଛାୟାମୂର୍ତ୍ତି ଦୁଇଟି ଅଦୃଶ୍ୟ ହୋଇଗଲେ ଅନ୍ଧକାରମୟ ପ୍ରାସାଦ ମଧ୍ୟରେ । ତା’ପରେ ଗଛ ଉହାଡ଼ରୁ ସାବଧାନତା ସହ ବାହାରି ଆସିଲା ଗୋପନରେ ଥିବା ଛାୟାମୂର୍ତ୍ତିଟି ଏବଂ କମ୍ପାଉଣ୍ଡ ଓ୍ୱାଲ ପାର୍ଶ୍ୱ ଦେଇ ଲୁଚି ଲୁଚି ଯିବାକୁ ଲାଗିଲା ସେ ପ୍ରାସାଦରଟିର ପଶ୍ଚାଦ୍‍ଭାଗକୁ । ମୋଟେ ସାଢ଼େ ଚାରିଫୁଟ ଉଚ୍ଚ ହେବ କାନ୍ଥ । ତା’ପରେ ସତର୍କତାର ସହିତ ସେ ଡେଇଁଗଲା । ତା’ପରେ ଗୋଟାଏ ଗଛ ଉହାଡ଼ରେ ରହି ସେ ଚାହିଁଲା ପ୍ରାସାଦଟିର ଉପରିଭାଗକୁ । କିଛି ସମୟପରେ ଜଣାଗଲା—ପ୍ରାସାଦ ମଧ୍ୟସ୍ଥ ଦକ୍ଷିଣ ପାର୍ଶ୍ୱରେ ଦୁଇ ଚାରୋଟି ରୁମରେ ଖେଳିଯାଇଛି ବିଦ୍ୟୁତାଲୋକର ପ୍ଲାବନ ।

 

ଝରକା ଗୁଡ଼ିକରେ କଳାପର୍ଦ୍ଦା ଝୁଲୁଥିଲେ ମଧ୍ୟ ଛାୟାମୂର୍ତ୍ତିର ସନ୍ଧାନୀ ଦୃଷ୍ଟିକୁ ଏଡ଼ିଦେଇ ପାରିଲାନି ସେ ଗୁଡ଼ିକ । ନୀରବରେ ଟିକିଏ ହସି ଦେଲା ଛାୟାମୂର୍ତ୍ତି । ତା’ପରେ ସେ ଚତୁପାର୍ଶ୍ୱରେ ସତର୍କ ଦୃଷ୍ଟିପାତ କରି ଅତି ଧିରେ ଆଗେଇ ଚାଲିଲା ପ୍ରାସାଦଟିର କାନ୍ଥ ନିକଟକୁ । ଉପରକୁ ଯିବ କିପରି ? ଭାବିବାକୁ ଲାଗିଲା ସେ । ତା’ପରେ ଚକ୍ଷୁହୀନ ଭଳି କାନ୍ଥ ଦେହରେ ସେ ତା’ର ହସ୍ତ ଚାଳନ କରିବାକୁ ଲାଗିଲା । ବାଃ ! ପାଇପ୍‍ ଗୋଟାଏ । ଯାଇ ହେବ ଉପରକୁ । ତା ପରେ ସେ ପାଇପ୍‍ ସାହାଯ୍ୟରେ ଆରୋହଣ କରିବାକୁ ଲାଗିଲା । ପହଞ୍ଚିଲା ଦ୍ୱିତଳସ୍ଥ ଗୋଟାଏ ଝରକା ନିକଟରେ । ସେହିଠାରୁ ସେ ଶୁଣିବାକୁ ପାଇଲା ନରକଣ୍ଠର ଅସ୍ପଷ୍ଟ ଶବ୍ଦ । ତା’ପରେ ସେ ଆରୋହଣ କରିଥିବା ଝରକା ପାର୍ଶ୍ୱସ୍ଥ ପାଇପ୍‍ରୁ ଗୋଡ଼ ବଢ଼ାଇଲା ଝରକା ନିକଟକୁ । ତା’ପରେ ଅତି କଷ୍ଟରେ ଝରକାର ଗୋଟାଏ ରେଲିଂ ଧରି ପକାଇଲା ନିଃଶବ୍ଦରେ । ତା’ପରେ ସାବଧାନତା ଅବଲମ୍ୱନକରି ସେ ଝରକାକୁ ଓହ୍ଲାଇ ଆସିଲା । ତାପରେ ଦୁଇଟି ରେଲିଂ ଧରି ସେ ଝରକା ଉପରେ ବସି ରହିଲା ।

 

ଓ.....ତେବେ.....ଏ ସେଇ ହଲ୍‍ । ଭାବୁଥିଲା ଛାୟା ମୂର୍ତ୍ତିଟି । ତାପରେ ସେ ଶୁଣିବାକୁ ଲାଗିଲା ହଲ୍‍ ମଧ୍ୟରୁ ଆସୁଥିବା ନିମ୍ନ ଅଥଚ କର୍କଶ ସ୍ୱର । ସତ୍ୟଜିତ୍‍ ଦାସକୁ ଏପର୍ଯ୍ୟନ୍ତ କେହି ପାଇଲେ ନାହିଁ—ବଡ଼ ଦୁଃଖ ଓ ଲଜ୍ଜାର କଥା । ତା’ର ନାମ ଯେ କୌଣସି ମତେ ଧରାପୃଷ୍ଟରୁ ଲୋପ କରି ହେବାକୁ ହେବ । ଯାହାହେଉ, କାଲି ମୁଁ ଗୋଟାଏ ନୂତନ ଉପାୟ ଉଦ୍‍ଭାବନ କରି କହିବି । ସେହି ଉପାୟରେ ଧରାଯିବ ସତ୍ୟଜିତ୍‍ । ନଚେତ ଆମର ରକ୍ଷା ନାହିଁ । ପଅରି ଦିନ ମଧ୍ୟରେ ସେ ଧରା ପଡ଼େତ, ଭଲକଥା ନଚେତ୍‍ ଆମକୁ ଦଳ ଭାଙ୍ଗି ଦେବାକୁ ପଡ଼ିବ.....

 

ପାରିବା ନା ପାରିବା ପ୍ରଶ୍ନ ଉଠୁନି । ଏସ୍‍.ପି. ଙ୍କ ନିର୍ଦ୍ଦେଶାନୁଯାୟୀ କାଲି ଭିତରେ ସତ୍ୟଜିତ୍‍ ଦାସକୁ ଯେ କୌଣସି ଉପାୟରେ ବାହାର କରିବାକୁ ହେବ, ଜୀବନ୍ତ ହେଉ ବା ମୃତ ହେଉ । ନୀହାର କହୁଥିଲେ ସମ୍ମୁଖସ୍ଥ ଚୌକୀରେ ବସିଥିବା ସୁନୀଲ୍‍ ଚାଟାର୍ଜିଙ୍କୁ ।

 

କିନ୍ତୁ—ସାର୍‍, ଜଦି ସେ କଟକ ବାହାରକୁ ଚାଲି ଯାଇଥାଏ ?

 

ହୁଁ । ସେଇଥିପାଇଁ ତ ସବୁ ସ୍ଥାନକୁ ଜଣାଇ ଦିଆଯାଇଛି ।

 

ଏହି ସମୟରେ ଗୋଟାଏ କାର୍‍ ବ୍ରେକ୍‍ ଦେବାର ଶବ୍ଦ ଶୁଣି ପାରିଲେ ସେମାନେ । ଥାନାର କାଚ ଝରକା ବାଟେ ସୁନୀଲ ଚାହିଁଲେ ବାହରକୁ, ତା’ପରେ ନିଜ ଓ୍ୟାଚକୁ ଚାହିଁଲେ ସେ । ଆଠଟା ବାଜି ପାଞ୍ଚ ମିନିଟ୍‍ ।

 

ହୁଁ.....ସକାଳୁ ଏସ୍‍. ପି. ଆସିଲେଣି । ବିରକ୍ତ ହୋଇ କହି ପକାଇଲେ ସୁନୀଲ ଚାଟାର୍ଜି । ତା’ପରେ ହଠାତ୍‍ ନିଜର ସାର୍ଟ ପକେଟରେ ବାରମ୍ବାର ହାତ ପୁରାଇଲେ ସେ । ମନେ ହେଉଥିଲା ସତେ ଯେପରି ସେ କ’ଣ ଖୋଜିବାରେ ବ୍ୟସ୍ତ । ମୁଖରେ ତାଙ୍କର ଫୁଟି ଉଠିଥିଲା ବିରକ୍ତିର ଭାବ । ତା’ ପରେ ହଠାତ୍‍ ଛିଡ଼ା ହୋଇଗଲେ ସେ ଏବଂ ନଇଁପଡ଼ି ଟେବୁଲ୍‍ ଡ୍ରୟର, ଚୌକୀତଳ ଓ ଟେବୁଲ୍‍ ତଳ ଦେଖିବାକୁ ଲାଗିଲେ ।

 

ଏହି ସମୟରେ ପ୍ରବେଶକଲେ ଏସ୍‍.ପି. । ନୀହାରରଞ୍ଜନ ଚୌକୀ ଛାଡ଼ି ଛିଡ଼ା ହେଲେ । ସେଥିପ୍ରତି ଭୂକ୍ଷେପ ନଥିଲା ସୁନୀଲଙ୍କର । ସେ ସେତେବେଳେ ଆଲମାରୀ ଖୋଲି କାଗଜ ପତ୍ର ଖୋଜିବାରେ ବ୍ୟସ୍ତ ଥିଲେ । ତା’ପରେ ଗୋଟାଏ ଗୋଟାଏ ଫାଇଲ କାଢ଼ି ଚଟାଣ ଉପରେ ବିରକ୍ତି ସହିତ ନିକ୍ଷେପ କରୁଥିଲେ ସେ । ସେଗୁଡ଼ିକରୁ ଚଟଚାଟ୍‍ ଶବ୍ଦ ଆସୁଥିଲା । ତା’ପରେ ଆଲମାରୀ ଧାଡ଼୍‍ କରି ବନ୍ଦ କରିଦେଇ ସେ ଚଟାଣଯାକ ଗୁରୁଣ୍ଡିବାରେ ଲାଗିଲେ । ମୁହଁ ତାଙ୍କର ହୋଇଥିଲା ତଳକୁ । ଯେପରି ଚଟାଣର ପ୍ରତ୍ୟେକ ଇଞ୍ଚ ସେ ଭଲ ରୂପେ ପରୀକ୍ଷା କରିବାରେ ବ୍ୟସ୍ତ ।

 

ସେତେବେଳକୁ ଏସ୍‍.ପି. ଓ ନୀହାର ତାଙ୍କ ଆଡ଼କୁ ଚାହିଁଥିଲେ ଆଶ୍ଚର୍ଯ୍ୟ ହୋଇ । ଶେଷକୁ ଏସ୍‍.ପି. ଆଉ ଧୈର୍ଯ୍ୟ ନ ପାରି ଆଶ୍ଚର୍ଯ୍ୟ ହୋଇ ନୀହାରଙ୍କୁ ପ୍ରଶ୍ନ କଲେ—ଏ କ’ଣ ?

 

ଉତ୍ତର ଦେଇ ପାରିଲେନି ନିହାର । ଏସ୍‍, ପି ଙ୍କ ମୁହଁକୁ ଜଳକାଙ୍କ ଭଳି ଚାହିଁ ରହିଲେ । ଭୟ ମଧ୍ୟ ପାଇ ଯାଇଥିଲେ ସେ । କିନ୍ତୁ ପର ମୁହୂର୍ତ୍ତରେ ଉତ୍ତର ଦେଲେ ସୁନୀଲ—ସାର୍‍......ଖୋଜୁଛି ।

 

କ’ଣ ଖୋଜୁଛନ୍ତି ? ପ୍ରଶ୍ନକଲେ ଏସ୍‍.ପି. ।

 

ଯାହା ହଜିଯାଇଛି । ସାଧାରଣ ଭାବେ ଉତ୍ତର ଦେଲେ ସୁନୀଲ ।

 

କଣ ହଜିଯାଇଛି ? ପୁନର୍ବାର ପ୍ରଶ୍ନ କଲେ ଏସ୍‍. ପି.।

 

ଯାହା ଖୋଜୁଛି । ସୁନୀଲ ସେହିପରି ଉତ୍ତର ଦେଲେ ।

 

କ’ଣ ଖୋଜୁଛନ୍ତି ? ଯୋର ଦେଇ ପ୍ରଶ୍ନ କଲେ ଏସ୍‍. ପି ।

 

ଯାହା ହଜିଯାଇଛି । ଯୋଗ ଦେଇ ଉତ୍ତର ଦେଲେ ସୁନୀଲ ।

 

ଆରେ ! ବଡ଼ ଆଶ୍ଚର୍ଯ୍ୟ ଲୋକ ତ ଆପଣ ? ମୁଁ ପରା ପ୍ରଶ୍ନ କରୁଛି କ’ଣ ଖୋଜୁଛନ୍ତି ? ଏସ୍‍. ପି ଚଢ଼ାଗଳାରେ କହିଲେ । ଅତି ଭାବାନ୍ୱିତ ହୋଇ ପଡ଼ିଥିଲେ ସେ ।

 

ଯାହା ହଜିଯାଇଛି । ନାଟକୀୟ ଭଙ୍ଗୀରେ କହିଲେ ସୁନୀଲ ।

 

ଇଏ ଗୋଟାଏ ଅପୂର୍ବ ବେମାରୀ ବାହରିଲାଣି । ମନେ ମନେ ଭାବୁଥିଲେ ନୀହାର । ସୁନୀଲଙ୍କ ଆଡ଼କୁ ଚାହିଁ ଖାଲି ଦାନ୍ତ କଡ଼୍‍ ମଡ଼୍ କରୁଥିଲେ ସେ । ନିକଟ ଭବିଷ୍ୟତରେ ଏସ୍‍. ପି.ଙ୍କ ନିର୍ଦ୍ଦେଶ ଯେ କ’ଣ ହେବ—ସେ ବିଷୟ ସେ ଭାବି ପାରୁ ନଥିଲେ ।

 

ମୁଁ ଦେଖୁଚି ଏଠି ଆପଣ ଦୁଇଜଣ ଯାକ ଗୋଟିଏ ଫାର୍ଶ ଲଗାଇଛନ୍ତି....ଆଇ ଉଇଲ୍‍ ସସପେଣ୍ଡ୍‍ ଇଉ ବୋଥ....ଏ ଗୋଟାଏ ପୋଲିସ୍‍ ଷ୍ଟେସନ୍‍ ନା ରଙ୍ଗମଞ୍ଚ ! କହିଲା ବେଳେ ଏସ୍‍. ପି. ଏତେ ଶବ୍ଦ କରି କହିଲେ ସେ ନୀହାର ଚମକି ପଡ଼ିଥିଲେ ଓ ଥରିବାକୁ ଆରମ୍ଭ କରିଥିଲେ ।

 

ରଙ୍ଗମଞ୍ଚ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏସ୍‍. ପି. ଙ୍କ କଥା ଠିକ୍‍ ଶେଷ ହେବା ସଙ୍ଗେ ଦ୍ୱାରଦେଶରୁ ଶୁଣାଗଲା କାହାର ପରିହାସଭରା କଣ୍ଠ । ଚମକି ପଡ଼ି ସମସ୍ତେ ଚାହିଁଲେ ସେଇ ଆଡ଼କୁ । ଗୋଟାଏ ଶିଖ୍‍ ଯୁବକ ପ୍ରବେଶ କରୁଥିଲା ଥାନାର ସେଇ ରୁମ୍‍ଟି ମଧ୍ୟକୁ । ଦକ୍ଷିର ହସ୍ତରେ ତା’ର ଥିଲା ଗୋଟାଏ ରିଭଲ୍‍ଭର୍‍ । ଏସ୍‍. ପି.ଙ୍କୁ ଲକ୍ଷ୍ୟ ରଖିଥିଲା ସେ ।

 

ହ୍ୟାଣ୍ଡସ୍‍ ଆପ୍‍....ମିଷ୍ଟର ଟି.ଭି. ଶିବ୍‍ରାଓ । ତୁମେ ବି ବର୍ତ୍ତମାନ ଅଭିନୟ କରୁଛ । ହସୁଥିଲା ଶିଖ୍‍ ଯୁବକଟି ।

 

ଚମକି ପଡ଼ିଲେ ଏସ୍‍. ପି. । ସଙ୍ଗେ ସଙ୍ଗେ ସେ ସମ୍ୱରଣ କରିନେଲେ ନିଜକୁ । ତା’ପରେ ଯୁବକଟିର ଆପାଦ ମସ୍ତକରେ ଦୃଷ୍ଟି ସଞ୍ଚାଳନ କଲେ । ଯୁବକଟି ତା’ର ଫୁଲ ପ୍ୟାଣ୍ଟକୁ ବାମ ହସ୍ତଦ୍ୱାର ଉପରକୁ ଟେକି ଧରିଲା । ଉଦ୍ଦେଶ୍ୟ ଥିଲା ପରିହାସ । ଲୁଚି ରହିଥିବା ମୋଜା ଓ ଯୋତାର ଉପରିଭାଗକୁ ମଧ୍ୟ ଭଲରୂପେ ଦେଖ ।

 

ନୀହାରରଞ୍ଜନ ବୋକାଙ୍କ ଭଳି ଚାହିଁ ରହିଥିଲେ ଶିଖ ଯୁବକଟିକୁ । ସୁନୀଲ୍‍ ତାଙ୍କ ଖୋଜିବା ବନ୍ଦ କରି ଦେଇ ଛିଡ଼ା ହୋଇ ଯାଇଥିଲେ ।

 

ଇତିମଧ୍ୟରେ ପାଗଳ ବି ହୋଇ ଯାଇଛନ୍ତି ଆପଣ ?

 

ପାଗଳ ମୁଁ ନୁହେଁ, ଆପଣ ! ଏସ୍‍.ପି. ଙ୍କ ଭୂମିକାରେ ଅଭିନୟ କରି ସତ୍ୟଜିତ୍‍ ଦାସକୁ ଫାଙ୍କି ଦେବାର ପରିକଳ୍ପନା ଗୋଟାଏ ନିପଟ ପାଗଳାମୀ ବ୍ୟତୀତ ଆଉ କ’ଣ ହୋଇପାରେ ?

 

ଓ....ଅପରାଧୀ ତେବେ ମୁଁ ! ତା’ର ପ୍ରମାଣ ?

 

ତାର ପ୍ରମାଣ ତୁମେ ନିଜେ । ରିଭଲ୍‍ଭରଟି ଦୃଢ଼ମୁଷ୍ଟିରେ ଧରି ଏସ୍‍. ପି.ଙ୍କ ଆଡ଼କୁ ଆଗେଇ ଆସିଲେ ଛଦ୍ମବେଶୀ ସତ୍ୟଜିତ୍‍ । ତା’ପରେ ଏସ୍‍. ପି. ଙ୍କର କେଶରାଶିରୁ ପୁଳାଏ ଧରି ଟାଣିଦେଲେ । ସଙ୍ଗେ ସଙ୍ଗେ ବାହାରି ଆସିଲା କୁଞ୍ଚୁକୁଞ୍ଚିଆ କେଶ ବିଶିଷ୍ଟ ଗୋଟାଏ ଖୋଳ । ବାହାରକୁ ଦିଶିଲା କେଶବିହୀନ ମସ୍ତକଟି । ନୀହାରରଞ୍ଜନ ଆଶ୍ଚର୍ଯ୍ୟାନ୍ୱିତ ହୋଇ ବୁଲି ଆସିଥିଲେ ସତ୍ୟଜିତ୍‍ଙ୍କ ପଶ୍ଚାଦଭାଗକୁ । ଏସ୍‍. ପି.ଙ୍କ ମୁଖ ବିବର୍ଣ୍ଣ ହୋଇଗଲା ।

 

ବୁଝିଲେ ମିଷ୍ଟର ପରିଜା, ଏ ହେଉଛନ୍ତି ମାଡ୍ରାସର ବିଶିଷ୍ଟ ଡକାୟତ ଟ.ଭି. ଶିବରାଓ—ଯେ ଛ’ମାସ ପୂର୍ବରୁ ଜେଲରୁ ଖସି ଚାଲି ଆସିଛନ୍ତି । ବର୍ତ୍ତମାନ ସମ୍ମାନର ସହିତ ତାଙ୍କୁ ଆରେଷ୍ଟ.... । ପଶ୍ଚାତ୍‍ଭାଗକୁ ମୁହଁ ବୁଲାଇ ସତ୍ୟଜିତ କହୁଥିଲେ ନୀହାରରଞ୍ଜନକୁ ।

 

ସେହି ମୁହୂର୍ତ୍ତରେ ସେ ତାଙ୍କ ଦକ୍ଷିଣ ହସ୍ତର ମୁଷ୍ଟିରେ ପାଇଲେ ଶିବରାଓର ଶକ୍ତ ପଦାଘାତ । ରିଭଲ୍‍ଭର୍‍ଟି ଛିଟ୍‍କି ପଡ଼ିଗଲା ତଳେ । କେହି ଆକ୍ରମଣ କରିବା ପୂର୍ବରୁ ସେ ଲମ୍ଫ ଦେଇଥିଲା ପାର୍ଶ୍ୱଭାଗରେ ଥିବା ବିରାଟ କାଚ ଝରକାକୁ । ସଙ୍ଗେ ସଙ୍ଗେ ଚୂର୍ଣ୍ଣୀଭୂତ ହେଲା ଝରକାର ବିରାଟ କାଚଟା ଝଣ୍‍ ଝଣ୍‍ ଶବ୍ଦ ସହିତ । ତା’ପରେ ବାହାରେ ଶୁଣାଗଲା ଗୋଟାଏ କାର୍‍ର ଷ୍ଟାଟିଂ ଶବ୍ଦ ।

 

ନୀହାର ବାବୁ ....ଶୀଘ୍ର ଆପଣ ଦଳ ବଳ ସହିତ ଯା’ନ୍ତୁ.....‘ବ୍ଲୁ ବାର୍ଡରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଆରେଷ୍ଟ କରିବେ । ଆଉ ହଁ, ହୋଟେଲଟିର କୌଣସି କୋଠରୀର ବନ୍ଦୀ ଥିବା ଅବସ୍ଥାରେ ଏସ୍‍.ପି. ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବେ । ସୁନୀଲ ବାବୁ ମୋ ପଛେ ପଛେ ଆସନ୍ତୁ ଜିପ୍‍ ନେଇ...ଶୀଘ୍ର । ସତ୍ୟଜିତ୍‍ ଏତକ କହିଦେଇ ପହଞ୍ଚି ଯାଇଥିଲେ ସେ ପୂର୍ବରୁ ଆସିଥିବା ମଟର ସାଇକେଲ୍‍ ନିକଟରେ । ସଙ୍ଗେ ସଙ୍ଗେ ସେ ଷ୍ଟାର୍ଟ ଦେଲେ ସେଥିରେ ।

 

ତା’ପରେ ଉଲ୍‍କା ବେଗରେ ଛୁଟିଯାଉଥିବା ପ୍ଲାଇମାଉଥ୍‍ ପଛରେ ସେ ଛୁଟାଇଦେଲେ ତାଙ୍କର ବି.ଏସ୍‍. ଏ. ରୋଡ୍‍ ରକେଟକୁ । କିଛି ସମୟ ପରେ ପ୍ଲାଇମାଉଥ୍‍ ବ୍ରେକ୍‍ ଦେଲା କଟକ ଷ୍ଟେସନ୍‍ ପ୍ଲାଟ୍‍ଫର୍ମର ବାହାରେ । ଠିକ୍‍ ସେତିକି ବେଳକୁ ପୁରୀ-ତାଳଚେର୍‍ ପାସେଞ୍ଜର୍‍ ଷ୍ଟେସନ ଛାଡ଼ୁଥିଲା ଓ ତାର ଦୈର୍ଘ୍ୟର ପ୍ରାୟ ଅର୍ଦ୍ଧେକରୁ ଯଥେଷ୍ଟ ବେଶୀ ଅତିକ୍ରମ କରି ଯାଇଥିଲା ପ୍ଲାଟଫର୍ମକୁ । ଟାଇମ୍‍ ଓଭର୍‍ ହୋଇଯାଇଥିଲା ପ୍ରାୟ ଦୁଇ ମିନିଟ୍‍ ପୂର୍ବରୁ । କାର୍‍ରୁ ଅତି ଶୀଘ୍ର ଓହ୍ଲାଇ ପଡ଼ି ଶିବରାଓ ଦୌଡ଼ିଲା ପ୍ଲାଟ୍‍ଫର୍ମ ଭିତରକୁ । ଦେଖିଲା, ତାଳଚେରର ଶେଷ ଡବା ଷ୍ଟେସନ୍‍ର ସମ୍ପୂର୍ଣ୍ଣ ବାହାରେ । ଅତି ବେଗରେ ସେ ଦୌଡ଼ିବାକୁ ଲାଗିଲା ଟ୍ରେନ୍‍ ଧରିବାକୁ । ସେତେବେଳକୁ ସତ୍ୟଜିତ୍‍ ପହଞ୍ଚିଲେ ପ୍ଲାଟ୍‍ଫର୍ମ ମଧ୍ୟରେ । ସେ ମଧ୍ୟ ଦୌଡ଼ିବାକୁ ଲାଗିଲେ ଶିବରାଓର ପଛେ ପଛେ ।

 

ତାଳଚେର ଧରି ପାରିଲାନି ଶିବରାଓ । ପଛକୁ ଚାହିଁ ଦେଖିଲା, ସତ୍ୟଜିତ୍‍ ଦୌଡ଼ିଛନ୍ତି । ସଙ୍ଗେ ସଙ୍ଗେ ଯଥାସାଧ୍ୟ ବେଗ ବଢ଼ାଇ ସେ ପୁନର୍ବାର ସେହି ଆଡ଼େ ଦୌଡ଼ିଲା । ସତ୍ୟଜିତ୍‍ ମଧ୍ୟ ଯଥେଷ୍ଟ ବଢ଼ାଇଦେଲେ ନିଜର ବେଗ । ହଠାତ୍‍ ସେ ଦେଖିବାକୁ ପାଇଲେ ତଳେ ପଡ଼ିଛି ଗୋଟାଏ ବାଡ଼ି । ସଙ୍ଗେ ସଙ୍ଗେ ତାକୁ ନେଇ ସେ ନିକ୍ଷେପକଲେ ଶିବରାଓ ଆଡ଼କୁ । ଶିବରାଓର ଦୁଇଗୋଡ଼ରେ ଛନ୍ଦି ହୋଇଗଲା ବାଡ଼ିଟା । ସଙ୍ଗେ ସଙ୍ଗେ ସେ ପଡ଼ିଗଲା ରେଲୱେ ଲାଇନ ଉପରେ ।

 

ଇତି ମଧ୍ୟରେ ସତ୍ୟଜିତ୍‍ ପହଞ୍ଚି ଯାଇଥିଲେ ତା’ନିକଟରେ । କିନ୍ତୁ ପର ମୁହୂର୍ତ୍ତରେ ଶିବରାଓ ଉଠିଯାଇ ଯଥେଷ୍ଟ ବଳ ପ୍ରୟୋଗ କରି ସତ୍ୟଜିତ୍‍ଙ୍କର ତଳ ଓଠରେ ଗୋଟାଏ ମୁଖି ଦେଲା । ସଙ୍ଗେ ସଙ୍ଗେ ସେ ଓଲଟି ପଡ଼ିଲେ ଲାଇନ୍‍ ଉପରେ । ପୁନର୍ବାର ଦୌଡ଼ିବାକୁ ଲାଗିଲା ଶିବରାଓ । ସତ୍ୟଜିତ୍‍ ମଧ୍ୟ ସଙ୍ଗେ ସଙ୍ଗେ ଉଠିଯାଇ ଅନୁଧାବନ କଲେ । ଶିଖରପୁର ଅତିକ୍ରମ କରି ସେମାନେ ପହଞ୍ଚିଲେ ମହାନଦୀର ରେଲୱେ ପୋଲ ଉପରେ । ରେଲୱେ ପୋଲ ଉପରେ ସାବଧାନତା ଅବଲମ୍ୱନ କରି ଦୌଡ଼ିବାକୁ ପଡ଼ିଲା ଦୁଇଜଣଙ୍କ । ତଥାପି ସତ୍ୟଜିତ୍‍ ନିଜର ବେଗ ବଢ଼ାଇ ଦେଇ ପହଞ୍ଚିଲେ ଶିବରାଓଙ୍କର ପଶ୍ଚାଦଭାଗରେ ଏବଂ ତାର ସାର୍ଟକୁ ଧରିନେଇ ଟାଣିବାକୁ ଲାଗିଲେ ପଛକୁ ।

 

ବୁଲି ପଡ଼ି ଶିବରାଓ ତାଙ୍କ ଓଠ ତଳେ ଗୋଟାଏ ଶକ୍ତ ମୁଖି ବସାଇଦେଲା । ତୀବ୍ର ଯନ୍ତ୍ରଣା ଅନୁଭବ କଲେ ମଧ୍ୟ ସତ୍ୟଜିତ୍‍ ପଳାୟନ କରିବାକୁ ଦେଲେନି ତାକୁ । ସେ ମଧ୍ୟ ଗୋଟାଏ ମୁଖି ମାରିଲେ ତାର ନାଶାଗ୍ରକୁ । ଟିକିଏ ରହିଗଲା ଶିବ୍‍ରାଓ । ପରମୁହୂର୍ତ୍ତରେ ସିଂହର ଶକ୍ତି ସଞ୍ଚୟ କରି ସତ୍ୟଜିତ୍‍ଙ୍କ ପେଟକୁ ସେ ଦେଲା ଗୋଟିଏ ଘୁଷି । ଅସହ୍ୟ ଯନ୍ତ୍ରଣାରେ ଲେଉଟି ପଡ଼ିଲେ ସତ୍ୟଜିତ୍‍ । ଟିକିଏ ଅସାବଧାନ ହୋଇ ପଡ଼ିଥିଲେ ପୋଲ ଉପରୁ ଖସି ପଡ଼ି ମହାନଦୀର ଅତଳ ଗର୍ଭରେ ଲୀନ ହୋଇ ଯାଇଥା’ନ୍ତେ ସେ, କିନ୍ତୁ ରହିଗଲେ ଗୋଟାଏ ବାଡ଼ାକୁ ଧରି । ସଙ୍ଗେ ସଙ୍ଗେ ବୁଲି ପଡ଼ି ଶିବରାଓର ପେଟକୁ ସେ ମାରିଲେ ଗୋଟାଏ ଗୋଇଠା । ସେ ମଧ୍ୟ ଲେଉଟିପଡ଼ିଲା ଅତ୍ୟଧିକ ଯନ୍ତ୍ରଣାରେ ଏବଂ ରହିଗଲା ଅନ୍ୟପାର୍ଶ୍ୱରେ ବାଡ଼କୁ ଧରି । କିନ୍ତୁ ସତ୍ୟଜିତ୍‍ ତାକୁ ଆକ୍ରମଣ କରିବା ପୂର୍ବରୁ ପକେଟ ମଧ୍ୟରୁ ସେ ବାହାର କରି ନେଇଥିଲା ଗୋଟାଏ ତୀକ୍ଷଣ ଛୁରୀ । ହଠାତ୍‍ ସତ୍ୟଜିତ୍‍ଙ୍କର ଗୋଟାଏ ହସ୍ତକୁ ଧରିନେଲା ସେ ଏବଂ ତାଙ୍କର ବକ୍ଷଦେଶକୁ ଲକ୍ଷ୍ୟକରି ଉଦ୍ୟତ ହେଲା ଭୁଷି ଦେବାକୁ । କିନ୍ତୁ ସଙ୍ଗେ ସଙ୍ଗେ ଅନ୍ୟ ହସ୍ତରେ ସତ୍ୟଜିତ୍‍ କଚଟି ନିକଟରୁ ଧରିନେଲେ ଶିବରାଓର ସେହି ହସ୍ତଟିକୁ । ଅତ୍ୟଧିକ ଶକ୍ତି ବ୍ୟୟକରି ଛୁରୀଟିକୁ କ୍ରମେ କ୍ରମେ ତାଙ୍କର ବକ୍ଷ ଦିଗକୁ ନେବାକୁ ଚେଷ୍ଟାକଲା ସେ ।

 

ସତ୍ୟଜିତ୍‍ଙ୍କ ଶକ୍ତି କ୍ରମେ କ୍ରମେ ହ୍ରାସ ପାଉଥିଲା । ଶତ ଚେଷ୍ଟା ସତ୍ତ୍ୱେ ଶିବରାଓର ଛୁରୀ ତାଙ୍କ ବକ୍ଷର ନିକଟରୁ ନିକଟତର ହେବାକୁ ଲାଗିଲା । ଦୁଇପାର୍ଶ୍ୱକୁ ବିକଳହୋଇ ଚାହିଁଲେ ସେ । କାହାନ୍ତି ସୁନିଲ । କାହାନ୍ତି ନୀହାର ? ହାୟ..ଅଳ୍ପ ସମୟ ମଧ୍ୟରେ ଛୁରୀ ସତ୍ୟଜିତ୍‍ଙ୍କ ଦେହସାରା ଖେଳିଗଲା ଗୋଟାଏ ଚମକ ।

 

ଗୁଡ଼ମ୍‍....ଗୁଡ଼ମ୍‍.... । ଅଦୂରରୁ ଗର୍ଜନ କରି ଉଠିଲା ଗୋଟାଏ ରିଭଲ୍‍ବର୍‍ । ଗୋଟାଏ ଯନ୍ତ୍ରଣାଦାୟକ ଚିତ୍କାର କରି ଆଶ୍ରା ନେଉଥିବା ବାଡାର ଅପରପାର୍ଶ୍ୱକୁ ଓଲଟି ପଡ଼ିଲା ଶିବ୍‍ରାଓ । ସତ୍ୟଜିତ୍‍ ତାକୁ ଧରିବା ପୂର୍ବରୁ ତା’ର ନିସ୍ପନ୍ଦ ଶରୀର ଖସି ପଡ଼ିଲା ମହାନଦୀର ଅତଳ ଜଳରାଶି ମଧ୍ୟକୁ ।

 

ହାୱା ନିକଲ୍‍ ଗୟି । ଅଦୂରରୁ ପାଟିକରି ଆସୁଥିଲେ ସୁନୀଲ ଚାଟାର୍ଜି । ତାଙ୍କର ଅନୁସରଣ କରୁଥିଲେ କେତେଗୁଡ଼ିଏ କନଷ୍ଟେବଲ୍‍ ଓ ଜନତା ।

 

କ୍ଲାନ୍ତ ଅବସ୍ଥାରେ ସତ୍ୟଜିତ୍‍ ଆଉଜି ପଡ଼ିଲେ ପୋଲର ବାଡ଼ା ଦେହକୁ । ତଥାପି ସେ ହସିଦେଲେ ଟିକିଏ ।

 

ଯାହାହେଉ, ଭାଗ୍ୟଭଲ..... ମୁଁ ନଚେତ୍‍ ଷ୍ଟେସନରୁ ...ଫେରି ଯାଇଥାନ୍ତି । ସତ୍ୟଜିତ୍‍ଙ୍କ ନିକଟରେ ପହଞ୍ଚି କହିଲେ ସୁନୀଲ ଚାଟାର୍ଜି ।

 

ଶେଷ ପର୍ଯ୍ୟନ୍ତ ଶିବରାଓ ବଞ୍ଚି ପାରିଲା ନି—ଦୁଃଖ ଲାଗେ ସେଥିପାଇଁ । କହିଲେ ସତ୍ୟଜିତ୍‍ ।

 

ସେ କଥା ଛାଡ଼ନ୍ତୁ ...ଯାହାହେଉ ଆମର ଗୋଟାଏ ଶନି ଦଶା କଟିଗଲା ।

 

ବିତିଯାଇଛି ଦଶଟି ଦିବସ । ଇତି ମଧ୍ୟରେ ମହାନଦୀ ଗର୍ଭରୁ ଉଦ୍ଧାର କରାଯାଇଛି ଟି.ଭି. ଶିବରାଓର ମୃତ ଦେହ । ସହରସାରା ଖେଳିଯାଇଛି ସି.ଆଇ.ଡି. ଇନସପେକଟର୍‍ ସତ୍ୟଜିତ୍‍ ଦାସଙ୍କ ପ୍ରତି ପ୍ରଶଂସାର ଗୁଞ୍ଜନ ।

 

ଆଜି ସନ୍ଧ୍ୟାରେ ଏସ୍‍.ପି.ଙ୍କ ବାସଭବନରେ କେତେଜଣ ପୋଲିସ ଅଫିସରଙ୍କୁ ନେଇ ବସିଛି ଗୋଟିଏ ବୈଠକ । ସେଥି ନିମିତ୍ତ ଡ୍ରଇଂରୁମ୍‍ର ଅଦୂରରେ ଥବା ହଲ୍‍ଟି ଉତ୍ତମରୂପେ ସଜ୍ଜିତ ହୋଇଛି । ହଲ୍‍ଟିର ମଧ୍ୟଭାଗରେ ପଡ଼ିଛି ଗୋଟାଏ ବଡ଼ ଟେବୁଲ୍ । ତାର ଚତୁପାର୍ଶ୍ୱରେ ପଡ଼ିଛି ବହୁତ ଗୁଡ଼ାଏ ଚୌକୀ । ବୈଠକରେ ଉପସ୍ଥିତ ଅଛନ୍ତି ଏସ୍‍.ପି. ହିମାଂଶୁମୋହନ ମିଶ୍ର, ତାଙ୍କର ଅର୍ଦ୍ଧାଙ୍ଗିନୀ ପ୍ରଣତୀ ଦେବୀ, ଡି.ଏସ୍‍.ପି. ଶାରଦାପ୍ରସନ୍ନ ମହାନ୍ତି, ସବଇନସପେକ୍ଟର ସୁନୀଲ ଚାଟାର୍ଜି, ଲେଡି ଡିଟେକ୍‍ଟିଭ ଅଙ୍ଗୁରବାଳା ପରେଖ୍‍, ସି.ଆଇ.ଡି. ଇନସପେକ୍ଟର ସତ୍ୟଜିତ୍‍ ଦାସ । ଖାଲି ପଡ଼ିଛି ତିନୋଟି ଚୌକୀ ।

 

ନୀହାର ଆସିଲେ ନି କାହିଁକି ? ପ୍ରଶ୍ନ କଲେ ଏସ୍‍.ପି ।

 

ଆସୁଥିବେ ସାର, ତାଙ୍କ ଦେହ ଟିକିଏ ଖରାପ ଥିଲା । ସେଥିପାଇଁ ଆଠଦିନ ହେବ ଛୁଟି ନେଇଥିଲେ ସେ ଉତ୍ତର ଦେଲେ କହିଲେ ସୁନିଲ୍‍ ।

 

ଏହି ସମୟରେ ବାହାରୁ ଜୋତା ଶବ୍ଦ ଅସ୍ୱଷ୍ଟ ଭାବେ ଭାସି ଆସିଲା ।

 

ଆସିଲେ ବୋଧହୁଏ କହିଲେ ସତ୍ୟଜିତ୍‍ ।

 

ନୀହାର ବାବୁଙ୍କୁ ଦେଖି ଜଣେ ପରିଚାରିକା ହଲ୍‍ ମଧ୍ୟକୁ ଯିବାକୁ କହିଲା । ନୀହାର ଯିବାକୁ ଲାଗିଲେ ସେହି ଆଡ଼େ । ହଲ୍‍କୁ ଯିବାକୁ ହେଲେ ଆଉ ଗୋଟିଏ ରୁମ୍‍ ଅତିକ୍ରମ କରିବାକୁ ପଡ଼ିବ ତାଙ୍କୁ । ସେହି ରୁମ୍‍ଟି ଅତିକ୍ରମ କରିବା ପୂର୍ବରୁ ଦ୍ୱିତଳକୁ ପଡ଼ିଥିବା ପାର୍ଶ୍ୱଭାଗର ସୋପାନଶ୍ରେଣୀ ପ୍ରତି ପଡ଼ିଲା ତାଙ୍କର ଦୃଷ୍ଟି । ଗୋଟାଏ ନାରୀ ମୂର୍ତ୍ତି ଧୀରେ ଧୀରେ ଓହ୍ଲାଇ ଆସୁଛି । ଚମକି ପଡ଼ିଲେ ସେ ।

 

ଏ କ’ଣ ଦେଖୁଛନ୍ତି ସେ ! ସ୍ୱପ୍ନ ନୁହେଁ ତ ? ନିଜର ଚକ୍ଷୁ ମୁଦି ଦେଇ ପ୍ରତ୍ୟେକ ଚକ୍ଷୁର ଉପର ପତାକୁ ଟିକିଏ ଭଲ ଭାବେ ମକଚି ଦେଲେ ସେ । ତା’ପରେ ପୁଣି ଚାହିଁଲେ ସୋପାନଶ୍ରେଣୀକୁ ! ଏଁ ! ୟା ମଧ୍ୟରେ ଦୁଇ ଚାରୋଟି ସୋପାନ ପୁଣି ଅତିକ୍ରମ କରିସାରିଛି ଗୀତା ! ଗୀତ । ସେ ତ ମୃତା । ଏଠାରେ କିପରି ? ତା’ର ପ୍ରେତାତ୍ମା ନୁହେଁ ତ । ଜଳକାଙ୍କ ଭଳି ସ୍ପନ୍ଦିତ ହୃଦୟରେ ସେ ଚାହିଁ ରହିଲେ । ଗୀତା ନୀହାରଙ୍କର ଏ ଭାବଭଙ୍ଗୀ ଦେଖି ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଲା । ସେ ଆଶ୍ଚର୍ଯ୍ୟଭରା ନୟନରେ ନୀହାରଙ୍କୁ ଚାହିଁ ଓହ୍ଲାଇବାକୁ ଲାଗିଲା । ପୂର୍ବରୁ ପ୍ରେତାତ୍ମା ପ୍ରତି ଥିବା ତାଙ୍କର ବିଶ୍ୱାସ ଦୃଢ଼ତର ହେଲା । ତାଙ୍କୁ ଜଣାଗଲା ସତେ ଯେପରି ଗୀତାର ପ୍ରେତାତ୍ମା ତାଙ୍କୁ ଗିଳିବାକୁ ଧାଇଁ ଆସୁଛି । ସଙ୍ଗେ ସଙ୍ଗେ ଚିତ୍କାର କରିବାକୁ ଲାଗିଲେ ସେ । ଭୂ....ଭୂ.... ଭୂ....ଭୂତ ...। ତା’ପରେ ଦୌଡ଼ିଲେ ହଲ୍ ଘରଆଡ଼କୁ । ସମ୍ମୁଖ ଭାଗରୁ ଜଣେ ପରିଚାରିକା ଗୋଟାଏ ଟ୍ରେ’ରେ ସର୍ବତ୍‍ ଗ୍ଲାସଗୁଡ଼ାକ ନେଇ ପ୍ରବେଶ କରୁଥିଲା ହଲ୍‍ ମଧ୍ୟକୁ । ତାକୁଇ ଯାଇ ଭୟରେ ପଶ୍ଚାଦଭାଗରୁ କୁଣ୍ଢାଇ ପକାଇଲେ ସେ । ପରିଚାରକା ହସ୍ତରୁ ଟ୍ରେଟା ଖସି ପଡ଼ିଗଲା ତଳେ । କାଚ ଗ୍ଲାସଗୁଡ଼ାକ ତଳେ ଚୂର୍ଣ୍ଣୀଭୂତ ହେଲା । ପରିଚାରିକାଟି ଅପ୍ରସ୍ତୁତା ଥିବାରୁ ଚମକି ପଡ଼ି ସେ ମଧ୍ୟ ପଡ଼ିଗଲା ତଳେ ।

 

ଏ କ’ଣ...ଏ କ’ଣ ହେଲା ? ହଲ୍‍ ମଧ୍ୟରେ ପ୍ରବେଶ କରୁଥିଲା ଗୀତା । ସମସ୍ତେ ନିର୍ବାକ୍‍ ହୋଇ ଚାହିଁ ରହିଥିଲେ ଘଟଣାସ୍ଥଳକୁ ।

 

ସଙ୍ଗେ ସଙ୍ଗେ ଅନ୍ୟମାନେ ଉଠିଗଲେ ସେଠାକୁ । ଦୁଇଜଣଙ୍କୁ ଉଠାଇଲେ ସେମାନେ ।

 

ଗୀ....ଗୀ....ଗୀତା ବଞ୍ଚିଛନ୍ତି ? ବୋକାଙ୍କ ଭଳି ପ୍ରଶ୍ନ କଲେ ନୀହାର ।

 

ହୋ ହୋ ହୋଇ ହସି ଉଠିଲେ ସମସ୍ତେ ।

 

ଆପଣ ଜାଣି ନଥିଲେ ? ...ଓଃ.... ତା ପୂର୍ବରୁ ଆଠଦିନ ଛୁଟି ନେଇ ଘରକୁ ଯାଇଥିଲେ ପରା । କହିଲେ ସତ୍ୟଜିତ୍‍ ।

 

ନା.....ମୁଁ ଆଜି ଜଏନ୍‍ କରିବା ପରେ ସୁନୀଲଙ୍କଠାରୁ ଶୁଣିଲି ସାର୍‍ଙ୍କ ନିମନ୍ତ୍ରଣ କଥା । ତା’ପରେ ଆଉ କିଛି ଆଲୋଚନା ହୋଇ ପାରିନି ଆମର ।

 

ଆପଣ ଏ ଦୁର୍ବଳ ହୃଦୟ ନେଇ ପୋଲିସ୍ ଚାକିରୀ କାହିଁକି କରୁଥିଲେ...ମୁଁ ଆଶ୍ଚର୍ଯ୍ୟ ହେଉଛି ! ନୀହାରଙ୍କୁ ଚାହିଁ କହିଲେ ଏସ୍‍.ପି. ।

 

ଲଜ୍ଜିତ ହେଲେ ନୀହାର ।

 

ଯାଅ, ଆଉ ସର୍ବତ ନେଇ ଆସ । ରକ୍ଷା ହୋଇଛି—ଭଙ୍ଗା କାଚ ଉପରେ କେହି ପଡ଼ିଲେନି । ଏସ୍‍.ପି. କହିଲେ ।

 

ପରିଚାରିକା ଚାଲିଗଲା ।

 

ସମସ୍ତେ ଆସି ଅଧିକାର କଲେ ନିଜ ନିଜର ଆସନ । ଗୀତା, ଏସ୍‍.ପି. ଓ ପ୍ରଣତୀ ଦେବୀ ବସିଥିଲେ ତିନୋଟି ଚୌକୀରେ ଲଗା ଲଗି ହୋଇ । ସେମାନଙ୍କ ସମ୍ମୁଖରେ ବସିଥିଲେ ସତ୍ୟଜିତ୍‍ ଦାସ, ଅଙ୍ଗୁରବାଳା ପରେଖ୍‍ ଓ ସୁନୀଲ୍‍ ଚାଟାର୍ଜି । ଅନ୍ୟ ଦୁଇଟି ଚୌକୀରେ ବସିଥିଲେ ଡି.ଏସ୍‍.ପି ଓ ନୀହାର ।

 

ହୁଁ । ଏଥର ଆପଣ ଦୁଃସାହିସକ ଅଭିଯାନରେ କିପରି ସଫଳତା ଲାଭ କଲେ, ଗୋଟି ଗୋଟି କରି କହିଯା’ନ୍ତୁ । ଆଜିର ଏ ବୈଠକର ପ୍ରଧାନ କାରଣମାନଙ୍କ ମଧ୍ୟରୁ ଏ ହେଉଛି ଗୋଟିଏ । ସତ୍ୟଜିତଙ୍କୁ ଚାହିଁ କହିଲେ ଏସ୍‍.ପି. ।

 

ଟିକିଏ ହସିଦେଲେ ସତ୍ୟଜିତ୍‍ । ତା’ପରେ ଛିଡ଼ାହୋଇ ଆରମ୍ଭ କଲେ—

 

ଆପଣମାନେ ତ ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞା ନୁହଁନ୍ତି ।

 

ମୋର ପ୍ରଥମ ସନ୍ଦେହ ଏସ୍‍.ପି.ଙ୍କ ଉପରେ ହୁଏ । ଯେତେବେଳେ ହଠାତ୍‍ ଦେଖିବାକୁ ପାଇଲି ସେ ତାଙ୍କର ସମସ୍ତ ପୂଜାରୀ, ଚାକରଙ୍କୁ ଅବ୍ୟାହତି ଦେଇ ବେଶ୍‍ ସୁସ୍ଥ ସବଳ ବ୍ୟକ୍ତିମାନଙ୍କୁ ତାଙ୍କ ବଦଳରେ ରଜୀଛନ୍ତି । ଏ ସନ୍ଦେହ ମୋର ସେ ମୋଚନ କରିଥିଲେ ଗୋଟାଏ ଯୁକ୍ତି ଦେଖାଇ–ତାଙ୍କ ସ୍ତ୍ରୀଙ୍କ ହରଣଚାଳ ପରେ ସେ ଆଉ ପୂର୍ବ ଚାକିରିଆମାନଙ୍କୁ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ତାଙ୍କୁ ବିତାଡ଼ିତା କରି ରଖିଛନ୍ତି ଅନ୍ୟ ବ୍ୟକ୍ତିଙ୍କୁ । ମୋର ଦ୍ୱିତୀୟ ସନ୍ଦେହ ହେଉଛି, ସେ ମୋର ପ୍ରୋଗେସ୍‍ ବିଷୟରେ ବାରମ୍ୱାର ପ୍ରଶ୍ନ କରନ୍ତି । ସେ ପ୍ରଶ୍ନରୁ ମୋତେ ଜଣାଯାଏ–ଯେପରି ସେ ତାଙ୍କ ସ୍ତ୍ରୀଙ୍କ ହରଣଚାଳ ବିଷୟରେ ପ୍ରଶ୍ନ କରିବାର ଗୋଟାଏ ଆଳ ଦେଖାଇ ଅନ୍ୟ ବହୁତ କିଛି ଜାଣିବାର ପ୍ରୟାସ ରଖିଛନ୍ତି । ଅବଶ୍ୟ ପ୍ରକୃତି ଏସ୍‍.ପି.ଙ୍କ ପକ୍ଷରେ ତାହା ସ୍ୱାଭାବିକ । ତଥାପି ମୋତେ ଜଣାଯାଏ ଯେପରି ଏ ପ୍ରଶ୍ନର ପଶ୍ଚାଦଭାଗରେ ଲୁଚି ରହିଛି ଆଉ ଏକ ଅସତ୍‍ ଉଦ୍ଦେଶ୍ୟ । ମୁଁ କିନ୍ତୁ କୁଣ୍ଠାବୋଧ ନକରି ଯେତିକି କହିବା କଥା, ତାହା କହିଦିଏ, ଯେପରି ମୁଁ ତାଙ୍କୁ ସନ୍ଦେହ କରିଛି ବୋଲି ସେ ନ ଭାବନ୍ତି ।

 

ଟିକିଏ ନୀରବ ରହି ପୁନର୍ବାର କହିଲେ ସତ୍ୟଜିତ୍‍—ତା’ପରେ ଯେଉଁ ଅପରାଧଗୁଡ଼ିକ ଘଟିଯାଏ, ଅପରାଧୀ ନିଜ ବିରୁଦ୍ଧରେ ଯାଉଥିବା କୌଣସି ସାଧାରଣ ପ୍ରମାଣ, ଯଥା—ଆଙ୍ଗୁଳି ଚିହ୍ନ କିମ୍ୱା ସେହିଭଳି ଆଉ କିଛି ଛାଡ଼ିଯାଏ ନା । ମୋହନ ବାରିକର ହତ୍ୟାକାଣ୍ଡର ଗୁପ୍ତ ତଦନ୍ତ କରି ମୋତେ ସନ୍ଦେହ ପହଞ୍ଚେ ଜଜ୍‍ ସାହେବଙ୍କ ଡ୍ରାଇଭର ନିକଟରେ । ତଥାପି କିଛି ସୂତ୍ର ପାଏନି । ଭାବେ—ଅପରାଧୀଠାରୁ ଜଜ୍‍ ସାହେବଙ୍କ ଆଡ଼କୁ ମୋର ମନ ଭୁଲାଇ ନେବା ପାଇଁ ଗୋଟାଏ ଜାଲ୍‍ ହୋଇପାରେ । ‘ସ୍ୱପ୍ନପୁରୀ’ର ଜାଲ୍‍ ଟିକେଟ୍‍ କଥା ମୋର ପୁନର୍ବାର ମନେ ପଡ଼େ ଡିଲକ୍‍ସ ପ୍ରିଣ୍ଟିଂ ୱାର୍କସର ମ୍ୟାନେଜରଙ୍କ କାର ନମ୍ୱର ଜାଲ ହୋଇ ବ୍ୟବହୃତ ହୋଇଥିବା ‘ଆମ୍ୱାସାଡର୍‍’ଟିକୁ ଦେଖିବା ପରେ ବୁଝିନିଏ, ଏହିପରି ମୋର ସନ୍ଦେହକୁ ଅପରାଧୀ ଭାଗ ଭାଗ କରି ଦେବାକୁ ଇଚ୍ଛା କରେ, ଯାହାଦ୍ୱାରା କି ମୁଁ ଗୋଟାଏ ପଥ ଅବଲମ୍ୱନ କରି ଆଗେଇ ପାରିବିନି। ୟାକୁ ଆଜି ତ ତାକୁ କାଲି—ଏହିପରି ସନ୍ଦେହ କରି ଜାତ ହେବ ଦ୍ୱନ୍ଦ । ତଥାପି ମୋର ଦୃଢ଼ ସନ୍ଦେହ ଥାଏ ଯେ ସ୍ୱପ୍ନ ପୁରୀରେ ଜାଲ୍‍ ଟିକେଟ୍‍ ପ୍ରିଣ୍ଟିଂ ହୋଇଛି ନିଶ୍ଚୟ । ଆମୋଦକର ଟିକଟର ଅନୁସନ୍ଧାନ ନେଇ ବୁଝିଲି ଯେ-ସେ ସବୁ ନେଇଛନ୍ତି ସ୍ୱପ୍ନପୁରୀର ମ୍ୟାନେଜର । ଅନୁମାନ କରି ନେଲି – ନିଶ୍ଚୟ କୌଣସି ଜାଲ୍‍ ମ୍ୟାନେଜରଙ୍କ ଦ୍ୱାରା କାର୍ଯ୍ୟଟା ସମାପିତ ହୋଇଛି । ‘ସ୍ୱପ୍ନପୁରୀ’ର ଜାଲ୍‍ ଟିକେଟ୍‍ ବିକ୍ରୀ କରିବାରେ ଗୋଟାଏ ଥିଲା ସୁବିଧା । ତାହା ହେଉଛି—ସର୍ବଦା ତା’ର ସବୁ ଶ୍ରେଣୀର ଟିକେଟ୍‍ ଗୋଟିଏ ରଙ୍ଗ କାଗଜର—ଗାଢ଼ ସବୁଜ ରଙ୍ଗର । ତେଣୁ ବିଶେଷ ଅସୁବିଧା ହେବନି, ଆଛ ଜାଲ୍‍ଟାବି ଅନୁସନ୍ଧାନ ହୋଇ ପାରିବନି ଶୀଘ୍ର । ଅବଶ୍ୟ ମୋର ସନ୍ଦେହ ସତ୍ୟ ବୋଲି ପ୍ରମାଣିତ ହେଲା । ମୁଁ ଉତ୍ପଳ ସାମନ୍ତରାୟଙ୍କ ହତ୍ୟା ପରେ ପ୍ରେସର ଦୁଇଜଣ କର୍ମଚାରୀଙ୍କୁ ଜେରାକରି ସତ୍ୟ ବାହାର କଲି । କିନ୍ତୁ ଅପରାଧୀ ବିଷୟରେ ସେମାନେ କିଛି ଜାଣନ୍ତିନି ।

 

ନନ୍ଦକୁମାରଙ୍କ ହତ୍ୟାପରେ ମୋର ପୁନର୍ବାର ସନ୍ଦେହ ହୁଏ ଏସ୍‍.ପି ଙ୍କୁ । କିନ୍ତୁ ସେ ସନ୍ଦେହ ଅନେକାଂଶରେ ହ୍ରାସ ପାଏ ସିଗାରେଟ୍‍ଟାର ପରୀକ୍ଷା ପରେ । ଦସ୍ୟୁ ମହଲରେ ଇଭାଙ୍କ ନୃତ୍ୟ କରାଇ ଅପରାଧୀ କରି ବସିଲା ଗୋଟାଏ ମସ୍ତବଡ଼ ଭୁଲ । ଅବଶ୍ୟ ମୋର ଅନୁମାନ—ଇଭା ଦ୍ୱାରା ସେ ଏହିପରି କ୍ରମେ କ୍ରମେ ଜଟିଳ କାର୍ଯ୍ୟଗୁଡ଼ିକ କରାଇଥା’ନ୍ତା, କିନ୍ତୁ ଯେତେ ମେକ୍‍ଅପ୍‍ ହେଲେ ମଧ୍ୟ ମୁଁ ଆଉ ଥରେ ତାଙ୍କୁ ଦେଖିଲେ ଯେ ଚିହ୍ନି ପାରିବି–ଏ ସନ୍ଦେହ ଥିଲା ତା’ର କଳ୍ପନାର ବାହାରେ । ସେ ଯେତେବେଳେ ଜାଣିପାରିଲା ମୁଁ ତାଙ୍କୁ ସନ୍ଦେହ କରିଛି ବୋଲି, ସର୍ବଦା ଜଗି ରହିଲା ତାଙ୍କୁ ଏବଂ ଇଭା ଜାଣିଥିବା ଅପରାଧୀର ଜାଲ୍‍ ପରିଚୟଟା ମୋତେ କହିବା ପୂର୍ବରୁ, ସେ ତାକୁ ହତ୍ୟା କଲା । ଡିଲକ୍‍ସ ପ୍ରିଣ୍ଟିଂ ଓ୍ୱାର୍କସର ମ୍ୟାନେଜରଙ୍କୁ ମଧ୍ୟ ହତ୍ୟାକଲା ପ୍ରାୟ ସେହି କାରଣରୁ । ଅବଶ୍ୟ ମ୍ୟାନେଜର ମୋତେ ସ୍ୱତଃପ୍ରବୃତ୍ତ ହୋଇ ଜଣାଇବାକୁ ମନସ୍ଥ କରିଥିଲେ । କାରଣ ସେ ମଧ୍ୟ ପଡ଼ିଥିଲେ ତା ଜାଲରେ । ନନ୍ଦକୁମାରଙ୍କ ହତ୍ୟାର ପୂର୍ବଦିନ ମ୍ୟାନେଜରଙ୍କ କାର୍‍ ନମ୍ୱର ବ୍ୟବହାର କରି ଉତ୍ପଳ ସାମନ୍ତରାୟଙ୍କ ପ୍ରତି ମୋର ସନ୍ଦେହ ଜାଗରିତ କରାଇଥିଲା । ପୁଣି କେତେଦିନ ପରେ ନିଜ ବଦଳରେ ମିଷ୍ଟର୍‍ ସାମନ୍ତରାୟଙ୍କୁ ଧରାଇ ଦେବାର ବୃଥା ପ୍ରୟାସ କରିଥିଲା ।

 

ଏହିଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସେ କାର୍ଯ୍ୟ ହାସଲ କରୁଥିଲା ଜୀବନର ଭୟ ଦେଖାଇ ଓ ନିଜର ଜାଲ୍‍ ପରିଚୟ ଦେଇ । ସୁତରାଂ ପ୍ରତ୍ୟେକ ଭାବୁଥିଲେ—ଏସ୍‍. ପି. ଯେବେ ଏ ସବୁର ନାୟକ, ଆମେ ଧରା ପଡ଼ିବା କଷ୍ଟକର ।

 

ସାର୍‍, ଆପଣଙ୍କର ମନେ ଥିବ ? ଗୋଟାଏ କାର୍‍ ଆପଣଙ୍କୁ ଦିନେ ଅନୁସରଣ କରି ଏ ପର୍ଯ୍ୟନ୍ତ ଆସିଥିଲା ବୋଲି ଥରେ ମୋତେ କହିଥିଲେ । ସତ୍ୟଜିତ୍‍ ଚାହିଁଲେ ଏସ୍‍. ପି. ଙ୍କୁ ।

 

ହଁ.....ହଁ..... । ଉଦ୍‍ବିଗ୍ନ ହୋଇ କହିଲେ ଏସ୍‍. ପି. ।

 

ସେଇଟା ବର୍ତ୍ତମାନ ବୁଝି ପାରୁଥିବେ କାହାର ।

 

ଓ.....ସେଇଟା ତେବେ ଶିବ ରାଓର ?

 

ହଁ.......ସାର୍‍, ଠିକ୍‍ କେଇଦିନ ମଧ୍ୟରେ ସେ ଆପଣଙ୍କର କାର୍ଯ୍ୟକଳାପ, ଚାଲିଚଳନ ଅନୁସରଣ କରି ନେଇଥିଲା । ତା’ପରେ ଆପଣ ସେଦିନ ରାତିରେ କାର୍‍ ନେଇ ଏକାକୀ ଆସିଲାବେଳେ ଆପଣଙ୍କୁ କଲା ହରଣଚାଳ ଏବଂ ନିଜେ ଏସ୍‍. ପି. ସାଜି ଫେରି ଆସିଲା ଆପଣଙ୍କ ଘରକୁ । ପରେ ପରେ ସେ ଅନୁଭବ କରି ପାରିଲା ଯେ, ଆପଣଙ୍କ ସ୍ତ୍ରୀ ନିକଟରେ ସେ ଧରା ପଡ଼ିଯିବ । ତେଣୁ ଠିକ୍‍ ଦୁଇଦିନ ପରେ ତାଙ୍କୁ ହରଣଚାଳ କରିନେଇ ବ୍ୟଥିତ ପ୍ରାଣରେ ସମ୍ବାଦ ଦେଲା ଯେ, ପ୍ରଣତୀ ଦେବୀଙ୍କ ବେଡ୍‍ରୁମ୍‍ର ବାହାର ପଟ ବନ୍ଦଥିବା ଅବସ୍ଥାରେ ସେ ହରଣଚାଳ ହେଲେ କିପରି ! ନିଶ୍ଚୟ ଏସ୍‍. ପି. ଙ୍କ ବେଡ୍‍ରୁମ୍‍ ବାଟେ ତାଙ୍କୁ ନିଆଯାଇଛି । ଏଇ ଭୁଲଟା ସେ କରିଥିଲା । ଏ କଥା ମୋର ପୁନର୍ବାର ମନେ ପଡ଼ିଲା ଇଭା ହତ୍ୟା ପରେ ପରେ । ଆଉ ଗୋଟାଏ ବିଷୟ ମଧ୍ୟ ମୋର ମନେ ପଡ଼ିଲା । ତାହା ହେଉଛି—ମାଡ୍ରାସ ସି.ଆଇ.ଡ଼ି ର ଗୁପ୍ତ ସମ୍ୱାଦ—ବିଖ୍ୟାତ ଦସ୍ୟୁ ଟି.ଭି. ଶିବ୍‍ରାଓର ପଳାୟନ । ଅନୁମାନ କଲି, କୌଣସି ବିଶିଷ୍ଟ ବ୍ୟକ୍ତିର ଅଭିନୟ ଆଉ ଶିବରାଓ କରୁ ନାହିଁ ତ ?

 

ତାପରେ ଆରମ୍ଭ ହେଲା ନୃତ୍ୟ ଏବଂ ଗୀତର ପ୍ରୋଗ୍ରାମ । ଯାହାହେଉ, ମୋ ଦ୍ୱାରା ମେକ୍‍ଅପ୍‍ ହୋଇଥିବା ମିସ୍‍ ଅଙ୍ଗୁରବାଳା ପରେଖଙ୍କୁ ସେ ଚିହ୍ନି ପାରିଲାନି । ମିସ୍‍ ପରେଖ ଯେ ଚଳଚିତ୍ରରେ ଆଉଟ୍‍ ତୋର ସୁଟିଂ କଲାଭଳି ଏ ନୃତ୍ୟରେ ଏତେ ସଫଳତା ଲାଭ କରିବେ—ମୁଁ କଳ୍ପନା କରି ନଥିଲି । ହାରମୋନିୟମ ବଜାଉଥିଲି ମୁଁ ନିଜେ । ମୋର ରେଡ଼ିଓ ଆର୍ଟିଷ୍ଟ ବନ୍ଧୁ ଦୁଇଜଣଙ୍କ ମଧ୍ୟରୁ ଜଣେ ବଜାଉଥିଲା ଢୋଲକି ଏବଂ ଅନ୍ୟ ଜଣକ ସାଜିଥିଲା ନୃତ୍ୟକାରିଣୀର ପ୍ରିୟତମ । ସମସ୍ତେ ମୋ ଦ୍ୱାରା ଅତି ନିପୁଣଭାବେ ମେକ୍‍ଅପ୍‍ ହୋଇଥିଲେ । ନୃତ୍ୟ ପରେ ମୁଁ ସାର୍ଟିଫିକେଟ୍‍ ଆଣିବା ବାହାନାରେ ସେହି କାଗଜରେ ନେଇ ଆସିଥିଲି ଫିଙ୍ଗର ପ୍ରିଣ୍ଟ୍‍ । ଏହି ଭଳି ଉପାୟରେ ମୁଁ ସନ୍ଦେହ କରୁଥିବା ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କର ଫିଙ୍ଗର୍‍ପ୍ରିଣ୍ଟ୍‍ ଆଣି ସେଗୁଡ଼ିକୁ ପଠାଇଦେଲି ଫିଙ୍ଗର ପ୍ରିଣ୍ଟ୍‍ ବିଶେଷଜ୍ଞ ନିକଟକୁ । ଅନୁମାନ ସତ୍ୟ ହେଲା । ପାଞ୍ଚଟି ଫିଙ୍ଗର୍‍ ପ୍ରିଣ୍ଟ ରିପୋର୍ଟ ମଧ୍ୟରୁ ଗୋଟିଏ ଫିଙ୍ଗର୍‍ ପ୍ରିଣ୍ଟ ଦସ୍ୟୁ ଶିବରାଓର ସହିତ ମିଳିଗଲା । ତାହା ଥିଲା ଏସ୍‍. ପି. ଙ୍କର ।

 

କିନ୍ତୁ ଠିକ୍‍ ସେତିକିବେଳେ ଗୀତା ଆସିଥିଲେ ମୋତେ ଏ ଜାଲ୍‍ସାଜ୍‍ ବିଷୟରେ ଜଣାଇବାକୁ । ସେ ପୂର୍ବରୁ ମଧ୍ୟ ଏସ୍‍.ପି ଆଉ ତାଙ୍କ ପିତାଙ୍କ ଚାଲିଚଳନ ଓ ଆଚାର ବ୍ୟବହାରରେ ଯଥେଷ୍ଟ ତାରତମ୍ୟ ଲକ୍ଷ୍ୟକରି ସନ୍ଦେହ କରିଥିଲେ । ତଥାପି ମୋତେ କହି ନଥିଲେ । କିନ୍ତୁ ସେ ଦିନ ଶିବରାଓ ଦ୍ୱାର ବନ୍ଦକରି ମେକ୍‍ଅପ୍‍ ହେଉଥିଲା, ଭୁଲ ବଶତଃ ଝରକାଟା ଖୋଲା ରହି ଯାଇଥିଲା । ଗୀତା କୌଣସି କାରଣରୁ ସେହି ବାଟ ଦେଇ ଯିବାବେଳେ ଝରକା ବାଟେ ସେ ସ୍ପଷ୍ଟ ଦେଖିବାକୁ ପାଇଲେ ତା’ର ଚନ୍ଦା ମୁଣ୍ଡଟାକୁ । ତା’ପରେ ନୀରବରେ ଅନୁମାନ କରିନେଲେ ଯେ, ଏସ୍‍. ପି. ଆଉ ତାଙ୍କ ପିତା କେବେହେଲେ ଗୋଟାଏ ଲୋକ ନୁହଁନ୍ତି । ସଙ୍ଗେ ସଙ୍ଗେ ଛୁଟିଲେ କାର ନେଇ ମୋ ନିକଟକୁ । ସେତେବେଳକୁ ଶିବ୍‍ରାଓ ଏ ବିଷୟ ଜାଣିପାରି ଛୁଟିଲା ଗୀତାଙ୍କ ପଛେ ପଛେ ।

 

ଆଚ୍ଛା, ଗୀତା ଆପଣଙ୍କ ଘର ଦେଖିଲା କିପରି ? ଟିକିଏ ହସି ଦେଇ ପ୍ରଶ୍ନ କଲେ ଏସ୍‍. ପି. ।

 

ସେ ଥରେ କଲେଜରୁ ଫେରିଲାବେଳେ....ସେହି ବାଟଦେଇ ଆସୁଥିଲେ । ଗୀତାକୁ ଚାହିଁଲେ ସତ୍ୟଜିତ୍‍ । ନତମୁଖା ହେଲା ସେ । ମୁଖରେ ତାର ଆଙ୍କି ହୋଇ ଯାଇଥିଲା ଗୋଟାଏ କ୍ଷୀଣ ହାସ୍ୟରେଖା ।

 

ଆଚ୍ଛା, କଲେଜରୁ ଫେରିଲାବେଳେ ମେନରୋଡ଼ ଥାଉ ଥାଉ ସେ ଗଳି ବାଟ ଦେଇ କାହିଁକି ଆସୁଥିଲେ ? କିଛି ନ ଜାଣିଲା ଭଳି ପ୍ରଶ୍ନ କଲେ ସୁନୀଲ୍‍ ।

 

ଓଃ.....ଗୋଟାଏ.......ସାଥି ପିଲା ଘରକୁ ଯାଇଥିଲେ ନା କ’ଣ । ସେ ଗୌଣ କଥା ବର୍ତ୍ତମାନ ଛାଡ଼ନ୍ତୁ । କହିଲେ ସତ୍ୟଜିତ୍‍ ।

 

ଏସ୍‍. ପି. ଓ ପ୍ରଣତୀ ଦେବୀ ରହସ୍ୟଭରା ହସ ହସିଲେ । କିଛି ବୁଝି ପାରିଲେନି ସତ୍ୟଜିତ୍‍ । ପୁନର୍ବାର ସେ ଆରମ୍ଭ କଲେ—

 

ଗୀତା ମୋ ନିକଟରେ ପହଞ୍ଚିଲାବେଳକୁ ମୁଁ ଅନୁମାନ କରି ପାରିଥିଲି ଯେ କିଛି ଗୋଟାଏ ଅଘଟଣ ଘଟିବ ନିଶ୍ଚୟ । ତେଣୁ ନିଜକୁ ପ୍ରସ୍ତୁତ କରି ନେଇଥିଲେ । ଗୀତାର ଦେହରେ ତିନୋଟି ବ୍ୟୁଲେଟ୍‍ ବାଜିବା ପୂର୍ବରୁ ମୁଁ ତାଙ୍କୁ ଅତି ଚତୁରତାର ସହିତ ସାମାନ୍ୟ ପାର୍ଶ୍ୱଭାଗକୁ ଘୁଞ୍ଚାଇ ନେଇଥିଲି । ଗୀତାଙ୍କ ଦେହରେ ଗୁଳି ନ ବାଜି ବାଜିଲା ପଶ୍ଚାଦଭାଗର କାନ୍ଥ ଦେହରେ ବର୍ତ୍ତମାନ ମଧ୍ୟ ସେ ଦାଗ ତିନୋଟି ରହିଛି କାନ୍ଥରେ । ଆଉ ଗୋଟାଏ ସୁବିଧା ହେଲା, ଦୁର୍ବଳହୃଦୟା ଗୀତା ରିଭଲ୍‍ଭର୍‍ ଶବ୍ଦ ଶୁଣି ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ଶିବରାଓର ମଧ୍ୟ ମୋ ପ୍ରତି ଭୟ ଥିବାରୁ ଫାୟାର୍‍ କରି ଦେଇ ସେ ସଙ୍ଗେ ସଙ୍ଗେ ପଳାୟନ କଲା । ସେ ନିଃସନ୍ଦେହ ଥିଲା ଯେ, ଗୀତାଙ୍କର ମୃତ୍ୟୁ ହୋଇଛି । ତାପରେ ମୁଁ ଅବସ୍ଥାକୁ ବିଚାର କରି ନେଲି—ବର୍ତ୍ତମାନ ଯଦି ଗୀତା ଜୀବିତା ବୋଲି ସେ ଜାଣେ, ତେବେ ଏଇ ରାତି ଭିତରେ ସେ ମୋତେ ଓ ତାଙ୍କୁ ହତ୍ୟା କରିବ କିମ୍ୱା ନିଜେ ପଳାୟନ କରିବ ।

 

ମୁଁ ସଙ୍ଗେ ସଙ୍ଗେ ଅଙ୍ଗୁରବଳାଙ୍କ ଘରକୁ ଗୁପ୍ତରେ ଗୀତାଙ୍କୁ ନେଇ ଯାଇ ସେହିଠାରେ ତାଙ୍କୁ ଲୁଚାଇ ଦେଲି । ତା’ପରେ ମେଡ଼ିକାଲ୍‍ରୁ ମୋର ବନ୍ଧୁ ଡକ୍‍ଟର ପ୍ରେମରାଜ ଦାସଗୁପ୍ତଙ୍କ ଜରିଆରେ ନେଇ ଆସିଲି ଗୋଟାଏ ସତ୍ୟ ମୃତା ଯୁବତୀର ଶବ । ସୌଭାଗ୍ୟବସତଃ ସେ ଯୁବତୀଟି ସହିତ ଗୀତାଙ୍କର ଅନେକ ସାମଞ୍ଜସ୍ୟ ଥିଲା । ସଙ୍ଗେ ସଙ୍ଗେ ତାକୁ ମେକ୍‍ଅପ୍‍ କରି ପକାଇ ଦେଲି ମୋ ଘରେ । ତାର ମୁହଁରେ ଦୁଇଟି ଗୁଳି ମାରି ଫୁଟାଇ ଦେଲି ଏବଂ ସମ୍ପୂର୍ଣ୍ଣ ମୁହଁଟିକୁ ରକ୍ତରେ ଜୁଡ଼ୁବୁଡ଼ୁ କରି ଦେଲି, ଯେପରି ଜାଲ ଏସ୍‍. ପି. ତାଙ୍କ ଝିଅଙ୍କର ଶବକୁ ଦେଖିବା ବାହାନାରେ ଯଦି ଆସନ୍ତି, ଶବଟି ସେ ଜାଲ୍‍ ଗୀତାର—ତାହା ଅନୁମାନ କରି ପାରିବେ ନାହିଁ । ତା’ପରେ ଶବଟିର ପିଠି ପଟୁ ଏକ ଗୁଳିମାରି ତାର ବକ୍ଷ ଭେଦ କରାଇ ଦେଲି । ଘର ଯାକ ରକ୍ତର ସୁଅ ଦେଖାଇବାକୁ ବେଶୀ ରଙ୍ଗ ମଧ୍ୟ ଢାଳିବାକୁ ପଡ଼ିଲା ନାହିଁ । ପୋଷ୍ଟମର୍ଟମ୍‍ କରିଥିବା ଡକ୍‍ଟରଙ୍କୁ ପୂର୍ବରୁ କୁହାଯାଇଥିଲା ଯେ, ସେ ଶବଟିର ମୁହଁ ପୋଷ୍ଟମଟ୍‍ମବେଳେ କାଟି କୁଟି ଏଭଳି ବିକୃତ କରି ପକାଇବେ ଯେ ସେଠାରୁ ଫେରିଲାବେଳକୁ, ତାକୁ ଯେପରି କେହି ଚିହ୍ନି ପାରିବେନି । ନଚେତ୍‍ ଭଲଭାବେ ପରୀକ୍ଷା କଲେ ସବୁ ଧରା ପଡ଼ିଯିବ । ଆଉ ମଧ୍ୟ ଗୁଳି ବାଜି ମୃତ୍ୟୁ ହୋଇଛି ବୋଲି ସେ ମିଥ୍ୟା ରିପୋର୍ଟ ଦେବାକୁ କୁହାଯାଇଥିଲା । ସୁନୀଲ ମଧ୍ୟ ଏ କଥା ଜାଣିଥିଲେ । ଏସବୁର ଭାର ସୁନୀଲଙ୍କ ଉପରେ ଛାଡ଼ିଦେଇ ମୁଁ ଯାଇ ଲୁଚି ରହିଲି ସୁନୀଲଙ୍କ ବାସଭବନରେ ।

 

ତା’ପରେ ଅଙ୍ଗୁରବାଳାଙ୍କୁ ନିଯୁକ୍ତ କରିଦେଲି ମୋ କାର୍ଯ୍ୟରେ । ସେ ସମ୍ୱାଦ ଦେଲେ ଯେ ଏସ୍‍. ପି. ନିସ୍ତବ୍‍ଧ ରାତ୍ରିରେ ଯାଉଛନ୍ତି ଜଜ ସାହେବଙ୍କ ପ୍ରାସାଦକୁ ଓ ତା’ପରେ ସେଠାରୁ ଜଜ୍‍ ସାହେବଙ୍କ କାର୍‍ ନେଇ ତାଙ୍କ ଡ୍ରାଇଭର ସହିତ ଯାଉଛନ୍ତି ‘ବ୍ଲୁ ବାଡ୍‍’ କୁ । ଏପରି କରିବା ମୂଳରେ ଶିବରାଓର ଧୃର୍ତ୍ତତା ନିହିତ ଥିଲା । କେବେ ସେ ପ୍ରଥମେ ଜଜ୍‍ ସାହେବଙ୍କୁ ହିଁ ସନ୍ଦେହ କରିବା ଏବଂ ଅନ୍ୟ ଆଡ଼କୁ ସନ୍ଦେହ ଯିବା ପୂର୍ବରୁ ସେ ଖସି ଯିବାର ଉପାୟ କରିଥିବ । ହଁ....ମୁଁ ‘ବ୍ଲୁ ବାର୍ଡ’ର ମ୍ୟାନେଜରଙ୍କୁ ସନ୍ଦେହ କରିଥିଲି ହିମୁର ମୃତ୍ୟୁ ଦିନ । ତାଙ୍କରି ‘ଆମ୍ବାସାଡ଼ର’ ବ୍ୟବହାର କରିଥିଲା ଭାଇସ୍‍ ଚାନ୍‍ସଲର୍‍ଙ୍କ କାର୍‍ର ନମ୍ୱରଦେଇ । ଏପରି କରିବାର ଅର୍ଥ—ହତ୍ୟାର ତଦନ୍ତ କରି ପହଞ୍ଚିବୁ ଭାଇସ୍‍ଚାନସଲର୍‍ଙ୍କ ନିକଟରେ, ବିଫଳ ହୋଇ ଫେରିବୁ । ଏଭଳି ଗୋଟାଏ ଦୁର୍ଘଟଣା ଘଟିଯିବ ବୋଲି ଆଶା କରି ନଥିଲେ ସେ । ଯାହାହେଉ, ସେଥିରୁ ବେଶୀ କିଛି ତଥ୍ୟ ମିଳିଲାନି । ତଥାପି ଅପରାଧୀ ସହିତ ମ୍ୟାନେଜରଙ୍କର ସମ୍ପର୍କ ରହିଛି ବୋଲି ମୋର କ୍ଷୀଣ ସନ୍ଦେହ ଉଦ୍ରେକ ହେଲା ।

 

ମିସ୍‍ ଅଙ୍ଗୁରବାଳା ପରେଖଙ୍କ ଠାରୁ ସମ୍ୱାଦ ପାଇ ମୁଁ ଯାଇ ଜଗି ରହିଲି ଜଜ୍‍ ସାହେବଙ୍କ ପ୍ରାସାଦ ନିକଟରେ । ତା’ପରେ ସେମାନଙ୍କ ଅଜ୍ଞାତ ସାରରେ ତାଙ୍କରି ସହିତ ଗଲି ‘ବ୍ଲୁ ବାର୍ଡ’ କୁ । ଆପଣତ ଜାଣିଥିବେ, ଜଜ୍‍ସାହେବଙ୍କ ଗ୍ୟାରେଜ ଓ କାର୍‍ର ଚାବି ଡ୍ରାଇଭର ପାଖରେ ରହେ । ତେଣୁ ଜୀବନ ଭୟ ଓ ଧନ ଲୋଭ ଦେଖାଇ ସେ କରଗତ କରି ନେଇଥିଲା ଡ୍ରାଇଭର୍‍ ଓ ଦରଓ୍ୟାନକୁ । ସୁତରାଂ ଜଜ୍‍ ସାହେବଙ୍କ ଅଜ୍ଞାତସାରରେ ତାଙ୍କ କାର ଦସ୍ୟୁପୁରୀକୁ ଯାଇ ଫେରି ଆସି ପାରୁଥିଲା ।

 

ହଁ......ଆଉ ଗୋଟାଏ କଥା ମୁଁ ଛାଡ଼ିଯାଇଛି—ଶିବରାଓ ଏସ୍‍. ପି. ଙ୍କ ଛଦ୍ମବେଶରେ ରହିବାର ମୂଳରେ ଥିବା ଯଥେଷ୍ଟ କାରଣ ହେଉଛି ଯେ ଏସ୍‍.ପି.ଙ୍କ ଚେହେରା ସହିତ ତା’ର ଥିଲା ଯଥେଷ୍ଟ ସାମଞ୍ଜସ୍ୟ । କେବଳ କେଶବିହୀନ ମସ୍ତକରେ କୁଞ୍ଚକୁଞ୍ଚିଆ କେଶ ଥୋଡ଼ାଏ ଲଗାଇ ଦେଇ ସାମାନ୍ୟ ମେକ୍‍ଅପ୍‍ ହୋଇପଡ଼ିଲେ ସେ ଏସ୍‍.ପି.ଙ୍କ ସହିତ ସମ୍ପୂର୍ଣ୍ଣ ମିଳିଯାଉଥିଲା । ଦ୍ୱିତୀୟତଃ ଏସ୍‍.ପି. ଛଦ୍ମବେଶ ଧାରଣ କଲେ ସେ ରହିଯିବ ସନ୍ଦେହର ବାହାରେ, ଅଥଚ ପୋଲିସର ଅପରାଧୀ ବିରୁଦ୍ଧରେ କାର୍ଯ୍ୟକ୍ଷମ ସର୍ବଦା ଜାଣିପାରି ସାବଧାନ ହୋଇ ରହିପାରିବ । ତୃତୀୟତଃ ଦିନର କାର୍ଯ୍ୟସାଧନ ପାଇଁ ଯେ କୌଣସି ବ୍ୟକ୍ତିକୁ ଅଭୟ ପ୍ରଦର୍ଶନ କରି ପାରିବ ।

 

ବର୍ତ୍ତମାନ ଶୁଣନ୍ତୁ—ନନ୍ଦକୁମାରଙ୍କ ହତ୍ୟା ରହସ୍ୟ । ଅବଶ୍ୟ ଆପଣମାନେ ଏଥିରୁ କିଛିଟା ଜାଣନ୍ତି । ଶିବରାଓର ମୃତ୍ୟୁ ବେଳକୁ ‘ବ୍ଲୁ ବାର୍ଡ’ର ମ୍ୟାନେଜରଙ୍କ ସହିତ ସେଠାରୁ ସମସ୍ତ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଏବଂ ଜଜ୍‍ ସାହେବଙ୍କ ଡ୍ରାଇଭର ଓ ଦରଓ୍ୱାନଙ୍କୁ ଆରେଷ୍ଟ କରାଗଲା । ଜାଲ୍‍ ଏସ୍‍.ପି.ଙ୍କର ଏ ପ୍ରାସାଦରେ ଥିବା ସମସ୍ତ ପରିଚାରକମାନଙ୍କ ମଧ୍ୟରୁ ପ୍ରତ୍ୟକ ଗୋଟିଏ ଗୋଟିଏ ଗୁଣବାନ ବ୍ୟକ୍ତି । କିଏ ପକେଟ୍‍ମାର୍‍ କିଏ ଅନ୍ୟ ପ୍ରଦେଶର ଦାଗୀ—ଏହିପରି ।

 

ତା’ପରେ ମୁଁ ଉପସ୍ଥିତ ରହି ସମସ୍ତ ପ୍ରାସାଦଟି ସର୍ଚ୍ଚ କରିବାରୁ ଏସ. ପି.ଙ୍କ ବେଡ୍‍ରୁମରେ ଥିବା ଗୋଟାଏ ଆଲମାରୀରୁ ପାଇଲି ଏବଂ ଦିଆସିଲି ସାଇଜର କାଗଜ ଡବା । ତା’ମଧ୍ୟରେ ରହିଥିଲା କେତେଗୁଡ଼ିଏ ବିଶାକ୍ତ ସୂକ୍ଷ୍ମ ନିଡିଲ୍‍ (ଛୁଞ୍ଚି) । ପ୍ରତ୍ୟେକ ନିଡିଲ୍‍ର ସୂକ୍ଷ୍ମ ରନ୍ଦ୍ରରେ ଭରି ରହିଥିଲା ତୀବ୍ର ବିଷ, ଯାହା କି ଯେ କୌଣସି ପ୍ରାଣୀ ଦେହରେ ମଳିଚମ ତଳକୁ ଟିକିଏ ଫୋଡ଼ିଦେଲେ ସଙ୍ଗେ ସଙ୍ଗେ ତାର ଶରୀରସାରା ଖେଳିଯିବ ଏହି ବିଷ ଏବଂ ଦଶ ପନ୍ଦର ସେକେଣ୍ଡ ମଧ୍ୟରେ ସେ ସୁଖ ମରଣ ବରଣ କରିବ । କିନ୍ତୁ ଏହା ଏଭଳି ବୈଜ୍ଞାନିକ ଉପାୟରେ ତିଆରି ଯେ ପୋଷ୍ଟମର୍ଟମ କଲେ ମଧ୍ୟ କେଉଁଠି ଫୋଡ଼ାଗଲା, ତାହା ଜଣାପଡ଼ିବ ନାହିଁ । ଏହା ତ ପ୍ରଥମେ ଆମେ ସେଦିନ ଗୋଟାଏ କିରାଣିଠାରେ ପରୀକ୍ଷା କରି ଦେଖିଲେ । ସୁଟିଂ ସମୟରେ ଜାଲ୍‍ ଏସ୍‍. ପି. ପ୍ରତ୍ୟେକଙ୍କ ସିଗାରେଟ ବିତରଣ କରି ନିଜ ପକେଟ୍‍ ମଧ୍ୟରେ ‘କ୍ୟାପ୍‍ସଟାନ୍‍’ ପ୍ୟାକେଟ୍‍ଟି ରଖିବା ବେଳେ ଏହି ନିଡିଲକୁ ତାଙ୍କ ପକେଟ ମଧ୍ୟରୁ କୌଶଳରେ ସମସ୍ତଙ୍କ ଅଜ୍ଞାତସାରରେ ଫୋଡ଼ି ଦେଇଥିଲେ ନନ୍ଦକୁମାରଙ୍କ ଜାନୁକୁ । ଫଳତଃ ମୃତ୍ୟୁବରଣ କରିଥିଲେ ନନ୍ଦକୁମାର ।

 

ଆଉ ତ ସବୁ ଆପଣମାନେ ଜାଣନ୍ତି....କେବଳ ଜାଲ୍‍ ଗୀତାଙ୍କର ମୃତ୍ୟୁ ରହସ୍ୟ ଜାଣିବା ପୂର୍ବରୁ ନୀହାର୍‍ ବାବୁ ଦୁଇଟି ଛୁଟି ନେଇଗଲେ,….ହସିଦେଇ ବସିଗଲେ ସତ୍ୟଜିତ୍‍ ।

 

ସମସ୍ତେ ମଧ୍ୟ ମୃଦୁସ୍ୱରରେ ହସିଦେଲେ ଟିକିଏ । ତା’ପରେ ରାଜତ୍ୱ କଲା ନୀରବତା । ପ୍ରତ୍ୟେକେ ଚାହିଁ ରହିଥିଲେ ସତ୍ୟଜିତଙ୍କୁ । ଯେପରି ସେମାନେ ତାଙ୍କଠାରେ କୃତଜ୍ଞତା ଜ୍ଞାପନ କରୁଛନ୍ତି ।

 

ତା’ପରେ ପ୍ରଣତି ଦେବୀ ଏସ୍‍.ପି.ଙ୍କ କାନରେ କ’ଣ କହିଲେ ସଙ୍ଗେ ସଙ୍ଗେ ଏସ୍‍.ପି. ନୀରବତା ଭଙ୍ଗ କରି ସତ୍ୟଜିତ୍‍ଙ୍କୁ ଚାହିଁ କହିଲେ ନିଜର ଜୀବନକୁ ପାଣି ଛଡ଼ାଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମାରିବା ସଙ୍ଗେ ସଙ୍ଗେ ଗଲେ ଆପଣ ମୋର, ପ୍ରଣତିଙ୍କର ଓ ଗୀତାର ଜୀବନକୁ ମଧ୍ୟ ଯମପୁରରୁ ଫେରାଇ ଆଣି ପାରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ମୁହଁ ତଳକୁ ହେଲା ସତ୍ୟଜିତ୍‍ଙ୍କର ।

 

କିଛି ଭାବିବେନି...ମୁଁ ଜାଣି ପାରୁଛି ୟା ମଧ୍ୟରେ ଗୀତାର ଆପଣଙ୍କ ପ୍ରତି ଗୋଟାଏ କିପରି ସେହି ଉଦ୍ରେକ ହୋଇଛି ଓ ଆପଣଙ୍କର ମଧ୍ୟ ତା’ପ୍ରତି । ସତ୍ୟଜିତଙ୍କୁ ଚାହିଁଲେ ଏସ୍‍.ପି. ହିମାଂଶୁ ମୋହନ ମିଶ୍ର ।

 

ସତ୍ୟଜିତ୍‍ ପ୍ରମାଦ ଗଣୁଥିଲେ ନିଜେ ପିନ୍ଧିଥିବା ବାଟା ଯୋତାକୁ ଚାହିଁ । ....କିଛି ଭାବିବାର ନାହିଁ... ଏଇଟା ସ୍ୱାଭାବିକ । ତେବେ....ମୁଁ ପ୍ରସ୍ତାବ କରୁଛି, ଗୀତାକୁ ଆପଣଙ୍କ ସମର୍ପଣ କରିବି ।

 

ଗୀତାଙ୍କର ମୁହଁ ଲଜ୍ଜାରେ ରଙ୍ଗ ପଡ଼ି ଯାଇଥିଲା । ସେ ନତମୁଖା ହେଲେ । ସତ୍ୟଜିତ୍‍ ନୀରବ ରହିଲେ । ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଏସ୍‍.ପି.ଙ୍କ କଥାକୁ ଆନ୍ତରିକତାର ସହିତ ସମର୍ଥନ କଲେ ।

 

କିଛିଦିନ ପରେ ।

 

ସନ୍ଧ୍ୟା । ପ୍ରଭାତ ସିନେମାରେ ବିରାଟ ଜନଗହଳି । ବହୁ ଆକାଂକ୍ଷିତ ହିନ୍ଦୀ ଚଳଚିତ୍ର ‘‘ଦିଲ୍‍ ଆପନା ଔର୍‍ ପ୍ରୀତ୍‍ ପରାଇ’’ ର ପ୍ରାରମ୍ଭ ରଜନୀ । ଜନଗହଳୀ ମଧ୍ୟ ଦେଇ ପ୍ରବେଶ କରୁଥିଲେ ସତ୍ୟଜିତ୍‍ ଓ ଗୀତା । ଅଦୂରରେ ଛିଡ଼ା ହୋଇଥିଲେ ସୁନୀଲ ଓ ନୀହାର । ନବ ଦମ୍ପତିଙ୍କର ଅଲକ୍ଷ୍ୟରେ ସୁନୀଲ ଦେଖାଇ ଦେଲେ ନୀହାରଙ୍କୁ—ସାର୍‍, ହେଇଟି ଦେଖନ୍ତୁ...ମିଷ୍ଟର ଆଣ୍ଡ୍‍ ମିସେସ୍‍ ଦାସ । ତା’ପରେ ସତ୍ୟଜିତ୍‍ଙ୍କର ଦୃଷ୍ଟି ପଡ଼ିଲା ସେମାନଙ୍କ ଉପରେ । ହସି ଦେଇ ଗୀତା ଆଡ଼କୁ ମୁହଁ ବୁଲାଇ ନେଲେ ସେ ।

 

ଗୀତା ?

 

ଉଁ ?

 

ସେ ଆଡ଼କୁ ଚାହିଁଲ ....ଦେଖିପାରୁଛ ?

 

କ’ଣ ?

 

‘ହେଇଟି’ ଆଉ ‘ମାନିଲା’ ସେଠାରେ ଛିଡ଼ାହୋଇ ଆମକୁ କିପରି ଚାହିଁଛନ୍ତି....ଭାବୁଥିବେ ତୁମଠାରୁ ଆଉ ବୋଧହୁଏ ସୁନ୍ଦରୀ କେହି ନାହାନ୍ତି..... ।

 

ଯାଃ....ଭାରି ଇୟେ...

 

ଗୀତା ନତମୁଖା ହୋଇ ଟିକିଏ ହସିଦେଲେ । ଡାକବାଜୀ ଯନ୍ତ୍ରକୁ ତୋଳିଥିଲା—

 

ମେରା ଦିଲ୍‍ ଅବ୍‍ ତେରା ଓ ସାଜ୍‍ନା,

କୈସା ଯାଦୁ ଫେରା ଓ ସାଜ୍‍ନା...

Image